Unknown

 

 

 

 

 

 

 

 

 

 

 

ତରଙ୍ଗ

ଶ୍ରୀ ଆନନ୍ଦଚନ୍ଦ୍ର ମିଶ୍ର

 

ଉତ୍ସର୍ଗପତ୍ର

 

ପରମ ମାନନୀୟ ଶ୍ରୀଯୁକ୍ତ ଗୁଣିଗଣଗୁଣଗ୍ରାହକ, ପ୍ରଜାବତ୍ସଳ,

ନ୍ୟାୟପରାୟଣ, ଦେବଭକ୍ତ ନବଦୁର୍ଗ ରାଜା ସାହେବ

ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ସିଂହ ମାନଧାତା ମହୋଦୟ

ଉଦାରହୃଦୟେଷୁ !

 

ମହାରାଜ !

 

କାଳକ୍ରମେ ବହୁ ପୁରୁଷ ହେଲା ଏ ଅଧମ ପ୍ରଜା ଛାମୁଙ୍କ ରାଜ୍ୟର ଅଧିବାସୀ ଓ ଦାନଜମିଭୋଗୀ ।

 

ହେ ପୂଜ୍ୟ !

 

ଏ ଶରୀର, ମନ, ହୃଦୟ, ଭାବ ଓ ମସ୍ତିଷ୍କ ଶ୍ରୀଛାମୁଙ୍କର ସିନା !

 

ହେ ବରେଣ୍ୟ !

 

ଏଇ ଅଳ୍ପକାଳ ରାଜତ୍ୱ ମଧ୍ୟରେ ନବଦୁର୍ଗ ପ୍ରଜାମାନଙ୍କୁ ଶ୍ରୀହଜୁରଙ୍କ ହାଇସ୍କୁଲ, ପାର୍କ, କ୍ଳବ, ବିଦ୍ୟୁତ୍‌ ଆଲୋକ, ଆଡ଼ଭାଇଜରୀ କାଉନ୍‌ସିଲ, ଟେଲିଫୋନ, ପ୍ରଦର୍ଶନୀ ଶିକ୍ଷା, ଗୋଶାଳା, ଅନାଥାଶ୍ରମ, କଳାଶିକ୍ଷା, ଶିଳ୍ପଶିକ୍ଷାଭବନ ଓ ବେଠିପ୍ରଥା ନିବାରଣ ପ୍ରଭୃତି ଅସଂଖ୍ୟ ଦାନ ଅତୁଳନୀୟ ।

 

ହେ ଦୟାଶୀଳ !

 

ଦୁଃଖୀ-ଦୁଃଖନିବାରଣ, ନ୍ୟାୟଶାସନସ୍ଥାପନ, ପ୍ରଜାବାତ୍ସଲ୍ୟ ଓ ପ୍ରଜାଆନ୍ଦୋଳନରେ ଧୈର୍ଯ୍ୟ ଶ୍ରୀଛାମୁଙ୍କର ଉଦାରହୃଦୟର ନିଦର୍ଶନ ମାତ୍ର ।

 

ଏ ଦରିଦ୍ର ପ୍ରଜା ଓ ସାମାନ୍ୟ କର୍ମଚାରୀର କି ସମ୍ୱଳ ଅଛି ଯେ, ଯୋଗ୍ୟ ଅର୍ଘ୍ୟ ଅର୍ପଣ କରିବ ?

 

ହେ ସାଂସାରିକ-ବିଷୟ-ଜଞ୍ଜାଳ-ଜମ୍ୱାଳ-ନିର୍ଲିପ୍ତ ଦେବତା !

 

ଶ୍ରୀ ଛାମୁଙ୍କ ଅନ୍ନଜଳପୁଷ୍ଟ ଏ ମସ୍ତିଷ୍କବୃକ୍ଷର ଫଳ ‘‘ତରଙ୍ଗ’’ ଆସ୍ୱାଦନ ଅଧିକାର ଅନ୍ୟ କାହା ପକ୍ଷରେ ସମ୍ଭବ ନୁହେଁ । ଫଳର ଦୋଷ ଗୁଣ ଶ୍ରୀଛାମୁ ଉଦାରହୃଦୟରେ ସ୍ଥାନ ଦେବେ । ଏଇ ଆଶାରେ ଏ ‘ତରଙ୍ଗ’ ଫଳଟି ଶ୍ରୀଛାମୁଙ୍କ କରକମଳରେ ଅର୍ପଣ କଲି । ଇତି ।

 

ଚାହାଳୀ

ଶ୍ରୀ ଛାମୁଙ୍କର

ନୟାଗଡ଼

ଆଜ୍ଞାଧୀନ, ବିଶ୍ୱସ୍ତ ଓ ରାଜଭକ୍ତ ପ୍ରଜା

୧।୧୧।୪୧

ଶ୍ରୀ ଆନନ୍ଦଚନ୍ଦ୍ର ମିଶ୍ର

Image

 

ସୂଚୀପତ୍ର

 

୧.

ଗୋହିରାକ୍ଷେତ୍ର ଯୁଦ୍ଧର ପ୍ରଥମ ଦିନ ଗୋହିରାକ୍ଷେତ୍ର ଯୁଦ୍ଧର ଦ୍ୱିତୀୟ ଦିନ

୨.

ଆଲୋକ ଓ ଆନନ୍ଦ

୩.

ଆମର ବିଚାର୍ଯ୍ୟ

୪.

ରୁଚି ଓ ସୌନ୍ଦର୍ଯ୍ୟ

୫.

ପ୍ରକୃତିର ପ୍ରକୃତି

୬.

ଭାରତର ଉନ୍ନତି ଓ ଅବନତିରେ ଖାଇବାର ଗିରିସଙ୍କଟ

୭.

ଲୁଗା ଲୁଙ୍ଗି ଓ ନିଶ ଦାଢ଼ି

୮.

ମାନବିକତାରେ ପଶୁତ୍ୱ

୯.

ନାଗକନ୍ୟା

୧୦.

ଅଜେୟ ଶତ୍ରୁ

୧୧.

ସଂସାରରେ ପ୍ରବେଶ କରୁଥିବା ଯୁବକ ପ୍ରତି କେତେକ ସଦୁପଦେଶ

୧୨.

ମନୁଷ୍ୟ ନିମିତ୍ତ ମାତ୍ର

୧୩.

ପରିବର୍ତ୍ତନ ସଂସାରର ଧର୍ମ

୧୪.

ଚିନ୍ତାଧାରା

୧୫.

ଶିକ୍ଷାପ୍ରଣାଳୀ ସମ୍ୱନ୍ଧରେ ପଦେ ଅଧେ

୧୬.

ମାତୃପୂଜା

୧୭.

ବାରବାଟୀ ଦୁର୍ଗ

୧୮.

ଫକୀରମୋହନ

୧୯.

କୌଣସି ଭ୍ରମଣ

୨୦.

ଉତ୍କଳରେ ସାହିତ୍ୟ

Image

 

ଗୋହିରାକ୍ଷେତ୍ର ଯୁଦ୍ଧର ପ୍ରଥମ ଦିନ

 

ଷୋଡ଼ଶ ଶତାବ୍ଦୀରେ କାଲାଚାନ୍ଦ ଗୌଡ଼ର ସେନାନୀ ଆଖ୍ୟା ଧାରଣ କରି ଓଡ଼ିଶା ବିରୁଦ୍ଧରେ ଖଡ଼୍ଗ ଉତ୍ତୋଳନ କରିବାକୁ ମନସ୍ଥ କଲେ । ଆଶା ଥିଲା, ଅକ୍ଳେଶରେ ଗୌଡ଼ ଓ ଉତ୍କଳକୁ ଏକ ଶାସନାଧୀନରେ ରଖି ଓଡ଼ିଶାର ଶାସନକର୍ତ୍ତା ହେବେ, କିନ୍ତୁ ସେତେବେଳେ ବୀରଶ୍ରେଷ୍ଠ, ଓଡ଼ିଶା ରାଜମଣ୍ଡଳୀମୁକୁଟ, ପ୍ରଜା ବତ୍ସଳ ଓ ଧର୍ମପରାୟଣ ରାଜା ମୁକୁନ୍ଦଦେବ ପୁରୀଠାରେ ଓଡ଼ିଶା ସିଂହାସନ ଅଳଙ୍କୃତ କରି କଟକଠାରେ ନବତଳ ପ୍ରାସାଦରେ ସସୈନ୍ୟରେ ବାସ କରୁଥିଲେ । ଗଙ୍ଗାବଂଶର ସ୍ୱନାମଧନ୍ୟ ରାଜନ୍ୟବର୍ଗ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଅକ୍ଷୟକୀର୍ତ୍ତି ସ୍ଥାପନ କରି ଓ କେତେ ସ୍ୱାଧୀନ ରାଜାଙ୍କୁ ପଦଦଳିତ କରି ପଞ୍ଚଦଶ ଶତାବ୍ଦୀର ଶେଷପର୍ଯ୍ୟନ୍ତ ରାଜ୍ୟ ଶାସନ କରି ଆସିଥିଲେ । ଯେତେବେଳେ ଜଗଦ୍‌ବିଖ୍ୟାତ ସମ୍ରାଟ୍‌ ଆକବର ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ, ସେତେବେଳେ ସୁଲେମାନ ବଙ୍ଗଳାର ଶାସନକର୍ତ୍ତା ଓ ସର୍ବାଧିକାରୀ ଥିଲେ । ସେ ଅତ୍ୟନ୍ତ ଧର୍ମପରାୟଣ ଓ ପ୍ରଜାବତ୍ସଳ ରାଜା ଥିଲେ ।

 

ମନୁଷ୍ୟ ଲୋଭପରବଶ ହୋଇ କେତେବେଳେ କଣ କରେ, ତାହା ଜାଣି ପାରେ ନାହିଁ-। ଲୋଭରାକ୍ଷସର କବଳରେ ପଡ଼ିଲେ ଲୋକର ଧର୍ମଜ୍ଞାନ ଲୋପ ହୋଇଯାଏ, ସେ ଗୁରୁଜନମାନଙ୍କ ପ୍ରତି ଅଶ୍ରଦ୍ଧା ପ୍ରକାଶ କରେ, ବିବେକବାଣୀକୁ ଘୃଣା କରେ, ମିତ୍ରମାନଙ୍କ କଥା ଅବଜ୍ଞା କରି ଶେଷରେ ଇଚ୍ଛାନୁଯାୟୀ କୁକର୍ମ ସମ୍ପାଦନରେ କୁଣ୍ଠା ପ୍ରକାଶ କରେ ନାହିଁ । ଏପରି ଦୁର୍ଦ୍ଦମନୀୟ ଲାଳସା କବଳରୁ ସଲେମାନ୍‌ ବା ରକ୍ଷା ପାଆନ୍ତେ କିପରି ? ଆଉ ମଧ୍ୟ ସେହି ସମୟରେ ଓଡ଼ିଶାର କୁଳାଙ୍ଗାର ଓ ରାଜବିଦ୍ରୋହୀ ଶିଖି ଓ ମନାଇ ମହାପାତ୍ର ନାମରେ ଦୁଇଜଣ ଓଡ଼ିଆ ମୁକୁନ୍ଦଦେବଙ୍କ ଦ୍ୱାରା କୌଣସି ଅପରାଧ ହେତୁ ବିତାଡ଼ିତ ହୋଇ ବଙ୍ଗ ଶାସନକର୍ତ୍ତାଙ୍କ ପଦଲେହନରେ କୁଣ୍ଠା ପ୍ରକାଶ ନ କରି ତାହାଙ୍କର ଶରଣାପନ୍ନ ହେଲେ ଓ ଉତ୍କଳ ଆକ୍ରମଣର ଉପାୟମାନ ତାହାଙ୍କ ସମୀପରେ ବିବୃତ କଲେ । ଧିକ୍‌ ପାମରମାନେ ! ତୁମ୍ଭ ସମୟରେ ମହୋଦଧି କଣ ନ ଥିଲା ? ନାଁ ପୁଣ୍ୟତୋୟା ଚିତ୍ରୋତ୍ପଳା କଣ ଶୁଖି ଯାଇଥିଲା ? କିମ୍ୱା କଳଙ୍କକାଳିମାପୂର୍ଣ୍ଣ ମୁଖ ଲୁକ୍କାୟିତ କରିବାର ଉପାୟାନ୍ତର ନ ଥିଲା ? ତୁମେ କଣ ଓଡ଼ିଆ ? ଯେଉଁ ମାତୃଭୂମିପାଇଁ ଉତ୍କଳର ନୃପମଣ୍ଡଳୀ ଦୁଇହଜାର ବର୍ଷ ପୂର୍ବରୁ ଭାରତର ପୂର୍ବ ଉପକୂଳରେ ସିନ୍ଧୁ ସମୀରଣରେ ବିଜୟ ବୈଜୟନ୍ତୀ ଉଡ଼ାଇ, ବୈରୀ ଦମନ କରି ଏବଂ ଅକ୍ଷୁର୍ଣ୍ଣ, ସୁନ୍ଦର ଓ ସୁପ୍ରସ୍ତରନିର୍ମିତ ସୁଦୃଢ଼ ଦେବାଳୟମାନ ଭୂପୃଷ୍ଠରେ ଉତ୍ତୋଳନ କରି ଜୟଲକ୍ଷ୍ମୀବିମଣ୍ଡିତ ହୋଇଥିଲେ ଏବଂ ଜନନୀ, ଜନ୍ମଭୂମିକୁ ସ୍ୱର୍ଗଠାରୁ ବଡ଼ ମନେ କରୁଥିଲେ, ସେହି ମାତୃଭୂମି ବିରୁଦ୍ଧରେ ଯିବା ତୁମ୍ଭମାନଙ୍କର କଣ ଉଚିତ ହେଲା ?

 

ଭାଗ୍ୟଲକ୍ଷ୍ମୀ ଚିରସ୍ଥାୟୀ ନୁହନ୍ତି । ଆଜି ସେ ଆନନ୍ଦ-ପାରାବାରରେ ଭାସମାନ, କାଲି ସେ ଦୁଃଖସାଗରର ଅତଳ ଗର୍ଭରେ ନିମଜ୍ଜିତ; ଆଜି ଯେ ସବଳ ଓ ସୁସ୍ଥକାୟ ହୋଇ ଉତ୍ତୁଙ୍ଗ ହିମାଦ୍ରିର ଚୂଡ଼ା ଆରୋହଣପ୍ରୟାସୀ, କାଲି ସେ ରୋଗାକ୍ରାନ୍ତ ଓ ହୀନବଳ ହୋଇ ଉତ୍ଥାନଶକ୍ତିରହିତ; ଆଜି ଯେଉଁ ଦେଶ ସମସ୍ତ ଜଗତକୁ ପଦଦଳିତ କରିବାକୁ ଚେଷ୍ଟିତ, କାଲି ସେ ଶତ୍ରୁଦ୍ୱାରା ଲାଞ୍ଛିତ ଓ ପଦଦଳିତ; ପୁଣି ଆଜି ଯେ ତ୍ରିତଳ ପ୍ରାସାଦରେ ଦୁଗ୍ଧଫେନନିଭ ସୁକୋମଳ ଶଯ୍ୟାରେ ସୁପ୍ତ, କାଲି ସେ ପଥର ଭିଖାରୀ । ଏହି ତ ଜଗତର ଦୈନନ୍ଦିନ ଦୃଶ୍ୟ ! ସେଥିରେ ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ । ନିଜର ଅଭିଳାଷ ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ କାଲାଚାନ୍ଦ ଅସଂଖ୍ୟ ଯବନସେନା ଓ କୃତଘ୍ନ ଶିଖି ସହିତ ବନ୍ଧୁର ଓ ପାର୍ବତ୍ୟ ସ୍ଥାନ ଅତିକ୍ରମ କରି ପୁରୀ ଅଭିମୁଖରେ ଯାତ୍ରା କଲା । ପଥ ମଧ୍ୟରେ କେତେ ଶସ୍ୟକ୍ଷେତ୍ର ଓ ଗ୍ରାମମାନ ଭସ୍ମରାଶିରେ ପରିଣତ ହେଲା, ପତିବ୍ରତା କୁଳବଧୂମାନେ ମୁସଲମାନମାନଙ୍କର କରଗତ ହେଲେ ଏବଂ ଆଉ ଯେଉଁ ବୀଭତ୍ସ କାଣ୍ଡମାନ ସଂଘଟିତ ହୋଇଥିଲା, ତାହା ଲେଖନୀଦ୍ୱାରା ବର୍ଣ୍ଣନୀୟ ନୁହେଁ । କେତେ ଦେବମନ୍ଦିର ଲୁଣ୍ଠିତ ଓ ଧୂଳିସାତ୍‌ ହେଲା, ତଥାପି ଶତ୍ରୁହୃଦୟରେ କରୁଣାର ସଞ୍ଚାର ହେଲା ନାହିଁ । ଶେଷରେ ସେମାନେ ପୁରୀ ନ ଯାଇ ପଥ ମଧ୍ୟରେ ପ୍ରଥମେ କଟକ ଅବରୋଧ କଲେ । ହଠାତ୍‌ ଶତ୍ରୁର ଆକ୍ରମଣରେ କଟକବାସୀମାନେ ଟିକିଏ ବିଚଳିତ ହୋଇ ପଡ଼ିଥିଲେ, କିନ୍ତୁ ଅଳ୍ପଦିନ ମଧ୍ୟରେ ରାଜାଙ୍କର ଆଦେଶ ଓ ଉତ୍ସାହରେ ଅସଂଖ୍ୟ ଓଡ଼ିଆ ଖଣ୍ଡାୟତ ସୈନ୍ୟ ରୁଣ୍ଡ ହେଲେ ।

 

ସେତେବେଳେ ଓଡ଼ିଶାର ପ୍ରତ୍ୟେକ ଗୃହସ୍ଥ ଯୁଦ୍ଧବିଦ୍ୟା ଶିକ୍ଷା କରୁଥିଲେ । ଯେଉଁ ଓଡ଼ିଆମାନେ ଆଜି ଗୋରୁମାନଙ୍କୁ ଡରି ‘ଦଶ ହସ୍ତେନ ଶୃଙ୍ଗିଣଃ’ ଉକ୍ତିଟିକୁ ସାର୍ଥକ କରନ୍ତି, ଖଡ୍‌ଗ ଓ ବନ୍ଧୁକ ଦେଖିଲେ ଭୀତ ହୁଅନ୍ତି, ସେହିମାନେ ସେତେବେଳେ ଖଡ୍‌ଗକୁ ଯଷ୍ଟିରୂପେ ବ୍ୟବହାର କରୁଥିଲେ । ଆଜି ଯେଉଁ ଓଡ଼ିଆ ରମଣୀମାନେ ଅନ୍ଧକାର ଗୃହକୁ ନିଜର ସ୍ୱାମୀ ଓ ପୁତ୍ରମାନଙ୍କୁ ପଠାଇବାପାଇଁ କୁଣ୍ଠିତା, ଦିନେ ସେହି ଓଡ଼ିଆ ରମଣୀମାନେ ଭୀରୁ, କାପୁରୁଷ ପୁତ୍ର ବା ସ୍ୱାମୀର ମୁଖାବଲୋକନ କରିବାକୁ ଲଜ୍ଜାବୋଧ କରୁଥିଲେ ଓ ନିଜେ ଖଣ୍ଡା, ବର୍ଚ୍ଛା ପ୍ରଭୃତି ଅସ୍ତ୍ର ଶସ୍ତ୍ର ଧାରଣ କରି ଅଶ୍ୱାରୂଢ଼ା ହୋଇ ରଣାଙ୍ଗନରେ ରଣଚଣ୍ଡୀ ତୁଲ୍ୟ ଶତ୍ରୁର ବିନାଶସାଧନରେ ବ୍ୟାପୃତ ହେଉଥିଲେ ।

 

ଅନନ୍ତର ରାଜାଙ୍କ ଆଦେଶରେ କେତେକ ସୈନ୍ୟ କଟକରେ ଦୁର୍ଗରକ୍ଷା ଓ ବିପକ୍ଷ ପକ୍ଷ ସଙ୍ଗେ ଯୁଦ୍ଧ କରିବାକୁ ରହିଲେ ଏବଂ ନିଜେ ରାଜା ଅନେକ ସୈନ୍ୟ ଓ ସେନାପତିଙ୍କ ସହ ଶତ୍ରୁର ଅଗୋଚରରେ ବଙ୍ଗଳା ଅଭିମୁଖରେ ଯାତ୍ରା କଲେ । ସୁଲେମାନ୍‌ ଏହି ବାର୍ତ୍ତା ଗୁପ୍ତଚରଠାରୁ ଅବଗତ ହୋଇ ସସୈନ୍ୟରେ ଆସି ମୁକୁନ୍ଦଦେବଙ୍କ ସମ୍ମୁଖୀନ ହେଲେ । ମୁସଲମାନ ସୈନ୍ୟମାନେ ‘ଆଲ୍ଲା ହୋ ଆକ୍‌ବର’ ଉଚ୍ଚାରଣ କରି ଓଡ଼ିଆମାନଙ୍କୁ ଆକ୍ରମଣ କଲେ । ଆଘାତରେ ପ୍ରତିଘାତତୁଲ୍ୟ ଓଡ଼ିଶାର ଖଣ୍ଡାୟତମାନେ ଶାଣିତ କୃପାଣ କୋଷମୁକ୍ତ କରି ପ୍ରଚଣ୍ଡଭାବରେ ‘ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ’ କହି କପୋତ ଉପରେ ଶ୍ୟେନପକ୍ଷୀ ଝାମ୍ପ ଦେଲା ପରି ଶତ୍ରୁସୈନ୍ୟଙ୍କୁ ଆକ୍ରମଣ କଲେ ।

 

ତୁମୂଳ ସଂଗ୍ରାମ ଆରବ୍‌ଧ ହେଲା । ବିଜୟଲକ୍ଷ୍ମୀ କେତେବେଳେ ଓଡ଼ିଆମାନଙ୍କ ପକ୍ଷ ଅବଲମ୍ୱନ କରୁଥାନ୍ତି । କେତେକ ମୁସଲମାନ ଉତ୍କଳୀୟଙ୍କ ହସ୍ତରେ ପ୍ରାଣ ସମର୍ପଣ କଲେ ଓ ଆଉ କେତେକ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯୁଦ୍ଧସ୍ଥାନ ତ୍ୟାଗ କଲେ; କିନ୍ତୁ ଓଡ଼ିଆମାନଙ୍କର ଶରୀର କ୍ଷତବିକ୍ଷତ ହେଲେ ସୁଦ୍ଧା ସେମାନେ ଧୀରସ୍ଥିର ଓ ଅସୀମ ସାହସରେ ଯୁଦ୍ଧ କରିବାକୁ ଲାଗିଲେ । କାରଣ ସେମାନଙ୍କ ଜୀବନର ମୂଳ ମନ୍ତ୍ର ଥିଲା ‘କାର୍ଯ୍ୟଂ ବା ସାଧୟେତ୍‌, ଶରୀରଂ ବା ପାତୟେତ୍‌ ।’

 

ଏହିପରି ବହୁ ଯୁଦ୍ଧ ଓ ମୁସଲମାନମାନଙ୍କ ମୃତ୍ୟୁ ପରେ ଜଣେ ଦିବ୍ୟ ବପୁଷ୍ମାନ୍‌ ଓ ବେଗବାନ୍‌ ଅଶ୍ୱାରୋହୀ ସହସା ମୁକୁନ୍ଦଦେବଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ । ଦୁଇ ବୀରଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା ଏବଂ ଶେଷରେ ଆଗନ୍ତୁକ ମୁସଲମାନଟି ମୁକୁନ୍ଦଦେବଙ୍କ ଖଡ୍‌ଗାଘାତରେ ଅଚେତନ ହୋଇ ଭୂମିଶାୟୀ ହେଲେ । ଏହା ଦେଖି ଓଡ଼ିଆମାନେ ଆନନ୍ଦରେ ଗଗନ ପ୍ରତିଧ୍ୱନିତ କରି ନିଜ ଶିବିରକୁ ପ୍ରତ୍ୟାବର୍ତ୍ତନ କଲେ । କ୍ଷଣକ ପରେ ସୂର୍ଯ୍ୟଦେବ ପ୍ରତୀଚୀ ଗଗନରେ ଅସ୍ତମିତ ହେଲେ । ଚକ୍ରବାକଦମ୍ପତି ନିଶା ଆଗମନରେ ବିଚ୍ଛେଦ ବିଷୟ ସ୍ମରଣ କରି କରୁଣ ସ୍ୱରରେ ବିଳାପ କରିବାକୁ ଲାଗିଲେ । କ୍ରମେ ସନ୍ଧ୍ୟା ଉପସ୍ଥିତ ହେଲା । ଉତ୍କଳ ଶିବିରରେ ଯୁଦ୍ଧଘଟନା ଓ ବୀରତ୍ୱ ବିଷୟରେ ବହୁତ ବାଦାନୁବାଦ ଚାଲିଲା । ମୁକୁନ୍ଦଦେବ ସାନ୍ଧ୍ୟ କର୍ମ ସମାପନ କରି ନିଜେ କେତେକ ଅନୁଚର ସମଭିବ୍ୟାହାରରେ ଆଲୋକ, ଜଳ ଓ ଔଷଧ ସହ ଯୁଦ୍ଧସ୍ଥଳରେ ଉପସ୍ଥିତ ହେଲେ ।

 

ଓଃ ସେ କି ଭୟଙ୍କର ଦୃଶ୍ୟ ! ଚତୁଃପାର୍ଶ୍ୱ ଅନ୍ଧକାରାଚ୍ଛନ୍ନ, ଶୃଗାଳମାନେ ପଲ ପଲ ହୋଇ ମୃତ ଓ ମୁମୂର୍ଷୁ ବ୍ୟକ୍ତିମାନଙ୍କୁ ଭକ୍ଷଣ କରିବାରେ ବ୍ୟାପୃତ । ସେମାନେ ବେଳେ ବେଳେ ଆନନ୍ଦରେ ‘‘ହୁକେ ହୋ’’ ଶବ୍ଦରେ ବିଭୀଷିକାକୁ ବହୁଗୁଣରେ ବଢ଼ାଇ ଦେଉଅଛନ୍ତି । ସେ ବୀଭତ୍ସ କାଣ୍ଡ ଦର୍ଶନରେ ମନେ ହୁଏ, ସତେ ଯେପରି ଜନ୍ତୁରାଣ ସ୍ୱହସ୍ତରେ ରାଶି ରାଶି ଲୋକଙ୍କର ଆତ୍ମାକୁ ବନ୍ଧନ କରିବାରେ ନିଯୁକ୍ତ । ଚାରିଆଡ଼େ ‘ମଲି ମଲି’, ‘ଖାଇଲା ଖାଇଲା’ ପ୍ରଭୃତି ଆର୍ତ୍ତନାଦରେ ଗଗନ ପ୍ରତିଧ୍ୱନିତ ହେଉଅଛି । ଏହି ସମୟରେ ମୁକୁନ୍ଦଦେବ ଓ ତାଙ୍କର ଅନୁଚରବର୍ଗ କ୍ଷତବିକ୍ଷତ ସୈନିକମାନଙ୍କର ସେବାରେ ଲାଗିଗଲେ । ସେମାନଙ୍କ ଶୁଶ୍ରୂଷାରେ ବହୁ ହିନ୍ଦୁ ଓ ମୁସଲମାନ ଆଶ୍ୱସ୍ତ ହେଲେ । ଶେଷରେ ମୁକୁନ୍ଦଦେବ ଦେଖିଲେ ଜଣେ ଦିବ୍ୟଭୂଷାପରିହିତ ରାଜପୁରୁଷ ଯନ୍ତ୍ରଣାରେ ଛଟପଟ ହେଉଅଛନ୍ତି । ତାଙ୍କର କଷ୍ଟ ଦେଖିଲେ ପାଷାଣ ମଧ୍ୟ ଦ୍ରବୀଭୂତ ହୋଇଯିବ ।

 

ମୁକୁନ୍ଦଦେବ ତାହାଙ୍କୁ ଚିହ୍ନିଲେ ଓ ନିଜ ଉତ୍ସଙ୍ଗରେ ଧାରଣ କରି କ୍ଷତସ୍ଥାନଗୁଡ଼ିକ ଧୋଇ ଦେଇ ତହିଁରେ ଔଷଧ ଲେପନ କରିଦେଲେ । ସେହି ବ୍ୟକ୍ତି ଚୈତନ୍ୟ ଲାଭ କରି ବିନୀତଭାବରେ ରାଜାଙ୍କର ପରିଚୟ ଭିକ୍ଷା କରିବାରୁ ରାଜା କହିଲେ, ‘‘ସମ୍ରାଟ୍‌, ଚିହ୍ନି ପାରୁ ନାହାନ୍ତି ? ଏହି ବାକ୍ୟ ଶ୍ରବଣରେ ସେହି ବ୍ୟକ୍ତି ନିଜ ମସ୍ତକରୁ ମୂଲ୍ୟବାନ୍‌ ଉଷ୍ଣୀଷ ଉତ୍ତୋଳନ କରି ସମ୍ମାନସହକାରେ ମୁକୁନ୍ଦଦେବଙ୍କ ହସ୍ତରେ ଅର୍ପଣ କରି କହିଲେ—ରାଜନ୍‌, ଆଜିଠାରୁ ମୁଁ ଆପଣଙ୍କର ପଦତଳେ ଏହି ଜୀବନକୁ ସମର୍ପଣ କଲି । ଧନ୍ୟ ଆପଣଙ୍କର ଉଦାରତା ! ବିପନ୍ନ ଶତ୍ରୁ ପ୍ରତି ଆପଣ ଆଜି ଯେଉଁ କରୁଣା ପ୍ରଦର୍ଶନ କରିଅଛନ୍ତି, ତାହା ସମସ୍ତ ଜାତିର ଇତିହାସରେ ବିରଳ । ଆପଣଙ୍କର ଏହି ଉଦାରତା ଓ ସହୃଦୟତା ଆଜିଠାରୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଧନ୍ୟ ଓଡ଼ିଆର ଦୟା, ଧନ୍ୟ ଓଡ଼ିଆର କରୁଣାର୍ଦ୍ର ଓ ଧର୍ମପ୍ରାଣ ହୃଦୟ । ତାହା ନ ହୋଇଥିଲେ କି ଏହି ଜାତି ଆଜିଯାଏ ଏପରି ସ୍ୱାଧୀନଭାବରେ ରାଜତ୍ୱ କରି ଆସିଥାନ୍ତା ।’’ ଏହା କହି ସେ ଧୀରେ ଧୀରେ ନିଜର ଶିବିରକୁ ଗମନ କଲେ ଓ ମୁକୁନ୍ଦଦେବ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲେ ।

Image

 

ଗୋହିରାକ୍ଷେତ୍ର ଯୁଦ୍ଧର ଦ୍ୱିତୀୟ ଦିନ

 

ଗଭୀର ଅନ୍ଧକାର ରାତ୍ରି । କେବଳ ଶୃଗାଳମାନଙ୍କର ସାମୟିକ ‘‘ହୁକେ ହୋ’’ ଶବ୍ଦ ନିଶାର ନିସ୍ତବ୍‌ଧତା ଭଙ୍ଗ କରୁଅଛି । ମନେ ହୁଏ ସତେ ଅବା ସେମାନଙ୍କ ଗୃହରେ କେହି ଅଗ୍ନିସଂଯୋଗ କରିବାରୁ ସେମାନେ ସମସ୍ୱରରେ ପରସ୍ପରକୁ ଆହ୍ୱାନ କରି ସାହାଯ୍ୟଭିକ୍ଷା କରୁଅଛନ୍ତି ! ଅନ୍ଧକାର ବୃକ୍ଷକୋଟର ଓ କୂପ ମଧ୍ୟରୁ ବହିର୍ଗତ ହୋଇ ଆନନ୍ଦରେ ରାଜ୍ୟବିସ୍ତାର କରୁଅଛି । ସୈନିକମାନଙ୍କ ମୁଖର ବିଷାଦକାଳିମା ଅନ୍ଧକାରକୁ ଗାଢ଼ତର କରି ଦେଉଅଛି । ସେମାନଙ୍କ ମଧ୍ୟରୁ କେହି କେହି କ୍ଷତସ୍ଥାନରେ ଔଷଧ ଲେପନରେ ବ୍ୟସ୍ତ । କେହି ବା ସ୍ୱବନ୍ଧୁବାନ୍ଧବଙ୍କ ମୃତ୍ୟୁସମ୍ୱାଦ ସ୍ମରଣ କରି ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରୁଅଛନ୍ତି । କେତେକ ବିଶ୍ୱସ୍ତ କର୍ମଚାରୀ ରାଜାଙ୍କ ବିଷୟ ଭାବୁ ଅଛନ୍ତି ।

 

ଏମନ୍ତ ସମୟରେ ଜଣେ ଦୀର୍ଘବପୁଷ୍ମାନ୍‌ ଓ ତେଜସ୍ୱୀ ବୀରପୁରୁଷ ଶିବିର ମଧ୍ୟରେ ପ୍ରବେଶ କଲେ । ତାହାଙ୍କର ଶୁକ୍ନ ଓ ଦୀର୍ଘ ଶ୍ମଶ୍ରୁ ବାୟୁରେ ଇତସ୍ତତଃ ସଞ୍ଚାଳିତ ହେଉଅଛି । ଦେହର ପରିଚ୍ଛଦ ପ୍ରାୟ ରକ୍ତାକ୍ତ । ସେତେବେଳେ ତାହାଙ୍କର ପ୍ରକୃତି ଓ ଭାବଭଙ୍ଗୀ ଦେଖି ମନେ ହେଉଥିଲା, ସତେ ଯେପରି ସେ କୌଣସି ଗଭୀର ଚିନ୍ତାରେ ନିମଗ୍ନ ।

 

ତାହାଙ୍କୁ ଦେଖିବାମାତ୍ରକେ ସୈନିକମାନେ ନିଜ ନିଜ ସ୍ଥାନରେ ଦଣ୍ଡାୟମାନ ହୋଇ ସମ୍ମାନ ପ୍ରଦର୍ଶନ କରି ପୁନଶ୍ଚ ସ୍ୱ ସ୍ୱ ସ୍ଥାନରେ ନୀରବରେ ସେହିପରି ଦଣ୍ଡାୟମାନ ରହିଲେ । କାହାରି ମୁଖରୁ ପଦେ ମାତ୍ର କଥା ବାହାରୁ ନାହିଁ । କିଏ ବା କହିବ ? ସମସ୍ତେ ଯେ ସମଦଶାପନ୍ନ । ସମସ୍ତଙ୍କ ମୁଖ ଲଜ୍ଜାରେ ଅବନତ, କିଛିକ୍ଷଣ ପରେ ନବାଗତ ପୁରୁଷ ବଜ୍ରଗମ୍ଭୀର ସ୍ୱରରେ ଉତ୍କଳୀୟମାନଙ୍କର ବହୁ ପ୍ରଶଂସାବାଦ ଓ ଯାବତୀୟ ଅତୀତ ଘଟଣା ସେମାନଙ୍କ ଆଗରେ ବିବୃତ କରି ଶେଷରେ କହିଲେ, ‘‘ଓଡ଼ିଆକୁ ସମ୍ମୁଖ ସଂଗ୍ରାମରେ ପରାସ୍ତ କରିବା ଆମ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ । ବିଷଧର ସର୍ପ ବା କ୍ଷୁଧାର୍ତ୍ତ ବ୍ୟାଘ୍ରମୁଖରେ ହସ୍ତ ପ୍ରବେଶ କରିବା କିମ୍ୱା ବିନା ନୌକାରେ ସମୁଦ୍ର ଲଙ୍ଘନ କରିବା ଯେପରି ଦୁଃସାଧ୍ୟ, ଓଡ଼ିଆକୁ ଯୁଦ୍ଧରେ ପରାସ୍ତ କରିବା ମଧ୍ୟ ତଦ୍ରୂପ । ଚାଲ, ଆମ୍ଭେମାନେ ଏହି ଦେଶ ପରିତ୍ୟାଗ କରି ସ୍ୱଦେଶାଭିମୁଖରେ ଯାତ୍ରା କରିବା, ତଦ୍‌ବ୍ୟତୀତ ପରିତ୍ରାଣର ଉପାୟାନ୍ତର ନାହିଁ । ଏତାଦୃଶ ଦେବଭାବାବିଷ୍ଟ ଓ ଦୟାବତାର ଲୋକମାନଙ୍କୁ ଜୟ କରିବା ଦୁରାଶାମାତ୍ର ।

 

ଏହା ଶୁଣି ଶିଖି ଓ ମନାଇ ସମସ୍ୱରରେ କହି ଉଠିଲେ, ‘‘ଖୋଦାବନ୍ଦ, ଆପଣ ଏ ସୁବର୍ଣ୍ଣ ସୁଯୋଗରେ ଜଳାଞ୍ଜଳି ଦିଅନ୍ତୁ ନାହିଁ । ଜୟ ପରାଜୟ କ୍ଷତ୍ରିୟର ଭୂଷଣ । ଏପରି ପରାଭବରେ ଆପଣଙ୍କ ପରି ବୀର ହତୋତ୍ସାହ ଓ ରଣପରାଙ୍‌ମୁଖ ହେବା କଦାପି ଶୋଭନୀୟ ନୁହେଁ । ଏ ସମ୍ୱାଦ ଶ୍ରବଣ କରି ଆପଣଙ୍କ ପ୍ରଜାମଣ୍ଡଳୀ କଣ ଭାବିବେ ? ଜାହାଁପନା ! ଆପଣ ଯାହା ବିବୃତ କଲେ, ତାହା ସତ୍ୟ । ଓଡ଼ିଆ ଧର୍ମ ପରାୟଣ, ଓଡ଼ିଆ ସତ୍ୟବାଦୀ, ଧର୍ମ ତାହାର ମେରୁଦଣ୍ଡ, ସେ ନିରସ୍ତ୍ର ଶତ୍ରୁକୁ ବଧ କରେ ନାହିଁ, ବରଂ ତାହା ହସ୍ତରେ ନିଜର ମୂଲ୍ୟବାନ୍‌ ଜୀବନ ଅର୍ପଣ କରି ନିଜକୁ ଧନ୍ୟ ମନେ କରେ । ଓଡ଼ିଆ ବୀରଜାତି । ଓଡ଼ିଶା ବୀରଭକ୍ତ ଓ ବୀର ଅସ୍ଥିରେ ଗଢ଼ା । ଜାହାଁପନା, ଉତ୍କଳ ଭଳି ସ୍ୱର୍ଣ୍ଣପ୍ରସୂ ଓ ଶସ୍ୟଶ୍ୟାମଳା ଭୂମି ଅନ୍ୟତ୍ର ଦୁର୍ଲଭ । ଆପଣ ମନେ କରି ପାରନ୍ତି ଯେ, ଆମ୍ଭ ପକ୍ଷରେ ସୈନ୍ୟାଭାବ । ଆଜିର ଜଡ଼ତା ଓ ରଣକୌଶଳବିହୀନତା ଏହି ପରାଜୟର କାରଣ । ତେବେ କିଛିଦିନ ପାଇଁ ଯୁଦ୍ଧ ସ୍ଥଗିତ ରଖିଲେ ଭଲ ହୁଅନ୍ତା ନାହିଁ କି, ଖୋଦାବନ୍ଦ୍‌ ?’’

 

ଶିଖିର ଏହି ସୁପ୍ରସ୍ତାବଗୁଡ଼ିକ ମୁସଲମାନମାନଙ୍କ ମନରେ ଆନନ୍ଦର ଢେଉ ଖେଳାଇଦେଲା । ସୁଲେମାନ୍‌ ତ ପୁଣି ମନୁଷ୍ୟ, ସେ ବା ଲୋଭ ଓ ଆକାଙ୍‌କ୍ଷା କବଳରୁ ରକ୍ତମାଂସ ଶରୀର ବହନ କରି ରକ୍ଷା ପାଆନ୍ତେ କିପରି ? ଧନ ପ୍ରତି କାହାର ବା ତୃଷ୍ଣା ନାହିଁ । ଧନୀ, ଦରିଦ୍ର, ବ୍ରାହ୍ମଣ, ଚଣ୍ଡାଳ, ଯୋଗୀ, ବ୍ରହ୍ମଚାରୀ, ଭିକ୍ଷୁକ ଓ ସମ୍ରାଟ୍‌ ସମସ୍ତେ ଏହି ତୃଷ୍ଣାର ଅଧୀନ । ସୁଲେମାନଙ୍କର ବା ଏଥିରୁ ଅବ୍ୟାହତି କାହିଁ ? କିଛିଦିନ ପାଇଁ ଯୁଦ୍ଧ ବନ୍ଦ କରିବାକୁ ସେ ଆଦେଶ ଦେଲେ ।

 

ଏଣେ ମୁକୁନ୍ଦଦେବ ନିଶୀଥରେ ସ୍ୱଶିବିରକୁ ଅନୁଚର ସମଭିବ୍ୟାହାରରେ ପ୍ରତ୍ୟାବର୍ତ୍ତନ କଲେ । ଆଜି ଓଡ଼ିଆମାନେ ଆନନ୍ଦସାଗରରେ ଭାସମାନ । ରାତ୍ରିରେ କାହାରିକୁ ନିଦ୍ରା ହେଉ ନାହିଁ-। କିଏ କିପରି ମୁସଲମାନମାନଙ୍କୁ ବଧ କଲା, ଏହି ବିଷୟରେ କେବଳ ଚର୍ଚ୍ଚା ଚାଲିଥାଏ । କ୍ରମଶଃ ରାତ୍ରି ଗଭୀର ହୋଇଯିବାରୁ ସମସ୍ତେ ନିଦ୍ରାଦେବୀଙ୍କ ସୁକୋମଳ କ୍ରୋଡ଼ରେ ଆଶ୍ରୟ ଗ୍ରହଣ କଲେ-

 

ପ୍ରଭାତ ହେଲା । ପକ୍ଷୀମାନଙ୍କର ମଧୁର ସ୍ୱରରେ ଗଗନ ପ୍ରତିଧ୍ୱନିତ ହେବାକୁ ଲାଗିଲା-। ଉଷାଦେବୀ ସିନ୍ଦୂରଟୀକାବିଭୂଷିତା ହୋଇ ଅର୍ଘ୍ୟସ୍ଥାଳୀହସ୍ତରେ ସୂର୍ଯ୍ୟଦେବଙ୍କୁ ବରଣ କଲେ । ନବତୃଣୋପରି ନିପତିତ ଶିଶିରବିନ୍ଦୁନିଚୟ ବାଳସୂର୍ଯ୍ୟଙ୍କ କନକକିରଣରେ ଅପୂର୍ବ ଶୋଭା ଧାରଣ କଲା । ପ୍ରାଣୀସମୂହ ନିଦ୍ରାତ୍ୟାଗ କରି ନିଜ ନିଜ କାର୍ଯ୍ୟରେ ଅଭିନିବିଷ୍ଟ ହେଲେ । ସୈନିକମାନେ ଦଳ ଦଳ ହୋଇ ରାତ୍ରିବିଷୟକ ଗଳ୍ପମାନଙ୍କରେ ରତ ହେଲେ । ପ୍ରଭାତରେ ଗାତ୍ରୋତ୍ଥାନ କଲାକ୍ଷଣି ସୁଲେମାନଙ୍କ ମନରେ ପୂର୍ବ ରାତ୍ରିର ସମସ୍ତ ବିଷୟ କ୍ରମେ କ୍ରମେ ଉଦିତ ହେବାରୁ ସେ ତାହାର ଜ୍ୱାଳା ସହ୍ୟ କରି ନ ପାରି ପୁଣି ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଆଦେଶ ପ୍ରଚାର କଲେ । ଶିଖି ପୁଣି ଥରେ ତାଙ୍କୁ ବହୁ ପ୍ରବୋଧବାକ୍ୟଦ୍ୱାରା ଯୁଦ୍ଧ କରିବାକୁ କହିଲା । ଏହିପରି ଆଶା ଓ ନୈରାଶ୍ୟ ମଧ୍ୟରେ ଦ୍ୱନ୍ଦ୍ୱଯୁଦ୍ଧ ହେବାକୁ ଲାଗିଲା । ସଦିଚ୍ଛା ଓ ସଦ୍‌ବିଚାର ବାରମ୍ୱାର ହୃଦୟରେ ଆଘାତ କଲା, ମାତ୍ର ଲୋଭର କୁଟିଳ ଆବର୍ତ୍ତରେ ପଡ଼ି କେଉଁଆଡ଼େ ବିଲୀନ ହୋଇଗଲା, ତାହାର ସତ୍ତା ମିଳିଲା ନାହିଁ । ଓଡ଼ିଆମାନେ ଉତ୍‌ଫୁଲ୍ଲ ଚିତ୍ତରେ ସ୍ୱୀୟ କର୍ମ ସମ୍ପାଦନ କରି ଜଗନ୍ନାଥ ଦେବଙ୍କ ପୁନର୍ଦ୍ଦର୍ଶନାକାଂକ୍ଷାରେ ପୁରୀ ଅଭିମୁଖରେ ଯାତ୍ରା କଲେ । ଏହି ସମୟରେ ସେହି ଦେଶଦ୍ରୋହୀ ଓ ସ୍ୱଜାତିବିଦ୍ୱେଷୀଙ୍କର ଉତ୍ତେଜନାପୂର୍ଣ୍ଣ ବାକ୍ୟରେ ସମୁତ୍ସାହିତ ସୁଲେମାନ ପୁଣି ଯୁଦ୍ଧ ଉଦ୍ଦେଶ୍ୟରେ ଓଡ଼ିଆମାନଙ୍କର ପଶ୍ଚାଦ୍ଧାବନ କଲେ । ଶତ୍ରୁର ପୁନରାଗମନବାର୍ତ୍ତା ଶ୍ରବଣରେ ଉତ୍କଳୀୟମାନେ ପ୍ରତ୍ୟାବୃତ୍ତ ହୋଇ ଗୋହିରାକ୍ଷେତ୍ରରେ ରୁଣ୍ଡ ହେଲେ ଓ ବ୍ୟୂହ ନିର୍ମାଣ କରି ମୁସଲମାନମାନଙ୍କ ପ୍ରତୀକ୍ଷାରେ ରହିଲେ । କିନ୍ତୁ ତତ୍‌ପୂର୍ବରୁ କେତେକ ସୈନ୍ୟ ରାଜଧାନୀକୁ ବିଜୟବାର୍ତ୍ତା ବହନ କରି ପ୍ରତ୍ୟାବର୍ତ୍ତନ କରିଥିବାରୁ ଉତ୍କଳୀୟ ପକ୍ଷର ସୈନ୍ୟସଂଖ୍ୟା ହ୍ରାସ ହୋଇ ଯାଇଥିଲା । ତଥାପି ରାଜା ମୁକୁନ୍ଦଦେବ ଯୋଦ୍ଧୁବେଶରେ ସଜ୍ଜିତ ହୋଇ ସିଂହବିକ୍ରମରେ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ । ସୁଲେମାନଙ୍କର ପ୍ରଧାନ ସେନାପତି କାଲାଚାନ୍ଦ ଏଥିପୂର୍ବରୁ ଆସି ତାଙ୍କର ସହଯୋଗ କରିଥିଲେ ଓ ଅର୍ଦ୍ଧବୃତ୍ତାକାରରେ ସୈନ୍ୟସଜ୍ଜା କରି ଉଦ୍‌ବୃତ୍ତ ସୈନ୍ୟମାନଙ୍କୁ ଯୁଦ୍ଧକୁ ପଠାଇଦେଲେ । ତୁମୂଳ ସଂଗ୍ରାମ ଆରବ୍‌ଧ ହେଲା । ଜଣେ ମୁସଲମାନଙ୍କୁ ଜଣେ ହିନ୍ଦୁ ଏହିପରି ସମସ୍ତେ ଯୁଦ୍ଧରେ ବ୍ୟାପୃତ ହୋଇଗଲେ; କିନ୍ତୁ ମୁସଲମାନମାନଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ କ୍ରମେ ଓଡ଼ିଆମାନଙ୍କୁ ହତ୍ୟା କରିବାକୁ ଲାଗିଲେ; ତଥାପି ଓଡ଼ିଆମାନଙ୍କ ଖଡ୍‌ଗାଘାତରେ ବହୁ ମୁସଲମାନଙ୍କର ଦୀର୍ଘ ଶ୍ମଶ୍ରୁବିଶିଷ୍ଟ ମସ୍ତକମାନ ଭୂତଳଶାୟୀ ହେଲା । ‘ଧର ଧର’, ‘ମାର ମାର’ ଶବ୍ଦରେ ଚତୁର୍ଦ୍ଦିଗ ପୂର୍ଣ୍ଣ ହୋଇଗଲା । ଜଣେ ଅନ୍ୟକୁ ମାରିବାକୁ ଖଡ୍‌ଗ ଉତ୍ତୋଳନ କରିବା ପୂର୍ବରୁ ତାହାର ଶିର ଶରୀରରୁ ବିଚ୍ଛିନ୍ନ ହୋଇ ଭୂମିରେ ପତିତ ହେଲା । ଅବିରଳ ଶରନିକ୍ଷେପରେ କାହାରି କାହାରି ଶରୀର ବାଣବିଦ୍ଧ ହୋଇ ଝିଙ୍କପକ୍ଷୀ ପରି ଶୋଭା ପାଉଥିଲା । ଓଡ଼ିଆମାନଙ୍କ ସଂଖ୍ୟା ଅଳ୍ପ ହେଲେ ସୁଦ୍ଧା ମୁକୁନ୍ଦ ଦେବଙ୍କ ବୀରବାଣୀରେ ଉତ୍ତେଜିତ ହୋଇ ସେମାନେ ବହୁସଂଖ୍ୟକ ମୁସଲମାନମାନଙ୍କୁ ଯମପୁରକୁ ପ୍ରେରଣ କଲେ । ଅବଶେଷରେ ଜଣେ ଦେଶଭକ୍ତ ଓ ରାଜଭକ୍ତ ଉତ୍କଳୀୟର ଖଡ୍‌ଗ ପ୍ରହାରରେ ଶିଖିର ଶିଖାଯୁକ୍ତ ଶିର ଭୂମିରେ ଲୁଣ୍ଠିତ ହେବାକୁ ଲାଗିଲା । ପାପି ମନାଇ ଶିଖିର ଦୂରବସ୍ଥା ଦର୍ଶନରେ ଭୀତ ହୋଇ ଯୁଦ୍ଧଭୂମି ତ୍ୟାଗ କରି ଅରଣ୍ୟ ମଧ୍ୟରେ ଆପଣାକୁ ଲୁକ୍କାୟିତ ରଖିଲା । ହାୟ ! ତାର କେତେ ଆଶା, କେତେ ଆକାଙ୍‌କ୍ଷା କ୍ଷଣକ ମଧ୍ୟରେ କେଉଁଆଡ଼େ ବିଲୀନ ହୋଇଗଲା । ଧନ୍ୟ ପରିଣାମ !

 

ଏହିପରି ଯୁଦ୍ଧ ଚାଲିଥିବା ସମୟରେ ସହସା ଜଣେ ମୁସଲମାନର ତୀକ୍ଷ୍ଣ ତୀର ଆସି ମୁକୁନ୍ଦଦେବଙ୍କ ବକ୍ଷସ୍ଥଳ ଭେଦ କଲା ଓ ସେ ସଂଜ୍ଞାଶୂନ୍ୟ ହୋଇ ଅଶ୍ୱପୃଷ୍ଠରୁ ଖସିପଡ଼ି ଯୁଦ୍ଧକ୍ଷେତ୍ରରେ ଧୂଳିଶଯ୍ୟାରେ ଲୁଣ୍ଠିତ ହେଲେ । ଏହା ଦେଖି ସୁଲେମାନ ଦ୍ରୁତଗତିରେ ଉପସ୍ଥିତ ହୋଇ ଅଳ୍ପକ୍ଷଣ ତାଙ୍କ ମୁଖମଣ୍ଡଳକୁ ଚାହିଁ ରହିଲେ ଓ ଶେଷରେ ତାହାଙ୍କୁ ବନ୍ଦୀ କରି ହତ୍ୟା କରିବାକୁ ଆଦେଶ ଦେଲେ ।

 

ହାୟ କି ନୃଶଂସତା ! ପୂର୍ବ ରାତ୍ରିରେ ଯେ ନିଜର ଜୀବନରକ୍ଷା ନିମିତ୍ତ ଶରଣପ୍ରାର୍ଥୀ ହୋଇ କୃତଜ୍ଞତା ପ୍ରକାଶ କରିଥିଲା, ସେ ପୁଣି ଆଜି ଏଡ଼େ କୃତଘ୍ନ ହୋଇ ରକ୍ଷାକାରୀକୁ ହତ୍ୟା କରିବାକୁ ଆଦେଶ ଦେଲା ? ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏହା କିପରି ସହ୍ୟ କଲେ । ଇନ୍ଦ୍ର ବା ତାଙ୍କର ବଜ୍ରକୁ କିପରି ସମ୍ଭାଳି ରଖିଲେ । ଭାଗ୍ୟର ଏହି ଅଚିନ୍ତନୀୟ ପରିବର୍ତ୍ତନରେ ଓଡ଼ିଆମାନେ ହାହାକାର କରିବାକୁ ଲାଗିଲେ, ପରାଜିତ ଜୀବନକୁ ଘୃଣ୍ୟ ମନେ କରି ପ୍ରଚଣ୍ଡ ଯୋଦ୍ଧୃବେଶ ଧାରଣପୂର୍ବକ ସଂଗ୍ରାମରେ ଲମ୍ଫ ପ୍ରଦାନ କଲେ ଓ ପ୍ରତି ମୁହୂର୍ତ୍ତରେ ଶତ୍ରୁସଂହାର କରିବାକୁ ଲାଗିଲେ-। ଶେଷରେ ଶେଷ ଓଡ଼ିଆର ଶରୀର ପତନବେଳକୁ ମୁସଲମାନ ସୈନ୍ୟ ଓ ସେନାପତି ମୁମୂର୍ଷୁ ପ୍ରାୟ । ଏହିପରି ଓଡ଼ିଶାର ଶେଷ ମହାରାଜା ଗୋହିରାକ୍ଷେତ୍ରଠାରେ ଚିରଦିନ ପାଇଁ ସ୍ୱାଧୀନତାଦେବୀଙ୍କୁ ସଙ୍ଗରେ ନେଇ ମାନବଲୀଳା ସମ୍ୱରଣ କଲେ । ଓଡ଼ିଶାର ଭାଗ୍ୟମୀମାଂସାର ଶେଷ ଯବନିକା ପତନ ହେଲା । ଅହୋ ! କି ହୃଦୟବିଦାରକ ଦୃଶ୍ୟ ।

 

‘ନିମିଷେ ସରିଲା ଯହିଁ ଉତ୍କଳର

ଗୌରବ ଆଶା

ଲକ୍ଷ ବୀର-ରକ୍ତେ ଉତ୍କଳର ହେଲା

ଭାଗ୍ୟ ମୀମାଂସା ।’

(ଉଷା)

 

(ଉପର୍ଯ୍ୟୁକ୍ତ ଉକ୍ତିଟିକୁ ସାର୍ଥକ କରିବା ଓ ଗୋହିରା କ୍ଷେତ୍ରର କିଞ୍ଚିତ୍‌ ପରିଚୟ ଦେବା ମାନସରେ ଏହି ଗଳ୍ପଟି ଲିଖିତ । ଅନେକ ଐତିହାସିକ କହନ୍ତି ଯେ, ସାରଙ୍ଗଗଡ଼ଠାରେ ରାମଚନ୍ଦ୍ର ଭଞ୍ଜଙ୍କ ଦ୍ୱାରା ମୁକୁନ୍ଦଦେବ ନିହତ ହୋଇଥିଲେ । ରାମଚନ୍ଦ୍ର ପ୍ରଥମେ ମୁସଲମାନଙ୍କ ପକ୍ଷ ଅବଲମ୍ୱନ କରିଥିଲେ ଓ ପରେ ମୁସଲମାନମାନେ ତାଙ୍କୁ ଯୁଦ୍ଧରେ ନିହତ କରି ଓଡ଼ିଶା ଅଧିକାର କଲେ) ।

Image

 

ଆଲୋକ ଓ ଆନନ୍ଦ

 

ଆଲୋକ ଓ ଆନନ୍ଦ ସୃଷ୍ଟିର ଚିରଲକ୍ଷ୍ୟ । ଏହି ଦୁଇ ଐଶୀ ଶକ୍ତି ଲାଭ ଇଚ୍ଛାରେ ଯୋଗୀମାନଙ୍କର ଯୋଗ ସାନ୍ତ ହୋଇଛି, ବୀରର ଦର୍ପ ଶାନ୍ତ ହୋଇଛି ଓ ମୁନିଋଷିଙ୍କର କଳ୍ପନା, ଧ୍ୟାନ, ଏକାଗ୍ରତା ସମସ୍ତ ଦିନେ ବିଲୟ ଭଜିବା ଉପରେ ବସିଛି । ଆଲୋକ ନ ପାଇଥିବା ପଦାର୍ଥ ହୀନ, ଜଡ଼ ଓ ହେୟ ଏବଂ ତାର ବର୍ଦ୍ଧନଶକ୍ତି ଚିରରୁଦ୍ଧ । ଆନନ୍ଦ ପାଇବା ପାଇଁ ଜୀବକୁଳ, ଉଦ୍ଭିଦସମୂହ ଏବଂ ଜଳଚର ଓ ବାୟୁଚର ଆଣୁବୀକ୍ଷଣିକ ବୀଜାଣୁ ସମସ୍ତେ ସବୁବେଳେ ବ୍ୟସ୍ତ । ପ୍ରାଣୀ ଏସବୁର ସନ୍ଧାନ ପାଇବାକୁ ମୃଗନାଭି ମୃଗତୁଲ୍ୟ ବ୍ୟାକୁଳ, କିନ୍ତୁ ସମସ୍ତ ତା ନିକଟରେ ଓ ଅତି ତୁଚ୍ଛ ପଦାର୍ଥରେ ମଧ୍ୟ ବିଦ୍ୟମାନ । ଶୂନ୍ୟ, ପୂର୍ଣ୍ଣ ଓ ହୀନ ପଦାର୍ଥରେ ଆନନ୍ଦ ଓ ଆଲୋକ ଅଛି-। ଜ୍ଞାନୀମାନେ ମହାନ୍ଧକାର ମଧ୍ୟରେ ଆଲୋକର ସନ୍ଧାନ ପାଇଅଛନ୍ତି । ଅନେକ ସମୟରେ ସ୍ୱତଃ ମନରେ ପ୍ରଶ୍ନ ଉଠେ, ସବୁ ଆଲୋକ ଓ ସବୁ ଆନନ୍ଦ କଣ ସମାନ ? କିନ୍ତୁ ତାହା ଅସମାନ ବୋଲି ଜଣାଯାଏ କେତେକ ଚାକ୍ଷୁଷ ପ୍ରମାଣବଳରୁ । ଆଧୁନିକ ଜଗତରେ ଆଲୋକ ଅନେକ । ଆଲୋକ ଓ ଆନନ୍ଦ ତିନି ପ୍ରଧାନ ଶ୍ରେଣୀରେ ବିଭକ୍ତ । ଏଥିମଧ୍ୟରୁ ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ ପ୍ରଧାନ । ଆଧ୍ୟାତ୍ମିକ ଆଲୋକର ପ୍ରକାର ନିର୍ଦ୍ଦିଷ୍ଟ ସଂଖ୍ୟାର ଗଣ୍ଡି ମଧ୍ୟରେ ଆବଦ୍ଧ; କିନ୍ତୁ ଆଧିଭୌତିକ ଆନନ୍ଦ ଅନେକ । ଏହି ଆଲୋକ ଓ ଆନନ୍ଦ ବର୍ତ୍ତମାନ ଯୁଗରେ ମସ୍ତିଷ୍କର ପୂର୍ଣ୍ଣ ଅଧିକାରୀ । ଆଧୁନିକ ଜଗତର ବୈଜ୍ଞାନିକ ଗ୍ୟାସ୍‌ ଓ ବୈଦ୍ୟୁତିକ ଆଲୋକ, ଗୃହସ୍ଥର ସମ୍ୱଳ ଦୀପ ଓ ମଶାଲର ଶିଖା, ମେଘବିମୁକ୍ତ ଆକାଶର ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଓ ଧୂମକେତୁର ତୀବ୍ର ଆଲୋକ ଜ୍ୟୋତିରିଙ୍ଗଣ ଓ ଡାହାଣିଆ ନିଆଁ ପ୍ରଭୃତି ଅଶେଷବିଧ ଆଲୋକ କଣ ସମାନ ? ତେବେ ତେଜ ଅନୁସାରେ ଓ ଚକ୍ଷୁର ପ୍ରୀତିପ୍ରଦାୟିନୀ ଶକ୍ତି ଅନୁସାରେ ଆଜି ଆଲୋକର ମୂଲ୍ୟ ନିର୍ଦ୍ଧାରିତ ହେଉଛି । ଅନେକେ ଆଜି ସୂର୍ଯ୍ୟଚନ୍ଦ୍ରଙ୍କ ଆଲୋକକୁ ପ୍ରଧାନ ପୂଜ୍ୟ ଆଲୋକ କହିଲେ ଆଉ କେତେକ ବୈଦ୍ୟୁତିକ ଆଲୋକକୁ ଶ୍ରେଷ୍ଠ ବୋଲି କହନ୍ତି । କେତେକ ‘‘ମାଗିଖିଆଙ୍କୁ କୋଳଥମଣ୍ଡା’’ ଅନୁସାରେ କ୍ଷୀଣ ବଳିତା ଆଲୋକକୁ ସମ୍ୱଳ କରନ୍ତି । କିନ୍ତୁ ଏସବୁର ଉପାଦାନ ଏକ । ଅମ୍ଳଯାନ କାର୍ବୋନର ଦାହିକା ଶକ୍ତିବଳରେ ଯେଉଁ ଆଲୋକ ଦୃଷ୍ଟ ହୁଏ, ତାହା ସାଧାରଣତଃ ଭୌତିକ ଆଲୋକ । ଏହା ବ୍ୟତୀତ ଆଧିଦୈବିକ ଓ ଆଧ୍ୟାତ୍ମିକ ଆଲୋକର ଉପାଦାନ, ଗୁଣ ଓ ପ୍ରମାଣ ଭିନ୍ନ ପରି ବୋଧହୁଏ । ଆଜି କେତେଜଣ ହୃଦୟର ଆଲୋକ ଓ ଅନ୍ଧକାରର ଆଲୋକ ଅନ୍ୱେଷଣ କରିବାକୁ ବ୍ୟାକୁଳ । କୋଟିଏ ମଧ୍ୟରେ ଗୋଟିଏ କାହିଁ ? ସଂସ୍ପର୍ଶ ଓ ସଂସର୍ଗରେ ପଦାର୍ଥର ପରିବର୍ତ୍ତନ । ଯଦି ଆଜି ଆଧ୍ୟାତ୍ମିକ ଆଲୋକ ପୃଥିବୀର ସତରଜଣ ପାଆନ୍ତେ, ତେବେ ସମସ୍ତେ ସେ ଆଲୋକରେ ଆଲୋକିତ ହୁଅନ୍ତେ ନାହିଁକି ?

 

ଘୋର ବିଷାଦ-ବାତ୍ୟାକୁଳିତ ଅନ୍ଧକାର ମଧ୍ୟରେ ଉଦ୍ଧାରର ଯେ ଉପାୟ ଆଲୋକ ଲାଭ ହୁଏ, ସେ କଣ ଏହି ସାଧାରଣ ଆଲୋକ ? ଅନ୍ଧକାର ମଧ୍ୟରେ ଯେ ଆଲୋକ ଦୃଷ୍ଟ ହୁଏ, ତାହା ଚର୍ମଚକ୍ଷୁରେ କେହି ଦେଖି ନାହାନ୍ତି ବା କେହି କାହାକୁ ଦେଖାଇ ଦେଇ ପାରିବେ ନାହିଁ । ତେବେ ଚକ୍ଷୁ ଓ ହୃଦୟର ଦିବ୍ୟଦୃଷ୍ଟି ଦ୍ୱାରା ମନିଷିଗଣ ସେ ଆଲୋକ ଦେଖିଛନ୍ତି । ସେ ଆଲୋକ ପାଇବାକୁ ହେଲେ ସେଭଳି ବ୍ୟାକୁଳତା, ଉଦ୍‌ବିଗ୍ନତା ଓ ସ୍ଥୈର୍ଯ୍ୟ ଆବଶ୍ୟକ । ଆଲୋକ ଜୀବନର ଚରମ ଲକ୍ଷ୍ୟ ହେଲେ ମଧ୍ୟ ଅନେକ ସମୟରେ ଆଲୋକ ଲୋକକୁ ଭୟ ଦିଏ ଓ ବିଷବତ୍‌ ପ୍ରତୀତ ହୁଏ । ତେବେ ମ୍ୟାଲେରିଆ ରୋଗୀକୁ କୁଇନାଇନ ପିତା ବୋଧ ହୋଇଥାଏ ସତ୍ୟ, କିନ୍ତୁ ତାର ପରିଣତି ଜୀବନପ୍ରଦାୟକ ନୁହେଁ କି ? ଜୀବନରୂପୀ ଜଳ ଓ ବାୟୁ ଉପାଦେୟ ହେଲେ ମଧ୍ୟ ତାହା ପ୍ରକାରଭେଦରେ ଜୀବନହାରକ ହୋଇଥାଏ । ସେହିପରି ଜମ୍ୱାଳରାଶିରୁ ଉଦ୍ଭୂତ ଆଲୋକର ଗ୍ୟାସ୍‌ ପ୍ରାଣୀ ପକ୍ଷରେ ମାରାତ୍ମକ । ଏହି ତ ଡାଆଣୀ ନିଆଁଜଳ ପରିଷ୍କାର ହେଲେ ମଧ୍ୟ ସେଥିରେ ବିସୂଚିକା ଜୀବାଣୁ ଜନ୍ମିଥାନ୍ତି । ସେହିପରି ବୈଦ୍ୟୁତିକ ଆଲୋକ ଅତି ଉଜ୍ଜ୍ୱଳ ହେଲେ ମଧ୍ୟ ସେଥିରେ ଚକ୍ଷୁରୋଗ ଜନ୍ମିଥାଏ । ଅମୃତରେ ବିଷ ନାହିଁ କି ? ଆଲୋକ ଓ ତେଜ ବ୍ୟତୀତ ମାନବସୃଷ୍ଟି ଓ ସ୍ଥିତି ଯେପରି ଅସମ୍ଭବ, ତେଜର ପ୍ରକୋପରେ ଜୀବନନାଶ ସେହିପରି ସମ୍ଭବ । ଆନନ୍ଦ ଏହିପରି ଚିରନୂତନ ଓ ଅବସ୍ଥାଭେଦରେଅମୃତ ଓ ବିଷପ୍ରଦାୟକ । ଯିଶୁ, ବୁଦ୍ଧ, ଶଙ୍କର, ଶ୍ରୀକୃଷ୍ଣ, ମହମ୍ମଦ ଓ ଚୈତନ୍ୟ ମଧ୍ୟ ଆନନ୍ଦପ୍ରକାଶ କରିଥିଲେ; ଜାପାନ ସମ୍ରାଟ, ୱେଲ୍‌ସର ଯୁବରାଜ ଏବଂ ଆଉ କେତେକ କେତେ ପ୍ରକାର ମୁଖଭଙ୍ଗୀରେ ଆନନ୍ଦପ୍ରକାଶ କରନ୍ତି । ନନ୍ଦବଂଶଧ୍ୱଂସରେ ଚାଣକ୍ୟ, କୁରୁବଂଶର ବିନାଶରେ ଶକୁନି ଏବଂ ଆଜି ଯୁଦ୍ଧ ଆହ୍ୱାନରେ ହିଟ୍‌ଲର୍‌, ମୁସୋଲିନୀ ମଧ୍ୟ ଆନନ୍ଦପୂର୍ଣ୍ଣ ହାସ୍ୟ ପ୍ରକାଶ କରୁଛନ୍ତି । ଏସବୁ କଣ ସମଧରଣର ନା ଏପରି ଆନନ୍ଦ ପ୍ରତିମାନବର ଅଭୀଷ୍ଟସିଦ୍ଧିର ଲକ୍ଷ୍ୟ ?

 

ଆଜି ଆନନ୍ଦ ସରଳ, ଜଟିଳ ଓ ଯୌଗିକ ଭେଦରେ ତ୍ରିବିଧ । କିଏ ସ୍ୱାର୍ଥବିହୀନ ଓ ପରାର୍ଥପରଭାବରେ ଆନନ୍ଦପ୍ରକାଶ କରୁଛି, କିଏ କରାଣ୍ଡି ଗୁନ୍ଥି ବାଳିଆ ଛାଟିବାପାଇଁ ଆନନ୍ଦ ପ୍ରକାଶ କରୁଛି ଏବଂ କିଏ ବୀଭତ୍ସ ଦୁର୍ଗନ୍ଧ ଓ କୁତ୍ସିତ ପଦାର୍ଥ ଦର୍ଶନରେ ଆନନ୍ଦ ପ୍ରକାଶ କରୁଛି; ଏସବୁ ଆନନ୍ଦ ପ୍ରୀତିପ୍ରଦାୟକ ହେଲେ ମଧ୍ୟ ପ୍ରକାରଭେଦରେ ଭିନ୍ନ । ଭଗବତ୍‌ ପ୍ରୀତିରୂପ ଆନନ୍ଦ ଶ୍ରେଷ୍ଠ ଆନନ୍ଦ ବୋଲି କେତେ ମନୀଷୀ କହିଛନ୍ତି । ଏହି ଆନନ୍ଦରେ କାହାରି କିଛି କ୍ଷତି ହୁଏ ନାହିଁ, କିନ୍ତୁ ଜଗତର ଆନନ୍ଦ ହୋଇଥାଏ । ଅନ୍ୟକୁ ଦୁଃଖ ଦେଇ ଯେ ଆନନ୍ଦ ଲାଭ କରାଯାଏ, ତାହା ପାଶବିକ ଓ ରାକ୍ଷସୋଚିତ ଆନନ୍ଦ—ତାହା ଲାଭ କଲେ ମନୁଷ୍ୟର ମନୁଷ୍ୟତ୍ୱ ଲୋପ ପାଏ ଓ ଆତ୍ମାର ଅଧୋଗତି ହୁଏ । ଏହିପରି ଆନନ୍ଦ ଲାଭ କରିବା ଅଭ୍ୟାସ କରି କେତେ ଗୁଣ୍ଡା ନରହନ୍ତା ହୋଇ ବିଜୟୋଲ୍ଲାସରେ ବିଭୋଳ ହୁଅନ୍ତି, ତାକୁ କେତେଜଣ ପସନ୍ଦ କରନ୍ତି ଭଲା ? ବିଧବାର ମର୍ମନ୍ତୁଦ ଓ ହୃଦୟବିଦାରକ ବୈଧବ୍ୟ ଦୁଃଖରେ ଭୋଟ ପାଇ ଆନନ୍ଦ ପାଇଥିବା ପ୍ରମାଣର ମଧ୍ୟ ଆଜିକାଲିର ବାୟୁମଣ୍ଡଳରେ ଅଭାବ ନାହିଁ । ଏହାକୁ ସମସ୍ତେ ପସନ୍ଦ କରନ୍ତି କି ?

 

ଆନନ୍ଦଲାଭ ସବୁ ଜୀବଠାରେ ଦେଖାଯାଏ । ଆଲୋକଲାଭକୁ ଅନେକେ ଅପସନ୍ଦ କରି ପାରନ୍ତି, କିନ୍ତୁ ଆନନ୍ଦ ସମସ୍ତଙ୍କର ଅଭିପ୍ରେତ । ଛୋଟ କୀଟ ମଧ୍ୟ ତାର ହାବ ଭାବ ଦେଖାଇ ଆନନ୍ଦଲାଭ କରେ । ଆଲୋକର ମୂଲ୍ୟ ବେଶି ହେଲେ ମଧ୍ୟ ଆନନ୍ଦଲାଭ ତାର ପରିଣତି । ତେବେ ଆଲୋକଲାଭ ନା ଆନନ୍ଦଲାଭ ପ୍ରଥମ କହିବା କାଠିକର ପାଠ । ବୀଜରୁ ବୃକ୍ଷ, ନା ବୃକ୍ଷରୁ ବୀଜ ସମସ୍ୟା ଯେପରି ମୀମାଂସା କରିବା କଠିନ, ସେହିପରି ଏହାର ଅବସ୍ଥା । ତେବେ ସରଳ ଆନନ୍ଦ ଓ ଆଧ୍ୟାତ୍ମିକ ଆଲୋକ ସମସ୍ତଙ୍କର ଲକ୍ଷ୍ୟ । ପ୍ରେମର ଅନ୍ୟ ନାମ ଆନନ୍ଦ—ବିଶ୍ୱପ୍ରେମ ବଳରେ ଭଗବତ୍‌ ଦର୍ଶନ ବୋଲି ଅନେକେ କହନ୍ତି—‘‘To love all means to love God and to be loved by God.’’ ସାତ୍ତ୍ୱିକ ଆନନ୍ଦବଳରେ ଲୋକ ମୃତ୍ୟୁଞ୍ଜୟ ଓ ଅମର ହୋଇଥାଏ ।

 

ଭଗବତ୍‌ ସତ୍ତା ପ୍ରତି ବସ୍ତୁରେ ବିଦ୍ୟମାନ । ଏଣୁ ପ୍ରତ୍ୟେକେ ସୁନ୍ଦର ଓ ଆନନ୍ଦମୟ । ପ୍ରତ୍ୟେକେ ଦିବ୍ୟପ୍ରଭାରେ ଉଦ୍ଭାସିତ—ବାହାରର ଆନନ୍ଦ, ଆଲୋକ ବା ତେଜ ମଳିନ ହେଲେ ମଧ୍ୟ ଆଭ୍ୟନ୍ତରୀଣ ଆଲୋକ ଓ ଆନନ୍ଦ ଲୋପ ପାଇ ନ ଥାଏ । ଅନ୍ତରର ଆଲୋକ ଓ ଆନନ୍ଦ ଉଦ୍ଭାସିତ ହେଲେ ବସ୍ତୁର ମୂଲ୍ୟ ଓ ତେଜ ବଢ଼ିଥାଏ; ଏଣୁ ଅନ୍ତରରେ ଦିବ୍ୟ ସରଳ ଓ ଆଧ୍ୟାତ୍ମିକ ଆନନ୍ଦ ଲାଭ ଆମର କେତେଦୂର ବାଞ୍ଛନୀୟ ଏହା ସମସ୍ତଙ୍କର ବିଚାର୍ଯ୍ୟ ।

Image

 

ଆମର ବିଚାର୍ଯ୍ୟ

 

ଜଗତ୍‌ ଗତିଶୀଳ । ଯେଉଁ ପଦାର୍ଥର ଗତି ନାହିଁ, ସେ ମୃତ ବା ଜଡ଼ । ଅଶେଷ ବ୍ରହ୍ମାଣ୍ଡ ପ୍ରତି ଦୃଷ୍ଟି ଦେଲେ ଜଣାଯାଏ ଯେ, ଗ୍ରହ ନକ୍ଷତ୍ର ଯେପରି ସୂର୍ଯ୍ୟ ଚାରିପାଖରେ ପରିଭ୍ରମଣ କରୁଅଛନ୍ତି, ସେହିପରି କୋଟି କୋଟି ସୂର୍ଯ୍ୟ ଅନନ୍ତ ଆକାଶରେ ଚାଲିଅଛନ୍ତି । ତହିଁରେ କାହାର ଉନ୍ନତି ବା ଅବନତି ଘଟୁଅଛି, ତାହା ସାମାନ୍ୟ ମନୁଷ୍ୟ ମସ୍ତିଷ୍କର ବହୁ ଦୂରରେ । ପୃଥିବୀ ମଧ୍ୟରେ ସମୁଦ୍ର, ନଦୀ, ପର୍ବତ, ମନୁଷ୍ୟ ଆଦି ଜୀବଜଗତ୍‌, ବୃକ୍ଷ ପ୍ରଭୃତି ଉଦ୍ଭିଦଜ୍ଜଗତ୍‌, କୀଟ, ପତଙ୍ଗ ଏପରି କି ମୃତ୍ତିକା ପାଷାଣ ଆଦି ପଦାର୍ଥ ସବୁବେଳେ ଗତିଶୀଳ । ଯେଉଁଦିନ ଯାହାର ଗତି ବନ୍ଦ ହେଉଛି, ସେ ସେଦିନ ହତାଦର ଲାଭ କରି ମୃତ ବା ଜୀବନୀଶକ୍ତିରହିତ ବୋଲି ବିବେଚିତ ହେଉଅଛି ।

 

ସେହିପରି ଆଜିକାଲି ଭିନ୍ନ ଭିନ୍ନ ଦେଶର ଅବସ୍ଥା ପ୍ରତି ଦୃଷ୍ଟି ଦେଲେ ଜଣାଯାଏ ଯେ ପ୍ରତି ଦେଶ କିଛି ନା କିଛି ଗତିରେ ଅଗ୍ରସର । ଆଜି ଜର୍ମାନୀ, ଇଟାଲୀ, ଫ୍ରାନ୍‌ସ, ଇଂଲଣ୍ଡ, ଆମେରିକା, ଯୁକ୍ତରାଜ୍ୟ, ଜାପାନ ଓ ଆୟାରଲାଣ୍ଡର ଗତି ଦେଖି କେତେକ ‘ମୃତକଳ୍ପ’ ଦେଶ ଜଳଜଳ ଅନାଇ ଅଛନ୍ତି । ଏବେ ଆବିସିନିୟା, ଚୀନ, ଭାରତ, ମିଶର, ସ୍ସେନ, କାନାଡ଼ା ଓ ଅନ୍ୟାନ୍ୟ ଅନେକ ଦେଶ ପରାଧୀନ ଭାବରେ ରହି କେହି ଲୀଗ୍ ଅଫ୍ ନେସନ୍‌ସରେ, କେହି ପାର୍ଲିଆମେଣ୍ଟଠାରେ, କେହି ବା ସରକାର ନିକଟରେ ଉମେଦ୍ୱାରୀ କରୁଅଛନ୍ତି । ଯେଉଁମାନଙ୍କର ଅଧଃପତନ ହୋଇଛି ବା ହେଉଛି, ସେମାନେ ଯଦି ଧୈର୍ଯ୍ୟ, ସାହସ, ବୀରତ୍ୱ ସତ୍ୟ, ଧର୍ମ ଓ ମର୍ଯ୍ୟାଦା ହରାଇ ବିବ୍ରତ ହୁଅନ୍ତି, ତେବେ ସେମାନଙ୍କୁ କେହି ଆହା କରିବେ ନାହିଁ । ବେଳକୁବେଳ ସେମାନଙ୍କର ଦୈନ୍ୟ ବଢ଼ିବ । ସାଧାରଣ କଥାରେ ଅଛି, କୂଅରେ ବେଙ୍ଗ ପଡ଼ିଥିଲେ ସମସ୍ତେ ଟେକାଏ ଟେକାଏ ମାରନ୍ତି । ବ୍ୟାଘ୍ରଶିଶୁ ପିଞ୍ଜରାବଦ୍ଧ ହୋଇଥିଲା ବେଳେ ଚାରିଆଡ଼ୁ କେଞ୍ଚା ସହେ, କିନ୍ତୁ ସେପରି ଥାଇ ମଧ୍ୟ ସେ ଯେତେବେଳେ ବିକଟମୂର୍ତ୍ତି ଧାରଣ କରି ଗର୍ଜନ କରେ, କେତେ ଜଣ ସାହାସୀ ତା ଆଗରେ ଠିଆ ହୁଅନ୍ତି ।

 

ସେହିପରି ଯଦି ଅଧଃପତିତ ଜାତି ବେଳକୁବେଳ ନିଜକୁ ଅଧଃପତିତ, ନିର୍ଯ୍ୟାତିତ, ଦୀନ, କାତର ଓ ଦୁଃଖୀ ମନେ କରୁଥିବେ, ତେବେ ସେମାନଙ୍କୁ କେହି ସାହାଯ୍ୟ ଦେବେ ନାହିଁ । ଗତିର ଦୁଇଟି ଗତି । ଉଭୟ ଗତିର ଶେଷ ଏକ ସ୍ଥାନରେ ମିଳିତ ଠିକ୍ ବୃତ୍ତର ପରିଧି ପରି । ଉନ୍ନତ ଜାତିର ଗତି ଶେଷ ହେଲେ ସେ ଯେପରି ଅବନତିମାର୍ଗର ପଥିକ ହୁଏ, ଠିକ୍ ସେହିପରି ଅଧଃପତିତ ଜାତିର ଗତି ଶେଷ ହେଲେ ସେ ମଧ୍ୟ ଉନ୍ନତିପଥରେ ଗତି କରେ । ଏହାର ଚାକ୍ଷୁଷ ପ୍ରମାଣ କିଛି ବିରଳ ନୁହେଁ । ବୃକ୍ଷ ଶାଖାପ୍ରଶାଖା ଦେଇ ଊର୍ଦ୍ଧ୍ୱଗାମୀ ହୁଏ; କିନ୍ତୁ ତାକୁ ଯେତେବେଳେ ନିଷ୍ଠୁର କାଷ୍ଠଜୀବୀ କୁଠାରାଘାତରେ ଭୂଶାୟୀ କରେ, ସେତେବେଳେ ବୃକ୍ଷ ମୃତ୍ୟୁ ଆଡ଼କୁ ନ ଯାଇ ପୁଣି ନୂତନ ପଲ୍ଲବରେ ଭୂଷିତ ହୁଏ ଓ କ୍ରମେ ସୁନ୍ଦର ଫଳପୁଷ୍ପରେ ବିମଣ୍ଡିତ ହୋଇ ଅନ୍ୟ ବୃକ୍ଷଠାରୁ ସୁନ୍ଦର ଦିଶେ । ଦିନ ଥିଲା, ପୃଥିବୀରେ ଥିଲା ଭାରତର ଆର୍ଯ୍ୟସଭ୍ୟତା, ସିରିୟା ଓ ମିଶରର ଯବନସଭ୍ୟତା, ଗ୍ରୀସ୍ ଓ ରୋମର ପାଶ୍ଚାତ୍ୟ ସଭ୍ୟତା । କାଳକ୍ରମେ ସବୁ ଲୋପ ପାଇଲା-। ପ୍ରାକୃତିକ ନୀତିର ନିୟମ ଲଙ୍ଘନ ଅସମ୍ଭବ; ତେଣୁ ଆମ ଭାଷାରେ ଅଛି, ‘‘ତିନି ବରଷରେ ଧାନ ବାଳୁଙ୍ଗା ତିନି ପୁରୁଷରେ କୁଳ ବାଳୁଙ୍ଗା ।’’ ଏ ତଥ୍ୟ ଯଥାର୍ଥ । ଏଥିରେ କ୍ଷୋଭ, କ୍ରନ୍ଦନ ବା ହାହାକାରର କିଛି ଭିତ୍ତିଯୁକ୍ତ କାରଣ ନାହିଁ । ତେବେ ଆମେ ଦେଖୁଛୁଁ, ଇଟାଲୀ ବହୁବର୍ଷ ଧରି ପରପଦଦଳିତ ହୋଇଥିଲା । ୧୯୧୮ରୁ କାଇଜରଙ୍କ ବିଦାୟ ପରେ ଜର୍ମାନୀ ଭର୍ସେଲସ୍ ସଭାରେ ଖଣ୍ଡ ଖଣ୍ଡ ହୋଇ ଭିନ୍ନ ଜାତିର ଦିବ୍ୟ ବ୍ୟଞ୍ଜନରୂପେ ପ୍ରସ୍ତୁତ କରାହୋଇଥିଲା । ଯେପରି ଭସ୍ମରାଶି ମଧ୍ୟରେ ଅଗ୍ନିକଣା ସମ୍ଭବ ହୁଏ, ପର୍ବତଗର୍ଭରେ ଅଷ୍ଟରତ୍ନ ଥାଏ, ସେହିପରି ଦିନ ଆସିଲା, ଯେତେବେଳେ ଇଟାଲୀର କର୍ଣ୍ଣଧାର ମୁସୋଲିନୀ ଓ ଜର୍ମାନୀର ଭାଗ୍ୟବିଧାତା ହିଟ୍‌ଲର୍ ଜନ୍ମଗ୍ରହଣ କଲେ । ସେମାନଙ୍କ ଉତ୍ତେଜନାରେ ସେ ଦେଶ ସ୍ୱାଧୀନ ହେଲା ଏବଂ ସେହି ଗତିବଳରେ ସେମାନେ ଆଜି ପଡ଼ୋଶୀ ଜାତିଙ୍କୁ ତଥା ସେମାନଙ୍କ ବିଜେତାମାନଙ୍କୁ ମଧ୍ୟ ଆସ୍ତେ ଚାବୁକ ଓ ଲଗାମ୍ ଧରି ଶାସନ କରିବାକୁ ବାହାରିଲେଣି ।

 

ଏହାଠାରୁ ବଳି ଆଉ କି ଅଧିକ ପ୍ରମାଣ ଦରକାର ? ତେବେ ଯଦି ଭାରତ ଜାଗେ, ସେ କଣ ସ୍ୱାଧୀନ ହେବ ? ଭାରତମାତାର ଲକ୍ଷ୍ୟରୂପକ ଧ୍ରୂବତାରା କେଉଁ ଗଗନରେ ବର୍ତ୍ତମାନ ଅଛି ? ତାହା କଣ ଯୁଦ୍ଧ ନା ଆନ୍ଦୋଳନ,କି ଆପତ୍ତି ଅଭିଯୋଗଯୁକ୍ତ ଦରଖାସ୍ତ ବ ଅନ୍ୟ କିଛି ଉପାୟରେ ମିଳିବ ?

 

ଯେତେଦୂର ଜଣାଯାଏ, ଯେତେଦିନଯାଏ ପ୍ରତ୍ୟେକେ ସ୍ୱାଧୀନତା ମଧୁପାନ ପାଇଁ ଇଚ୍ଛା କରି ନାହାନ୍ତି, ଯେତେଦିନଯାଏ ଏକତା ଆସି ନାହିଁ, ଶିକ୍ଷା ପ୍ରତ୍ୟେକର କର୍ତ୍ତବ୍ୟ ନ ହୋଇଛି, ଦେଶର ପ୍ରତ୍ୟେକ କୋଣରୁ ସ୍ୱାର୍ଥପରତା ଲୋପ ପାଇ ନାହିଁ, ସେତେଦିନଯାଏ ସବୁ ନଦୀ ଶଯ୍ୟାଗତ, ଦୀର୍ଘକାୟ ଓ ଅସ୍ପଷ୍ଟ କୁହେଳିକା ହେବ ସିନା ।

 

ତେବେ ଉପର୍ଯ୍ୟୁକ୍ତ କାରଣ ମଧ୍ୟରୁ କେଉଁ ବିଷୟରେ ଭାରତର ଅଭାବ ଅଛି, ତାହା ଆଲୋଚ୍ୟ ବିଷୟ । ପ୍ରଥମେ ହେଲା ସ୍ୱାଧୀନତା; ଆଜି ଭାରତରେ ଏପରି ପ୍ରକୃତିର ଲୋକ ଅଛନ୍ତି, ଯେଉଁମାନେ ସ୍ୱାଧୀନତାର ଅର୍ଥ ମଧ୍ୟ ବୁଝିବାକୁ ଅକ୍ଷମ । ଅନେକ ଅଛନ୍ତି ଯେ, ସେମାନେ ତାଙ୍କ ସ୍ୱାର୍ଥ ଓ ସୁଖ ନେଇ ବ୍ୟସ୍ତ । ସେମାନେ ମନେ କରୁଛନ୍ତି, ଆମେ ବେଶ୍ ସୁଖରେ ରହି ସ୍ୱାଧୀନତା ଭୋଗ କରୁଛୁ । ଅନେକେ ଯେଉଁ ବିଷୟକୁ ଘୃଣା କରୁଛନ୍ତି, ଠିକ୍ ସେହି ବିଷୟକୁ କେତେକ ଆଦର, ଅଭ୍ୟର୍ଥନା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ଚିତ୍କାର କରୁଛନ୍ତି ମୁଷ୍ଟିମେୟ—ଶତ ବା ସହସ୍ର ଜଣରେ ଜଣେ । ସେମାନଙ୍କ କାତରୋକ୍ତି ବା ଶୁଣୁଛି କିଏ ?

 

ଶିକ୍ଷାର ଅବସ୍ଥା ମଧ୍ୟ ସେହିପରି । ଦେଶରେ ଯେ ଶିକ୍ଷା ପ୍ରଚଳିତ, ତାହା କେବଳ କିରାଣୀ ଗଢ଼ା ମେସିନ୍ ମାତ୍ର । ଏଥିରେ କେବଳ ଦାସତ୍ୱ ଓ ଶାସକଙ୍କୁ କିପରି ଆଦର ଅଭ୍ୟର୍ଥନା କରାଯିବ, ତାହା ଶିକ୍ଷା ଦିଆଯାଏ । ଜଣେ ପ୍ରସିଦ୍ଧ ମନୀଷୀ ବିଗତ ମହାସମର ବେଳେ ଜିଜ୍ଞାସିତ ହେଲେ, ‘‘ଜର୍ମାନୀ ବର୍ତ୍ତମାନ ଭାରତ ଜୟ କରିବାକୁ ଆସିଲେ, ଆପଣମାନେ କଣ କରିବେ ?’’ ଏହି ଶିକ୍ଷାପଦ୍ଧତିକୁ ଲକ୍ଷ୍ୟ କରି ସେ ଉତ୍ତର କଲେ, ‘‘ଆମେ ସାଦରେ ଅଭ୍ୟର୍ଥନା କରି ଓ ବରଣମାଳା ଦେଇ ତାଙ୍କୁ ଦେଶକୁ ଡାକି ଆଣିବୁ, କାରଣ ଆମେ ଭାରତୀୟମାନେ ଆଧୁନିକ ଶିକ୍ଷାରୁ ଏହି ଶିକ୍ଷା ପାଇଛୁଁ । ଯୁଦ୍ଧ କଣ ଆମେ ଜାଣୁ ନାହିଁ । ବନ୍ଧୁକ କିପରି ମରାଯାଏ, ତାହା ଆମର କର୍ତ୍ତବ୍ୟର ବହୁଦୂରରେ । ଅଛି ଜଣା, କିପରି ସୁନ୍ଦର ଖିଲାଣ ସଜାଇ, ଚାନ୍ଦୁଆ ଟାଣି ଓ ଆଡ଼ମ୍ବର ସହିତ ଅଭ୍ୟର୍ଥନା କରିବାକୁ ହୁଏ ।’’

 

ଉକ୍ତିଟିର ଯଥେଷ୍ଟ ଅର୍ଥ ଅଛି । ଆଧୁନିକ ଶିକ୍ଷାପଦ୍ଧତି ଯଦି ବଦଳା ନ ଯାଏ, ତେବେ ଭାରତର ଉତ୍ଥାନ ଅସମ୍ଭବ । ଏହି ଶିକ୍ଷା ବଦଳରେ ଯଦି କୃଷି, ବାଣିଜ୍ୟ ଯୁଦ୍ଧକାର୍ଯ୍ୟ ଓ ବିଜ୍ଞାନ ଶିକ୍ଷା ଦିଆ ନ ଯାଏ, ତେବେ ଭାରତୀୟମାନଙ୍କ ମୁମୂର୍ଷୁ ଅବସ୍ଥା ମୃତ୍ୟୁରେ ପର୍ଯ୍ୟବସିତ ହେବ ସିନା !

 

ସ୍ୱାର୍ଥପରତା ବିଷୟ ଦେଖିବାକୁ ଗଲେ ଆଜି ମସ୍ତିଷ୍କ ଘୂରିଯାଏ, ଆଖିରୁ ଜୁଳୁଜୁଳିଆ ବାହାରେ, ହୃଦ୍‌ଯନ୍ତ୍ରର ବେଗରକ୍ତଚାପର ଗତି ଅବଲମ୍ବନ କରେ ଓ ରକ୍ତ ଉଷ୍ଣ ହୋଇ ଉଠେ । ଭାରତର ପତନର କାରଣ ସ୍ୱାର୍ଥାନ୍ଧତା ବ୍ୟତୀତ ଆଉ କିଛି ନୁହେଁ ବୋଲି ଅନୁମାନ କରାଯାଏ । ସ୍ୱାର୍ଥରାକ୍ଷସ ଯେପରି ଆଜି ଭାରତର ସମ୍ରାଟ୍ । ସେ ପଞ୍ଚତ୍ରିଶ କୋଟି ଲୋକର ମସ୍ତିଷ୍କ ତଥା ହୃଦୟର ଅଧୀଶ୍ୱର । ପ୍ରତି କ୍ଷେତ୍ରରେ ଆଜି ସ୍ୱାର୍ଥର ଚିତ୍କାର, ହୁଙ୍କାର ଓ ଦନ୍ତକଡ଼ମଡ଼ ଶୁଣାଯାଏ । ଅର୍ଥର ଅର୍ଥ ଅନର୍ଥ । ଅର୍ଥ ଯେପରି ହୀନତାର ପରିଣତି ସେହିପରି ଶୂନ୍ୟ । ସ୍ୱାର୍ଥର ସେ ସେନାପତି, ଅର୍ଥଲୋଭରେ ଭାଇ ତା ଭାଇ କଥା ଭୁଲିଯାଏ, ସ୍ତ୍ରୀ ସ୍ୱାମୀ ବେକରେ କ୍ଷୁର ଦିଏ, ମାତା ସନ୍ତାନକୁ ବିକ୍ରୟ କରେ, ମନୁଷ୍ୟ—ଗୋ, ବ୍ରାହ୍ମଣ, ଶିଶୁ ଓ ସ୍ତ୍ରୀ ହତ୍ୟାକୁ ପୁଣ୍ୟ ମନେ କରେ; ପୁତ୍ର ବୃଦ୍ଧ ପିତାମାତାଙ୍କୁ ଗଳଗ୍ରହ ଭାବେ, ବିଚାରକ ଅନ୍ୟାୟ ବିଚାରକୁ ପୁଣ୍ୟ ମନେ କରେ, ଦେଶନେତା ସବୁ ଭୁଲି ଉତ୍‌କୋଚ ଗ୍ରହଣ କରି ଗରିବ, କାଙ୍ଗାଳ, ଭିକାରୀ ଓ ଉପବାସୀର ତଣ୍ଟି ଚିପେ, ଏପରି ପାପର କଣ ପ୍ରାୟଶ୍ଚିତ୍ତ ନାହିଁ ? ଅଛି, ତାହା ପ୍ରତ୍ୟେକ ଭାରତୀୟ ପ୍ରାୟ ହଜାରେ ବର୍ଷ ହେଲା ଅଙ୍ଗେ ନିଭାଉଛନ୍ତି ।

 

ଜାତିପ୍ରଥା ଭାରତର ଅବନତିର ଅନ୍ୟ କାରଣ । ଭାରତରେ ଯେତେ ଜାତି, ସମ୍ଭବତଃ ପୃଥିବୀରେ ସେତେ ଜାତି ଥିବେ କି ନାହିଁ ସନ୍ଦେହ । ଆର୍ଯ୍ୟଜାତି ପ୍ରଧାନ ଚାରି ଜାତି ହେଲେ । ସେହି ଚାରି ଜାତି ବ୍ୟବସାୟ ନେଇ ଚାରି ଲକ୍ଷ ଜାତିରେ ପରିଣତ ହେଲେ । ଆଜି ଭାରତରେ ଚାରି କୋଟି ବା ଚାଳିଶ କୋଟି ଜାତି । ଅସମ୍ଭବ ନୁହେଁ । ପ୍ରତି ଜାତିରେ ଆଜି କେତେ ଯେ ଶାଖା, ପ୍ରଶାଖା, ଉପଶାଖା, ଅବଶାଖା ଓ ଅନୁଶାଖା ହେଲାଣି, ତାହା ପ୍ରତ୍ୟେକେ ନିଜେ ନିଜେ ବୁଝିପାରିବେ । ଆଜି ପିତାମାତା, ପୁତ୍ରକନ୍ୟା, ବଧୂ ଓ ଜାମାତା ମଧ୍ୟରେ ଜାତିର ସୃଷ୍ଟି ହେଉଛି । ପ୍ରତ୍ୟେକେ ନିଜ ଜାତିର ବୃଥା ଆଡ଼ମ୍ବର ରକ୍ଷା ପାଇଁ ବ୍ୟଗ୍ର । ଏ ସ୍ୱାର୍ଥାନ୍ଧତା ଯେତେଦିନ ଦୂର ନ ହୋଇ ‘ଭାରତୀୟ’ ନାମକ ଏକ ଜାତି ହୋଇ ନାହିଁ, ସେତେଦିନଯାଏ ସବୁ ଅସମ୍ଭବ । ହିନ୍ଦୁ, ମୁସଲମାନ ଏକ ବୃକ୍ଷର ଦୁଇଟି ଶାଖା, ତେବେ ସେମାନେ କାହିଁକି ଭିନ୍ନ ଭିନ୍ନ ଭାବ ଧରିବେ । ଯଦି ଧରନ୍ତି, ତେବେ ତାହା ସ୍ୱାର୍ଥ ନ ହୋଇ ଆଉ କଣ ? ସମସ୍ତେ ଜାତୀୟ ଜୀବନରେ ଅନୁପ୍ରାଣିତ ହୋଇ କଣ ସ୍ୱାର୍ଥକୁ ବଳି ଦେବେ କି ?

 

ତା ପରେ ସମାଜ । ସମାଜ ଆଜିକାଲି ଗୋଟିଏ ଲୌହଶୃଙ୍ଖଳ ମାତ୍ର । କେତେ ଅନ୍ଧ ବୁଝାମଣା, କେତେ ବିରାଡ଼ିବନ୍ଧା ନ୍ୟାୟ, କେତେ ବାୟୁପାଶ ଯେ ଏଥିରେ ଅଛି, ତାହା ସମାଜ ମଧ୍ୟକୁ ପ୍ରବେଶ କଲେ ଜଣାଯିବ । କେତେ ସମାଜପତି ମନୁଷ୍ୟସଂଖ୍ୟାର ଅର୍ଦ୍ଧାଂଶ ସ୍ତ୍ରୀଜାତିକୁ ବିଳାସର ସାମଗ୍ରୀ ବୋଲି କହନ୍ତି । ପୁରୁଷ ଗୋଟି ଗୋଟି କରି ସାତ ବା ସତର ବିବାହ କଲେ ସେ ବିଷୟ ଚଳନୀୟ ହେଉଛି, କିନ୍ତୁ ସ୍ତ୍ରୀର ସ୍ୱାମୀ ତାର ପ୍ରତ୍ୟକ୍ଷରେ ବା ପରୋକ୍ଷରେ ରୋଗରେ, ଆତ୍ମହତ୍ୟାରେ ବା ବ୍ୟଭିଚାରରେ ମଲେ ସେ ପାପ ଲାଗୁଛି ନିରପରାଧା ସ୍ତ୍ରୀଠାରେ । ଯେତେବେଳେ ପୁରୁଷଜାତି ଆନନ୍ଦସାଗରରେ ଭାସମାନ, ଅଭାବଶୂନ୍ୟ ଓ ସ୍ୱେଚ୍ଛାଚାରୀ, ସେତେବେଳେ ସ୍ତ୍ରୀଜାତି ପଣନ୍ତକାନି ତିନ୍ତାଉଛି ନୀରବ କ୍ରନ୍ଦନରେ, ନିର୍ମ୍ମଳବାୟୁଶୂନ୍ୟ ଅନ୍ଧକାର ଗୃହରେ ଓ ଅଭାବର ଉତ୍ତପ୍ତ ସାହାରା ମଧ୍ୟରେ ।

 

ଏହା କଣ ପୁରୁଷ ଅନୁଭବ କରେ ନାହିଁ ! ଆଜି ପୁରୁଷ ସମାଜର ନେତା ବୋଲି ଏପରି କରିଛି ଓ କରୁଛି; କିନ୍ତୁ ସ୍ତ୍ରୀ ଜାତି ନେତ୍ରୀ ହୋଇ ପୁରୁଷକୁ ରନ୍ଧନ, ଶ୍ୱଶୁରଗୃହଯାତ୍ରା, ଅନ୍ଧକାର କୋଠରୀବାସ ଏବଂ ସ୍ତ୍ରୀମୃତ୍ୟୁରେ ବିପତ୍ନୀକ ହୋଇ ସବୁବେଳେ ରହିବାକୁ ନିୟମ ଗଢ଼ିଲେ ତାହା ଏମାନେ ସ୍ୱୀକାର କରି ବରଣ କରିବେ କି ? ଦିନ ଥିଲା, ସ୍ତ୍ରୀର ଅନିଚ୍ଛାରେ ସମାଜପତିମାନେ ତାକୁ ଶୃଙ୍ଖଳିତ କରି ଜ୍ୱଳନ୍ତ ଅଗ୍ନିରେ ନିକ୍ଷେପ କରୁଥିଲେ । ସେ ସମୟର ଆର୍ତ୍ତନାଦ, ଲୋତକରୂପୀ ରକ୍ତ ଓ ପାପର ପୂତିଗନ୍ଧ କଣ ଭାରତର ବାୟୁମଣ୍ଡଳ ଓ ଭୂମିକୁ ପତିତ ଓ କଳୁଷିତ କରି ନାହିଁ ? ପାପ ଯିବ କୁଆଡ଼େ ? ସେହି ସ୍ତ୍ରୀମାନଙ୍କର ଦୁଃଖ ଓ ଆଧୁନିକ ବିଧବା ଓ ସଧବା ସ୍ତ୍ରୀମାନଙ୍କର ଅଭିଶାପ ଏବଂ କରୁଣ ବେଦନା ଯେତେଦିନ ଯାଏ ସମୂଳେ ଲୋପ ପାଇ ନାହିଁ ବା ସମାଜପତି ମାନଙ୍କର ମୃତ୍ୟୁ ଅଥବା ଶିରଚ୍ଛେଦ ହୋଇ ନାହିଁ, ସେତେଦିନଯାଏ ଭାରତର ଦୁର୍ଦ୍ଦଶା ଘୁଞ୍ଚିବା ଅସମ୍ଭବ । ଶେଷରେ ଧର୍ମ ।

 

କବି ଗାଇଲେ—

 

‘‘ଧର୍ମନାମେ ପୋତ ଗଢ଼ିଅଛି ବିଧି,

ତରିବାକୁ ଏହି ସଂସାର-ବାରିଧି ।’’

 

‘‘ଧର୍ମୋ ରକ୍ଷତି ଧାର୍ମିକଂ’’ ଏହା କଣ ନିରର୍ଥକ ? ଏବେ ଧର୍ମର ଅର୍ଥ ହୋଇଛି ଭିନ୍ନ । ଧର୍ମଦେବ ଅସ୍ଥିକଙ୍କାଳସାର ମ୍ୟାଲେରିଆ ରୋଗୀ । ଧର୍ମର ତେଜ ନାହିଁ । ଧର୍ମ ବିଷୟ ବୁଝୁଛି କିଏ-? ଈଶ୍ୱରଙ୍କ ସତ୍ତା କେତେଜଣ ମାନୁଛନ୍ତି ? କେହି ବିଦ୍ୟାର୍ଜ୍ଜନ କଲେ ହେଉଛି ଅଧର୍ମ, କିନ୍ତୁ ଭିକ୍ଷା କଲେ ହେଉଛି ଧର୍ମ । ପରିଷ୍କାର ପରିଚ୍ଛନ୍ନ ଲୋକହାତରୁ ଖାଦ୍ୟ ଗ୍ରହଣ କଲେ ଅନେକେ କହୁଛନ୍ତି, ‘ଧର୍ମ ଗଲା’; କିନ୍ତୁ ଲୋଭୀ, ସ୍ୱାର୍ଥାନ୍ଧ, ଅପରିଷ୍କୃତ, ମଳିନ ବେଶଧାରୀ, ରୋଗବୀଜାଣୁବାହକ ପୂଜାରୀ ହାତରୁ ଖାଇବା ହେଉଛି ଧର୍ମ ।

 

ମୃଗଚର୍ମ ଯାଉଛି ଦେଉଳକୁ, କିନ୍ତୁ ଗୋଚର୍ମ ଛୁଇଁଲେ ଧର୍ମ ଓ ଜାତି ଲୋକକୁ ଛାଡ଼ି ପଳାଉଛି । ଏ ସବୁ କଣ ପ୍ରାଚୀନକାଳରେ ସତେ ଥିଲା, ନା ପରେ ଏ ପ୍ରକାର ହୋଇଛି ? ସମାଜପତିବୃନ୍ଦ, ଧର୍ମଧଜ୍ୱାଧାରୀ ପଣ୍ଡିତଗଣ ଓ ଶିକ୍ଷିତ ସମାଜ ବିଚାର କରନ୍ତୁ ।

 

ତେବେ କଥା କଣ ? ଏ ସବୁ ଲୋପ ନ ପାଇଲେ ଦେଶ କଣ ସ୍ୱାଧୀନ ହୋଇ ପାରେ-? ପ୍ରାଚୀନ ଭାରତରେ କଣ ଏ ଭାବ ଥିଲା ? ନା ପାଶ୍ଚାତ୍ୟ ସଭ୍ୟ ଇଂଲଣ୍ଡ, ଜର୍ମାନୀ ଓ ଇଟାଲୀ ଏବଂ ପ୍ରାଚ୍ୟତପନ ଜାପାନରେ ଏ ସବୁ ଅଛି ? ନିଷ୍ପତ୍ତି ସମସ୍ତଙ୍କ ଆଗରେ ପଡ଼ିଛି । ଫଳାଫଳକୁ ଦେଶ ଚାହିଁଛି । ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ।

Image

 

ରୁଚି ଓ ସୌନ୍ଦର୍ଯ୍ୟ

 

ବଡ଼ ବିଚିତ୍ର ଏ ସୃଷ୍ଟି । ଏହାର ପ୍ରତ୍ୟେକ କାର୍ଯ୍ୟକଳାପ ଓ ବୈଚିତ୍ର୍ୟ ପ୍ରତି ଦୃଷ୍ଟି ଦେଲେ ଭଲ ମନୁଷ୍ୟର ମଧ୍ୟ ମସ୍ତିଷ୍କବିକୃତି ଘଟିବା ଅସ୍ୱାଭାବିକ ନୁହେଁ । କାହାର ପ୍ରକୃତି କିପରି । କେହି ସୁନ୍ଦରକୁ କୁତ୍ସିତ କହେ ତ, କେହି କୁତ୍ସିତକୁ ସୁନ୍ଦର ଜ୍ଞାନ କରେ । ପ୍ରକୃତ ସୁନ୍ଦର କିଏ ? ଏହା ଗୂଢ଼ ଆଲୋଚନାର ବିଷୟ ।

 

ସୃଷ୍ଟିର ଆଦିକାଳରୁ ସୁନ୍ଦର ସୁନ୍ଦରୀକୁ ଖୋଜେ, ସୁନ୍ଦରୀ ସୁନ୍ଦରର ଅନ୍ୱେଷଣ କରେ । ଚିତ୍ରକର ସୁନ୍ଦର ଚିତ୍ରାଙ୍କନ କରିବାକୁ ବ୍ୟାକୁଳ ହୁଏ, ଲେଖକ ସୁନ୍ଦର ପଦ୍ୟ, ଗଦ୍ୟ ଓ ପ୍ରବନ୍ଧ ଲେଖିବାକୁ ମନ ବଳାଏ ଏବଂ ଐତିହାସିକ ସୁନ୍ଦର ଚରିତ ଆଲୋଚନା କରେ । ସମୟ ସମୟରେ ଚିତ୍ରକର କୌଣସି କୁତ୍ସିତ ବସ୍ତୁର ବା କୁତ୍ସିତ ରୋଗୀର ଚିତ୍ର ଅଙ୍କନ କରେ ଏବଂ ସମୟରେ ଲେଖକ କୌଣସି ଅସୁନ୍ଦର ଓ ଘୃଣ୍ୟ ବିଷୟକୁ ଲେଖନୀ-କାଉଁରିକାଠି ଛୁଆଁଇ ଏପରି ଚିତ୍ର କରେ ଯେ, ଆମେ ଜନମଣ୍ଡଳୀ ସାବାସ୍ ଦେଇ ତାକୁ ସୁନ୍ଦର ବୋଲି ପ୍ରଶଂସା କରୁଁ ।

 

ତେବେ କିଏ ସୁନ୍ଦର ? ସୌନ୍ଦର୍ଯ୍ୟ କଅଣ ? ଜ୍ଞାନୀମାନେ ମତ ଦେଇଛନ୍ତି ଯେ, ଯାହା ନିତ୍ୟ, ସତ୍ୟ ଓ ପ୍ରାକୃତିକ, ତାହା ସୁନ୍ଦର, କିନ୍ତୁ ଏ ନିୟମର ବ୍ୟତିକ୍ରମ ପ୍ରତି ସ୍ଥାନରେ, ପ୍ରତି ସମୟରେ ଓ ପ୍ରତି ବ୍ୟକ୍ତିବିଶେଷରେ ଦୃଷ୍ଟ ହୁଏ । ଜଣେ ଯାହାକୁ ଘୃଣା କରେ, ଆଉ ଜଣେ ତାକୁ ଆଦର କରେ । ଜଣେ ଯାହା ଦେଖିବାକୁ ଓ ଶୁଣିବାକୁ ଇଚ୍ଛା କରେ ନାହିଁ, ଅନ୍ୟ ଜଣେ ତାକୁ ସାରା ଜୀବନ ଦେଖିବାକୁ ଓ ଶୁଣିବାକୁ ପସନ୍ଦ କରେ । ଏହାର କାରଣ ଖୋଜିଲେ ଜଣାଯାଏ ଯେ, ମନୁଷ୍ୟର ରୁଚି ଏଥିର ମୂଳରେ; ତେଣୁ ସାଧାରଣ କଥାରେ ଅଛି—‘ଯାହା ମନ ଯହିଁକି ରସେ, ତାହା ବିନୁ ତାକୁ ଆନ ନ ଦିଶେ ।’ ଏହି ନିୟମ କ୍ରମରେ ଖାଦ୍ୟ ପଦାର୍ଥରେ ଦେଖାଯାଏ ଯେ, ଜଣକ ପକ୍ଷରେ ଯାହା ଅମୃତ, ଅନ୍ୟ ପକ୍ଷରେ ତାହା ବିଷ । ଓଡ଼ିଶାବାସୀ ଓ ବଙ୍ଗଳାଭାଷୀମାନେ ମାଛକାତିର ଓ ମାଛପୁଟିର ବ୍ୟବହାର ଶିକ୍ଷା କରି ବାହାଦୁରି ନେଲାବେଳେ ପଶ୍ଚିମା ମାରବଡ଼ିମାନେ ଉତ୍କୃଷ୍ଟ ମାଛମଞ୍ଜି ଦେଖି ମଧ୍ୟ ବମନକ୍ରିୟା ସମ୍ପାଦନ କରନ୍ତି ।

 

ସୌନ୍ଦର୍ଯ୍ୟ ରୁଚିର ଅନୁଗାମୀ :—ଆଜି ଜଗତରେ ସ୍ତ୍ରୀଜାତି ମନେ କରେ ଯେ, ସେ ସୁନ୍ଦରୀ ଓ ପୁରୁଷ ତା ତୁଳନାରେ କୁତ୍ସିତ । ପୁରୁଷ ମଧ୍ୟ ଅନେକଠାରେ ସ୍ତ୍ରୀକୁ ସୁନ୍ଦରୀ ବୋଲି ସ୍ୱୀକାର କରେ ଏବଂ କରୁଛି । ଯଦି ସ୍ୱୀକାର କରିବାକୁ ହୁଏ ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ ସାର, ତେବେ ଏହା କେତେଦୂର କାର୍ଯ୍ୟକାରୀ, ତାହା ଦେଖାଯାଉ । ଆଉ ମଧ୍ୟ ଦେଖାଯାଏ ଯେ, ପୁରୁଷ ଅନେକ ସମୟରେ ଉତ୍ତରଳ ଓ ଉନ୍ନତ୍ତ, କିନ୍ତୁ ସ୍ତ୍ରୀ ସବୁବେଳେ ଧୀରା, ସ୍ଥିରା ଓ ଲଜ୍ଜାଶଳା । ଏହି ରକ୍ତଗତ ଗୁଣ ଈଶ୍ୱର ବା ପ୍ରକୃତିଦତ୍ତ ପଦାର୍ଥ । ଏହାକୁ ବନ୍ଦ କରିବାକୁ ପ୍ରକୃତି ବା ଭଗବାନ କ୍ଷମ ।

 

ତେବେ ଯଦି ସ୍ୱୀକାର କରାଯାଏ, ପ୍ରକୃତି ପୁରୁଷଠାରେ ଚାଞ୍ଚଲ୍ୟ ଓ ସ୍ତ୍ରୀଠାରେ ସ୍ଥୈର୍ଯ୍ୟ ଦାନ କରିଅଛି, ଏହା ସ୍ୱୀକାର କରିବାକୁ ହେବ ଯେ, ସେହି ଆଦିଶକ୍ତି ମଧ୍ୟ ପୁରୁଷଠାରେ କିଛି ନା କିଛି ଆକର୍ଷଣୀଶକ୍ତି ଦେଇଥିବ । ପଶୁଜଗତକୁ ଦେଖିଲେ ଜଣାଯାଏ ଯେ, ପ୍ରକୃତି ଆକର୍ଷଣଶକ୍ତି ବେଶୀ ପୁରୁଷଠାରେ ଦେଇଛି । ଷଣ୍ଢ ଯେତେବେଳେ ତାର ପୃଥୁଳ ଶରୀର ହଲାଇ ଓ ଚୂଳକୁ ଦୋହଲାଇ ଗାମ୍ଭୀର୍ଯ୍ୟପୂର୍ଣ୍ଣ ହେଣ୍ଟାଳ ପକାଇ ଆସେ, କେଉଁ ଲୋକ ତାର ସୌନ୍ଦର୍ଯ୍ୟରେ ମୁଗ୍ଧ ନ ହୁଏ ? ଏହିପରି ସିଂହଠାରେ କେଶର ଓ ବସିବାଠାଣି, ହସ୍ତୀଠାରେ ଦୀର୍ଘଦନ୍ତ ଏବଂ ମେଷ ଓ ମୃଗଠାରେ ଦୀର୍ଘ ଶୃଙ୍ଗ ଓ ବଳ ପ୍ରକୃତି ଦେଇଛି । ଏ ସବୁ କଣ ଆକର୍ଷଣଶକ୍ତି ନୁହେଁ କି ? ଏହି ଅନୁପାତରେ ପଣ୍ଡା ମଇଁଷୀଠାରୁ, ଅଣ୍ଡିରା ମାଙ୍କଡ଼ ମାଈ ମାଙ୍କଡ଼ଠାରୁ, ବ୍ୟାଘ୍ର ବ୍ୟାଘ୍ରୀଠାରୁ, ଘୋଟକ ଘୋଟକୀଠାରୁ ଓ ଅନ୍ୟ ପୁରୁଷ ପଶୁ ସ୍ତ୍ରୀ ପଶୁଠାରୁ ସୁନ୍ଦର ।

 

ଏହି ନିୟମ ବ୍ୟତିକ୍ରମ ପକ୍ଷୀଜଗତରେ ଦୃଷ୍ଟ ହୁଏ ନାହିଁ । ପ୍ରକୃତି ମୟୂରଠାରେ ସୁନ୍ଦର କଳାପ ଦେଇଛି, କିନ୍ତୁ ତା ତୁଳନାରେ ମୟୂରୀ କି କୁତ୍ସିତା ! କୁକ୍‌କୁଟୀଠାରୁ କୁକ୍‌କୁଟ, ମାଈ ଘରଚଟିଆଠାରୁ ଅଣ୍ଡିରା ଘରଚଟିଆ ଏବଂ ଅନ୍ୟାନ୍ୟ ଅନେକ ପକ୍ଷିଣୀଠାରୁ ପକ୍ଷୀ ସୁନ୍ଦର ।

 

ଲତାର ବକ୍ରଗତି, ପ୍ରକୃତି ଓ ଆକାର ଦେଖିଲେ ମନେ ହୁଏ ଯେ, ବୃକ୍ଷ ତା ତୁଳନାରେ ମଧ୍ୟ ସୁନ୍ଦର ।

 

ଏହି ସାଧାରଣ ନିୟମକୁ ଅବଲମ୍ବନ କଲେ ପାଠକେ ବର୍ତ୍ତମାନ ଅନୁମାନ କରିବେ, ପୁରୁଷ ଓ ସ୍ତ୍ରୀ ମଧ୍ୟରେ ସୁନ୍ଦରତର କିଏ ? ଯୁବତୀ ଯଦି ଯୁବକଠାରେ କୌଣସି ସୌନ୍ଦର୍ଯ୍ୟ ଦେଖୁ ନଥାନ୍ତା ଅଥବା ତଦ୍ଦ୍ୱାରା ଆକୃଷ୍ଟ ହେଉ ନ ଥାନ୍ତା, ତେବେ ସେ ଆଜୀବନ ତାକୁ ହୃଦୟକନ୍ଦରର ଦେବତା କରି ପୂଜା କରନ୍ତା କି ? ଦୁଇଟି ପ୍ରାଣଗ୍ରନ୍ଥି ଏକ ନ ହେଲେ ତାହା ସାରାଜୀବନ ସ୍ଥାୟୀ ହୁଅନ୍ତା କି ? ସ୍ତ୍ରୀ ଶତ ଅଳଙ୍କାର ଓ ଶତ ଶାଢ଼ୀ ପରିହିତ ହୋଇ ଯେପରି ସୁନ୍ଦର ଦିଶେ, ପୁରୁଷ ସେହି ପରିମାଣରେ ଅଳଙ୍କାରବିହୀନ ଓ ଧୋତି ଚଦରରେ ସୁନ୍ଦର ଦିଶେ । ସାଧାରଣତଃ ନଗ୍ନ ଅବସ୍ଥାରେ ଦୁଇ ଭାଇ ଭଉଣୀଙ୍କ ମଧ୍ୟରେ ଭାଇଟି ସୁନ୍ଦର ଦିଶେ । ସ୍ୱାମୀ ସ୍ତ୍ରୀ ବିଷୟ ଛାଡ଼ । କାରଣ, ଅନେକ ସମୟରେ ଜଣେ କୁତ୍ସିତ ବା ଅଳ୍ପ ସୁନ୍ଦର ବ୍ୟକ୍ତି ତାର ଧନ ବା ଯୋଗ୍ୟତା ଗୁଣ ଯୋଗୁଁ ଜଣେ ସୁନ୍ଦରୀର ପାଣିଗ୍ରହଣ କରିଥାଏ । ଏହା ପୁରୁଷର ସୌନ୍ଦର୍ଯ୍ୟଗୁଣ ନୁହେଁ କି ? ଏହିପରି ଅନେକ ଅସୁନ୍ଦରୀ କନ୍ୟା ପିତାଙ୍କ ଧନ ବା ଯୋଗ୍ୟତାବଳରେ ଜଣେ ସୁନ୍ଦର ଯୁବକକୁ ବିବାହ କରିବାର ସୁବିଧା ମଧ୍ୟ ପାଇଥାଆନ୍ତି । ତାହା ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପ୍ରଭାବରୁ ନୁହେଁ, ବରଂ ଅନ୍ୟ ବିଷୟ ହେତୁରୁ ।

 

ଏହି ପ୍ରକାର ବେଷମ୍ୟକୁ ବାଦ୍ ଦେଇ ଦୁଇଟି ସମବୟସ୍କ, ସମବଶ ସମ୍ଭୂତ, ସମାବସ୍ଥାପନ୍ନ ଓ ସମଶିକ୍ଷା ସଭ୍ୟତାଯୁକ୍ତ ଯୁବକ ଯୁବତୀକୁ ତୁଳନା କଲେ ଜଣାଯାଏ ଯେ, ଯୁବକ ଯୁବତୀଠାରୁ ସୁନ୍ଦର ।

 

ଭଗବାନ୍ ପୁରୁଷଠାରେ କିଛି ନା କିଛି ବୈଶିଷ୍ଟ୍ୟ ଦେଇ ନ ଥିଲେ ତାକୁ ସ୍ତ୍ରୀଜାତି ପସନ୍ଦ କରି ତାର ଆଜ୍ଞାଧୀନା ହୁଅନ୍ତା କି ? ତୁଳନା କଲେ ଜଣାଯାଏ ଯେ, ପୁରୁଷର ବୀରହ, ଧୈର୍ଯ୍ୟ, ସାହସ, ବୁଦ୍ଧି, ବିବେକ, ବିବେଚନା ଓ ସୌନ୍ଦର୍ଯ୍ୟ ସମାବସ୍ଥାପନ୍ନ ସ୍ତ୍ରୀଠାରୁ ଅତି ଉଚ୍ଚରେ । ଏହା ଅବଶ୍ୟ ସ୍ତ୍ରୀଜାତିକୁ ଆକ୍ରୋଶ କରି କୁହାଯାଉ ନାହିଁ । ଅନେକେ କହି ପାରନ୍ତି ଯେ, ସ୍ତ୍ରୀମାନେ ଆଜିକାଲି ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କଲେଣି । ଏହା କଣ ପ୍ରତିବର୍ଷ ଘଟେ କି ? ନାଁ ସବୁ କ୍ଷେତ୍ରରେ ଅଧିକ ସଂଖ୍ୟାରେ ପ୍ରମାଣିତ ହେଉଅଛି ? ଛାତ୍ରଛାତ୍ରୀ ମଧ୍ୟରେ କୌଣସି ଏକ ସ୍ଥାନରେ ଜଣେ ସ୍ତ୍ରୀ ପ୍ରଥମ ସ୍ଥାନ ଅଧିକାରିଣୀ ହେଲେ ଶତ ଶତ ସ୍ଥାନରେ ପୁରୁଷ ମଧ୍ୟ ସ୍ତ୍ରୀଠାରୁ ବଳୁଛି ଏବଂ ଟପି ଯାଉଛି ।

 

ସୌନ୍ଦର୍ଯ୍ୟର କ୍ରମ କୌଣସି ପର୍ବତାରୋହଣ ସଙ୍ଗେ ସମାନ । ପର୍ବତ ଆରୋହଣରେ ଯେପରି ଉଚ୍ଚକୁ ଯାଇ ଶୀର୍ଷ ସ୍ଥାନରୁ ତଳକୁ ଖସିବାକୁ ହୁଏ, ସେହିପରି ସଂସାରର ସୌନ୍ଦର୍ଯ୍ୟ ପଶୁ, ମାନବ, ପକ୍ଷୀ, ଲତା, ବୃକ୍ଷ, କୀଟ ପତଙ୍ଗ ଓ ଜଳଚରମାନଙ୍କ ମଧ୍ୟରେ କ୍ରମେ ବୃଦ୍ଧି ପାଇ ଯୌବନଶୃଙ୍ଗ ଆରୋହଣ କରିବା ପରେ ବାର୍ଦ୍ଧକ୍ୟର କୁତ୍ସିତତା-ମାର୍ଗରେ ଗତି କରେ ।

 

ଜଗତର ସୌନ୍ଦର୍ଯ୍ୟ ଓ କୁତ୍ସିତଭାବ କିଛି ନୁହେଁ । ସବୁ ରୁଚିର ଅଧୀନ । ରୁଚି ନେଇ ଜଣେ ଝଡ଼ା ଫୁଲ, ସଢ଼ା ଖାଦ୍ୟ ଓ ବୁଢ଼ା ଲୋକକୁ ପସନ୍ଦ କରେ ଏବଂ ଆଉ ଜଣେ ଫୁଟା ଫୁଲ, ସଜ ଖାଦ୍ୟ ଓ ଯୁବକକୁ ଆଦର କରେ । ଜଗତ ସୌନ୍ଦର୍ଯ୍ୟମୟ ଓ କୁତ୍ସିତତ ପୂର୍ଣ୍ଣ । ପ୍ରଥମ ଓ ପ୍ରଧାନ ଶକ୍ତି ପ୍ରକୃତିଦତ୍ତ ରୁଚି ।

Image

 

ପ୍ରକୃତିର ପ୍ରକୃତି

 

ଈଶ୍ୱରସୃଷ୍ଟ ପଦାର୍ଥ ପ୍ରକୃତି—ପ୍ରକୃତିର ଅର୍ଥ ସୌନ୍ଦର୍ଯ୍ୟ ଓ କୁତ୍ସିତତା । ପ୍ରତ୍ୟେକ ଜୀବ କିଛି ନା କିଛି ଚାତୁରୀ ଦେଖାଇ, ବାହାଦୁରି ଘେନିଯିବାକୁ ବ୍ୟସ୍ତ । ମନୁଷ୍ୟ ତାର ଗର୍ବର ସୀମା ନ ରଖି ଜୟତକ୍କା ପିଟୁଛି । ପଶୁରାଜ୍ୟ ପାଶବିକ ଭାବ ପକ୍ଷୀରାଜ୍ୟ ଚାପଲ୍ୟ, ଜଳଚରବୃନ୍ଦ କ୍ରୀଡ଼ା ଓ କୀଟ ପତଙ୍ଗ ନିରୀହତା ଦେଖାଇବାରେ ବ୍ୟସ୍ତ; କିନ୍ତୁ ଅନନ୍ତକାଳରୁ ପ୍ରତ୍ୟେକେ ପ୍ରକୃତି ଆଗରେ ନତମସ୍ତକ ହୋଇ ଆସିଛନ୍ତି ଓ ଆସୁଛନ୍ତି । ପ୍ରକୃତିର ନିୟମରେ କବିର ଲେଖନୀ ନୀରବ ହୁଏ, ବାଗ୍ମୀର ବାକ୍‌ପଟୁତା ବିଲୟ ଭଜେ, ଚିତ୍ରକରର ଓ ଶିଳ୍ପୀର ଚାତୁରୀ କୀଟଦଷ୍ଟ ହୁଏ । ପ୍ରତ୍ୟେକ ଜୀବ ସମୟର କିଙ୍କର ପରି ନିୟତିର ଓ ପ୍ରକୃତିର ସ୍ରୋତରେ ଭାସି ଯାଉଛନ୍ତି । ଜଗତର ଆନନ୍ଦକୋଳାହଳରେ ବା ଧ୍ୱଂସର କ୍ରନ୍ଦନରୋଳରେ ପ୍ରକୃତିର ପ୍ରକୃତି ଅପରିବର୍ତ୍ତନୀୟ; ଠିକ୍ ଗଡ୍ଡଳିକା ପ୍ରବାହ ।

 

ପ୍ରକୃତି ଚିରସୁନ୍ଦର । ଉଷାର ମନୋହର ଦୃଶ୍ୟ ଦେଖି କେତେ କବି କେତେ କବିତା ଲେଖି ଲେଖନୀକଣ୍ଠୁ ନିବାରଣ କରିଛନ୍ତି; ଚିତ୍ରକର ତୂଳିକା ଦନ୍ଥଡ଼ା ହୋଇଛି ଓ ଭାବୁକର ଚିନ୍ତାଧାରାରେ ଘୋର ଆବର୍ତ୍ତନ ଘଟିଛି । ନଦୀର କୁଳୁକୁଳୁ ରାଗିଣୀ, କୋକିଳର କୁହୁକୁହୁ ଧ୍ୱନି, ସମୀରଣର ମର୍ମ୍ମର ଶବ୍ଦ, ଚପଳାଇ କ୍ଷଣିକ ପ୍ରଭା, ପତ୍ରପୁଷ୍ପର ହାସ୍ୟରେଖା ଓ ଇନ୍ଦ୍ରଧନୁର କମନୀୟ କାନ୍ତି ଠିକ୍ ପୂର୍ବପରି ଗତିଶୀଳ । ତହିଁରେ ଆନନ୍ଦର ଓ ସୌନ୍ଦର୍ଯ୍ୟର କ୍ଷୟବୃଦ୍ଧି କେହି କେବେ ଦେଖି ନାହିଁ । ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି ଦେଖି କାହାର ବିରାଗ ବା ତୃପ୍ତି ଆସି ନାହିଁ, କି ଆସିବ ନାହିଁ; ତେଣୁ ଜଣେ ବିଜ୍ଞ କବି ଗାଇଯାଇଛନ୍ତି—

 

‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ ।’’

 

ଯଦି ପୁରୁଣା ବୋଲି କିଛି ଅଛି, ତେବେ ତାହା କୃତ୍ରିମ ପଦାର୍ଥ ବ୍ୟତୀତ ଆଉ କଣ ? ମନୁଷ୍ୟର ଚିନ୍ତାଧାରା, ଯୁବକ ଯୁବତୀଙ୍କର ସୌନ୍ଦର୍ଯ୍ୟ, ଶିଶୁର ଦରୋଟି କଥା, ପ୍ରୌଢ଼ର ଜ୍ଞାନଗର୍ଭ ବାଣୀପରମ୍ପରା ଏବଂ ଅନ୍ୟାନ୍ୟମାନଙ୍କର ଅଙ୍ଗଭଙ୍ଗୀ ବା ନିଜତ୍ୱ ସବୁ ପୁରୁଣା—ଅତି ପୁରୁଣା । ଆମେ ଗୋଟିଏ ବିଷୟ ଥରେ ବା ଦୁଇଥର ପାଠ କଲେ ତାହା ହୁଏ ପୁରୁଣା ଏବଂ କିଛି ଏପରି ଅପ୍ରାକୃତିକ ପଦାର୍ଥ ଏକାଧିକ ବାର ଦେଖିଲେ ବା ଶୁଣିଲେ ତାହା ହୁଏ ଜୀର୍ଣ୍ଣ ଓ ବିରକ୍ତିକର ।

 

ପ୍ରକୃତି ତା କାର୍ଯ୍ୟ ସବୁବେଳେ କରି ଚାଲିଛି—ପ୍ରତି ମୁହୂର୍ତ୍ତରେ ଓ ପ୍ରତି ପଲକରେ ପ୍ରକୃତି କେତେ ପଦାର୍ଥ ଗଢ଼ୁଛି ଓ କେତେ ପଦାର୍ଥ ଏବଂ ଜୀବଙ୍କୁ ଭସ୍ମ କରିଛି, ତାହାର କେହି ହିସାବ ରଖୁଛି କି ? ଭାଙ୍ଗିବା, ଗଢ଼ିବା ତାର ଯେପରି ଧର୍ମ; ତାର ଏ ଭଙ୍ଗା ଓ ଗଢ଼ାର ଅନ୍ତ ନାହିଁ; ଠିକ୍ ଅନନ୍ତକାଳ ପରି ଅନନ୍ତ । ପ୍ରକୃତିରେ କାହାରି ସ୍ଥାୟିତ୍ୱ ନାହିଁ । ପତ୍ର, ପୁଷ୍ପ, ଫଳ, ପକ୍ଷୀ, ପଶୁ, ମାନବ, ସ୍ଥାବର, ଜଙ୍ଗମ, ଗ୍ରହ, ନକ୍ଷତ୍ର ଓ ଶୂନ୍ୟ, କାହାର ମଧ୍ୟ ସ୍ଥିରତା ନାହିଁ । ଗତିରୁ କିଛି ଜଣା ପଡ଼େ ନାହିଁ । କେତେକେ କହନ୍ତି, ସୂର୍ଯ୍ୟର ଦିନେ ବିଲୟ ହେବ । ତେବେ ତା ପର ଦିନ ବ୍ରହ୍ମାଣ୍ଡ ଅନ୍ଧକାରମୟ ହେବ, ନା ଆଲୋକମୟ ହେବ; ଏଥିରେ ଉତ୍ତର ସମସ୍ତଙ୍କୁ ଅଗୋଚର । ପ୍ରକୃତିର ଆଦେଶ ପାଳନ କରି ମାତାର ଗର୍ଭାଶୟରେ ଶିଶୁର ଉତ୍ପତ୍ତି ଓ ତହିଁରୁ ବାହାରି ବାହ୍ୟ ଆଲୋକ ଦର୍ଶନ । ବୀଜରୁ ଅଙ୍କୁରୋଦ୍‌ଗମ୍ ! ସେହି ନିୟମର ବଶବର୍ତ୍ତୀ ହୋଇ ଶିଶୁ, ଶାବକ ଓ ଅଙ୍କୁର କ୍ରମେ ବର୍ଦ୍ଧିଷ୍ଣୁ ହୁଅନ୍ତି ଏବଂ ସୁନ୍ଦର ଶୈଶବ, ବାଲ୍ୟ, ପୌଗଣ୍ଡ, ଯୌବନ ଓ ବାର୍ଦ୍ଧକ୍ୟକୁ ଅତିକ୍ରମ କରନ୍ତି । ଆଉ ମଧ୍ୟ ସେହି ନିୟମର କଶାଘାତରେ ସମସ୍ତେ ରୋଗଦଗ୍ଧ, ମୃତ ଓ କଳଙ୍କିତ ହୁଅନ୍ତି । ଖରାପ, ଜୀବନଶକ୍ତିହୀନ ଓ ପୁରୁଣା ପଦାର୍ଥକୁ ପ୍ରକୃତି ଭସ୍ମ କରି ମୃତ୍ତିକାରେ ପରିଣତ କରେ ଓ ସେହି ପଚା ସଢ଼ା ମୃତ୍ତିକା ସାହାଯ୍ୟରେ ନୂତନ ପଦାର୍ଥର ଆବିଷ୍କାର ଓ ସୃଷ୍ଟି ହୁଏ ।

 

ବୃକ୍ଷ ଶୁଷ୍କ ହୋଇ ମାଟିରେ ମିଶେ । ସେହି ଶୁଷ୍କତରୁ ସାହାଯ୍ୟରେ ମନୁଷ୍ୟ ବାହୁବଳ ଓ ଜ୍ଞାନ ଯୋଗ କରି କେତେ ନୂତନ ପଦାର୍ଥ ଗଢ଼େ । କିନ୍ତୁ ପ୍ରକୃତି ଆଗରେ ସେସବୁ ଅତି ପୁରୁଣା; ତେଣୁ ମାନବକର୍ତ୍ତୃକ ଗଠିତ ଓ ଉଦ୍ଭାବିତ ପ୍ରତିମୂର୍ତ୍ତି, ଆସବାବ ଓ ପଦାର୍ଥ କ୍ରମେ ପ୍ରକୃତିଦ୍ୱାରା ନଷ୍ଟ ହୁଏ । ପ୍ରକୃତିର ଅନେକ ଭୃତ୍ୟ । ସେଥି ମଧ୍ୟରେ ଜଳ, ବାୟୁ , ଅନଳ, ତାପ, ଅମ୍ଳଯାନ, ଯବକ୍ଷାରଯାନ, ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ଅନେକ ଶକ୍ତି ପ୍ରଧାନ । ଏମାନେ ପ୍ରତ୍ୟେକ ବସ୍ତୁକୁ ମୃତ୍ୟୁ ଦିଗକୁ ଟାଣନ୍ତି ଓ ପ୍ରତ୍ୟେକକୁ ଜୀବନୀଶକ୍ତି ଦିଅନ୍ତି । ଠିକ୍ ବିଷ ଅମୃତ ସିନା ! ବଡ଼ ବିଚିତ୍ର ! ଏହା ବ୍ୟତୀତ ପ୍ରକୃତିର ଯଥେଷ୍ଟ ବିଚାରଶକ୍ତି ଅଛି । ପ୍ରକୃତି ଯାହାକୁ ଯେତେ ଶୀଘ୍ର ଜନ୍ମ ଦିଏ, ତାକୁ ତେତେ ଶୀଘ୍ର ମଧ୍ୟ ହରଣ କରିନିଏ । ଅନେକ ବୀଜାଣୁ ଅଛନ୍ତି ଯେ, ସେମାନଙ୍କର ପ୍ରତିମୁହୂର୍ତ୍ତରେ ଜନ୍ମ ହୁଏ ଓ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଘଟେ; କିନ୍ତୁ ମନୁଷ୍ୟ, ଗାଈ ଓ ହସ୍ତୀ ପ୍ରଭୃତି ଜୀବ ବହୁକଷ୍ଟରେ ଓ ଅନେକଦିନ ପରେ ଗୋଟିଏ ମାତ୍ର ଶାବକ ଜନ୍ମ କରନ୍ତି; ତେଣୁ ପ୍ରକୃତିରାଜ୍ୟରେ ଏମାନେ ଷାଠିଏ, ଶହେ ବା ଦୁଇଶହ ବର୍ଷ ବଞ୍ଚନ୍ତି ।

 

ସୃଷ୍ଟିରେ ଜନ୍ମଲାଭ ପରେ ପ୍ରତ୍ୟେକକୁ ପ୍ରକୃତି ସଙ୍ଗରେ ଯୁଦ୍ଧ କରିବାକୁ ହୁଏ । ସେହି ଯୁଦ୍ଧର କାଳ ଅନ୍ୟ ଅର୍ଥରେ ଆମର ଜୀବିତାବସ୍ଥା । ପ୍ରକୃତି ବହୁବିଚାରରେ ଜୀବନ ଦିଏ । ଏହି ଅଲଙ୍ଘନୀୟ ନିୟମ ଅନୁସାରେ ମାଛ, ମାଛି, ମଶା, ପ୍ରଜାପତି ଓ ତେଲୁଣୀପୋକ କୋଟି କୋଟି ଅଣ୍ଡା ଦିଅନ୍ତି ବିରାଡ଼ି, କୁକୁର, ଛେଳି, ମେଣ୍ଢା ଓ ବ୍ୟାଘ୍ର ପ୍ରଭୃତି ଜୀବ ଏକ ସମୟରେ ଦୁଇଠାରୁ ଆଠ ଦଶ ଯାଏ ଛୁଆ ପ୍ରସବ କରନ୍ତି ଏବଂ ମର୍କଟ, ମନୁଷ୍ୟ, ହସ୍ତୀ ଓ ହରିଣ ପ୍ରଭୃତି ଜୀବ ଗୋଟିଏ ଅଥବା କ୍ୱଚିତ୍ ଦୁଇଟି ଶିଶୁ ଜନ୍ମ କରନ୍ତି ।

 

ଏହାର କାରଣ କଅଣ ? ଚାକ୍ଷୁଷ ପ୍ରମାଣରୁ ଜଣାଯାଏ ଯେ, ଯେଉଁ ଜୀବ ଯେତେ ବେଶୀ ଜନ୍ମ କରେ ସେ ଜୀବର ସେତେ ସଂଖ୍ୟା ପ୍ରକୃତିରେ ବିନଷ୍ଟ ହୁଅନ୍ତି । ପ୍ରମାଣସ୍ୱରୂପ ମାଛି, ମାଛ ଓ ମଶାମାନେ ବର୍ଷର କୌଣସି ନିର୍ଦ୍ଦିଷ୍ଟ ସମୟରେ ଏବଂ ଦିନେ ଦୁଇଦିନ ମଧ୍ୟରେ କୋଟି କୋଟି ସଂଖ୍ୟାରେ ବଢ଼ି ଯାଆନ୍ତି, କିନ୍ତୁ ସେମାନଙ୍କର ପରିଣତି କଅଣ ହୁଏ ? ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟାନ୍ୟ ଅନେକ ଜୀବଙ୍କର ଖାଦ୍ୟ ହୁଅନ୍ତି, କେତେକ ଅଳ୍ପ ସମୟ ପରେ ମୃତ୍ୟୁମୁଖରେ ପଡ଼ନ୍ତି ଏବଂ ଶେଷକୁ ରହନ୍ତି ଅତି କମ୍ । ପ୍ରଜାପତି ଓ ତେଲୁଣୀପୋକ ଏକ ସମୟରେ ଅନେକ ଡିମ୍ବ ଦିଅନ୍ତି ଓ ଡିମ୍ବ ଦେଇ ସାରିବା ପରମୁହୂର୍ତ୍ତରେ ଅଣ୍ଡା ବା ଶାବକଗୁଡ଼ିକୁ ପ୍ରକୃତିର କୋଳରେ ଛାଡ଼ିଦେଇ ଜୀବଲୀଳା-ସମ୍ବରଣ କରନ୍ତି । ପ୍ରକୃତି ସେମାନଙ୍କର ଧାତ୍ର ହୋଇ ତାଙ୍କୁ ଖାଦ୍ୟ ଦେଇ ବଢ଼ାଏ । ସେଥିରେ ଅନେକ କୁଦି ଦଳି ହୋଇ ଓ କେତେକ ଖାଦ୍ୟରୂପେ ବ୍ୟବହୃତ ହୋଇ ନଷ୍ଟ ହୁଅନ୍ତି । ଶେଷକୁ ବଞ୍ଚନ୍ତି ଗୋଟିଏ ଦୁଇଟି । ସେମାନେ ମଧ୍ୟ ତାଙ୍କ ମାଆ ଭଳି ଡିମ୍ବ ଦେଇ ମରିଯାନ୍ତି । ତେବେ ତାଙ୍କର କାର୍ଯ୍ୟ କଅଣ ଓ ସୁଖ ଦୁଃଖ କଅଣ ? ଏହା କଅଣ ମନୁଷ୍ୟ ଭାବି ପାରେ ? ଏଥିର ଉତ୍ତର କେବଳ ସେହି ନିୟନ୍ତ୍ରି ନିୟତି ଦେଇ ପାରେ । କୁତୀ, ବିରାଡ଼ୀ ଓ ବ୍ୟାଘ୍ରୀ ଏକ ସମୟରେ ଚାରି, ଆଠ ଶିଶୁଙ୍କୁ ଜନ୍ମ ଦିଅନ୍ତି, କିନ୍ତୁ ପ୍ରକୃତିର ନିୟମ ଅନୁସାରେ ହେଟାବାଘ, ଭୁଆ ବିରାଡ଼ି ଓ ବ୍ୟାଘ୍ରଦ୍ୱାରା ଅନେକ ଶିଶୁ ନଷ୍ଟ ହୁଅନ୍ତି । ତେବେ ପ୍ରକୃତିର ବିଚାର ଠିକ୍ ଅଛି । ଯଦି ପ୍ରକୃତି ଏପରି ଜୀବମାନଙ୍କୁ ଦୀର୍ଘ ଜୀବନ ଦେଇ ସମସ୍ତଙ୍କୁ ବଞ୍ଚାଇ ରଖନ୍ତା, ତେବେ ବୋଧହୁଏ ଅନ୍ୟ ସବୁ ପ୍ରାଣୀ ଲୋପ ପାଇ ଏ ଜଗତ ମାଛି, ମଶା, ପ୍ରଜାପତି, ତେଲୁଣିପୋକ, ବ୍ୟାଘ୍ର, ବିଡ଼ାଳ, କୁକୁର ଓ ଛାଗମୟ ହୋଇ ସାରନ୍ତାଣି ।

 

ଆଜି ଜଗତରେ ପ୍ରତିଦିନ ଅନେକ ମଶା, ମାଛି ଓ ମାଛ ମଲେ ମଧ୍ୟ କେହି ଜାଣୁ ନାହାନ୍ତି, ତେବେ ବାଘଟିଏ ମଲେ ଆନନ୍ଦ ଅନୁଭବ କରନ୍ତି ଏବଂ ଛେଳିଟିଏ ହାଣି ଖାଇବା ପାଇଁ ପାଟିରୁ ଲାଳ ବୁହାନ୍ତି । କିନ୍ତୁ ଜଣେ ମନୁଷ୍ୟ ବା ଗୋଟିଏ ହାତୀ ମଲେ ଅନେକେ ଦୁଃଖିତ ହୁଅନ୍ତି । ବାଘ, ଛେଳି ବା କୁକୁର ମଲେ ଆମେ ହସୁଁ, ଏପରି ସ୍ଥଳରେ ଆମେ ମଲେ ସେମାନେ ହସୁଥିବେ କି ନାହିଁ, କିଏ କହି ପାରିବ ? ଏହି ପ୍ରକୃତିର ନିୟମକୁ ଦେଖିଲେ ଜଣାଯାଏ ଯେ, ଯେଉଁ ସମୟରେ ଜ୍ଞାନୀମାନେ ପ୍ରଚାର କରି ଯାଇଛନ୍ତି, ‘ଜୀବହତ୍ୟା ନିଷିଦ୍ଧ’ ସେହି ସମୟରୁ ଆଜିଯାଏ ଏହି ନିୟମକୁ ପ୍ରତି ଜୀବପକ୍ଷରେ ପ୍ରୟୋଗ କରିଥିଲେ ଫଳ କଅଣ ହୋଇ ଥାଆନ୍ତା ? ଅନେକ ଜୀବ ଖାଦ୍ୟ ଅଭାବରେ ମରି ନ ଥାନ୍ତେ କି ? ପ୍ରକୃତିରେ ସବୁବେଳେ ଖାଦ୍ୟ ଖାଦକ ଲୀଳା ଚାଲିଛି-

 

ପ୍ରକୃତି ସର୍ବଦା ଜୀବଜଗତ୍ ସଙ୍ଗେ ଖେଳୁଛି । ପ୍ରକୃତିରେ ଅଛି, ପ୍ରଜାପତି ପେଚାର, ପତରଲଜ୍ଜା ପୋକ ପକ୍ଷୀର ଓ ଶୁଆ ଛଞ୍ଚାଣର ଖାଦ୍ୟ । ତେବେ ପ୍ରକୃତି ଏପରି କରିଛି ଯେ, ପ୍ରଜାପତିର ପକ୍ଷ ବା ଡେଣାରେ ଥିବା କୃଷ୍ଣଚିହ୍ନ ଦୁଇଟିକୁ ଦେଖି ପେଚା ତାକୁ ଅନ୍ୟ ପେଚା ବୋଲି ଡରିଯାଏ । ପତରଲଚ୍ଛା ପୋକ ପତ୍ରର ରଙ୍ଗ ସଙ୍ଗେ ନିଜ ରଙ୍ଗକୁ ମିଳାଇ ଥିବାରୁ ଖାଦ୍ୟାର୍ଥୀ ପକ୍ଷୀ ତାକୁ ଦେଖିପାରେ ନାହିଁ ଓ ଶୁଆମାନେ ହରିଦ୍ ବର୍ଣ୍ଣବିଶିଷ୍ଟ ବୃକ୍ଷରେ ଚଳପ୍ରଚଳ ହେଉ ଥିବାରୁ ଛଞ୍ଚାଣ ସେମାନଙ୍କୁ ଦେଖି ପାରେ ନାହିଁ ।

 

ଏହା ବ୍ୟତୀତ ଲାଉଡ଼ଙ୍କିଆ ସାପ ଶିକାର କରିବା ପାଇଁ ପତରର ଶାଗୁଆ ବର୍ଣ୍ଣ ଧରେ ଓ ଧୂସର ଭଲ୍ଲୁକ ଶିକାର ଜୁଟିବା ଲାଳସାରେ ବରଫର ରଙ୍ଗ ସଙ୍ଗେ ନିଜର ରଙ୍ଗକୁ ମିଶାଏ । ନିଜ ନିଜର ଚଳାଚଳ ହେବା ସ୍ଥାନର ବର୍ଣ୍ଣ ସଙ୍ଗେ ଅନେକ ଜୀବ ନିଜର ଦେହର ବର୍ଣ୍ଣକୁ ମିଶାଇଥାନ୍ତି । କି ଅଦ୍ଭୁତ ସେ ପ୍ରକୃତି ଓ ତାହାର କାର୍ଯ୍ୟ !

 

ପ୍ରକୃତିର ପ୍ରକୃତି ବିଚିତ୍ର—କାର୍ଯ୍ୟ ଓ ଶକ୍ତି ଅନନ୍ତ । ପ୍ରକୃତି ଆଦିଶକ୍ତି ଓ ପ୍ରକୃତି ଭଗବାନ୍-। ପ୍ରକୃତି ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକର୍ତ୍ତା । ପ୍ରକୃତି ସୁନ୍ଦର ଓ ପ୍ରକୃତି କୁତ୍ସିତ । ପ୍ରକୃତିର ଶକ୍ତି ଉନ୍ନତି ଓ ପ୍ରକୃତିର ଅବହେଳା ବିକୃତି । ହେ ମା ଅନନ୍ତଶକ୍ତିମୟି ! ଅନନ୍ତ ପ୍ରକୃତି ! ଜୀବଜଗତର କୃତଜ୍ଞତା, ଭକ୍ତି ଓ ଶ୍ରଦ୍ଧା ଗ୍ରହଣ କର ।

Image

 

ଭାରତର ଉନ୍ନତି ଓ ଅବନତିରେ ଖାଇବର ଗିରିସଙ୍କଟ

 

ଉଦ୍ଦେଶ୍ୟବିହୀନ କାର୍ଯ୍ୟ ସଂସାରରେ ବିରଳ । ଆଦିମକାଳରେ ସୃଷ୍ଟିକର୍ତ୍ତା କିଛି ନା କିଛି ଭାବି ଉତ୍ତରଦିଗରେ ହିମାଳୟକୁ ନ ରଖି ସୈନ୍ଧବ ଓ ଗାଙ୍ଗେୟ ପ୍ରଦେଶ ସୃଷ୍ଟି କରି ନ ଥିଲେ । କିନ୍ତୁ ପୁଣି ତାଙ୍କ ଇଙ୍ଗିତରେ ହିମାଳୟର ସୃଷ୍ଟି ହେଲା । କ୍ଷୀରଥାର, ହିନ୍ଦୁକୁଶ, କାରାକୋରମ, ହିମାଳୟ ଓ ନାଗା, ଜୟନ୍ତିଆ ପ୍ରଭୃତି ଯେଉଁ ଈଶ୍ୱର ସୃଷ୍ଟି କରି ପାରନ୍ତି, ତାଙ୍କୁ ଖାଇବର ଓ ବୋଲାନ ପ୍ରଭୃତି ପଥ ବନ୍ଦ କରିବାକୁ ମୃତ୍ତିକା-ପାଷାଣର ଅଭାବ ହୋଇ ନ ଥାନ୍ତା । ଏସବୁ ଭାବିଲେ ମସ୍ତିଷ୍କ ଘୂରିଯାଏ ଓ ମନରେ ବାରମ୍ବାର ଉଦିତ ହୁଏ, ‘‘ନିମିତ୍ତ ମାତ୍ର’’ ଭବ ସବ୍ୟସାଚିନ୍-!’’ ଯଦି ଭଗବାନ୍ ଖାଇବରକୁ ସୃଷ୍ଟି କରି ନ ଥାନ୍ତେ, ତେବେ କିଏ କହିବ ଯେ, ଭାରତ ଆଜିଯାଏ ମଧ୍ୟ ରାବଣ ପ୍ରଭୃତି ରାକ୍ଷସ ଓ ଅନାର୍ଯ୍ୟ ହରିଜନମାନଙ୍କର ଆବାସଭୂମି ହୋଇ ନ ଥାନ୍ତା ? ଯଦି ଉତ୍ତରରେ ହିମାଳୟାଦି ପର୍ବତଶ୍ରେଣୀ ଆରବସାଗର ଉପକୂଳରୁ କାଶ୍ମୀର ଆସାମକୁ ଅଧିକାର କରି ବଙ୍ଗୋପସାଗର ଯାଏ ଲମ୍ବଭାବରେ ଦଣ୍ଡାୟମାନ ଥାଆନ୍ତା, ତେବେ ମନୁଷ୍ୟ ତଥା ଆର୍ଯ୍ୟମାନେ ଭାରତକୁ ଆସିବାକୁ ପଥ ପାଇ ପାରି ନ ଥାନ୍ତେ । ତେଣୁ ଭାରତଭୂମିରେ ଆଦିମକାଳରୁ ସୃଷ୍ଟ ମନୁଷ୍ୟ କାଳକ୍ରମେ ବାସ କରି ଆସୁଥାଆନ୍ତେ ।

 

ଖାଇବର ବାଟ ଦେଇ ସଭ୍ୟ ଆର୍ଯ୍ୟମାନେ ଜ୍ଞାନଶଳାକା ଆଣି ଭାରତର ଅଜ୍ଞାନ ଦୂର କଲେ—ଅସଭ୍ୟମାନଙ୍କୁ କୃଷି, ବାଣିଜ୍ୟ, ରନ୍ଧନ, ଚାଷ ଓ ଗୃହନିର୍ମାଣ ଶିକ୍ଷା ଦେଇ ଆସ୍ତେ ଆସ୍ତେ ମଧ୍ୟ ଯୁଦ୍ଧବିଦ୍ୟା ପ୍ରଚାର କଲେ । ତାହାର ଫଳରେ ଆଦିମକାଳରେ ଅନାର୍ଯ୍ୟ ଗହ୍ୱରବାସ, ଅସିଦ୍ଧ ପଶୁମାଂସ ଭୋଜନ, ପ୍ରସ୍ତରଖଣ୍ଡ ନିକ୍ଷେପ ଓ ଡାଳଯୁଦ୍ଧ ତ୍ୟାଗ କରି ମୃତ୍ତିକା ଓ ଇଷ୍ଟକାଳୟ ବାସ, ଲବଣ ଓ ମସଲାଯୁକ୍ତ ରନ୍ଧନପ୍ରଣାଳୀ ଓ କ୍ରମେ ଧନୁଶର, ଖଡ଼୍‌ଗ, ଗଦା, ମୁଦ୍‌ଗର, ଶେଳ, କୁନ୍ତ, ଭଲ୍ଲ ଓ ଅନ୍ୟାନ୍ୟ ଅନେକ ଅଦ୍ଭୁତ ଅସ୍ତ୍ରପ୍ରୟୋଗ ଶିକ୍ଷା କଲା । ଅନେକେ କ୍ରମେ ମସ୍ତିଷ୍କର ଉନ୍ନତିସାଧନ କରି ଆର୍ଯ୍ୟମାନଙ୍କର କାର୍ଯ୍ୟପ୍ରଣାଳୀ ଶିକ୍ଷାପୂର୍ବକ ସଭ୍ୟ ହେଲେ । ଯେତେଦୂର ବୋଧ ହୁଏ, ଆର୍ଯ୍ୟମାନେ ଖ୍ରୀଷ୍ଟପୂର୍ବ ୨୦୦୦ ବର୍ଷରୁ ଭାରତକୁ ଆସି ଖ୍ରୀଷ୍ଟାବ୍ଦ ୧୨୦୦ ଯାଏ ପ୍ରାୟ ତିନି ହଜାର ବର୍ଷ ଭାରତରେ ଅଖଣ୍ଡ ରାଜତ୍ୱ କରିଥିଲେ ।

 

କ୍ରମେ ପୃଥିବୀରେ ସଭ୍ୟତା ଓ ସଂସ୍କାର ଆରମ୍ଭ ହେଲା; ତେଣୁ ଅନ୍ୟ ଦେଶର ଆଖି ଫିଟିଲା । ଆର୍ଯ୍ୟମାନେ କ୍ରମେ ରାଜ୍ୟ ଜୟ କରି ପୃଥିବୀ ଜୟ କରିଥିବା ବିଷୟର ପ୍ରମାଣ ପୁରାଣମାନଙ୍କରେ ଅଭାବ ନାହିଁ । ସେମାନଙ୍କ ମଧ୍ୟରେ ଅନେକ ନବଦ୍ୱୀପା ପୃଥ୍ୱୀ ଜୟ କରିଥିଲେ-। ସେଥିମଧ୍ୟରୁ ଭାରତ ଜମ୍ବୁଦ୍ୱୀପନାମରେ ଖ୍ୟାତ । ଖ୍ରୀଷ୍ଟାବ୍ଦ ୪୦୦ ଯାଏ ଭାରତର କ୍ଷତ୍ରିୟମାନେ ଆରବ, ପାରସ୍ୟ ଓ ଆଫଗାନିସ୍ଥାନରୁ କର ଆଦାୟ କରୁଥିବାର ପ୍ରମାଣ ବିରଳ ନୁହେଁ ।

 

କାରଣ ଅନୁସନ୍ଧାନ କଲେ ଜଣାଯାଏ ଯେ, ମହାଭାରତ ଯୁଦ୍ଧ ଓ ପର୍ଶୁରାମଙ୍କ ନିଃକ୍ଷତ୍ର ବ୍ରତ ଭାରତଭୂମିକୁ ବୀରଶୂନ୍ୟ ଓ ନିର୍ବୀର୍ଯ୍ୟ କରି ପକାଇଲା । ତେବେ ଭାରତରେ ହର୍ଷବର୍ଦ୍ଧନଙ୍କ କାଳଯାଏ ଅନେକ ପରିମାଣରେ ବୀରତ୍ୱ ଓ ସାହସ ଥିଲା । କ୍ରମେ କ୍ଷତ୍ରିୟମାନଙ୍କ ମଧ୍ୟରେ ଗୃହ-ବିବାଦ, ଆଳସ୍ୟ ଏବଂ ବିଳାସ ପ୍ରଭୃତି ମାରାତ୍ମକ ରୋଗର ସୃଷ୍ଟି ହେଲା । ଏହି ପ୍ରଧାନ ରୋଗର ଜୀବାଣୁ ପ୍ରଧାନ ଦ୍ରୁମକୁ ମୂଳଶୂନ୍ୟ କଲେ । ଏହା ଫଳରେ ମୁସଲମାନମାନଙ୍କ ଆକ୍ରମଣର ସୂତ୍ରପାତ ହେଲା । ସବକ୍ତଗୀନ ଓ ସୁଲତାନ ମାମୁଦ ଖାଇବର ବାଟେ ଆସି ଭାରତ ଆକ୍ରମଣ କଲେ । ଭାରତର ଧନରତ୍ନ ବିଷୟ କ୍ରମେ ଚାରିଆଡ଼େ ବ୍ୟାପ୍ତ ହେଲା । ଭାରତରେ ସୁନା ଫଳେ, ଗଛରେ ରୁଟି ଓ ପଣା ଫଳେ, ଭାରତଭୂମିରୁ ସ୍ୱର୍ଣ୍ଣ ଆଦାୟ ହୁଏ, ଏହି ସବୁ ଯଥାକ୍ରମେ ଚାରିଆଡ଼େ ପ୍ରଚାରିତ ହେଲା । ବାସ୍ତବିକ ଭାରତ ପୃଥିବୀରେ ସବୁଠାରୁ ଧନଶାଳୀ ଦେଶ ଥିଲା । ଭାରତୀୟମାନେ ବହୁଦେଶ ଜୟ କରି ଧନରତ୍ନ ଆଣି ନ ଥିଲେ ଏପରି ଧନୀ ହୁଅନ୍ତେ କିପରି ? ଭାରତକୁ ଲୁଣ୍ଠନ କରିବା ଇଚ୍ଛାରେ ସୁଲତାନ ମାମୁଦ ଅଠରଥର ଆକ୍ରମଣ କରିଥିଲେ । ସେ ଯେଉଁ ସୁନା ଓ ଟଙ୍କା ନେଇଥିଲେ, ତାହା ପର୍ବତ ଆକାରରେ କାବୁଲରେ ଜମା ହୋଇଥିଲା । ସେସମୟରେ ସୋମନାଥ ମନ୍ଦିରର ଘଣ୍ଟା ସୁନାରେ ତିଆରି ହୋଇଥିଲା । ଶିବମୂର୍ତ୍ତି ମଣିମାଣିକ୍ୟରେ ପୂର୍ଣ୍ଣ ଥିଲେ । ଏହା କଣ ଭାରତ ସମୃଦ୍ଧିର ପ୍ରମାଣ ନୁହେଁ ?

 

ଖାଇବର ନ ଥିଲେ ମାମୁଦ ଭାରତ ବିଷୟରେ ଅଜ୍ଞ ଥାଆନ୍ତେ ଓ ଭାରତ ଲୁଣ୍ଠନ କରି ପାରି ନ ଥାଆନ୍ତେ । ଏହିପରି ମହମ୍ମଦ ଘୋରୀ ଭାରତ ଅଧିକାର କଲେ । ମୁସଲମାନ ଆକ୍ରମଣ ଦେଖି ଯଦି ଭାରତର ରାଜନ୍ୟମଣ୍ଡଳୀ ଖାଇବରକୁ ବନ୍ଦ କରି ଦେଇଥାଆନ୍ତେ ବା ତାକୁ ଜଗି ରହି ଥାଆନ୍ତେ, ତେବେ ଭାରତରୁ ହିନ୍ଦୁସାମ୍ରାଜ୍ୟ ଲୋପ ହୋଇ ନ ଥାଆନ୍ତା ।

 

ଆଜିକାଲି ମଧ୍ୟ ଖାଇବର ତୁଲ୍ୟ ଅନେକ ସ୍ଥାନ ପୃଥିବୀରେ ଅଛି । ପାଶ୍ଚାତ୍ୟ ସଭ୍ୟଦେଶ ସବୁ ସମୟରେ ଜିବ୍ରାଲ୍‌ଟର, ସୁଏଜ, ପାନାମା ଓ ସିଙ୍ଗାପୁରକୁ ରକ୍ଷା କରିବାକୁ ଯାଉଅଛନ୍ତି । ଏ ସବୁ ପ୍ରାୟ ଇଂରେଜମାନଙ୍କ ଅଧିନାୟକତ୍ୱରେ ଚାଳିତ । ଏହା ଆଜିକାଲିର ବାଣିଜ୍ୟ ବ୍ୟବସାୟର ଗଳନାଳୀ କହିଲେ ଚଳେ । ପାଟି ଓ ପେଟ ଥିଲେ ମଧ୍ୟ ଗଳନାଳୀ ବ୍ୟତୀତ ଶରୀରର ପତନ ଯେପରି ଅନିବାର୍ଯ୍ୟ, ସେହିପରି ଆଜି ଜିବ୍ରାଲ୍‌ଟର ଓ ସୁଏଜ୍‌ବ୍ୟତୀତ ବ୍ରିଟେନର ଅବସ୍ଥା । ଆଜି ସୁଏଜ୍‌ ବା ଜିବ୍ରାଲ୍‌ଟରର ପ୍ରାଧାନ୍ୟ ବ୍ରିଟେନ ହାତରୁ ଚାଲିଗଲେ ବ୍ରିଟେନ ପକ୍ଷରେ ଭାରତ ଶାସନ କଷ୍ଟକର । ଭାରତ ଓ ଅଷ୍ଟ୍ରେଲିଆ ଇଂରେଜ ଶାସନରୁ ଅନ୍ତର ହେଲେ ବ୍ରିଟେନ ଡେନମାର୍କ ପରି ହୋଇ ପାରେ । ଜିବ୍ରାଲ୍‌ଟରକୁ ହସ୍ତଗତ କରି ଭୂମଧ୍ୟ ସାଗରର ପ୍ରାଧାନ୍ୟ ଗ୍ରହଣ କରିବା ଇଟାଲିର ଭିତିରି ଉଦ୍ଦେଶ୍ୟ । ସ୍ପେନର ଫ୍ରାଙ୍କୋଙ୍କୁ ମୁସୋଲିନୀ ଓ ହିଟଲରଙ୍କ ସାହାଯ୍ୟ କରିବାର ଅନ୍ୟ ଅର୍ଥ ଭୂମଧ୍ୟ ସାଗର ଅଧିକାର; ଆଜି ଆରବ ଓ ପାଲେଷ୍ଟାଇନ୍‌ ଯୁଦ୍ଧ ପଛରେ ଜର୍ମାନୀ ଥିବା ବିଷୟ ଅନେକେ ସନ୍ଦେହ କରନ୍ତି । ଯଦି ଆରବମାନେ ସ୍ୱାଧୀନ ହୁଅନ୍ତି, ତେବେ ସେମାନେ ସୁଏଜ୍‌ କେନାଲ ଓ ଲୋହିତ ସାଗରର ସର୍ବାଧିକାରୀ ହେବେ; ତେବେ ଇଂଲଣ୍ଡ ଆଉ ଭୂମଧ୍ୟସାଗର ବାଟେ ଭାରତକୁ ଆସିବା ସୁବିଧା ନ ପାଇ ଉତ୍ତମାଶା ଅନ୍ତରୀପ ବାଟେ ବୁଲି ଭାସ୍କୋଡ଼ାଗାମା ହେବ । ସେତେବେଳକୁ ଭାରତ କଂଗ୍ରେସ ଯେ ମୋଗଲ ସାମ୍ରାଜ୍ୟର ଆକବର ଶାସନ ଭାରତରେ ଚଳାଇ ନ ଥିବ, କିଏ କହିବ ? ଆଜି ବ୍ରିଟିଶ୍ ଜାତି ଜିବ୍ରାଲ୍‌ଟର ଓ ସୁଏଜ ରକ୍ଷା କରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରୁଅଛନ୍ତି । ଏ ସବୁ ସ୍ଥାନ ଖାଇବର ପରି ନୁହେଁ କି ?

 

ମୁସଲମାନ ରାଜତ୍ୱରେ ମଧ୍ୟ ଏସିଆର ମୋଗଲମାନେ ଖାଇବର ବାଟେ ବାରମ୍ୱାର ଭାରତ ଆକ୍ରମଣ କରିଥିବା ବିଷୟ ଇତିହାସ ପ୍ରମାଣ ଦିଏ । ସେହି ସମୟରେ ମଧ୍ୟ ମୁସଲମାନ ମାନେ ଭାରତରୁ ମସଲା, ନଡ଼ିଆ ଓ ଅନ୍ୟ ଶସ୍ୟ ନେଇ ରୋମ୍‌ ଓ ପାରିସରେ ବାଣିଜ୍ୟ କରୁଥିଲେ-। ଏହି ସବୁ ପଦାର୍ଥ ପାଇ ଇଉରୋପୀୟମାନେ ମସଲାଦିଆ ମାଂସର ସ୍ୱାଦ ଚାଖିଲେ । ଭାରତକୁ ଦେବଭୂମି ବୋଲି ଭାବିଲେ । ଖାଇବର ବାଟେ ଯଦି ଭାରତୀୟ ପଦାର୍ଥ ପାଶ୍ଚାତ୍ୟ ଦେଶକୁ ବାଣିଜ୍ୟ ନିମିତ୍ତ ଯାଇ ଥାନ୍ତା, ତେବେ ଇଉରୋପୀୟମାନେ ଭାରତକୁ ଆସିବା ପାଇଁ ଲକ୍ଷ ଲକ୍ଷ ମୁଦ୍ରା ଓ ଅସଂଖ୍ୟ ପ୍ରାଣ ବଳି ଦେଇ ନ ଥାଆନ୍ତେ । ଭାରତ ଆବିଷ୍କାର ଭ୍ରମରେ କଲମ୍ୱସ୍‌ ଆମେରିକା ପାଇଲେ । ଭାରତ ପ୍ରାପ୍ତି ପାଗଳାମୀ ଇଉରୋପୀୟମାନଙ୍କୁ ପାଗଳ କରି ନ ଥିଲେ କିଏ କହିବ ଯେ, ଆମେରିକା ଓ ଅଷ୍ଟ୍ରେଲିଆ ଆଜିଯାଏ ଅନାବିଷ୍କୃତ ରହି ନ ଥାଆନ୍ତା ? କିଏ କହିବ ଯେ, ବର୍ତ୍ତମାନ କାଳର ଅବସ୍ଥା ଓ ଶାସନ ଭିନ୍ନ ଆକାର ଧାରଣ କରି ନ ଥାଆନ୍ତା ?

 

ଭାରତ ପକ୍ଷରେ ଖାଇବରରୂପକ ମାରକ ଅସ୍ତ୍ର ଭଗବାନ୍‌ ଏହି କାରଣରୁ ସୃଷ୍ଟି କରିଥିବାର ଜଣାପଡ଼େ । ଖାଇବର ଯୋଗୁଁ ଭାରତର ଦିନେ ଉନ୍ନତି ହୋଇଥିଲା ଓ ସେଇ ଖାଇବର ହେତୁ ଦିନେ ଭାରତ ମୁସଲମାନ ମୋଗଲ ଓ ଇଂରେଜମାନଙ୍କର ଲୀଳାଭୂମି ହେଲା ।

 

ସମୟର ପ୍ରଭାବ କି ବୈଚିତ୍ର୍ୟମୟ । ସୃଷ୍ଟିକର୍ତ୍ତା ବିଶ୍ୱର ସଂହାରକ, ଏହା କିଏ ଅସ୍ୱୀକାର କରିବ ? ଯେଉଁ ସମୁଦ୍ରରୁ ଅମୃତ ବାହାରିଥିଲା, ତହିଁରୁ ବିଷ ବାହାରିଥିବା ପ୍ରମାଣ କିଏ ନ ମାନିବ ? ଅନେକ ସମୟରେ ନାଗସାପର ସୃଷ୍ଟି ବିଷୟ ଭାବିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଅନେକେ କହନ୍ତି, ଏ ବିଷାକ୍ତ ପଦାର୍ଥର ସୃଷ୍ଟି ହୋଇ ନ ଥିଲେ ଭଗବାନଙ୍କ ରାଜ୍ୟର କି ଅଙ୍ଗହାନି ଘଟିଥାଆନ୍ତା ? କିନ୍ତୁ ସାପଗରଳ ଯେ ମାରାତ୍ମକ ରୋଗର ମହୌଷଧ । ସାପ ନ ଥିଲେ ଗରଳର ଅଭାବ ଅନେକେ ଅନୁଭବ କରିଥାଆନ୍ତେ । ଏହିପରି ଖାଇବର ନ ଥିଲେ ଭାରତର ଉନ୍ନତିର କି ପରିବର୍ତ୍ତନ ଘଟିଥାନ୍ତା କିଏ କହିବ ? ଆଜି ଅନେକ ଐତିହାସିକ ହରପ୍ପା ଓ ମହେଞ୍ଜୋଦାରୋର ପ୍ରାଚୀନ ଶିଳ୍ପ ଦେଖି ତାକୁ ଦ୍ରାବିଡ଼ ସଭ୍ୟତା ବୋଲି ମନେ କରନ୍ତି । ଦ୍ରାବିଡ଼ମାନେ ଆର୍ଯ୍ୟଙ୍କ ପୂର୍ବରୁ ଆସିଥିବା ପ୍ରମାଣ ଏହି ଦ୍ରାବିଡ଼ ସଭ୍ୟତା । ହରପ୍ପା ଓ ମହେଞ୍ଜୋଦାରୋ ସିନ୍ଧୁ କୂଳରେ ଅବସ୍ଥିତ; ତେଣୁ ଦ୍ରାବିଡ଼ମାନେ ଯେ ଖାଇବର ବାଟେ ଭାରତକୁ ଆସିଥିଲେ, ତାର ପ୍ରମାଣ ଏହି ସବୁ । ଏ ସବୁ ଆଲୋଚନା କଲେ ଜଣାଯାଏ ଯେ, ଖାଇବର ଭାରତର ଉନ୍ନତି ଅବନତିର ପ୍ରଧାନ କାରଣ ।

 

ଏବେ ମଧ୍ୟ ଇଂରେଜମାନେ ଖାଇବରକୁ ଡରନ୍ତି । ଖାଇବରର ମୂଲ୍ୟ ସେମାନେ ବେଶ୍‌ ଅନୁଭବ କରୁଥିଲେ ଓ କରୁଅଛନ୍ତି । ଖାଇବର ଭାରତର ଶାସନକର୍ତ୍ତା, ଏହା ଅନୁମାନ କରି ଦିନେ ଲର୍ଡ଼ ମିଣ୍ଟୋ ରଣଜିତ୍‌ ସିଂହ ଓ ପାରସ୍ୟ ଆଫଗାନୀସ୍ଥାନର ଅମୀରଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କରିଥିଲେ । ଆଜି ମଧ୍ୟ ଅଧିକାଂଶ ସୈନ୍ୟଛାଉଣୀ ପେଶବାର ନିକଟରେ । ଏହାର ଅର୍ଥ କଅଣ ? ଖାଇବର ରକ୍ଷା ଏହାର ମୂଳ କାରଣ ନୁହେଁ କି ? ଆଜିକାଲି ମଧ୍ୟ ଅନେକେ କହନ୍ତି ଯେ, ଜର୍ମାନୀ ବା ରୁଷିଆ ମଧ୍ୟଏସିଆ ଓ ଖାଇବର ବାଟେ ଆସି ଭାରତ ଆକ୍ରମଣ କରି ପାରେ । ଏହା କଦାପି ଅସମ୍ଭବ ନୁହେଁ । ଖାଇବର ରକ୍ଷା ଅର୍ଥ ଭାରତ ସିଂହାସନ ରକ୍ଷା, ଏହା ବହୁବାର ପ୍ରମାଣିତ । ଏଣୁ ଖାଇବରକୁ ସୃଷ୍ଟି କରିବା ଅର୍ଥ ଓ ମୂଲ୍ୟ କଅଣ ତାହା ସମସ୍ତେ ବୁଝି ପାରିବେ । ଏହିପରି ଭଗବାନଙ୍କ ଉଦ୍ଦେଶ୍ୟ ଜଣା ପଡ଼େ ସିନା-

Image

 

ଲୁଗା ଲୁଙ୍ଗି ଓ ନିଶ ଦାଢ଼ି

 

ବଡ଼ ପରିବର୍ତ୍ତନଶୀଳ ଏ ଜଗତ୍‌ । ଏହି ପ୍ରବାହରେ କେତେ ସତ୍ୟମୂଳକ ଘଟନା ଅମୂଳକ ହେଉଅଛି ଓ କେତେ ଅମୂଳକ ଖାଣ୍ଟି ସତ୍ୟରୂପେ ବିବେଚିତ ହେଉଅଛି । ଢୋଲ ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ ଗତି କଲା ପରି ସହସ୍ର ଘଟଣା କାଳସ୍ରୋତରେ ବଂଶପରମ୍ପରାକ୍ରମେ ଯୁଗ ଯୁଗ ଧରି ଓ ବ୍ୟକ୍ତିବିଶେଷରେ ଦୃଷ୍ଟ ଏବଂ ଶ୍ରୁତ ହୁଏ ଓ ହୋଇ ଆସୁଅଛି-। କାଳକ୍ରମେ ତାହା ଲେଖକର ଦୃଷ୍ଟି ଆକର୍ଷଣ କରୁଅଛି ଓ ଐତିହାସିକ ଟିପ୍ପଣୀଭୁକ୍ତ ହୋଇ ଦୃଢ଼ଭିତ୍ତିଯୁକ୍ତ ଅବସ୍ଥାରେ ମର୍ଯ୍ୟାଦା ବଜାୟ ରଖିବାକୁ ଉପକ୍ରମ କରୁଅଛି । ଏପରି ଘଟନା ସବୁ ସମୟରେ, ସବୁ ଧର୍ମରେ, ସବୁ ସମାଜରେ ଓ ସବୁ ବ୍ୟକ୍ତିଠାରେ ଦେଖାଯାଉଅଛି । ଜ୍ଞାନୀମାନେ ଅନେକ ସମୟରେ ଏହାର ଭେଳିକିରେ ବାଉଳା ହୁଅନ୍ତି । ଅନ୍ୟେ ପରେ କା କଥା ? ସମୟରେ ପ୍ରକୃତ ଜିନିଷର ମୂଳୋତ୍ପାଟନ କରିବା ସହଜ ହୁଏ; କିନ୍ତୁ କୃତ୍ରିମକୁ ଅନେକ ସମୟରେ ତଡ଼ିଦେବା ବଡ଼ କଷ୍ଟକର ହୋଇଥାଏ । ପ୍ରମାଣସ୍ୱରୂପ ସମସ୍ତେ ଜାଣନ୍ତି, ଖଦଡ଼ ବହୁତ ଦିନ ବହନ୍ତରିଯାଏ । ରାଲେ ସାଇକଲ୍ ଓ ରାଲୀ ବ୍ରଦରସ୍‌ ମିଲ୍‌ ଲୁଗା ମଧ୍ୟ ବେଶୀ ସ୍ଥାୟୀ ହୁଏ; କିନ୍ତୁ ଅନେକ ସମୟରେ ନକଲୀ, ଜାପାନୀ ଲୁଗା, ଶାଢ଼ୀ, ସିଲ୍‌କ ଓ ସାଇକଲ ଲୋକର ହୃଦୟ, ମନ ଓ ଚକ୍ଷୁରେ ଏପରି ଭେଳିକି ଲଗାଇଦିଏ ଯେ, ଆମେ ଆଖି ଥାଉଁ ଥାଉଁ ଅନ୍ଧ (eyes and no eyes) ପରି ତାକୁ ଛାଡ଼ି ପାରୁ ନାହିଁ କାରଣ, ସତ୍ୟର ପ୍ରମାଣ ଅନାବଶ୍ୟକ, କିନ୍ତୁ ମିଥ୍ୟାକୁ ପ୍ରଶ୍ରୟ ଦେବାକୁ ଏକାଳରେ ପ୍ରମାଣ, ସାକ୍ଷ୍ୟ ଓ ଓକିଲ ଅନେକ । ବିଶେଷତଃ ପ୍ରତାରଣାର ସେସବୁ ଘନିଷ୍ଠ ସହଚର-। ଏଥିପାଇଁ କବି ଯଥାର୍ଥ ଗାଇଅଛନ୍ତି—‘‘ଯାର ବସ୍ତ୍ରଯାକ ତାଳି, ତାଳି, ତାଳି, ତା ଉପରେ ଏତେ ତାଳି ସତ୍ତ୍ୱେ ଫୁଟି ଦିଶୁଛି ତା ଦେହ’’ ।

 

ଯେପରି ବର୍ଷାକାଳରେ ବହୁତ ବର୍ଷା ଯୋଗୁଁ ସର୍ବତ୍ର ଆବିଳ ଜଳ ଦୃଷ୍ଟ ହୁଏ; କିନ୍ତୁ ଶରତ୍‌, ଶୀତ ଓ ବସନ୍ତକାଳରେ ଅପେକ୍ଷାକୃତ ଜଳ କମ୍‌ ଥିଲେ ମଧ୍ୟ ନିର୍ମଳ ଜଳର ଅଭାବ ହୁଏ ନାହିଁ, ସେହିପରି ପ୍ରତ୍ୟେକ ଜିନିଷ ଓ ବିଷୟ ଯେତେବେଳେ ବେଶି ବା ବହୁଳ ହୁଏ, ସେତେବେଳେ ତହିଁରେ ବହୁ ଆବିଳତା ଦେଖାଯାଏ । ‘‘ଅତି ସର୍ବତ୍ର ବାଧ୍ୟତେ’’, ଜଳ ଅତିଶୟ ଗୋଳିଆ ହେଲେ ତାର ପରିଷ୍କୃତ ଓ ଶୋଧନ ପାଇଁ ଅଗସ୍ତି ନକ୍ଷତ୍ର ଦେଖାଯାଏ । ସେହିପରି ଅନାଚାର ଓ ଅତ୍ୟାଚାର, ବ୍ୟଭିଚାର ଓ ମିଥ୍ୟା ପ୍ରବଳ ହେଲେ ଯୁଗଜନ୍ମା ଜନ୍ମ ହୁଅନ୍ତି । ତାଙ୍କୁ କେହି ଅବତାର, କେହି ପ୍ରୋଫେଟ୍‌, କେହି ପୟମ୍ୱର ଓ କେହି ଦୂତ ବୋଲି ଜ୍ଞାନ କରନ୍ତି । ଏହାର ସତ୍ୟତା ପ୍ରଦର୍ଶନ ପାଇଁ ଭଗବାନ୍‌ ଶ୍ରୀକୃଷ୍ଣ ଗୀତାରେ ବୁଝାଇଅଛନ୍ତି—

 

‘‘ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ !

ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ ।

ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ

ଧର୍ମସଂସ୍ଥାପନାର୍ଥୟ ସମ୍ଭବାମି ଯୁଗେ ଯୁଗେ ।’’

 

ଏହା ପ୍ରତ୍ୟେକର ବିଶ୍ୱାସଯୋଗ୍ୟ । କାରଣ, ଏହା ଚାକ୍ଷୁଷ ପ୍ରମାଣପୂର୍ଣ୍ଣ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ । ବାସ୍ତବିକ ଭାରତରେ ରାବଣ ଓ କଂସ ପ୍ରଭୃତିଙ୍କର ଅତ୍ୟାଚାରଫଳରେ ରାମ ଓ କୃଷ୍ଣ, ଯଜ୍ଞରେ ଜୀବହିଂସା ପ୍ରଭାବରୁ ବୁଦ୍ଧ, ଆରବର ଅଶିକ୍ଷା ଯୋଗୁଁ ମହମ୍ମଦ, ଜେରୁଜେଲମ୍‌ର ଅତ୍ୟାଚାର ଯୋଗୁଁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ । ଏହିପରି ପ୍ରତ୍ୟେକ ଧର୍ମ ବଢ଼ିଲେ ଓ କ୍ରମେ ତହିଁରେ ବହୁ ଆବିଳତା ପ୍ରବେଶ କଲେ, ତାର ସଂଶୋଧନପ୍ରକ୍ରିୟା ସାଧନ ନିମିତ୍ତ ମହାପୁରୁଷମାନଙ୍କର ଆବିର୍ଭାବ ହୁଏ । ଖ୍ରୀଷ୍ଟଧର୍ମରେ ଲୁଥର, ମୁସଲମାନ ଧର୍ମରେ କାଦିୟାନ୍‌ ଓ ହିନ୍ଦୁଧର୍ମରେ ଶଙ୍କର, ଦୟାନନ୍ଦ, କବୀର, ରାମାନନ୍ଦ, ଚୈତନ୍ୟ, ବିବେକାନନ୍ଦ ଓ ରାମକୃଷ୍ଣଙ୍କର ଏଥି ଯୋଗୁଁ ଜନ୍ମ ।

 

ଅନେକ ସମୟରେ ଦେଶ, ଜାତି ଓ ଧର୍ମ ଉପରେ ଅନ୍ୟ ସଭ୍ୟତା ଓ ଆଚାର ବ୍ୟବହାରର ପ୍ରଭାବ ଓ ଚାପ ଏତେ ବେଶୀ ହୁଏ ଯେ, ତାକୁ ,ଏଡ଼ିବାକୁ ଅନେକ ବୁଦ୍ଧିଜୀବୀ ବ୍ୟକ୍ତି ଅନେକ ପନ୍ଥା ଉଦ୍ଭାବନ କରନ୍ତି । ଯେପରି ପ୍ରଜାପତିର ପକ୍ଷସ୍ଥ କୃଷ୍ଣଚିହ୍ନ ପେଚକର ଚକ୍ଷୁବତ୍‌ ଜଣାଯାଏ, କିନ୍ତୁ ତାହା ପେଚା ନୁହେଁ, ଦର୍ଶକମନରେ ପେଚାର ଭ୍ରମ ଜନ୍ମାଏ, ସେହିପରି ଅନେକ ସମୟରେ ଅନେକ ମନୀଷୀ ଏହି ପ୍ରଭାବ କବଳରୁ ରକ୍ଷା ପାଇଁ ଓ ନିଜତ୍ୱ ରକ୍ଷା ଉଦ୍ଦେଶ୍ୟରେ ଅନେକ ପନ୍ଥା ଧରିଥାଆନ୍ତି । ଭାରତର ମୁସଲମାନ ଓ ମୋଗଲ ରାଜତ୍ୱ ସମୟରେ ହିନ୍ଦୁଧର୍ମ ଉପରେ ମୁସଲମାନ ଧର୍ମର ପ୍ରଭାବ ପ୍ରବଳ ହୋଇ ଉଠିଲା । ତା କବଳରୁ ରକ୍ଷା ପାଇଁ ନାନକ ଓ କବୀର ପ୍ରଭୃତି ନୂତନ ଧର୍ମ ସୃଷ୍ଟି କଲେ । ଶିଖ୍‌ମାନଙ୍କର ଜାତି, ପଗଡ଼ି ଓ ବାହାର ଢଙ୍ଗଢ଼ାଙ୍ଗ ଦେଖିଲେ କିଏ ନ କହିବ ଯେ, ସେମାନେ ମୁସଲମାନ ? କିନ୍ତୁ ସେମାନଙ୍କ ଅନ୍ତରରେ ପ୍ରାଚୀନ ବୈଦିକ ଧର୍ମର ମନ୍ତ୍ର ଓ ଦୀକ୍ଷା ବିଦ୍ୟମାନ । ଏହିପରି ମଧ୍ୟ ଘାଗରାପିନ୍ଧା ସତ୍ୟପୀର ପାଲାର ସୃଷ୍ଟି-। ଆଉ ମଧ୍ୟ ଦେଖାଯାଏ ଯେ, ଚାର୍ବାକଙ୍କର ନାସ୍ତିକ ମତର କବଳରୁ ରକ୍ଷା କରିବାପାଇଁ ଦୟାନନ୍ଦ ସର୍ବାର୍ଥସଂଗ୍ରହ ଲେଖି ଆର୍ଯ୍ୟଧର୍ମ ପ୍ରତିଷ୍ଠା କଲେ ଏବଂ ରାମମୋହନ ଖ୍ରୀଷ୍ଟଧର୍ମ ପ୍ରଭାବରୁ ପାଦ୍ରୀମାନଙ୍କ ମନଭୁଲାଣିଆ ବକ୍ତୃତା ଓ ପ୍ରଲୋଭନ କବଳରୁ ଭାରତୀୟମାନଙ୍କୁ ରକ୍ଷା କରିବାପାଇଁ ବ୍ରାହ୍ମଧର୍ମ ସୃଷ୍ଟି କରିଥିଲେ । ଶିଖ, ଆର୍ଯ୍ୟ ଓ ବ୍ରାହ୍ମ ପ୍ରଭୃତି ଧର୍ମର ବାହ୍ୟ ଆବରଣ ଭିନ୍ନ ଧର୍ମର ଅବଗୁଣ୍ଠନରେ ପରିବୃତ ହେଲେ ମଧ୍ୟ ବାଲୁକାଶଯ୍ୟା ନଦୀବତ୍‌ ସେମାନଙ୍କ ଅନ୍ତରରେ ନିର୍ମଳ ବୈଦିକ-ଧର୍ମ-ଜାହ୍ନବୀସ୍ରୋତ ପ୍ରବାହିତ ।

 

ବର୍ତ୍ତମାନ ଯୁଗରେ ଭାରତର ଅବସ୍ଥା ବଡ଼ ଶୋଚନୀୟ । ଧର୍ମ, ସମାଜ, ରାଜନୀତି ଓ ଆଡ଼ମ୍ବର ପ୍ରଭୃତି କ୍ଷେତ୍ରରେ ଭାରତୀୟମାନେ ଉପରେ ଉପରେ ଭାସୁଛନ୍ତି । ଗଭୀରତମ ପ୍ରଦେଶକୁ ଯାଇ ମୁକ୍ତିମାର୍ଗରୂପ ମୁକ୍ତା ଆହରଣ ଉଦ୍ଦେଶ୍ୟ କାହାରି ନାହିଁ, କିନ୍ତୁ ପ୍ରତ୍ୟେକେ ଯେପରି ବେଳାଭୂମିର ଉପଳ ଓ ଶୈବାଳ ସଂଗ୍ରହରେ ବ୍ୟସ୍ତ । କାରଣ, ପ୍ରକୃତ ଧର୍ମନୀତି କୁଆଡ଼େ ଗାଧୋଇ ଗଲାଣି । ପ୍ରତ୍ୟେକେ ମୂଲ୍ୟବାନ୍‌ ଧର୍ମୋପଦେଶ ଭୁଲିଯାଇ ଅସାର ଆଡ଼ମ୍ୱର ଅନୁକରଣରେ ବ୍ୟସ୍ତ । କେତେ ଜଣ ଅହିଂସାବ୍ରତ, ସତ୍ୟକଥନ, ସନ୍ମାର୍ଗଯାତ୍ରା ପ୍ରଭୃତି କରନ୍ତି ? ସନାତନ ଧର୍ମର ନୀତି, ‘‘ଅହିଂସା ପରମୋଧର୍ମ, ସତ୍ୟକଥନ, ଶ୍ରେଷ୍ଠକର୍ମ, ଭଗବାନ ପ୍ରତି ବସ୍ତୁରେ ବିଦ୍ୟମାନ’’ ପ୍ରଭୃତି ବିଷୟର ଅର୍ଥ କେତେ ଜଣ ହିନ୍ଦୁ ବୁଝନ୍ତି ? ଆଜି ଧର୍ମ ବାହ୍ୟ ଆବରଣଯୁକ୍ତ ଫମ୍ପା ପୁତ୍ତଳିକା । ଏଥିଯୋଗୁଁ ଆଜି ଜଣେ ହିନ୍ଦୁ ବେଦ, ଗୀତା, ଗାୟତ୍ରୀ ସ୍ତୋତ୍ର ପର୍ଯ୍ୟନ୍ତ ପାଠ ନ କରି ପ୍ରତ୍ୟହ ଛାଗବଳି, ମିଥ୍ୟାସାକ୍ଷ୍ୟ ଓ ଗୁରୁଜନଙ୍କ ପ୍ରତି ନିଷ୍ଠୁର ବ୍ୟବହାର କଲେ ମଧ୍ୟ ସମାଜ ତାକୁ କିଛି କରୁ ନାହିଁ; ଅଥଚ କଛା ନ ମାରିବା, ମାଳି ନ ପିନ୍ଧିବା, ମୁଣ୍ଡବାଳ କାଟିବା, ନିଶ ନ ରଖି ଦାଢ଼ି ରଖିବା ଓ ପିତୃଶ୍ରାଦ୍ଧରେ ବିରାଡ଼ି ନ ବାନ୍ଧିବା ପ୍ରଭୃତି କାର୍ଯ୍ୟ କଲେ ସମାଜ ସେ ବିଷୟରେ ଦୃଢ଼ଗଣ୍ଠି ପକାଇ ତା ଉପରେ ଜଳ ସିଞ୍ଚୁଛି । ସେହିପରି ମଧ୍ୟ ଅନ୍ୟ ଧର୍ମର ଜଣେ ଭଗବାନଙ୍କ ନାମ ପର୍ଯ୍ୟନ୍ତ ଉଚ୍ଚାରଣ ନ କରି ଶତ ସଂଖ୍ୟାରେ ଜୀବବଧ କରି ଓ ଚୋରି ଡକାୟତି କରି ସମାଜ କବଳରୁ ରକ୍ଷା ପାଉଅଛି, କିନ୍ତୁ ବାହ୍ୟ ଆବରଣରେ ପୋଷାକ ପରିଚ୍ଛଦରେ ବା ଫମ୍ପା ଆଡ଼ମ୍ୱରରେ ଅନ୍ୟ ଧର୍ମରୁ କିଛି ଅନୁକରଣ କଲେ ସମାଜରେ ଜରିମାନା ଦେଉଅଛି । ଏହିପରି ପ୍ରତ୍ୟେକେ କୁହୁଡ଼ି ପହଁରୁଛନ୍ତି ସିନା !

 

ପୃଥିବୀରେ ପ୍ରକୃତରେ ଜାତି ଓ ଧର୍ମ ଦିଓଟି । ପୁରୁଷଜାତି ଓ ପୁରୁଷଧର୍ମ ଏବଂ ସ୍ତ୍ରୀଜାତି ଓ ସ୍ତ୍ରୀଧର୍ମ । ଅନ୍ୟ ସବୁ ମିଛ । ଖ୍ରୀଷ୍ଟ, ମୁସଲମାନ, ହିନ୍ଦୁ, ବୌଦ୍ଧ, ଶିଖ, ବ୍ରାହ୍ମ, ଆର୍ଯ୍ୟ ଓ କାଦିୟାନ ପ୍ରଭୃତି ଧର୍ମମାନଙ୍କର କେତୋଟି ସତ୍ୟ ବା ନୀତି ପ୍ରାୟ ସମାନ । ସବୁ ଧର୍ମର ମୂଳ ଲକ୍ଷ୍ୟ ମାନବସମାଜକୁ ବିପଥରୁ ଟାଣିଆଣି ସତ୍‌ପଥରେ ଚଳାଇବା; ଏହା ମଧ୍ୟ ସମସ୍ତଙ୍କର ମନ୍ତବ୍ୟ । କିନ୍ତୁ ବୃଥା ଅଶିକ୍ଷାର ପ୍ରଭାବ ଲୋକବିଶେଷ ଉପରେ ପଡ଼ିବାରୁ ଅନେକେ ନୀତି ଭୁଲି ଯାଆନ୍ତି । କୌଣସି ଧର୍ମକୁ ନିନ୍ଦା କରିବା ନାହିଁ ବୋଲି ପ୍ରତ୍ୟେକ ଧର୍ମାଚାର୍ଯ୍ୟ ମତ ଦେଇ ଯାଇଅଛନ୍ତି; କିନ୍ତୁ କେତେ ଜଣ କେଉଁ ସମୟରେ ଓ କେଉଁ ସ୍ଥାନରେ ତାହା ମାନି ଅଛନ୍ତି ?

 

ଭାରତ, ଆରବ, ପାରସ୍ୟ ଓ ଜେରୁଜେଲମ୍‌ ପୃଥିବୀର ଏକ ପାର୍ଶ୍ୱରେ, ଏକ ଜଳବାୟୁରେ ଓ ଏକ ଅବସ୍ଥାରେ ଥିବା ଦେଶ । ଭାରତର ହିନ୍ଦୁ ଧର୍ମର ମୂଳନୀତି ସଙ୍ଗେ ମହମ୍ମଦଙ୍କ ଉପଦେଶ ଖାପ ଖାଏ, କିନ୍ତୁ ଆଜି କେହି ତାକୁ ନ ବୁଝିବାରୁ ଭୀଷଣ ଗଣ୍ଡଗୋଳ ଓ ହଣାକଟା । କୋରାନର ବା ବେଦର କୌଣସି ପଙ୍‌କ୍ତିରେ ଲେଖା ହୋଇ ନାହିଁ ଯେ, ହିନ୍ଦୁ ମନ୍ଦିର ଆଗରେ ମହରମ୍‌ ସମୟରେ ଶୋଭାଯାତ୍ରା ବା ମସ୍‌ଜିଦ୍‌ ଆଗରେ ରଥଯାତ୍ରା ଯିବା ମନା । ଅବଶ୍ୟ ଗୋଳମାଳ ବା ଶାନ୍ତିଭଙ୍ଗ ବିଷୟରେ ନିୟମ ଥାଇ ପାରେ, କିନ୍ତୁ ତାକୁ ନ ବୁଝି ଆଜି ପ୍ରତି ସ୍ଥାନରେ ମାରପିଟ୍‌ । ଅନେକେ ଅର୍ଥକୁ ଅନର୍ଥରୂପେ ଗ୍ରହଣ କରନ୍ତି । କେହି ହିନ୍ଦୁ ମୁସଲମାନ୍‌ ବେଶ ସାଜିଲେ ସମାଜଚ୍ୟୁତ ହୁଏ ଓ କେହି ମୁସଲମାନ୍‌ ହିନ୍ଦୁପରି ବାହାରେ ଦିଶିଲେ ବା କେତେଟା ହିନ୍ଦୁ ଚାଲିଚଳନ ଅନୁକରଣ କଲେ ମସ୍‌ଜିଦ୍‌କୁ ପ୍ରବେଶ କରି ପାରେ ନାହିଁ ।

 

ଆଉ ମଧ୍ୟ ଆମ୍ଭମାନଙ୍କର ଅନେକ ଶିକ୍ଷା କରିବାର ବିଷୟ ଅଛି । ପ୍ରମାଣସ୍ୱରୂପ ଆଜି ଚୀନ୍‌ ଓ ଜାପାନରେ କଅଣ ଦେଖାଯାଏ ? ଉକ୍ତ ଦେଶମାନଙ୍କରେ ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ ଓ କନ୍‌ଫୁସିଏଜମ୍‌ ପ୍ରଭୃତି ଧର୍ମ ଦେଖାଯାଏ । ତଥାପି ଆଚାର ବ୍ୟବହାର, ବେଶଭୂଷା ଓ ପୋଷାକରେ ଉଭୟ ଦେଶର ଲୋକ ଦେଖିବାକୁ ସମାନ । ପ୍ରତ୍ୟେକେ ଚୀନା ବା ଜାପାନୀ ବୋଲି ଗର୍ବ କରନ୍ତି । ଯୁଦ୍ଧ ବା ଜାତୀୟତା ସମୟରେ ଏକ ହୁଅନ୍ତି । ସେମାନଙ୍କର ପରସ୍ପର ଭେଦଭାବ ଥିଲେ ମଧ୍ୟ ‘ମଇଁଷିଶିଙ୍ଗ ଫଟା, ଯୁଝିଲାବେଳକୁ ଗୋଟା’ ପରି ଏକତା ରଖି ଅଣ୍ଟା ଭିଡ଼ନ୍ତି । ଏହିପରି ମଧ୍ୟ ଇଟାଲୀ, ଜର୍ମାନୀ, ଇଂଲଣ୍ଡ, ଫ୍ରାନ୍‌ସ ଓ ଋଷିଆ ପ୍ରଭୃତି ଦେଶରେ ପ୍ରୋଟେଷ୍ଟାଣ୍ଟ, ପ୍ୟୁରିଟାନ, ରୋମାନ୍‌ କାଥଲିକ୍‌ ଓ ଜିଉ ପ୍ରଭୃତି ଭିନ୍ନ ଭିନ୍ନ ଧର୍ମର ଲୋକ ଏକତ୍ର ବାସ କରୁଥିଲେ ମଧ୍ୟ ସମସ୍ତଙ୍କର ଏକପ୍ରକାର ବ୍ୟବହାର, ଢଙ୍ଗଢ଼ାଙ୍ଗ, ପୋଷାକ, ଆଚାର, ବ୍ୟବହାର, ବାହ୍ୟ ଆଡ଼ମ୍ୱର ବା ଯୁଦ୍ଧବେଳେ ପ୍ରତ୍ୟେକେ ସ୍ୱାର୍ଥତ୍ୟାଗ କରନ୍ତି, ମାତୃଭୂମି ଓ ଦେଶମାତୃକାର ମାନ ବଜାୟ ରଖିବାକୁ କୃତସଙ୍କଳ୍ପ ହୁଅନ୍ତି ।

 

ବାସ୍ତବିକ୍‌ ଲୋକବିଶେଷର ଧର୍ମ ଭିନ୍ନ ହୋଇ ପାରେ, ତଥାପି ଜନ୍ମସ୍ଥାନ ଓ ମାତୃଭୂମି ତ ଏକ ? ଏହି ନିୟମରେ ଭାରତୀୟ ହିନ୍ଦୁ ଓ ମୁସଲମାନ୍‌ ଏକମାତାଙ୍କର ଦୁଇ ସନ୍ତାନ ନୁହନ୍ତି କି ? ଏକ ମାତାଙ୍କର ଦୁଇ ପୁତ୍ର ଭିନ୍ନ ଧର୍ମ ଗ୍ରହଣ କରି ପାରନ୍ତି । ସେଥିରେ ମନା ନାହିଁ, କିନ୍ତୁ ପ୍ରତ୍ୟେକଙ୍କର ମାଆଙ୍କ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ଉଚିତ ନୁହେଁ କି ? ମାଆଙ୍କର ବିପଦବେଳେ ସମସ୍ତଙ୍କର ତାଙ୍କ ଦୁଃଖ ଦୂର କରିବା ବାଞ୍ଛନୀୟ ନୁହେଁ କି ?

 

ତେଣୁ ଭାରତଭୂମିରେ ଅର୍ଥାତ୍‌ ହିମାଳୟଠାରୁ କୁମାରିକା ଓ ଖାଇବରଠାରୁ ବ୍ରହ୍ମପୁତ୍ର ମଧ୍ୟରେ ଯାହାର ଜନ୍ମ, ସେ ନିଜର କର୍ତ୍ତବ୍ୟ ମନେ କରି ଭାରତମାତାଙ୍କ ଚିରଦୁଃଖଜନିତ ଲୋତକ ପୋଛି ଦେବା ତାଙ୍କର ଉଚିତ । ଭେଦାଭେଦ ଦୂର କରି ସ୍ୱାର୍ଥବଳି ଦେବା ପ୍ରତ୍ୟେକ ମନୁଷ୍ୟର କର୍ତ୍ତବ୍ୟ, ଏହା ମାନବଧର୍ମ । ଏକ ପରିବାରରେ ଥାଇ ଅନେକ ଲୋକ ଯେପରି ସୁଖ ଦୁଃଖକୁ ସମାନରୂପେ ବାଣ୍ଟି ନିଅନ୍ତି, ସେହିପରି ଏକ ଭାରତଭୂମିରେ ଥିବା ପ୍ରତ୍ୟେକ ଲୋକ ମାତାଙ୍କ ମଙ୍ଗଳକାମନା କରିବା ଏକାନ୍ତ କାମ୍ୟ । ପୋଷାକ ଓ ହାବଭାବରେ ଏକ ହୋଇ ଏକ ନେତାଙ୍କ କଥାରେ ଚଳିବା ସମସ୍ତ ଭାରତୀୟଙ୍କର ଉଚିତ । ନ ହେଲେ ବହୁତ ଲୋକରେ ମୂଷା ସୁଦ୍ଧା ମରେ ନାହିଁ, ଏହା ପ୍ରମାଣିତ ହେବ ସିନା ।

 

ଏହା ସବୁ ଅଶିକ୍ଷାର ଘୋର ପ୍ରଭାବ ନୁହେଁ କି ? ଯଦି ପ୍ରତି ହିନ୍ଦୁ ଆଜି କେତୋଟି ବୈଦିକମତ ମାନି ଚଳନ୍ତେ ଓ ବାହାର ଦେଖାଣିଆ ପର୍ବପର୍ବାଣିକୁ ଭୁଲିଯାଆନ୍ତେ, ତେବେ ଦୁଇ ଧର୍ମ ଏକ ଧର୍ମ ପରି କାର୍ଯ୍ୟରେ ଓ ଆଡ଼ମ୍ୱରରେ ଦିଶନ୍ତା ନାହିଁ କି ? ଯେତେଦିନଯାଏ ପ୍ରତି ହିନ୍ଦୁ ଭୁଲି ନ ଯାଇଛି ଯେ, ଦାଢ଼ି ରଖି, ଲୁଙ୍ଗି ପିନ୍ଧି, ମାଳି ନ ଲଗାଇ, କୁକୁଡ଼ା ଖାଇ ଏବଂ ଅନ୍ୟାନ୍ୟ କେତେ ଭିନ୍ନ ସମାଜ ନିୟମ ପାଳନ କରି ମଧ୍ୟ ହିନ୍ଦୁ ହିନ୍ଦୁ, ମୁସଲମାନ ମୁସଲମାନ, ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ ଏବଂ ଯେତେ ଦିନଯାଏ ପ୍ରତି ମୁସଲମାନ୍‌ ନ ଭାବି ଅଛନ୍ତି ଯେ, କଛା ମାରି ମାଳି ଲଗାଇ କେବଳ ନିଶ ରଖି ଏବଂ କେତେକ ହିନ୍ଦୁ ସାମାଜିକ ନିୟମ ପାଳନ କଲେ ମଧ୍ୟ ଜଣେ ନୈଷ୍ଠିକ ମୁସଲମାନ ଧର୍ମରେ ମୁସଲମାନ, ସେତେଦିନଯାଏ ଭାରତରେ ତଥା ହିନ୍ଦୁ ମୁସଲମାନ ଉଭୟଙ୍କର ମଙ୍ଗଳ ଅସମ୍ଭବ । ଆଜି ଧର୍ମ କୁଆଡ଼େ ଲୋପ ପାଇ ସବୁ ରହିଲାଣି ଲୁଗା, ଲୁଙ୍ଗି ଓ ନିଶ ଦାଢ଼ି ଉପରେ, ଏହା କଣ ହିନ୍ଦୁ ମୁସଲମାନ ବିଚାର କରିବେ ନାହିଁ ?

Image

 

ମାନବିକତାରେ ପଶୁତ୍ୱ

 

ସୃଷ୍ଟି-ନୀତି-କଳା-ପ୍ରକୃତି ଓ ବୈଚିତ୍ର୍ୟ ସ୍ଥାନବିଶେଷରେ ବିକୃତ ପରି ଦୃଷ୍ଟ ହୁଏ । କିନ୍ତୁ ସେ ସବୁ ପ୍ରକୃତ । ନଦୀ ନିର୍ଝରିଣୀ ଭିନ୍ନ ସ୍ତରଭେଦ କରି ବହି ଆସି ଭିନ୍ନ ଗୁଣ, ଭାବ ଓ ଉପାଦେୟତା ନିଜତ୍ୱ କରେ । ସେହିପରି ମାନବ ଆଦିମକାଳରୁ ଭିନ୍ନ ରୁଚି ମଧ୍ୟ ଦେଇ ଗତି କରି, ବର୍ତ୍ତମାନ ଅବସ୍ଥା ପ୍ରାପ୍ତ ହୋଇଅଛି । ହିନ୍ଦୁମାନଙ୍କର ଦଶ ଅବତାର ବିଶ୍ୱାସ ଭିନ୍ନ ନୀତି ଉପରେ ପ୍ରତିଷ୍ଠିତ ପରି ପ୍ରତୀୟମାନ ହୁଏ । ତାହା ବାସ୍ତବ । ମାନବଶିଶୁ ମାତାର ଗର୍ଭାଶୟରେ ଏହି ଦଶ ଅବସ୍ଥା ଅତିକ୍ରମ କରେ ବୋଲି ଅନେକଙ୍କର ମତ । ପ୍ରାରମ୍ଭରେ ମତ୍ସ୍ୟ, କ୍ରମେ କ୍ରମ ଅନୁସାରେ କଚ୍ଛପ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, କୃଷ୍ଣ, ବୌଦ୍ଧ ଓ କଳ୍‌କୀ ଅବତାରର ଅବସ୍ଥା ଭେଦ କରି ଶିଶୁ ପୃଥିବୀକୁ ଆସେ । ଏହି ଅବତାରଗୁଡ଼ିକର ଆକାର ଓ ପ୍ରକୃତି କ୍ରମଶଃ ଜଟିଳତା ଆଡ଼କୁ ଗତିଶୀଳ ପରି ପ୍ରତୀତ ହୁଏ । ମତ୍ସ୍ୟ ଆକାରରେ ପଦ, ନଖ ଓ କେଶ ବିହୀନ ଏବଂ ଚପଳ ଭାବାପନ୍ନ; କିନ୍ତୁ ସନ୍ତରଣଶୀଳ, କଚ୍ଛପ ଚାରୋଟି କ୍ଷୁଦ୍ର ଆକୁଞ୍ଚନ ସମ୍ପ୍ରସାରଣ ଶକ୍ତିବିଶିଷ୍ଟ ପଦଯୁକ୍ତ ଓ ମତ୍ସ୍ୟ ଅପେକ୍ଷା ଚତୁର । ତେବେ ଏମାନେ ଅଳ୍ପ ପରିମାଣରେ ସ୍ଥଳଚର କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏହି ପ୍ରଥମ ଦୁଇ ଜଳଚର ଜୀବଙ୍କ ସୃଷ୍ଟି ପରେ ବରାହର ସୃଷ୍ଟି ଅର୍ଥାତ୍‌ ସ୍ଥଳଚରମାନଙ୍କ ମଧ୍ୟରେ ବରାହର ଶ୍ରେଣୀ ପ୍ରଥମ । ବରାହ କ୍ଷୁଦ୍ର ପଦ, ନଖ ଓ କେଶଯୁକ୍ତ ସ୍ଥଳଚର ଜୀବ ହେଲେ ମଧ୍ୟ ଜଳ, ଜମ୍ୱାଳ ଓ ଜଳମୂଳ ପ୍ରିୟ ।

 

ଏହାପରେ ନୃସିଂହ ଅବତାର ଅର୍ଥାତ୍‌ ଶ୍ୱାଶ୍ରେଣୀ । ଏପରି ଶ୍ରେଣୀ ଜୀବମାନଙ୍କର ଅପେକ୍ଷାକୃତ ଦୀର୍ଘ ତୀକ୍ଷ୍ଣନଖ, ବଳଯୁକ୍ତ ପଦ ଓ ସୁନ୍ଦର କେଶ ଥିବାର ଦେଖାଯାଏ । ଏମାନେ ମତ୍ସ୍ୟ, କଚ୍ଛପ ଓ ବରାହ ଅପେକ୍ଷା ଚତୁର, ବଳଯୁକ୍ତ ଓ ସ୍ଥଳପ୍ରିୟ । କିନ୍ତୁ ମତ୍ସ୍ୟ, କଚ୍ଛପ, ବରାହ ପରି ନିରୀହ ନ ହୋଇ ଏମାନେ ବିଶେଷ ହିଂସ୍ର ଓ ରକ୍ତପିପାସୁ ।

 

ଏହାପରେ ବାମନ ବା ମର୍କଟ ଅବତାର । ଏଥିରେ ମାନବର ଆକାରଗତ ପ୍ରକୃତି ଲୁକ୍କାୟିତଭାବରେ ସଂଶ୍ଳିଷ୍ଟ–ଏହା ବିଶେଷ ଅନୁକରଣପ୍ରିୟ, ଲୋମଶ ଓ ଫଳାହାରୀ ।

 

ବାମନ ପରେ ପରଶୁରାମ ଅବତାର । ବାମନ ଅବତାର ପାତି ମାଙ୍କଡ଼ ହେଲେ ପରଶୁରାମ ଅବତାର ଗରିଲା ଅବତାର । ଗରିଲା ହିଂସ୍ର, ଅନିଷ୍ଟକାରୀ, ଭୀଷଣ ଓ ଉଗ୍ର ହେଲା ପରି ପରଶୁରାମ ନିତାନ୍ତ ଉଗ୍ର, ଧ୍ୱଂସଶୀଳ ଓ ଶେଷରେ ମାତା ନିହତକାରୀ ।

 

ପୂର୍ଣ୍ଣ ମାନବ ଅବତାର ରାମମୂର୍ତ୍ତି । ଏହି ଅବତାରରେ ଦୟା, କ୍ଷମା, ତିତିକ୍ଷା, ସ୍ନେହ ପ୍ରଭୃତି ସଦ୍‌ଗୁଣ ମାନବଠାରେ ସୁସ୍ପଷ୍ଟ । ପିତୃଭକ୍ତି ଭ୍ରାତୃସ୍ନେହ, ଜାୟାପ୍ରୀତି, ଭୃତ୍ୟ ପ୍ରତି ଆଦରଭାବ, ଶତ୍ରୁ ପ୍ରତି କ୍ଷମାଭାବ ଓ ସଂଯମଶୀଳତା ଏହି ଅବତାରରେ ବିଶେଷ ଦୃଷ୍ଟ । ଏହା ସୌମ୍ୟମୂର୍ତ୍ତି ଓ ନିଖୁଣ ମାନବ ରୂପ । ଏହା ଉତ୍କୃଷ୍ଟ ଅବତାର ବା ପୂର୍ଣ୍ଣତାର ପ୍ରତିରୂପ ।

 

ଏହାପରେ କୃଷ୍ଣ ଅବତାର । ରାମଙ୍କଠାରୁ କୃଷ୍ଣରୂପ, ଗଠନ, ଭଙ୍ଗୀ ଓ ଆକାରରେ ଉଚ୍ଚସ୍ତରର ହେଲେ ମଧ୍ୟ ଜଟିଳତା, ବୁଦ୍ଧି, କୌଶଳ, ରାଜନୀତିଜ୍ଞତାରେ ରାମଙ୍କୁ ଟପିଯାଇଛନ୍ତି । ମନେ ହୁଏ—ଚାତୁରୀ, ପ୍ରେମଗବେଷଣା, ଦରିଦ୍ରବନ୍ଧୁତା, ସେବା, ଦୁଷ୍ଟଦଳନଭାବ ଓ ଅନ୍ତର ବାହାର ଭେଦ କୃଷ୍ଣଙ୍କଠାରୁ ସୃଷ୍ଟ । ଯାହାହେଉ, ବହୁ ମିଠା ଭୋଜନ ପରେ ଅମ୍ଳ ପଦାର୍ଥର ଆବଶ୍ୟକତା ପରି ବହୁତାପ ପରେ ଶୀତଳତାର ମୂଲ୍ୟତୁଲ୍ୟ ବୁଦ୍ଧ ଅବତାର । ଅର୍ଥାତ୍‌ ଜ୍ଞାନଗବେଷଣା, ଦୟା, ପ୍ରେମ ଓ ସ୍ଥୈର୍ଯ୍ୟ ସହ ନିଶ୍ଚେଷ୍ଟତା ଓ ନିଷ୍ପୃହତା ବୃଦ୍ଧଙ୍କର ପ୍ରଧାନ ଗୁଣ । ‘‘ମୈତ୍ରୀ ବ୍ରତ ବିଶ୍ୱଜୟୀ’’ ଏହା ପ୍ରଚାରକ ବୁଦ୍ଧଦେବ । ସାମ୍ୟଭାବ, ଶକ୍ତିର ଚତୁର୍ଦ୍ଦିଗବ୍ୟାପିତା ରୁଚି ଓ ବିଶ୍ୱସେବାଧର୍ମ ବୁଦ୍ଧ ଅବତାରର ପ୍ରଧାନ ପ୍ରକୃତି । କଳ୍କି ଅବତାର ପ୍ରଳୟ ଓ ସୃଷ୍ଟିର କର୍ତ୍ତାତୁଲ୍ୟ । ଦିନ ଶେଷରେ ରାତ୍ରି, ରାତ୍ରି ଶେଷରେ ଦିନ, କ୍ରୋଧ ଶେଷରେ ଅନୁତାପ, ସୁଖ ଶେଷରେ ଦୁଃଖ ଓ ଦୁଃଖ ଶେଷରେ ସୁଖର ଆରମ୍ଭ ପରି ପୂର୍ଣ୍ଣତା ଶେଷରେ ପ୍ରଳୟର ଆରମ୍ଭ । କଳ୍କି ପରେ ପୁଣି ମତ୍ସ୍ୟ କଚ୍ଛପର ଅବତାରଣା । ଠିକ୍‌ ଚକ୍ରର ଘୂର୍ଣ୍ଣନ ଓ ସମୟର ଆବର୍ତ୍ତନ ମାତ୍ର ।

 

ମାତାର ଗର୍ଭାଶୟରେ ଶିଶୁ ପ୍ରଥମେ ମାଂସପିଣ୍ଡୁଳାରୁ ମତ୍ସ୍ୟାକାର ପରେ କଚ୍ଛପ, ବରାହ, ନୃସିଂହ ପ୍ରଭୃତି ଅବତାରର ରୂପ ସ୍ତର ଭେଦ କରି ପଞ୍ଚଭୂତ ଦର୍ଶନ କରି ସଂସାରରେ ପତିତ ହୁଏ । ଶିଶୁର ଜନ୍ମ ପରେ ପୁଣି ତାକୁ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଅବତାରର ଆକାର, ପ୍ରକୃତି ରୁଚି ଓ ଜଟିଳତାର ପୁନରଭିନୟ କରିବାକୁ ହୁଏ । ଏହାକୁ ସରଳ ଭାଷାରେ କହିବାକୁ ହେଲେ ଶିଶୁ ପ୍ରଥମେ ଛଅ ମାସଯାଏ ଚପଳ, ନିରୀହ ଥାଇ ମତ୍ସ୍ୟଭାବ ଅବଲମ୍ୱନ କରେ । ଛଅ ମାସରୁ ଏକ ବର୍ଷଯାଏ କଚ୍ଛପ ଅବସ୍ଥା ବା ପେଟେଇବା ଅଭ୍ୟାସ କରେ । ଏହିପରି ବାଲ୍ୟ, ଶୈଶବ, କୈଶୋର, ଯୁବା, ବାର୍ଦ୍ଧକ୍ୟ ଓ ପ୍ରୌଢ଼ ଅବସ୍ଥା ମଧ୍ୟରେ ଦଶ ଅବତାର ଭାବରେ ଗୋଟେ ଗଡ୍ଡଳିକା ପଥ ଦେଇ ଗତି କରିବାକୁ ହୁଏ । ଅନେକେ କହନ୍ତି ଯେ, ମତ୍ସ୍ୟ କଚ୍ଛପ ପରି ମାନବଶିଶୁ ବିଶେଷ ଜଳପ୍ରିୟ ହୁଏ । ଶିଶୁ ଓ ବାଲ୍ୟ ଅବସ୍ଥାରେ ଅନୁକରଣପଟୁତା ଓ ହିଂସ୍ର ଭାବ ବାଳକ ବେଶୀ ଦେଖାଏ ନୃସିଂହ ଓ ବାମନ ଅବତାର ଅବସ୍ଥା ମନେ ପକାଇ ।

 

କୈଶୋର ଓ ଯୌବନରେ ପରଶୁରାମ, ରାମ ଓ କୃଷ୍ଣଭାବ ମାନବଠାରେ ବିଶେଷ ପରିମାଣରେ ଦୃଷ୍ଟ ହୋଇଥାଏ; ତେଣୁ ଯୁବକମାନେ ପନ୍ଦର ବର୍ଷରୁ ଚାଳିଶ ବର୍ଷ ମଧ୍ୟରେ ବିଶେଷ ଧ୍ୱଂସଶୀଳ, ପିତୃସ୍ନେହୀ, ପ୍ରିୟାପ୍ରିୟ, ରାଜନୀତିଜ୍ଞ ଓ ଦୁର୍ବଳସହାୟକ ହୋଇଥିବାର ଦେଖାଯାନ୍ତି । ବାର୍ଦ୍ଧକ୍ୟ ଓ ପ୍ରୌଢ଼ ଅବସ୍ଥାରେ ବୌଦ୍ଧ ଅବତାରଭାବ ବିଶେଷ ପରିଲକ୍ଷିତ ହୋଇଥାଏ । ପ୍ରୌଢ଼ାବସ୍ଥା ପରେ କଳ୍କି ବା ସଂହାର କିମ୍ୱା ମୃତ୍ୟୁ । ଏହା ସବୁ ଚାକ୍ଷୁଷ ପ୍ରମାଣ ନୁହେଁ କି ?

 

ତେବେ ଆଉ ଗୋଟିଏ ବିଶେଷ ବିଷୟର ଆଲୋଚନା ନିତାନ୍ତ ଆବଶ୍ୟକ । ମାନବସମାଜର ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ବୃଦ୍ଧ, ବୃଦ୍ଧା ପ୍ରଭୃତିଙ୍କର ଚରିତ୍ର ବିଶ୍ଳେଷଣ କଲେ ଦେଖାଯାଏ, ଦଶ ଅବତାରର ଗୋଟିଏ ଗୋଟିଏ ବିଶେଷ ଗୁଣ ବା ଦୋଷ ପ୍ରତି ମାନବଠାରେ ଅଳ୍ପାଧିକ ପରିମାଣରେ ନିହିତ । ଦୋଷର ମାତ୍ରା ଅଧିକ ହେଲେ ଲୋକ ଦୁଷ୍ଟ, ଦୂରନ୍ତ ଓ ନିଷ୍ଠୁର ଆଖ୍ୟା ପାଏ ଓ ସେହିପରି ଗୁଣର ପରିମାଣ ଅଧିକ ହେଲେ ଶାନ୍ତ, ଧୀର, ଗୁଣୀ ଓ ବିଜ୍ଞ ନାମ ଧାରଣ କରିଥାଏ । ମାନବସମାଜରେ ଅନେକ ଜନ୍ମରୁ ମୃତ୍ୟୁଯାଏ ଅଧିକ ଅଳ୍ପ କ୍ରମରେ ଚପଳ ଓ ନିରୀହ । ସେମାନେ ମତ୍ସ୍ୟଭାବାପନ୍ନ ନୁହନ୍ତି କି ? ଏହିପରି କେତେକ ଅତି ଅନିଷ୍ଟପ୍ରିୟ, ପରଛିଦ୍ରାନ୍ୱେଷୀ ଓ ପରଶ୍ରୀକାତର । ଏମାନେ ନୃସିଂହ ଓ ପରଶୁରାମ ଅବତାରର ଗୁଣାଧିକାରୀ ନିଶ୍ଚୟ । ସେହିପରି ଶାନ୍ତ, ଧୀର, ଜନପ୍ରିୟ, ଦରିଦ୍ରବନ୍ଧୁ, ଜୀବହିତୈଷୀ, ଜଟିଳ ଓ ରାଜନୀତିଜ୍ଞମାନେ ରାମ, ବାମନ, କୃଷ୍ଣ ଓ ବୁଦ୍ଧଭାବାପନ୍ନ ଅଟନ୍ତି । ମନୁଷ୍ୟସମାଜ ଶତ ଚେଷ୍ଟା, ସହସ୍ର ସାଧନା ଓ ଶିକ୍ଷାରେ ମଧ୍ୟ ପଶୁଭାବ ତ୍ୟାଗ କରି ପାରି ନାହିଁ, ପାରୁ ନାହିଁ ଓ ପାରିବ ନାହିଁ—ସୃଷ୍ଟି ସ୍ଥିତିଠାରୁ ପ୍ରଳୟ ପର୍ଯ୍ୟନ୍ତ । ଏହା ସ୍ୱାଭାବିକ ଓ ଅତି ସରଳ କଥା । ମାନବସମାଜ ଥିବାଯାଏ ପରର ଅନିଷ୍ଟକାରୀ ସଙ୍ଗେ ସଙ୍ଗେ ହିତକାରୀ, ନିର୍ମାତା ସଙ୍ଗେ ଧ୍ୱଂସଶୀଳ ଓ ଦୁଷ୍ଟ ସଙ୍ଗେ ଶିଷ୍ଟ ରହିବେ । ତେବେ ମାନବ ପଶୁଭାବ ଦେଇ ପୂର୍ଣ୍ଣ ମାନବ ଅବସ୍ଥା ପାଇଥିବା ଯୋଗୁଁ ପଶୁଭାବ ତାଠାରେ ନିତାନ୍ତ ସ୍ୱାଭାବିକ । ଏଥିପାଇଁ ନରସମାଜରେ ଯେ ଅଧିକ ପରଚ୍ଛିଦ୍ରାନ୍ୱେଷୀ, ହିଂସ୍ର, ପରଶ୍ରୀକାତର ଓ ଅନିଷ୍ଟକାରୀ ସେମାନେ ଶ୍ୱା ବା ନୃସିଂହ ଶ୍ରେଣୀୟ । ଯେଉଁମାନେ ନିରୀହ, ଚପଳ, ସଦାନନ୍ଦ ଓ ସରଳ, ସେମାନେ ମତ୍ସ୍ୟ ଓ କଚ୍ଛପ ଶ୍ରେଣୀୟ । ଯେଉଁମାନେ ଉଗ୍ର, ଦନ୍ତୁର, ଖଳ ଓ ବିଦାରଣପ୍ରିୟ ସେମାନେ ବରାହ ଓ ଗରିଲା ଶ୍ରେଣୀଭୁକ୍ତ ଏବଂ ଯେଉଁମାନେ ଅନୁକରଣ ପ୍ରିୟ, ଆରୋହଣପଟୁ ଓ ଫଳମୂଳପ୍ରିୟ ସେମାନେ ବାମନ—ମର୍କଟ ଶ୍ରେଣୀ ଅନ୍ତର୍ଗତ ନୁହନ୍ତି କି ?

 

ତେବେ ପ୍ରତ୍ୟେକେ କି ଲକ୍ଷ୍ୟ ରଖି କେଉଁ ଅବତାରଗୁଣ ପାଇବାକୁ ଇଚ୍ଛା କରନ୍ତି, ସ୍ଥିର କରନ୍ତୁ—ରାମ ଭାବ ଶ୍ରେଷ୍ଠ ସିନା !

Image

 

ନାଗକନ୍ୟା

 

ଯାହାହେଉ, ଯେଉଁମାନେ କୋଣାର୍କରୁ ଚନ୍ଦ୍ରଭାଗା ଓ ସେଠାରୁ ପୁରୀକୁ ସମୁଦ୍ର କୂଳେ କୂଳେ ଆସିବେ, ସେମାନେ ନିଶ୍ଚୟ ହରଚଣ୍ଡୀଙ୍କ ଦର୍ଶନ ପାଇବେ ଠିକ୍‌ ବାଟରେ । କବି ବା ଲେଖକ ହେଲେ ତ ଭଲ କଥା, ନୋହିଲେ ଯେଉଁ ନୀଳ ସମୁଦ୍ର, ଧଳା ଫେଣ, ହଳଦିଆ ବାଲି, ସବୁଜ ଘାସ ଓ ଲାଲ ମାଛ ଦେଖିଲେ ସମସ୍ତେ ମୁଗ୍ଧ ହେବେ, ସେ ସବୁ ସେଠାରେ ପାଇବେ । ବାଲିକୁଦ ସବୁ ଛୋଟ ଡୁବୁରି ପାହାଡ଼ ପରି ସେଠାରୁ ଛୋଟ ବାଲି ସୁଡ଼ଙ୍ଗ ସମୁଦ୍ର ଜଳପର୍ଯ୍ୟନ୍ତ ଯେ ସେ ସେଠି ଦେଖିବେ । ସମୁଦ୍ର ଲହଡ଼ା ବାଲିକୁଦର ପାଦ ଧୋଇବା ସ୍ୱାଭାବିକ । ତା ଉପରେ କଣ୍ଟା ଘାସ ଖାଇ ଛୋଟ ମୃଗମାନେ ଦଳ ଦଳ ହୋଇ ବୁଲୁଥିବା ମଧ୍ୟ ପ୍ରାକୃତିକ । ସବୁ ସେଠି ଥିଲା ଓ ଅଛି ।

 

ସେହି ଅପନ୍ତରାଟାରେ ଗୋଟିଏ ଛୋଟ କୁଡ଼ିଆରେ ମଧୁଆ କେବଠୁଁ ରହି ମାଛ ଧରି ଦିପଇସା କମେଇଚି, ତା ତାକୁ ଜଣା । ତାର ସଂସାର ବୋଇଲେ ତାର ନାତୁଣୀ ମାଳତୀ—ମାଳତୀର ବୟସ କେହି ବାର, କିଏ ପନ୍ଦର, ଓ କିଏ ଅସହଣୀ ହୋଇ କୋଡ଼ିଏ ଅନୁମାନ କରନ୍ତି । ବାସ୍ତବରେ ତାକୁ ସତର । ତାର ପୁଣ୍ୟ ନାହିଁ ପର୍ବ ନାହିଁ । ସବୁବେଳେ ସମାନ ବେଶ, ବାଳଗୁଡ଼ାକ ନିପଟ କୁଞ୍ଚୁକୁଞ୍ଚିଆ । କେବେ ସେ ତାକୁ ଅଧୀନକୁ ଆଣିବାପାଇଁ ଗୋଟେ ଲଇରେ ବାନ୍ଧି ପକାଏ । ଅନ୍ୟ କେବେ କେବେ ସେ ସବୁ ଭ୍ରମର ସାଜି ତାର ଗୋଲାପୀ ମୁହଁଟିକୁ ଅସ୍ଥିର କରନ୍ତି । ପହରଣ ତାର ଖଣ୍ଡେ ଆଠହାତି ନାଗପୁରୀ । ସେ ଖଣ୍ଡକୁ ସେ ମାଇକିନିଆ ପିନ୍ଧା ପିନ୍ଧି ଛାତି ଘୋଡ଼ାଇ ଅଣ୍ଟାକୁ ଜବର ରଖିବାପାଇଁ କମରବନ୍ଧ ପରି ଘେରାଏ ଗୁଡ଼ାଇ ଦେଇଥାଏ । ଆଉ ମଧ୍ୟ ତାର ବେବସାରେ ବାଧା ନ ପଡ଼ିବା ପାଇଁ ପିନ୍ଧା ଫେରଟାରେ ପାଇ-କଛାଟାଏ ମାରି ଦେଇଥାଏ । ସେଟା ତାକୁ ବଡ଼ ମାନେ; ହେଲେ ଅନେକ କଥା ଅନ୍ୟମାନଙ୍କୁ ସୁନ୍ଦର ଦିଶିଲେ ମଧ୍ୟ ତାକୁ ଅସୁନ୍ଦର ଦିଶେ—ତାର ଖାତିରି ଥାଏ ସବୁ କଥାକୁ ଖୁବ୍‌ କମ୍ । ଅଳଙ୍କାର ମଧ୍ୟରେ ତାର ହାତରେ ପଟେ ପଟେ ପିତଳ ଖଡ଼ୁ । ଅଦ୍ଭୁତ କଥା ଏତିକି—ତାର ସୁନା ପରି ଦେହ ରଙ୍ଗରେ ସେ ଦିଖଣ୍ଡି ଖାପ ଖାଇଥାଏ । ଦେହ ଖଣ୍ଡ ଯେପରି ମାଂସପେଶୀରେ ଭରା । କଣ ଟିକିଏ କଥାରେ ସେ ଟୁନା ଘଡ଼େଇକୁ ପାଞ୍ଚ ହାତକୁ ଫିଙ୍ଗିଦେବା ଦିନୁ ଅଙ୍ଗରମତା ଟୋକାମାନେ ଭରସି ତା ପାଖେ ପଶି ପାରନ୍ତି ନାହିଁ । ତା ରହିବା ଥାନଟା ବି ଧୀବରପଡ଼ାଠୁଁ ଟିକିଏ ଦୂର ।

ମାଳତୀ ସବୁଦିନ ସକାଳେ ନିଜେ ମାଛ ଧରି ଦିପହରେ ତାକୁ ହଳଦୀପଦା ହାଟରେ ଯାଇ ବିକି ଘର ଚଳାଉ ନ ଥିଲେ ମଧୁଆ କେବଠୁଁ ସେ ଥାନ ଛାଡ଼ନ୍ତାଣି । ହଁ, ଦିନେ ହଳଦୀପଦାର ଖୋଦ୍‌ ଖାଉନ୍ଦ ଜମିଦାର ମାଳତୀର ମାଛ ମୂଲେଇ ଦରଦାମରେ ଟିକିଏ ଗଡ଼ବଡ଼ କରିବାରୁ ମାଳତୀ ତାଙ୍କ ହାତରୁ ମାଛଟା ଝିଙ୍କିଆଣି ସିଧା ସିଧା ଚାଲିଆସିଲା । ଏଥିରେ ସେ ଖୁବ୍‌ ତାତିଯିବାର କଥା । ତାର ପରଦିନଠାରୁ ମାଳତୀ ତାଙ୍କୁ ମାଛ ବିକିଲା ନାହିଁ ସତ, ତେବେ ତାଙ୍କୁ ଦଳିଆ କେତୁଟା ସବୁଦିନ ଆସି ମାଳତୀ ମାଛ ଧରୁଥିବା ଥାନଟାରେ ଗୋଳମାଳ କରି ମାଛ ଧଇଲେ । ମାଳତୀ ତାଙ୍କୁ ଯେ କେତେ ଭୟ ଦେଖାଇ କେତେ ବକିଲା, ତା କହି ହେବ ନାହିଁ ।

ଫଗୁଣ ମାସ । ପରୀକ୍ଷା ଶେଷ । ଜମିଦାରଙ୍କ ପୁଅ ରମେଶ ବି.ଏ. ପରୀକ୍ଷା ଦେଇ ଆସି ଘରେ ଅଛନ୍ତି । ମାଳତୀର ହାଲ ହଳିଆମାନଙ୍କଠାରୁ ଶୁଣି ସେ ପାଞ୍ଚିଲେ ଟୋକୀଟାକୁ ଜବତ୍‌ କରିବେ । ଏତେ ସାହାସ ତାର, ସେହି ଦିନୁ ସେ ଅନେକ ଦିନ ମାଛଧରା ବାହାନାରେ ମାଳତୀ ଥିବା ସମୁଦ୍ରକୂଳକୁ ଗାଧୋଇବା ପାଇଁ, କେବେ ମାଛ ଧରିବା ପାଇଁ ଆସନ୍ତି । ହେଲେ କ୍ରମେ ବହୁ ଲୋକର ଗୋଳମାଳରେ ମାଳତୀର ମାଛଧରାରେ ଯେ ବିଶେଷ ବାଧା ନ ପଡ଼ିଛି, ଏମିତି ନୁହେଁ । ସେ ଖୁବ୍‌ ରାଗେ, ଖୁବ୍‌ ଗାଳି ଦିଏ । ସବୁ ଦିନ ଅନ୍ୟମାନେ କେବେ ତା କଥାକୁ କାନ ଦିଅନ୍ତି । କେବେ କେବେ ମଧ୍ୟ ଗୋଟେ ଗୋଳମାଳ ଘଟେ । ତେବେ ମଧୁଆ ନଇଁ ନଇଁ ବାଡ଼ି ଖଣ୍ଡକରେ ଭରା ଦେଇ ଯେତେବେଳେ ଘଟଣାସ୍ଥଳରେ ବୁଢ଼ା ମାଙ୍କଡ଼ ପଛ ଦିଗୋଡ଼ରେ ଠିଆ ହେଲା ପରି ଠିଆ ହୋଇ ମାଳତୀର ପକ୍ଷ ନିଏ, ସବୁ ଥମି ଯାଏ ।

ରମେଶ ବାବୁ ଅନେକ ଦିନ ତାଙ୍କ ଶାଳବନ୍ଧା କଇଁଫୁଲିଆ ଘୋଡ଼ାଟା ଉପରେ ଚଢ଼ି ମଧୁଆ କୁଡ଼ିଆ ପାଖକୁ ଯାଆନ୍ତି । ଘୋଡ଼ାଟାକୁ ଗୋଟାଏ ବୁଦାରେ ଖଟେଇ ଦେଇ କେବେ ମାଳତୀର ପ୍ରତିଦ୍ୱନ୍ଦୀ ହୋଇ ମାଛ ଧରନ୍ତି, କେବେ କେବେ ଖାଲି ଗାଧୋଇ ଫେରି ଆସନ୍ତି । ତେବେ ମାଳତୀର ମାଛଧରା ଓ ମାଛବିକା ବେବସାରେ ବାଧା ଦେଇ ସବୁକୁ ମାନ୍ଦା କରିଦେବା ତାଙ୍କର ଲକ୍ଷ୍ୟ ।

ମାଳତୀ ରାଗରେ ଥମ ଥମ ହୋଇ ଢେର ଥର କହେ ‘‘ଏ ବାବୁ, ତୁ ପରା ପାଠ ପଢ଼ୁଛୁ, ତୋର ଟିକିଏ ବୁଦ୍ଧି ନାଇଁ, ଗୋଟେ ବୁଢ଼ା ଆଉ ଗୋଟେ ମାଇକିନା ସଙ୍ଗେ ଲାଗିଛୁ । ତୁ ମିଣିପି ନୋହୁ, ନିପଟ ଭାକୁଡ଼ାଟେ ।’’ ରମେଶ କେବେ ଏ ସବୁ ଶୁଣି ହସିଦିଅନ୍ତି, କେବେ ବିଶେଷ ବାଧିଲେ କହନ୍ତି, ‘‘ଚୁପ୍‌ କର ଟୋକି ।’’ ବେଳେ ବେଳେ ମାଳତୀକୁ ଚିଡ଼ାଇବା ବାହାନାରେ ମଜା ଦେଖିବାପାଇଁ କହନ୍ତି, ‘‘ଆଉ ଦିପଦ ବକ୍‌ କୁଠେଇ ଥିଲୁ ଲୋ ନାଗକନ୍ୟା ?’’ ମାଳତୀ ଖୁବ୍‌ ରାଗେ–କହେ, ‘‘ନାଗୁଣୀ ତତେ ଡଂଶିବ ।’’

 

ରମେଶ ବାବୁ କେବେ ଗାଧୋଉଥିବା ବେଳେ ମାଳତୀ ଧାଇଁ ଆସି ଘୋଡ଼ାଟାକୁ ଛୋଟା କରି ଦେବାକୁ ବସେ । ହେଲେ ମଧୁଆ ନିବର୍ତ୍ତାଇ କହେ, ‘‘ସେମିତି କର୍‌ ନା—ମକଦ୍ଦମା କଲେ ଦିଜଣ ଯାକ ଜିଅଲ ଯିବା ଯେ ।’’

 

ରମେଶ ଆସେ ଏଣିକି ସବୁଦିନ ସମୁଦ୍ରକୂଳକୁ । ମାଳତୀ ତାକୁ ଶୁଣାଇ ଶୁଣାଇ ପାଟି କରେ, ‘‘ବାପଘର ପଡ଼ିଆକୁ ପୁଅ ଧାଇଁ ଆସୁଛି ରାତି ନ ପାହୁଣୁ ।’’ ରମେଶ କେବେ ତାକୁ କାନ ଦିଏ, କେବେ ନ ଶୁଣିଲା ପରି ଚାଲିଯାଏ । ହେଲେ ତା ମୁହଁ ଲାଲ ହୋଇଯାଏ—ବିଚାରେ ଦି କୋରଡ଼ା କସି ଦେବ । ତେବେ ମନେ ପଡ଼େ ତାର, ‘‘ସ୍ତ୍ରୀଜାତି କେଡ଼େ କୋମଳ, ବିଧାତା ସୃଷ୍ଟି କୌଶଳର ଗୋଟାଏ ରମଣୀୟ ଚିତ୍ର । ଏପରି କୋମଳ ପ୍ରତିମାରେ ହାତ ଦେବା ପାପ—ମାଛି ମାଇଲେ ହାତ ଗନ୍ଧେଇବ ।’’

 

ଦିନେ ସକାଳେ ରମେଶ ଆସି ମଧୁଆକୁ କହିଲା, ‘‘ଆରେ ମଧୁ, ଦେଖ୍‌ ତ, ତୋ ନାତୁଣୀଟା କେଡ଼େ ଖରଖରୀ—ତୁଚ୍ଛାଟାକୁ ମୋତେ ସବୁଦିନ ବକୁଛି । ମୁଁ ତ ଆସୁଛି ସମୁଦ୍ରକୁ ମାଛ ଧରିବାକୁ ଓ ଗାଧୋଇବାକୁ । ଏ ଟୋକୀର କଣ ଯାଉଛି । ସମୁଦ୍ରକୁ ତ ଭଗବାନ୍‌ ଗଢ଼ିଛନ୍ତି ତା ଉପରେ ସମସ୍ତଙ୍କର ଅଧିକାର ଅଛି—’’

 

ମାଳତୀ ପାଖରେ ଠିଆ ହୋଇଥିଲା । ସମ୍ଭାଳି ପାରିଲା ନାହିଁ, ମୁହେଁ ମୁହେଁ କହିଲା–‘‘କେଡ଼େ ମୁନିଟେରେ ! ଏ ଥାନୁଟା କାର ? ତୁ ନା ତୋର ଆଉ କିଏ ଏ ଜାଗାର ଗଛ ବୁଦା କାଟି ସଫା କରିଛି । ଆଉ କଣ ସମୁଦ୍ରକୂଳ ନାଇଁ—ଏ ଠିକି ଧାଇଛୁଁ କିଆ ? ଏଇଟା ଆମ ଘର ପାଖ ସମୁଦ୍ର—ତମ ଦାଣ୍ଡ ଦୁଆର ବାଡ଼ି ପନ୍ଦାଡ଼କୁ ଆମେ କେବେ ଯାଉଛୁ ଛେପ ପକେଇବାକୁ-। ସମୁଦ୍ରଟାକୁ ଭଗବାନ କରିଛନ୍ତି ! ଓଃ ଭାରି ତ ? ବାଦଲ ଆଉ ଏଇ ସରଗକୁ ତ ଭଗବାନ କରିଛନ୍ତି ? ତେବେ ମୁଁ ଯାଇ ତୁମ ପକା ଉପରେ ଚଢ଼ି ବାଦଲକୁ ଦେଖିବି—ସେଥିରେ ତମେ କିଆଁ କିଛି କହିବ ? ମୁଁ ପୁଣି ଖରଖରୀ ? ତୁ ତେବେ ମର ମର ।’’ ମାଳତୀ ରଗରଗ ହୋଇ ସେଠୁ ଚାଲିଗଲା । ରମେଶ ବାବୁ ଗୁମ୍‌ ମାରିଗଲେ । ମଧୁଆ ମଜା ଦେଖୁଥାଏ ।

 

ଦିନେ ବେଳ ନଅଟା ହେବ—ମାଳତୀ ମାଛ ଧରି ସାରି ମନପୁଲାଣିଆ ହୋଇ ସମୁଦ୍ରରେ ଗାଧୋଉଚି, ପାଖରେ ଆଖରେ କେହି ନାହିଁ । ଅଛି ସମୁଦ୍ରର ଗର୍ଜନ ଓ ମାଛରଙ୍କାର ଟିଁ ଟିଁ ଶବ୍ଦ । ରମେଶ ଯାଇ ଫକ୍‌ କିନି ଘୋଡ଼ାରୁ ଡେଇଁ ପଡ଼ିଲା—ଘୋଡ଼ାକୁ ଗୋଟାଏ କୀଳାରେ ଖୁଣ୍ଠି ଦେଇ ଭିଡ଼ିଭାଡ଼ି ହୋଇ ଭସ୍‌ ଭସ୍‌ ପଶିଗଲା ପାଣି ଭିତରକୁ । ମାଳତୀ ତାର ସେ ଖେଳୁଥାଏ ପାଣିରେ । ରମେଶ ବାବୁ ଟିକିଏ ଦୂରକୁ ଯିବାକୁ ଇଚ୍ଛା କରି ପହଁରିଲେ । ସମୁଦ୍ରଟା ତାଙ୍କର ପିଲାଦିନର ସାଥି । ହେଲେ କଟକ ଗଲା ଦିନୁ ଟିକିଏ ଅଭ୍ୟାସ ଛାଡ଼ିଯାଇଛି । ପହଁରା ଜଣାଥିଲେ ହେଁ ଲହଡ଼ୀ ଭିତର ସୁଅ ଓ ଗତିର ଗତଗାତ ତାଙ୍କୁ ଜଣା ନାହିଁ, ଯେପରି ଜଣା ଅଛି ମାଳତୀକୁ । ରମେଶ ଦୂରକୁ ଆଜି ପହଁରି ଯିବାର ଦୁଇଟି ଲକ୍ଷ୍ୟ—ମାଳତୀକୁ ପହଁରାରେ ହଟେଇବେ ଓ ନିଜ ସାହସର ପରିଚୟ ଦେବେ । ମାଳତୀ ହସୁଥାଏ—ମଝିରେ ମଝିରେ କୁହାଟଟାଏ ଲେଖେଁ ଦେଉଥାଏ ।

 

ମାଳତୀ ଆଉ ସମ୍ଭାଳି ପାରିଲା ନାହିଁ, ଡାକି ଦେଲା, ‘‘ଏ ବାବୁ, ପୁରୁଷ ପଣିଆ ସେତିକି ଥାଉ—ଘରକୁ ଫେରି ଯା, ନ ହେଲେ ଆଜି ଚେଙ୍ଖେ ପାଇବୁ ଯେ ।’’

 

ରମେଶ ବାବୁ ଶୁଣିଲେ—ଟିକିଏ ତୁନି ହେଲେ, କହିଲେ, ‘‘ମୋ କଥାରେ ତୋର ଏଡ଼େ ମନ କିଆଁ ? ଆଜି ଇମିତି ରସୁଚୁ କାହିଁକି ? ଟାଇଁ ଟାଇଁ ମାଳତୀ ଉତ୍ତର ଦେଲା, ‘ତୋ କଥାରେ କିଏ ମନ ଦେଉଛି । ତତେ ରସୁଚି ନା ପାଣି ଛଡ଼ଉଚି, ନା ପୂଜୁଚି । ତୁ ମୋର ବିଷ, ତତେ ମୁଁ ଏକାବେଳକେ ଘୃଣା କରେ । ହଉ ଦେଖିବା ।’’

 

ରମେଶ ବାବୁ ଟିକିଏ ଦୂରେଇ ଗଲେଣି—ମାଳତୀ ସାବଧାନ ହୋଇ କୂଳେ କୂଳେ ଅଛି-। ତାକୁ ଜଣା ଯେ, ସେ ଦିନ ପୁନିଅଁ, ଠିକ୍ ଦଶଟାରେ ଭିତିରି ସୁଅ ସମୁଦ୍ରରେ ହୁଏ । ଲହଡ଼ାଗୁଡ଼ାକ କୂଳରେ ଜୋରରେ ପିଟି ହୁଏ । ରମେଶ ବାବୁ ବହିରେ ଏସବୁ ପଢ଼ିଛନ୍ତି ସତ, ହେଲେ ସେ ଦିନ ପୁନିଅଁ ବୋଲି ତାଙ୍କୁ ମାଲୁମ୍ ନାହିଁ—ବାଡ଼ି ବାଇଗଣ ପୋଥି ବାଇଗଣରେ ଢେର ପ୍ରଭେଦ ।

ଏ କଣ । ରମେଶ କୂଳକୁ ଆସି ପାରୁ ନାହିଁ । ଦୂରକୁ ଦୂରକୁ ଚାଲୁଛି । କେବେ କେବେ ବି ବୁଡ଼ି ଯାଉଛି । ମାଳତୀ ବୁଝି ପାରିଲା, ତାର ସ୍ତ୍ରୀସୁଲଭ କରୁଣା ତାର ପଥରଛାତିକୁ ଠେଲି ଦେଇ ବାହାରି ପଡ଼ିଲା । ହୃତ୍‌ପିଣ୍ଡ ପଡ଼ିଲା—ଉଠିଲା—କଥା ନାହିଁ ବାର୍ତ୍ତା ନାହିଁ ମାଇଲା ଏକ ଡିଆଁ—ଶହେ ଦେଢ଼ଶହ ଖେପାରେ ଯାଇ ଦେଲା ଗୋଟେ ହାବୁକା ରମେଶକୁ । ଏମିତି ପହଁରୁଚି ହାବୁକା ମାରୁଚି, ପାଞ୍ଚ ମିନିଟରେ ଆଣି କୂଳ ବାଲିରେ ଲମ୍ବ କରି ଶୁଆଇଦେଲା ରମେଶକୁ । ସେ କିନ୍ତୁ ବେହୋସ୍, ରମେଶ ମୁହଁରୁ ତାର ଛଅଇଞ୍ଚିଆ ବାଳଗୁଡ଼ାକୁ ଯେତେ ବେଳେ ମାଳତୀ ପଛକୁ ଆଉଁଶି ଦେଇ ଭଲ କରି ତାର ମୁହଁଟିକୁ ଅନେଇଲା, ତା ମନରେ ଗୋଟେ ବିଜୁଳି ଖେଳିଗଲା । ସେ ଦୁର୍ବଳ ହୋଇ ପଡ଼ିଲା—ଭାବିଲା, ‘‘କି ସୁନ୍ଦର ରୂପ, କି ସୁନ୍ଦର ଚେହେରା, କି ସୁନ୍ଦର ଢଙ୍ଗ ।’’

ମଧୁଆ ଏ ମଧ୍ୟରେ ପାଖକୁ ଧାଇଁ ଆସିଥିଲା । ସେ ରମେଶର ପେଟରୁ ପାଣିକୁ ଚିପି ବାହାର କରିଦେବାକୁ ଚେଷ୍ଟା କଲା—ମାଳତୀ କହିଲା, ‘‘ଜେ ଜେ ଗୋ, ମୁଁ ଯାଉଚି ତାର ବାପାକୁ ଡାକି ଆଣିବି । ତମେ ଏଠି ଥାଅ । ହଁ ଯିବୁ ସତ, ତେବେ ସେ କହିବେ, ତାଙ୍କ ପୁଅକୁ ଆମେ ବୁଡ଼େଇ ମାରିଚେ ।

ମାଳତୀ ‘‘ଆରେ ବାଃ । ମୁଁ ଯେ ନିଜ ଜୀବନକୁ ଖାତିରି ନ କରି ତାକୁ ଭିତିରି ସୁଅ ମୁହଁରୁ ଛାଣିଛି । ୟାକୁ ଧରମ ଦେଖିଛି । ସେ ସେମିତି କହି ପାରନ୍ତି । ଆମର ଯାଏ ଆସେନି କିଛି-।’’

‘‘ମଣିଷମାରୁ ମକଦ୍ଦମା କରି ଫାସୀ ଦେବେ ଯେ ।’’ ଧରମ ଜାଣେ । ସେ ସେମିତି କହିଲେ, ଏମିତି ଅବିଶ୍ୱାସୀ ସଂସାରରୁ ମରିବା ଭଲ, ‘‘ହଉ ଯା ।’’

 

ମାଳତୀ ଏକ ନିଶ୍ୱାସରେ ଯାଇ ସଅଁ ସଅଁ ହୋଇ ରମେଶ ଘର ଦୁଆରେ ହାଜର ହେଲା । ରମେଶର ମାଆ ଦାଣ୍ଡ ଦୁଆରେ ଠିଆ ହୋଇଥିଲେ, ମାଳତୀ ତାଙ୍କୁ କହିଲା, ‘‘ଏ, ବାବୁ କାହାନ୍ତି—ସେ ସେଠି ସମୁଦ୍ର ପାଣି ପିଇ ମଲାପରି ପଡ଼ିଛନ୍ତି ।

 

ରମେଶ ମାଆ କହିଲେ । ‘‘କିଏ ମଧୁଆ ?’’

 

‘‘ନାଇଁ ନାଇଁ ତମ ପୁଅ ।’’

 

‘‘କଣ କହୁଚୁ ଲୋ’’ କହି ରମେଶ ମାଆ ଭୋ କରି ରଡ଼ି କରି ବାରିରୁ ରମେଶବାପାଙ୍କୁ ଧରି ସମୁଦ୍ର କୂଳକୁ ଧାଇଁଲେ ଅନେକ ଲୋକ ତାଙ୍କ ପଛେ ପଛେ ଧାଇଁଛନ୍ତି । ମାଳତୀ ଆଗରୁ ଯାଇ ସମୁଦ୍ର କୂଳରେ ହାଜର ।

 

ରମେଶ ବାବୁଙ୍କୁ ସମସ୍ତେ ମୁଟୁ ମୁଟୁ, ଚାହୁଁଛନ୍ତି । ରମେଶ ବାପା ଓ ମାଆ କହିଲେ, ‘‘ଏଇ ଭୂତ ଦିଟା ତ ଆମ ପୁଅକୁ ବୁଡ଼ାଇ ମାଇଲେ । ମାଳତୀ ଚୁପ୍—ତା ପାଟିରେ କଥା ନାହିଁ—ରମେଶକୁତ ଉଠାଇ ତା ପେଟରୁ କେତେ ପାଣି ବାହାର କରି ଗାଆଁକୁ ନେବାକୁ ଠିକ୍ କଲେ । ପଚାଶ ହାତ ନେଇଛନ୍ତି, ରୋଗୀ ଟିକିଏ ଆଖି ଫିଟାଇଲା । ସମସ୍ତେ ତାକୁ ତଳେ ଥୋଇଦେଲେ–ମାଳତୀ ସେଠାକୁ ଧାଇଁଗଲା, ରମେଶ ଚାହିଁଦେଇ କ୍ଷୀଣ ସ୍ୱରରେ କହିଲା—‘‘ମାଳତୀ’’

 

ମାଳତୀ ପାଟି କଲା, ‘‘ହେଇ ଜୀଇଛନ୍ତି ଯେ ? ରମେଶର କଥାରେ ମାଳତୀ ପ୍ରତି କୃତଜ୍ଞତା ଯେପରି ଫୁଟି ପଡ଼ୁଥିଲା । ପ୍ରାୟ ଅଧ ଘଣ୍ଟାଏ ଯାଇଛି, ରମେଶ ବାପା ଆସି ମଧୁଆ କୁଡ଼ିଆ ପାଖରେ ହାଜର । କହିଲେ, ‘‘ମାଳତୀ—ମାଳତୀ—ମା ତତେ ରମୁ ଡାକୁଛି । ଚଞ୍ଚଳ ମୋ ସାଥିରେ ଆ—ମା’’ । ମାଳତୀ ତାର ପୂର୍ବ ବେଶରେ ଚାଲିଲା । ରମେଶ ଘରେ ଏଇ ତାର ପ୍ରଥମ ପ୍ରବେଶ । ଦି ପାଖେ କେତେ ଚିଜ କେତେ ଧନ ଧାନ, ଲୁଗା ଟ୍ରଙ୍କ ଓ ବାସନ । କାହିଁରେ ମାଳତୀର ଆଖି ନାହିଁ । ରମେଶ ଖଟ ପାଖରେ ଯାଇ ଠିଆ ହେଲା । ରମେଶ ହାତରେ ମାଳତୀ ହାତକୁ ଟାଣି ନେଇ ତାକୁ ତା ମୁଣ୍ଡ ପାଖରେ ବସାଇ ଦେଇ କହିଲା, ‘‘ମାଳତୀ ଆଜି ତୁମେ ମୋର ଜୀବନ ରଖିଲ । ତୁମେ ଦେବୀ ନା ମାନବୀ ।’’ ମାଳତୀ କେତେ ବୁଝିଲା, କେତେ ବୁଝିଲା ନାହିଁ, କହିଲା, ‘‘ତମେ ଆପଣ ଭଲ ହୋଇ ଯାଆନ୍ତୁ । ପୁନିଆଁ, ଉଆଁସ, ଆଠମାରେ ଆଉ କେବେ ଏତେ ଦୂରକୁ ପହଁରି ଯିବ ନାହିଁ । ରମେଶ ମା କହିଲେ, ‘‘ଆଉ କେବେ ସେଠିକୁ ଗାଧୋଇଯିବ ନାହିଁ । ମା ତୁ ଆଜି ତାର ଜୀବନ ରଖିଲୁ । ତତେ କି ପୁରସ୍କାର ଦେବି ମା ?’’ ତା ପରେ ମାଳତୀକୁ ଡାକି ତାକୁ ସର, ପିଠା ମିଠେଇ ଆଉ କଣ କଣ ଖାଇବାକୁ ଦେଇ ବିଦା କଲେ ।

 

ମାଳତୀ ସେଦିନ ଭାବିଲା, ‘‘ଏମାନେ କେଡ଼େ ଧନୀ, ମୁଁ କେଡ଼େ ଗରିବ !’’

 

ଏବେ ମଧୁଆକୁ କେହି ଆଉ ସମୁଦ୍ରକୂଳ କୁଡ଼ିଆରେ ଦେଖନ୍ତି ନାହିଁ, ସେ ଜମିଦାରଙ୍କ ଦାଣ୍ଡଘରେ ଅଛି, ମାଳତୀ ରମେଶ ବାପାଙ୍କର ‘‘ବୋହୂ ମା’’ ହୋଇଛି । ଗାଁର ଅନେକ କହନ୍ତି, ‘‘ରମେଶ ବାବୁ ଗୋଟେ ନାଗକନ୍ୟାକୁ ସମୁଦ୍ରରୁ ପାଇଲେ ।’’ କେବେ କେବେ ମାଳତୀକୁ ଚିଡ଼ାଇ ଦେଇ ନାନା କୋମଳ କଥା କହି ମନଖୁସି କରିବାକୁ ଜମିଦାର ରମେଶ ବାବୁ ଡାକି ଦିଅନ୍ତି ‘‘ନାଗକନ୍ୟା ।’’

Image

 

Unknown

ଅଜେୟ ଶତ୍ରୁ

 

ସ୍ୱାର୍ଥନ୍ୱେଷୀ ମାନବ ଜଗତର ଆଦିମକାଳରୁ ଅନ୍ୟମାନଙ୍କୁ ନିଜର ସୁବିଧା ପାଇଁ ବ୍ୟବହାର କରି ଆସୁଛି । ସେ ବଳେ ବଳେ ଜଙ୍ଗଲର ମୁକ୍ତବାୟୁସେବୀ ଶାନ୍ତିଦେବୀଙ୍କର ସୁପ୍ତ ଶିଶୁତୁଲ୍ୟ ଗୋ, ମହିଷ ଓ ଅନ୍ୟ ଜୀବମାନଙ୍କୁ ନିଜର ବ୍ୟବହାରରେ ଲଗାଇ ଆସିଛି । କ୍ରମେ ସେ ପରର ଅନିଷ୍ଟ କରି ଓ ସେମାନଙ୍କୁ ବହୁକଷ୍ଟ ଦେଇ ମଧ୍ୟ ନିଜର ଜୟତକ୍କା ପିଟୁଛି । ମନୁଷ୍ୟ ନିଜ ବୁଦ୍ଧି ବୁଦ୍ଧି ବୃତ୍ତିର ପ୍ରଶଂସା ଗାଇବା ସଙ୍ଗେ ସଙ୍ଗେ ନିଜେ ଅଧୀନ ବୋଲି କହୁଛି ଓ ଏହି ଦାସତ୍ୱକବଳରୁ ରକ୍ଷା ପାଇବା ପାଇଁ କେତେ ଯୁଦ୍ଧ ବିଗ୍ରହ କରୁଛି । କିନ୍ତୁ ସେ ସର୍ବଦା ମନେ ରଖିବା ଉଚିତ ଯେ, ତାର ସ୍ୱାଧୀନତାର ମୂଲ୍ୟ ଯେପରି—ପଶୁ, ପକ୍ଷୀ, କୀଟ, ପତଙ୍ଗର ସ୍ୱାଧୀନତାର ମୂଲ୍ୟ ଠିକ୍ ସେହିପରି ।

 

ମନୁଷ୍ୟସମାଜରେ ଯେ ବଳଶାଳୀ ଓ ବୁଦ୍ଧି ଜୀବୀ ହେଉଛି, ସେ କ୍ରମେ ଅନ୍ୟମାନଙ୍କୁ ତାର ଅଧୀନରେ ଆଣୁଛି । ବର୍ତ୍ତମାନ ଏହା ଜାଗତିକ ଧର୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ । ସୃଷ୍ଟିର ପ୍ରାରମ୍ଭରୁ ଜୀବସୃଷ୍ଟି ଉଦର ରାକ୍ଷସର ପରିତୃପ୍ତି ନିମିତ୍ତ ପରସ୍ପର ମଧ୍ୟରେ କଳହ ଓ ଯୁଦ୍ଧ କରି ଆସି ଅଛନ୍ତି । ସାମାନ୍ୟ ତୃଣବୀଜ ପାଇଁ କୀଟ କୀଟ ମଧ୍ୟରେ, ତୁଚ୍ଛ ଫଳ ପାଇଁ ପକ୍ଷି ରାଜ୍ୟରେ, ନିରପରାଧ ମୃଗଶିଶୁ ପାଇଁ ସିଂହ ବ୍ୟାଘ୍ର ମଧ୍ୟରେ ସାମାନ୍ୟ ଭୂମିପାଇଁ ଭାଇ ଭାଇ ମଧ୍ୟରେ କଳହାଗ୍ନି ସବୁବେଳେ ତୀବ୍ର ତେଜରେ ଧୂ ଧୂ ଜଳି ଉଠୁଛି । ସୃଷ୍ଟିର ଆରମ୍ଭରୁ ଏପରି କ୍ରିୟା ଚାଲି ଆସିଛି । ଏଥିପାଇଁ ମନୁଷ୍ୟ ସବୁବେଳେ ଅଶାନ୍ତି-ଅକୂପାରରେ ଭାସମାନ ।

 

ପ୍ରାଚୀନକାଳରେ ଏହି ସ୍ୱାର୍ଥ ନିମିତ୍ତ ରୋମବାସୀ ସିଜର୍ ଇଂଲଣ୍ଡ ଅଭିଯାନରେ ବାହାରିଥିଲେ । ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡର ସ୍ୱର୍ଣ୍ଣପ୍ରସୂ ଭାରତଜୟ ଆଶା ମନରେ ପୋଷଣ କରି ଚାଲି ଆସିଲେ । ଆର୍ଯ୍ୟଜାତି କ୍ରମେ ଉତ୍ତରମେରୁ ତ୍ୟାଗ କରି ଭାରତଭୂମିକୁ ବାସୋପଯୋଗୀ କରିଥିଲେ । ପରବର୍ତ୍ତୀ କାଳରେ ବୀର ରାବଣର ଯୁଦ୍ଧ ବିଗ୍ରହ ଓ ଦେଶଜୟ ଏବଂ କୁରୁପାଣ୍ଡବଙ୍କର ଯୁଦ୍ଧ ଆଜିଯାଏ ମଧ୍ୟ କାହାରି ମାନସପଟରୁ ଲିଭିଯାଇ ନାହିଁ । ଆର୍ଯ୍ୟଭୂମି ମଧ୍ୟରେ ତଥା ସାରା ପୃଥିବୀରେ ଏହି ପ୍ରକାର ଯୁଦ୍ଧ ଓ ସ୍ୱାର୍ଥସିଦ୍ଧି ହେଉଛି ।

 

କିନ୍ତୁ ସମୟଚକ୍ରର ଆବର୍ତ୍ତନ ଏଥିରେ ବାଧା ଦେବାରେ ସର୍ବଦା ବ୍ୟଗ୍ର ହୋଇ ଉଠୁଛି । କୌଣସି ଦେଶର ବିଜୟ ଚିରସ୍ଥାୟୀ ନୁହେଁ । କୌଣସି ଲୋକର ସୁଖ ଶାନ୍ତି, ଧନ ସମ୍ପତ୍ତି, ବିପଦ୍‌, ଦୁର୍ବିପାକ ଚିରସ୍ଥାୟୀ ନୁହେଁ । କବି ଯଥାର୍ଥ ଗାଇଛନ୍ତି :—

 

‘‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ।’’

 

ଆଜି ଅନେକ ଦେଶ ପରାଧୀନ ଓ ନିର୍ବୀର୍ଯ୍ୟଭାବରେ ଦୁଃଖକକ୍ଷାଘାତରେ ନିଷ୍ପେଷିତ । କେତେ ଦେଶ ନିଜର ବିଜୟୋଲ୍ଲସରେ ଉନ୍ମତ୍ତ । ଏ ସୁଖଶାନ୍ତିର ମୂଳ ଅନ୍ୱେଷଣ କଲେ ଲୋକ ସ୍ୱାର୍ଥ ରାକ୍ଷସର ହୁଙ୍କାର ଶୁଣେ, ଦୁଃଖୀ ଦୁଃଖୀର ରକ୍ତଚକ୍ଷୁ ଦେଖେ ଏବଂ ବୁଦ୍‌ବୁଦବତ୍ ସୁଖର ଆସ୍ଫାଳନ ବିଷୟ ଚିନ୍ତା କରେ । ଇଉରୋପର ଅନେକ ଦେଶ ଆଜି ନିଜର ବୀରତ୍ୱବଳରେ ପରସ୍ପରଠାରୁ କିଛି କିଛି ଲାଭ କରିବାକୁ ପ୍ରତି ମୁହୂର୍ତ୍ତରେ ଉଦ୍‌ବିଗ୍ନ । ମୁସୋଲିନୀ ଆଜି ରଣଦୁନ୍ଦୁଭି ବଜାଇ ଉଠୁଛନ୍ତି, ହିଟଲର ହୁଙ୍କାରନାଦରେ ଗଗନ ପ୍ରତିଧ୍ୱନିତ କରୁଅଛନ୍ତି, ଷ୍ଟାଲିନ୍ ରୁଜ୍‌ଭେଲଟ୍‌, ପ୍ରାଙ୍କୋ, ବଲଡ଼ୁଇନ୍, କାମାଲପାଶା, ଓ ଡି. ଭେଲେରା ପ୍ରମୁଖ ରାଜନୀତିଜ୍ଞମାନେ ନିଜର କଳା କୌଶଳରେ ଆଡ଼ମ୍ବର ଦେଖାଉ ଅଛନ୍ତି ।

 

ଏ ସମସ୍ତ ଭାବିଲେ ମନେ ହୁଏ, ସତେ ଯେପରି ସେମାନେ ସ୍ୱାର୍ଥର କବଳରେ ପଡ଼ି ଆର୍ତ୍ତନାଦ କରୁଅଛନ୍ତି । ଅନେକ ଦେଶ ସ୍ୱାର୍ଥ ରାକ୍ଷସର କବଳରେ ପଡ଼ି ଏବଂ ଦାସତ୍ୱପାଷାଣର ଚାପକୁ ଏଡ଼ି ନ ପାରି ବ୍ୟାଘ୍ର କବଳିତ ବୃଷଭତୁଲ୍ୟ ଗର ପାଡ଼ୁଛନ୍ତି ।

 

ଅନେକେ ବାହାରେ ଶାନ୍ତି ଶାନ୍ତି ଚିତ୍କାର କରୁଅଛନ୍ତି । ବାସ୍ତବିକ ସମସ୍ତ ବିଷୟ ଅନୁଧ୍ୟାନ କଲେ ଜଣାଯାଏ, ମନୁଷ୍ୟର ମୃତ୍ୟୁହିଁ ତାର ଚିରଶାନ୍ତି । ପୃଥିବୀ ଯେତେ ଦିନ ଯାଏ ଅଛି, ଜୀବସୃଷ୍ଟି ଯେତେ ଦିନଯାଏ ଖାଦ୍ୟଲାଭେଚ୍ଛା ମନରେ ରଖିଛି, ସେତେଦିନ ଯାଏ ଯୁଦ୍ଧ ଓ କଳହ କେବେ ହେଲେ ଦୂର ହେବ ନାହିଁ, ବରଂ ବେଳକୁବେଳ ବଢ଼ିବ ।

 

ଆଜି ପୃଥିବୀରେ ଭୟଙ୍କର ଅଭାବ-ଝଞ୍ଜା ପ୍ରବାହିତ । ଅଭାବଯୋଗୁଁ ପିତା ପୁତ୍ର ସଙ୍ଗେ, ଶିଷ୍ୟ ଗୁରୁ ସଙ୍ଗେ ଓ ଶିଶୁ ଶିଶୁ ସଙ୍ଗେ କଳହ କରେ । କିଏ କେତେ ପ୍ରକାର ବୁଦ୍ଧି, ବିଦ୍ୟା, ଜ୍ଞାନ, ଚରିତ୍ର ଓ ଗୁଣର ବାହାଦୁରି ଦେଖାଏ । ଅଭାବଯୋଗୁଁ ସତ୍ୟ ମିଥ୍ୟାରେ, କଳା ଧଳାରେ, ଧର୍ମ ଅଧର୍ମରେ, ଅହିଂସା ହିଂସାରେ, କୃତଜ୍ଞତା କୃତଘ୍ନତାରେ ପରିଣତ ହେଉଛି ।

 

ସଂସାରରେ ବେଳକୁବେଳ ଅନେକ ନୂଆ ନୂଆ ପଦାର୍ଥ ଆବିଷ୍କୃତ ହେଉଛି । ଏଥିରେ କିଏ କହୁଛି ବିଶେଷ ସୁବିଧା ହେଲା, ଅମକ ଜିନିଷଟା । କିଏ କହୁଛି, ଏହା ନ ହେଲେ ନ ଚଳେ । ଆଚ୍ଛା, ଯେତେବେଳେ ଉକ୍ତ ପଦାର୍ଥ ବାହାରି ନ ଥିଲା, ସେତେବେଳେ ତ କେହି ତାର ଅଭାବ ବୋଧ କରୁ ନ ଥିଲେ ଓ କେହି ତ ଅଚଳ ଭାବରେ ରହୁ ନ ଥିଲେ । ମନୁଷ୍ୟର ପ୍ରକୃତି, ଯେତେ ସୁବିଧା ପାଇବ ସେତେ ଅସୁବିଧା ଭୋଗ କରିବ । ଯେପରି ରାତି ନ ଥିଲେ କେହି ଦିନର ମାଧୁରୀ, କୁତ୍ସିତ ନ ଥିଲେ ସୁନ୍ଦରର ଆଦର, ଅଶିକ୍ଷିତ ନ ଥିଲେ ଶିକ୍ଷିତର ପ୍ରତିଭା ବୁଝି ପାରନ୍ତେ ନାହିଁ, ସେହିପରି ଅସୁବିଧା ନ ଥିଲେ କେହି ସୁବିଧାର ମୋହନମୂର୍ତ୍ତି ଦର୍ଶନ କରି ପାରନ୍ତେ ନାହିଁ । ଏଣୁ ଅଭାବ ଅନନ୍ତ ଓ ସଦ୍‌ଭାବ ସାନ୍ତ । କବି ଗାଇଛନ୍ତି—

 

‘‘ମାନବଲାଳସା କାହିଁ ହୋଇଛ ତୃପତ

ଲୋଭ ସଙ୍ଗେ ଅଭିଳାଷ ବଢ଼େ ଅବିରତ ।’’

 

ଏଥିରୁ ଜଣାଯାଏ ଯେ, ଅଭାବ ଏସବୁ ନୂତନ ଆବିଷ୍କାରର ପ୍ରସୂତି । ଅଭାବ ନ ଥିଲେ ମନୁଷ୍ୟ ଏତେ କଷ୍ଟ ସ୍ୱୀକାର କରି ଏପରି କରନ୍ତା ନାହିଁ ।

 

ଆଜି ସ୍କୁଲର ଛାତ୍ର-ଶିକ୍ଷକ, ବିଚାରାଳୟର କିରାଣି-କର୍ମଚାରୀ, ସହରର ବ୍ୟବସାୟୀ ଭିଖାରୀ ଓ ଗ୍ରାମର କୃଷକ-ପୁରୋହିତ ଆଦି ସର୍ବପ୍ରକାର ବ୍ୟବସାୟୀଙ୍କ ମଧ୍ୟରେ ସବୁବେଳେ ପ୍ରତିଦ୍ୱନ୍ଦିତା ବାସ କରି ରହିଛି ।

 

କ୍ଷୁଦ୍ରଠାରୁ ବୃହତ୍ ପର୍ଯ୍ୟନ୍ତ ସମସ୍ତେ ସର୍ବଦା ବଡ଼ ହୋଇ ସୁଖଶାନ୍ତିରେ ରହିବାକୁ ଇଚ୍ଛା କରୁଅଛନ୍ତି । ମନୁଷ୍ୟର ଉଚ୍ଚାଭିଳାଷ ଆକାଶଠାରୁ ଉଚ୍ଚ, କିନ୍ତୁ କ୍ଷମତା ସାମାନ୍ୟ ତୃଣଠାରୁ ନୀଚ । ଏ ପୃଥିବୀରେ ପୂର୍ଣ୍ଣମାତ୍ରାରେ କାହାରି ଇଚ୍ଛା ସଫଳ ହୋଇ ନାହିଁ । ସମସ୍ତଙ୍କ ଅନ୍ତରର କୌଣସି ନା କୌଣସି କୋଣରେ ଅଭାବର ଚିତା ଜଳୁଛି ।

 

ଅଭାବ ମଧ୍ୟରେ କ୍ଷୁଧା ପ୍ରଧାନ ଓ ମୁଖ୍ୟ । କ୍ଷୁଧା ଯୋଗୁଁ ସମ୍ରାଟ ଯୁଦ୍ଧ କରି ଦେଶ ଜୟ କରେ, ମନ୍ତ୍ରୀ ବୁଦ୍ଧିର ପ୍ରବୀଣତା ଦେଖାଇ ଅର୍ଥ ଉପାର୍ଜନ କରେ, ସେନାପତି ପ୍ରାଣ ଦିଏ, ଛାତ୍ର ପରିଶ୍ରମ କରି ସ୍ୱାସ୍ଥ୍ୟ ହରାଏ ଓ କୃଷକ ମୁଣ୍ଡଝାଳ ତୁଣ୍ଡରେ ମାରେ । କ୍ଷୁଧା ଯୋଗୁଁ ସମସ୍ତେ କାର୍ଯ୍ୟ ତତ୍ପର । କ୍ଷୁଧାର୍ତ୍ତ ହେଲେ କେହି ସ୍ଥାନାସ୍ଥାନ, ପାତ୍ରାପାତ୍ର ସମୟାସମୟ, ଜ୍ଞାନାଜ୍ଞାନ ଓ ଭଲମନ୍ଦ ବିଚାର କରି ପାରନ୍ତି ନାହିଁ; ତେଣୁ କ୍ଷୁଧାର କବଳରୁ ରକ୍ଷା ପାଇବାକୁ ହେଲେ ଜୀବନର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ—ଯୁଦ୍ଧ, ବୀରତ୍ୱ ଓ ରକ୍ତପାତ ।

Image

 

ସଂସାରରେ ପ୍ରବେଶ କରୁଥିବା ଜଣେ ଯୁବକ ପ୍ରତି କେତେକ ସଦୁପଦେଶ

(ଇଂଲଣ୍ଡର ପ୍ରଧାନ ଲେଖକ ଗୋଲ୍‌ଡ଼ସ୍ମିଥ୍‌ଙ୍କ ଲେଖାର ଅନୁବାଦ)

 

ସାଧାରଣତଃ କେତେକ ଯୁବକଙ୍କଠାରେ ସୁଦୃଢ଼ ଇଚ୍ଛା ଥିବାର ଦେଖାଯାଏ ନାହିଁ । ସେମାନେ ପ୍ରଥମେ କୌଣସି ବନ୍ଧୁଙ୍କର ଉପଦେଶ କିଛି ସମୟ ପାଇଁ ଗ୍ରହଣ କରନ୍ତି, ତା ପରେ ଅନ୍ୟ ଜଣେ ବନ୍ଧୁଙ୍କର ଉପଦେଶ ଭିକ୍ଷା କରନ୍ତି, ତାକୁ ପୁଣି ବନ୍ଦ କରି ତୃତୀୟର ଉପଦେଶ ପ୍ରାର୍ଥୀ ହୋଇ ତାହାଠାରୁ ଦୃଢ଼ଭାବରେ ଗ୍ରହଣ କରି ନ ପାରି ସବୁବେଳେ ମତ ପରିବର୍ତ୍ତନରେ ଲାଗିଥାନ୍ତି । ଯାହାହେଉ, ଏପରି ପରିବର୍ତ୍ତନର ଫଳ କେବଳ ବିଷମୟ ନ ହୋଇ ଆଉ କଣ ହୋଇ ପାରେ ? କୌଣସି ବିଶିଷ୍ଟ କାର୍ଯ୍ୟରେ ଲୋକେ ଜଣକୁ ଏକାନ୍ତ ଅକ୍ଷମ ବୋଲି କହିପାରନ୍ତି, ତଥାପି ସେମାନଙ୍କ କଥାରେ କେବେ ହେଲେ କାନ ଦେବା ଉଚିତ ନୁହେଁ । ଯେ କୌଣସି କାମ ଯେବେ ଦୃଢ଼ସଙ୍କଳ୍ପ ଓ ଅଧ୍ୟବସାୟ ସହ ଗ୍ରହଣ କରାଯାଏ, ତେବେ ନିଶ୍ଚୟ ତହିଁରେ ତୁମେ ଉପଯୁକ୍ତ ହେବ ଏବଂ ଏହା ଯୌବନରେ ସାହାଯ୍ୟ ଓ ବାର୍ଦ୍ଧକ୍ୟରେ ସୁଖ ଦେଇ ପାରିବ । ପ୍ରତ୍ୟେକ ବ୍ୟବସାୟର ଭଲଗୁଣ ହୃଦୟଙ୍ଗମ କରିବାରେ ସାଧାରଣ ବୁଦ୍ଧି ଦରକାର ଓ ଟିକିଏ ବୋକାମୀ ଥିଲେ ମଧ୍ୟ ତାହା ଚଳନୀୟ । ସୂକ୍ଷ୍ମବୁଦ୍ଧି ଓ ପ୍ରତିଭାବାନ୍ ଲୋକମାନଙ୍କର ଗୁଣ ଓ କାର୍ଯ୍ୟ ସମୟ ସମୟରେ ମଧ୍ୟମ ପ୍ରକାର ବୁଦ୍ଧିବିଶିଷ୍ଟ ଲୋକଙ୍କ ଗୁଣ ଓ କାର୍ଯ୍ୟ ଅପେକ୍ଷା ନିକୃଷ୍ଟତର ହୋଇଥାଏ । ଏ ଜୀବନର ଗତି କୌଣସି ଦୌଡ଼ ସଙ୍ଗେ ତୁଳନୀୟ; କିନ୍ତୁ ଏ ଉପମାରେ ଦେଖାଯାଏ ଯେ, ଦ୍ରୁତଗାମୀକୁ ସମୟ ସମୟରେ ବଡ଼ କଷ୍ଟରେ ଅଟକାଇବାକୁ ହୁଏ ।

 

ଜଣେ ଲୋକ ଗୋଟିଏ ବ୍ୟବସାୟ ଉତ୍ତମରୂପେ ଜାଣିଲେ, ତାହା ଯଥେଷ୍ଟ ଏବଂ ଯେ ଯାହା କହିଲେ ମଧ୍ୟ ସେ ତହିଁରେ କୃତକାର୍ଯ୍ୟ ହୋଇ ପାରିବ; ତେଣୁ କୌଣସି ଗୋଟିଏ କାର୍ଯ୍ୟରେ ସନ୍ତୁଷ୍ଟ ହୁଅ; କାରଣ ତୁମେ ଯଦି ଦୁଇଟି କାର୍ଯ୍ୟ ଏକ ସମୟରେ ଶିକ୍ଷା କର, ତେବେ କୌଣସି କାର୍ଯ୍ୟରେ ଉପଯୁକ୍ତ ହୋଇ ପାରିବ ନାହିଁ । ଏକ ସମୟରେ ଦୈବାତ୍ ଜଣେ ବହୁଗୁଣସମ୍ପନ୍ନ ବ୍ୟକ୍ତି ଓ ଜଣେ ଦରଜି ଭେଟ ହେଲେ । ସେ ଦରଜିଟି କହିଲା, ‘‘ହାୟ ! କଣ କରିବି ? କି ହତଭାଗା ମୁଁ-! ଯଦି ଲୋକମାନେ ଦୃଢ଼ପ୍ରତିଜ୍ଞ ହୋଇ ପୋଷାକ ବ୍ୟତୀତ ଦିନ କଟାଇବାର ଇଚ୍ଛା କରନ୍ତି, ତେବେ ମୋର ସର୍ବନାଶ ! ଅନ୍ୟ ବ୍ୟବସାୟ ଅବଲମ୍ବନ କରିବାକୁ ମୋର କ୍ଷମତା ନାହିଁ ।’’ ଦ୍ୱିତୀୟ ଜଣକ କହିଲେ, ‘‘ବାସ୍ତବିକ ବନ୍ଧୁ ! ମୁଁ ତୁମ ବିଷୟ ନେଇ ଏକାନ୍ତ ଦୁଃଖିତ । କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ, ମୋ ବିଷୟରେ ଏପରି କିଛି ମନ୍ଦ ଘଟଣା ଘଟି ପାରିବ ନାହିଁ । କାରଣ ଯଦି ମୋର ଗୋଟିଏ ଚାଲାକିରେ ମୁଁ ଅକୃତକାର୍ଯ୍ୟ ହୁଏଁ, ତେବେ ମୁଁ ତହିଁରେ ଅସଂଖ୍ୟ ଚାଲାକି ଲଗାଇ କାମ ହାସଲ କରିନେବି । ତେବେ ଯାହାହେଉ, ଯେବେ କୌଣସି ସମୟରେ ତୁମେ ଦରିଦ୍ର ହୋଇଯାଅ, ତେବେ ମୋ ପାଖକୁ ଦରଖାସ୍ତ କରିବ ଓ ମୁଁ ତୁମକୁ ଗ୍ରହଣ କରିବି ।’’

 

ଦେଖୁ ଦେଖୁ ଗୋଟିଏ ଦୁର୍ଭିକ୍ଷ ସେ ରାଜ୍ୟରେ ପଡ଼ିଲା ଓ ସେ ଦରଜି କୌଣସିମତେ ଜୀବନ ରଖିବାକୁ ଚେଷ୍ଟା କଲା, କାରଣ ପୋଷାକ ବ୍ୟତୀତ ତାର ଗହକି ରହି ପାରିଲେ ନାହିଁ; କିନ୍ତୁ ବିଚାରା ବହୁଗୁଣଜ୍ଞ ତାର ଅସଂଖ୍ୟ ଚାଲାକିର ସାହାଯ୍ୟରେ ମଧ୍ୟ କାହାଠାରୁ କାଣି କଉଡ଼ିଏ ସୁଦ୍ଧା ବାହାର କରି ପାରିଲା ନାହିଁ । ସର୍ବଶେଷରେ ସେ ବାଧ୍ୟ ହୋଇ ଭୋକ ଉପାସରେ କାଳ କାଟିଲା ଓ ତାକୁ କେହି ହେଲେ ସାହାଯ୍ୟ କଲେ ନାହିଁ । ଶେଷରେ ସେ ଯେଉଁ ଦରଜିର ବ୍ୟବସାୟକୁ ନିନ୍ଦା କରୁଥିଲା, ସେହି ଲୋକର ଦ୍ୱାରସ୍ଥ ହୋଇ କିଛି ସାହାଯ୍ୟ ଭିକ୍ଷା କଲା ।

 

ଭାଗ୍ୟ ବିରୁଦ୍ଧରେ ଯିବା ପାଇଁ ଗର୍ବ ଓ କ୍ରୋଧଠାରୁ ବଳି ଅନ୍ୟ ଗୁରୁତର ଶତ୍ରୁ ନାହାନ୍ତି । ଯଦି କୌଣସି ବିଷୟରେ ତୁମେ ଅନ୍ୟଦ୍ୱାରା ଅପମାନିତ ହେଲ, ତେବେ ଧନୀ ନ ହେବା ପର୍ଯ୍ୟନ୍ତ ସେ ପ୍ରତିଶୋଧ କାମନାକୁ ଅନ୍ତରରେ ଚାପି ରଖ ଏବଂ ପରେ ପ୍ରକାଶ କର । ଗରିବ ଲୋକର କ୍ରୋଧ ନିରୀହ କୀଟର ଦଂଶନଠାରୁ ହୀନ । ଏପରି କରିବା ଦ୍ୱାରା କୀଟଟି ଯେପରି ନିଜକୁ ରକ୍ଷା କରି ନ ପାରି ପଦଦଳିତ ହୋଇଯାଏ, ସେହିପରି କ୍ରୋଧାନ୍ଧ ଗରିବ ପକ୍ଷରେ କ୍ରୋଧର ଫଳ ହୁଏ । ଫମ୍ପା ଓ ବୃଥା ଭୟପୂର୍ଣ୍ଣ କ୍ରୋଧର ବା ମୂଲ୍ୟ କଣ ?

 

ଏକଦା ଗୋଟିଏ ହଂସୀ ତାର ଛୁଆକୁ ଗୋଟିଏ ଗଡ଼ିଆ ନିକଟରେ ଚରାଉଥିଲା । ଏପରି ଅବସ୍ଥାରେ ଥାଇ ମଧ୍ୟ ତାର ଗର୍ବ ଓ ବାହ୍ୟ ଆଡ଼ମ୍ବରର କିଛି ସୀମା ନ ଥିଲା । ଯଦି କୌଣସି ଜୀବ ତା ପ୍ରତି କିଛି କ୍ଷତି କରିବା ଅଭିପ୍ରାୟ ମନରେ ନ ରଖି ମଧ୍ୟ ସେ ବାଟଦେଇ ଯାଉଥିଲା, ତେବେ ସେ ହଂସୀ ତା ପ୍ରତି ହଠାତ୍ ମିଶି ଆସୁଥିଲା । ସେ କହୁଥିଲା, ‘‘ଏ ଗାଡ଼ିଆ ମୋର ନିଜର । ଯେତେଦିନ ପର୍ଯ୍ୟନ୍ତ ମୋ ଚଞ୍ଚୁରେ ଝୁମ୍ପିବା ଶକ୍ତି ଓ ପକ୍ଷରେ ଉଡ଼ିବା ଶକ୍ତି ଥିବ, ସେତେଦିନ ଯାଏ ମୁଁ ଏଥିରୁ ମୋ ଅଧିକାର ଛାଡ଼ିବି ନାହିଁ ।’’ ଏହିପରି ଭାବରେ ପାତିହଂସ, ଘୁଷୁରିଛୁଆ, କୁକୁଡ଼ାଛୁଆ ଏବଂ ଏପରି କି ଚତୁର ବିରାଡ଼ିକୁ ମଧ୍ୟ ସେଠାରୁ ତଡ଼ି ଦେଉଥିଲା । ଦିନେ ଗୋଟାଏ ତୃଷାର୍ତ୍ତ କୁକୁର ସେହି ବାଟ ଦେଇ ଯାଉଥିଲା ଏବଂ ସେ ଭାବିଲା, ‘‘ଏଇ ପୋଖରୀରୁ ଟିକିଏ ପାଣି ପିଇ ତୃଷା ନିବାରଣ କଲେ କିଛି କ୍ଷତି ହେବ ନାହିଁ ।’’ ଏଥିରେ ସେହି ହଂସୀ ତାହା ଆଡ଼କୁ ବିରକ୍ତି ସହ ଉଡ଼ିଆସି ଥଣ୍ଟରେ ଖୁମ୍ପି ପକାଇଲା ଏବଂ ଡେଣାଦ୍ୱାରା ତାକୁ ପ୍ରହାର କରିବାକୁ ଛାଡ଼ି ନ ଥିଲା । କୁକୁରଟି ଭୟଙ୍କର ଭାବରେ ରାଗି ଯାଇଥିଲା; କିନ୍ତୁ ତା ପ୍ରଭୁ ତା ନିକଟରେ ଥିବାରୁ ସେ ତା ବିରକ୍ତିକୁ ଚାପି ରଖି ତାଚ୍ଛଲ୍ୟ ସହ୍ୟ କରି କହିଲା, ‘‘ବାସ୍ତବିକ୍ ଯେଉଁମାନଙ୍କର ବେଶୀ ବଳ କିମ୍ବା ଯୁଦ୍ଧ କରିବାକୁ ଅସ୍ତ୍ର ଶସ୍ତ୍ର ନାହିଁ, ସେମାନେ ଅନ୍ତତଃ ଭଦ୍ର ଓ ଶାନ୍ତ ହେବା ଆବଶ୍ୟକ । ତୁମର ଏ ପକ୍ଷର ଫଡ଼ ଫଡ଼ ଶବ୍ଦ ଓ ଶି-ଶି ଚିତ୍କାର ଦିନେ ତୁମ ମୁଣ୍ଡ କାଟିବାର କାରଣ ହେବ; ଏହା ତୁମ ଶତ୍ରୁର କିଛି କ୍ଷତି କରି ପାରିବ ନାହିଁ, କି ତୁମକୁ ମଧ୍ୟ ରକ୍ଷା କରି ପାରିବ ନାହିଁ ।’’ ଏହା କହି ହଂସର ବାଧା ସତ୍ତ୍ୱେ ଗଡ଼ିଆରୁ ଜଳପାନ କରି ତା ପ୍ରଭୁ ପଛେ ପଛେ ଚାଲିଗଲା ।

 

ଉନ୍ନତିର ଆଉ ଏକ ବାଧା ଅଛି । ଯଦି କେହି ଅନ୍ୟକୁ ଅପମାନ ଦେବାକୁ ଇଚ୍ଛୁକ ନ ହେବ, ତେବେ ତାକୁ କେହି ଅପମାନ ଦେବେ ନାହିଁ । ଏପରି କରିବାରେ ସେ ସମସ୍ତଙ୍କୁ ଖୁସି କରି ସମସ୍ତଙ୍କ ଅନୁରୋଧ ରକ୍ଷା କରି ପାରିବ ଏବଂ ସବୁ ସମାଜ ଓ ଦଳ ସଙ୍ଗେ ମିଳାମିଶା କରିବ; କିନ୍ତୁ ତା ମତ ବ୍ୟକ୍ତ କରିବାକୁ ସେ କୁଣ୍ଠିତ ହେବା ଉଚିତ ନୁହେଁ । ସେପରି କଲେ ସେ ଶେଷରେ ମହଣ ବା ଜାଉ ପରି ସମସ୍ତର ଆକାର ଧାରଣ କରିବ । ଗାଈକୁ ‘କଂସାଗିନା’ କହିଲେ ‘ହଁ’ ଭରିବ । ଏପରି ସଂସାରକୁ ଖୁସି କରିବାକୁ ଯାଇ ଶେଷରେ ସେ ଅତିଶୟ ଆଶାଶୂନ୍ୟ ହୋଇ ପଡ଼ିବ । କେତେଜଣ ଗୁଣଗ୍ରାହୀ ପ୍ରଶଂସାକାରୀଙ୍କୁ ନିଜ ପକ୍ଷକୁ ଆଣିବାକୁ ହେଲେ ସେହି କେତେଜଣଙ୍କୁ ସନ୍ତୁଷ୍ଟ କଲେ ଯଥେଷ୍ଟ ।

 

ଥରେ ଜଣେ ପ୍ରସିଦ୍ଧ ଚିତ୍ରକର ସାରା ଦୁନିଆକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ଗୋଟିଏ ଚିତ୍ର ଆଙ୍କିବାକୁ ମନସ୍ଥ କରିଥିଲେ; ତେଣୁ ଯେତେବେଳେ ତାଙ୍କର ସମସ୍ତ ବୁଦ୍ଧି, ବିଦ୍ୟା ଓ ଚାତୁରୀକୁ ଶେଷ କରି ସେ ସେହି ଛବିକୁ ଆଙ୍କି ସାରିଥିଲେ, ସେ ତାହା କୌଣସି ବଜାର ପାଖରେ ପ୍ରଦର୍ଶନୀ ସ୍ୱରୂପ ରଖି ତହିଁର କୌଣସି ସ୍ଥାନରେ ଭୁଲ ଭଟକା ଥିଲେ ଦେଖାଇ ଦେବା ନିମିତ୍ତ ଛବିତଳେ ଲେଖି ଦେଇଥିଲେ ଓ ଗୋଟିଏ ତୂଳୀ ମଧ୍ୟ ତାହା ନିକଟରେ ରଖିଥିଲେ । ଦର୍ଶକବୃନ୍ଦ ଆସି ମୋଟାମୋଟି ଭଲ ମତ ଏକ ସ୍ୱରରେ ଦେଇଥିଲେ ସତ, କିନ୍ତୁ ପ୍ରତ୍ୟେକେ ନିଜ ନିଜ ବୁଦ୍ଧିର ପରିଚୟ ସମାଲୋଚନାରେ ଦେଖାଇ ଦେବା ବାହାନାରେ ଯାହା ଠିକ୍ ଭାବୁଥିଲେ, ତାହା ସେହି ଛବିରେ ଚିହ୍ନିତ କରିଥିଲେ । ସନ୍ଧ୍ୟାରେ ସେ ଚିତ୍ରକର ଆସି ଦେଖିଲେ, ଛବିଟି ଏକାବେଳକେ ଦାଗମୟ ହୋଇ ଯାଇଛି ଓ ପ୍ରତ୍ୟେକ ଚିହ୍ନରେ ମନ୍ଦ ଅଂଶଟିମାନ ଚିହ୍ନିତ ହୋଇ ଯାଇଛି । ତାଙ୍କ ଦୁଃଖ ଓ ବିଷାଦର ସୀମା ରହିଲା ନାହିଁ । ଏପରି ବିଚାରରେ ସେ ସନ୍ତୁଷ୍ଟ ନ ହୋଇ ତହିଁ ଆରଦିନ ଅନ୍ୟ ପ୍ରକାରେ ବିଚାରକମାନଙ୍କୁ ପରୀକ୍ଷା କରି ଦେଖିବାକୁ ଇଚ୍ଛା କଲେ ଏବଂ ଛବି ଖୋଲିଦେଇ ଲେଖିଦେଲେ, ‘‘ପ୍ରତି ଦର୍ଶକ ଛବିରେ ଥିବା ସୁନ୍ଦର ଓ ପ୍ରଶଂସ୍ୟ ସ୍ଥାନଟିମାନ ଦେଖାଇ ଦେବେ ।’’

 

ସେ ଚିତ୍ରକର ପୁଣି ଆସି ଦେଖିଲେ, ଛବିଟିର ପ୍ରତି ଅଂଶ ସୁନ୍ଦର ହୋଇଥିବା ଚିହ୍ନରେ ଚିହ୍ନିତ ଏବଂ ଯେଉଁ ସ୍ଥାନଟିମାନ ପୂର୍ବଦିନ ଦୋଷଯୁକ୍ତ ବୋଲି ଚିହ୍ନିତ ହୋଇଥିଲା, ସେହିଟିମାନ ସୁନ୍ଦର ବୋଲି କେତେକଙ୍କ ଦ୍ୱାରା ପରିଗଣିତ ହେଲା । ଚିତ୍ରକର ଆନନ୍ଦରେ ଚିତ୍କାର କରି ଉଠିଲେ, ‘‘ଓଃ ! ମୁଁ ବର୍ତ୍ତମାନ ଜାଣିଲି, ସଂସାରରେ ଅଧେ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଅନ୍ୟ ଅର୍ଦ୍ଧାଂଶ ଲୋକ ଯାହା କହିବେ, ତାହା ପ୍ରତି ଭ୍ରୂକ୍ଷେପ କରିବା ଉଚିତ ନୁହେଁ; କାରଣ ପ୍ରଥମ ଅର୍ଦ୍ଧଙ୍କ ଚକ୍ଷୁରେ ଯାହା ଅସୁନ୍ଦର, ଦ୍ୱିତୀୟ ଅର୍ଦ୍ଧାଂଶଙ୍କ ଚକ୍ଷୁରେ ତାହା ଅତି ସୁନ୍ଦର ମଧ୍ୟ ହୋଇ ପାରେ । ଏହା ଜଗତର ନିୟମ ।’’

Image

 

ମନୁଷ୍ୟ ନିମିତ୍ତ ମାତ୍ର

 

ବାସ୍ତବିକ୍ ଏ ସଂସାରରେ ଭାଗ୍ୟଚକ୍ରର ଆବର୍ତ୍ତନରେ ନ ପଡ଼ି କେହି ରହି ନାହାନ୍ତି । ପ୍ରତି ମୁହୂର୍ତ୍ତରେ ଉକ୍ତ ଚକ୍ର ମନୁଷ୍ୟର ମସ୍ତକ ଉପରେ ଘୂରୁଛି । ସେହି ଚକ୍ରର ଆବର୍ତ୍ତନରେ ପଡ଼ି ଲୋକ କେତେବେଳେ ସୁଖ ଓ କେତେବେଳେ ଦୁଃଖ ଅନୁଭବ କରେ । କେତେକ କାର୍ଯ୍ୟର ଫଳ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ମନୁଷ୍ୟ କାର୍ଯ୍ୟରେ ନିମିତ୍ତ ମାତ୍ର । ଆମ୍ଭେମାନେ ଯାହାକୁ ବୁଝି ବିଚାରି କରିଛୁ ବୋଲି କହୁଁ, ତାହାର ମୂଲ୍ୟ କିଛି ନୁହେଁ । କାରଣ ଅନେକ ସମୟରେ ମନୁଷ୍ୟ ଯାହା ହୁଣ୍ଡାମିରେ କରେ, ତାହା ଯେତେ ଆନନ୍ଦ ଓ ସୁଖଦାୟକ ହୁଏ, ତାହା ତୁଳନାରେ ଶତ ଚେଷ୍ଟାରେ କରା ହୋଇଥିବା କର୍ମ ଅନେକ ସମୟରେ ବେଶୀ ଦୁଃଖଦାୟକ ହୋଇଥାଏ । ତେବେ ଏ ସବୁର କର୍ତ୍ତା କଣ ମନୁଷ୍ୟର ବୁଦ୍ଧି ? ଅନେକ ନାସ୍ତିକ କହି ପାରନ୍ତି, ଏ ସବୁ କର୍ମର ପ୍ରଭାବ; କିନ୍ତୁ ସୂକ୍ଷ୍ମଦୃଷ୍ଟିରେ ଦୈନନ୍ଦିନ କାର୍ଯ୍ୟକଳାପ ବିଷୟ ବୁଝିଲେ ଜଣାଯାଏ, ଯେପରି ମନୁଷ୍ୟ ଅନ୍ୟ କୌଣସି ଅଦୃଷ୍ଟ ଓ ଅଶ୍ରୁତ ଶକ୍ତି ହସ୍ତରେ ଗୋଟିଏ ପୁତ୍ତଳିକା । ସେ ଶକ୍ତି ମନୁଷ୍ୟକୁ ଯେଉଁ ଭାବରେ ନଚାଏ, ମନୁଷ୍ୟ ସେହି ଭାବରେ ନାଚେ । ସମ୍ଭବ, ସେ ଶକ୍ତି ମନୁଷ୍ୟର ଇଚ୍ଛା ଓ ଭାବନାକୁ ପ୍ରଶ୍ରୟ ଦିଏ । କିନ୍ତୁ ଫଳାଫଳ ପ୍ରତି କେବେହେଲେ ଦାୟୀ ହୁଏ ନାହିଁ । ସେ ଶକ୍ତି ସବୁବେଳେ ଆନନ୍ଦରେ ଉନ୍ମତ୍ତ । ଲୋକ ସୁଖ ପାଇ ଆନନ୍ଦରେ ରହିଲେ ସେ ହସି ହସି ପାଗଳ ହୁଏ ଓ ଦୁଃଖ ଦୁର୍ଦ୍ଦିନରେ ପଡ଼ିଲେ ମଧ୍ୟ ସେ ସେହିପରି ଆନନ୍ଦ ଅନୁଭବ କରେ ।

 

ଅନେକ ସମୟରେ ଅସମ୍ଭବ ସମ୍ଭବ ହୁଏ ଓ ସମ୍ଭବ ଅସମ୍ଭବ ହୁଏ । ଆଚ୍ଛା, ଏ ବିଷୟରେ ଦାୟୀ କିଏ—କଣ ମନୁଷ୍ୟ ? ତାହା ତ ସମ୍ପୂର୍ଣ୍ଣ ଭ୍ରମଶୂନ୍ୟ ପରି ପ୍ରତୀୟମାନ ହୁଏ ନାହିଁ-। କାରଣ ମନୁଷ୍ୟ କଣ କେବେ ତାର ଅମଙ୍ଗଳ ଚିନ୍ତା କରି ଦୁଃଖକୁ ବରଣ କରେ କି ? କେବେ ନୁହେଁ, ବରଂ ସେ ଦିନ ରାତି, ଖରା ବର୍ଷା ଓ ଶୀତ ବସନ୍ତରେ ତାର ଭଲ ପାଇଁ ଧାଇଁଛି । ତେବେ ତାର ଦୁଃଖ କେଉଁଠୁ ଆସୁଛି ? ସବୁବେଳେ ସେ ଅଭାବ ଅଭାବ କହି କାହିଁକି ଆକାଶ ଭାଙ୍ଗି ପକାଉଛି ? ଅନେକେ କହିବେ, ସମସ୍ତେ କଣ ଦୁଃଖ ପାଉଛନ୍ତି ? କେତେକ ସପ୍ତତଳ ଓ ନବତଳ ପ୍ରାସାଦରେ ଦୁଗ୍ଧଫେନନିଭ ଶଯ୍ୟାରେ ସ୍ୱର୍ଗବାସୀ ବିଦ୍ୟୁତକୁ ମଧ୍ୟ ପଲଙ୍କ ଖୁଣ୍ଟରେ ବାନ୍ଧି ରଖିଛନ୍ତି । ତାହା ସତ୍ୟ, କିନ୍ତୁ ଦରିଦ୍ର ଅପେକ୍ଷା ସେମାନଙ୍କ ହୃଦୟରେ ଅଭାବଚିନ୍ତା ନିରନ୍ତର ଧୂ ଧୂ ଜଳି ଉଠୁଛି-। ଆମ୍ଭମାନଙ୍କର ଯଦି ଗୋଟିଏ ଅଭାବ, ତେବେ ତାଙ୍କର ଏହାର ଶତଗୁଣ । ମନୁଷ୍ୟର ଅଭାବ ଭାବ ସବୁ ଯଦି ଚକ୍ଷୁରେ ଦେଖାଯାଇ ପାରୁଥାନ୍ତା ଓ ବସ୍ତୁତୁଲ୍ୟ ହୋଇଥାନ୍ତା, ତେବେ ଅଭାବ ଶିଖରଶିଖର କେଉଁଦିନୁ ସୂର୍ଯ୍ୟମଣ୍ଡଳକୁ ଅତିକ୍ରମ କରି ସାରନ୍ତାଣି । ଅଭାବ ସମସ୍ତଙ୍କର ଅଛି । କବି ଯଥାର୍ଥ ଗାଇଛନ୍ତି—

 

‘‘ମନୁଷ୍ୟଲାଳସା କାହିଁ ହୋଇଛି ତୁପତ,

ଲୋଭ ସଙ୍ଗେ ଅଭିଳାଷ ବଢ଼େ ଅବିରତ ।’’

 

କାଳ ସବୁବେଳେ ମୁଖ ବ୍ୟାଦାନପୂର୍ବକ ସାରା ସୃଷ୍ଟିକୁ ଗ୍ରାସ କରିବାକୁ ବସିଛି । କ୍ଷୟ ଓ ଲୟ ଯେପରି ସୃଷ୍ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ସମସ୍ତେ ତାହାରି ଅଭିମୁଖରେ ଧାବମାନ । କୌଣସି ଶକ୍ତିବଳରେ ସମସ୍ତ ଧ୍ୱଂସ ପାଉଛି । ଲୁହାକୁ କଳଙ୍କ ବା ଅକ୍ସିଜେନ୍‍ ଓ ମାଟିକୁ ଲବଣ ନଷ୍ଟ କଲାଭଳି ମନୁଷ୍ୟଶରୀରକୁ ତୃଷ୍ଣାଜନିତ ଚିନ୍ତା ପ୍ରତି ମୁହୂର୍ତ୍ତରେ ଟିକି ଟିକି କରି କାଟି ଖାଇ ଯାଉଛି । ଚିନ୍ତା-କଳଙ୍କି ଶରୀର ମଧ୍ୟରେ ଲାଗିଲେ ଶରୀର ଓ ମନ ଅଳ୍ପ ସମୟରେ ନଷ୍ଟ ହୋଇଯିବା ଅବଶ୍ୟମ୍ଭାବୀ । କଥିତ ଅଛି, ‘‘ଚିତା ଚିନ୍ତା ଦ୍ୱୟୋର୍ମଧ୍ୟେ ଚିନ୍ତା ଏବ ଗରୀୟସୀ ।’’ ତେବେ ମନୁଷ୍ୟ ରକ୍ଷା ପାଇବ କିପରି ? ତାର କଣ ବାଟ ନାହିଁ ? ଚିନ୍ତା କବଳରୁ ଉଦ୍ଧାର ପାଇବାକୁ ହେଲେ ମନରୁ କାମନାର ବିନାଶ ସର୍ବଦୌ ବାଞ୍ଛନୀୟ ।

 

ସଂସାରରେ ତିଳେ ମାତ୍ର ସୁଖ ନାହିଁ । ଆମେ ଯାହାକୁ ସୁଖ ଓ ଆନନ୍ଦ ବୋଲି ଭାବୁଥାଇଁ, ତାର ଅନ୍ତରାଳରେ ଶାଣିତ କଣ୍ଟକ ବିଦ୍ୟମାନ । ଏଥିରେ ଚାଲିବାକୁ ହେଲେ ପଦେ ପଦେ ବିପଦ । ହାତେ ମାପି ଚାଖଣ୍ଡେ ଚାଲିବାକୁ ହେବ, ନ ହେଲେ ଏକାବେଳକେ ମାକଡ଼-ଚିତ୍ ମାରିବାକୁ ପଡ଼ିବ । ରିପୁକୁଳ ସବୁବେଳେ ସମସ୍ତ ସୁଖର ଅଧିକାରୀ ହେବାକୁ ବ୍ୟଗ୍ର । ମନୁଷ୍ୟ ସେମାନଙ୍କର ଉପକରଣ ମାତ୍ର । ମନୁଷ୍ୟ ଯେ କୌଣସି ରିପୁର କବଳରେ ପଡ଼ିଲେ ତାର ଅଧଃପତନର ମାର୍ଗ ସୁଗମ କରେ । ନିଜେ ନିଜର ଶତ୍ରୁ ହୋଇ କୌଣସି ରିପୁକୁ କ୍ଷୁଦ୍ର ବା ବଳହୀନ ମନେ କରିବ ନାହିଁ । କାରଣ ସମସ୍ତେ ରାକ୍ଷସ, ‘‘ଲଙ୍କାରେ ସାନ ଯେ ସେ ବାଆନ ହାତ ।’ ତେବେ ଏପରି ଅବସ୍ଥାରେ ରିପୁକୁଳ ବିପ୍ଳବରେ ପଡ଼ିବା କିପରି ଭୟାବହ ବିଷୟ, ତାହା ସହଜରେ ଅନୁମେୟ ।

 

ସୁଖ-ଦୁଃଖ, ସମ୍ପଦ-ବିପଦ, ଆନନ୍ଦ-ନିରାନନ୍ଦ ଏ ସବୁରେ ଆମର ହାତ ନାହିଁ । ମନୁଷ୍ୟ ଜନ୍ମଗ୍ରହଣ କଲାବେଳେ ଯେପରି ତାର ସମସ୍ତ ଶକ୍ତି ହରାଇ ସଂସାରକୁ ଆସେ ଓ ଅନ୍ୟ ଜଣକର ଇଚ୍ଛାରେ ଚାଳିତ ହୁଏ । ଅନେକ ବିଷୟରୁ ଜଣାପଡ଼େ, ଯେପରି ମନୁଷ୍ୟ ବା ପ୍ରାଣୀ ଜନ୍ମବେଳେ ଗୋଟିଏ ତାଲିକା ବା ଚାଟ୍ ବେକରେ ଗଳାଇ ଏଠାକୁ ଆସେ । ତହିଁରେ ପ୍ରତି ମୁହୂର୍ତ୍ତ ଓ ନିମେଷର ଘଟନା ଲିପିବଦ୍ଧ ହୋଇଥାଏ । ମନୁଷ୍ୟ ନିମିତ୍ତ ହୋଇ ସେ ସବୁ ସାଧନ ନ କରି ରହି ପାରେ ନାହିଁ-। ଯେଉଁ ସମୟରେ ଯାହା ଘଟିବାର ଥାଏ, ତାହା ଶତ ବାଧା ସତ୍ତ୍ୱେ ଆସି ଘଟିଯାଏ । ଜ୍ୟୋତିର୍ବିଦ୍ ପଣ୍ଡିତମାନେ ଯାହାକୁ ଗ୍ରହ, ଉପଗ୍ରହ, ଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତର୍ଦଶା ବୋଲି କହନ୍ତି, ତାହା ଉପର୍ଯ୍ୟୁକ୍ତ ତାଲିକାର ନାମାନ୍ତର ମାତ୍ର । ତେବେ ଏ ସବୁ କଣ ? କଣ ଉତ୍ତର—ସେହି କର୍ତ୍ତା କେବଳ ଦେଇ ପାରନ୍ତି । ତାହା ମନୁଷ୍ୟ ଭାବନାର ସାଧ୍ୟାତୀତ । ଏତିକି କୁହାଯାଇ ପାରେ ଯେ, ମନୁଷ୍ୟ ନିମିତ୍ତ ମାତ୍ର ଅଟେ ।

Image

 

ପରିବର୍ତ୍ତନ ସଂସାରର ଧର୍ମ

–୧–

 

ପରିବର୍ତ୍ତନ ନ ହେଉଥିବା ପଦାର୍ଥ ସଂସାରରେ ନାହିଁ । ସ୍ଥାବର, ଜଙ୍ଗମ, ମୃତ, ଜଡ଼ ଓ ଜୀବିତ ପ୍ରତ୍ୟେକର ପରିବର୍ତ୍ତନ ଘଟୁଛି । ଏହା ବ୍ୟତୀତ ପ୍ରକୃତିର ପରିବର୍ତ୍ତନ ଅତିଶୀଘ୍ର ଘଟିବାର ଦେଖାଯାଏ । ପ୍ରକୃତିରେ ଯେପରି ପ୍ରତିବର୍ଷ, ପ୍ରତିମାସ, ପ୍ରତିଦିନ ଓ ପ୍ରତିମୁହୂର୍ତ୍ତରେ ପରିବର୍ତ୍ତନ ଦେଖାଯାଏ, ଠିକ୍ ସେହିପରି ଜନସମାଜର ଚରିତ୍ର, ସ୍ୱଭାବ, ଆଚରଣ ଓ ପ୍ରକୃତିରେ ଘନଘନ ପରିବର୍ତ୍ତନ ସୃଷ୍ଟି ହୁଏ । ସମୟରେ ମେଘବିମୁକ୍ତ ଆକାଶରେ ହଠାତ୍ ଝଡ଼ ତୋଫାନ ସୃଷ୍ଟି ହୁଏ, ନିସ୍ତରଙ୍ଗ ହ୍ରଦରେ ଆନ୍ଦୋଳନ ଜାତ ହୁଏ ଓ ଜଳପୂର୍ଣ୍ଣ ହ୍ରଦ ମରୁଭୂମିରେ ପରିଣତ ହୁଏ । ଏହିପରି ଚିତ୍ର ନରସମାଜରେ ମଧ୍ୟ ଦେଖିବାକୁ ମିଳେ । ଦିନେ ଚୋର ରତ୍ନାକର ବାଲ୍ମୀକି ହେଲେ, ଜଗାଇ ମାଧାଇ ପରମଭକ୍ତ ପାଲଟିଲେ ଓ ପ୍ରେମିକ ବିଲ୍ୱମଙ୍ଗଳ ଭଗବଦ୍ଭକ୍ତ ହୋଇ ପାରିଲେ । ଏହିପରି ମଧ୍ୟ ସମୟ ପ୍ରଭାବରେ ଜଣେ ରାଜପୁତ୍ର ଚୋର ହୋଇ ପାରନ୍ତି, ସାମନ୍ତ ବ୍ରାହ୍ମଣ ହତ୍ୟାକାରୀ ହୋଇ ପାରେ ଓ ଚରିତ୍ରବାନ୍ ଚରିତ୍ରହୀନ ଧର୍ମ ଗ୍ରହଣ କରି ପାରେ ।

 

ଏ ସବୁ ଦେଖିଲେ ଏହା ଜଣାଯାଏ ଯେ, ମନୁଷ୍ୟର ଶକ୍ତି ତାର ପ୍ରକୃତି, ଆଚରଣ, ସ୍ୱଭାବ ଓ ଚରିତ୍ର ଉପରେ ନାହିଁ, ବରଂ ସମୟର ଚାପ ଏସବୁ ଉପରେ ବେଶୀ କାର୍ଯ୍ୟ କରୁଛି । ତେବେ ଲୋକ ଚେଷ୍ଟା ନ କଲେ ମଧ୍ୟ ଅନେକ ସମୟରେ ବିଶେଷ ଘଟନା ସହଜରେ ଘଟିଯାଏ ଏବଂ ଅନେକ ସମୟରେ ବିଶେଷ ଚେଷ୍ଟାରେ ମଧ୍ୟ ସ୍ୱଭାବକୁ ବଦଳାଇ ହୁଏ ନାହିଁ । ସ୍ୱଭାବ ପ୍ରଭୃତି ସୂକ୍ଷ୍ମ ପ୍ରକୃତିଗୁଡ଼ିକ ବଦଳାଇବା ପାଇଁ ଦୃଢ଼ ଚେଷ୍ଟା, ଦୃଢ଼ ମନବଳ ଓ ଦୃଢ଼ ଜିଦ୍ ଆବଶ୍ୟକ । ଲୋକ ପକ୍ଷରେ ଅସାଧ୍ୟ କିଛି ନାହିଁ । ଦୃଢ଼ତା ଉନ୍ନତିର ପଥପ୍ରଦର୍ଶକ ।

 

ଅନେକ ସମୟରେ ଦେଖାଯାଏ ଯେ, ଯେଉଁ ନଦୀ ଶୀଘ୍ର ବଢ଼େ, ସେ ଶୀଘ୍ର ଛିଡ଼େ; ଯେଉଁ ଲୋକ ଶୀଘ୍ର ମନେ ରଖେ, ସେ ଶୀଘ୍ର ସବୁ ଭୁଲିଯାଏ ଏବଂ ଯେଉଁ ଲୋକର ଓ ଦେଶର ଜାତି ଓ ଧର୍ମ ଶୀଘ୍ର ଉନ୍ନତି କରେ, ତାର ଶୀଘ୍ର ପତନ ଘଟେ । ଉନ୍ନତି କରୁଥିବା ଲୋକର ପଦେ ପଦେ ସାବଧାନ ହେବା ବାଞ୍ଛନୀୟ । କାରଣ ଦୋଷୀର ଦୋଷକୁ ଦେଖିବାକୁ ସମାଜ ଯେତେ ବ୍ୟଗ୍ର ନୁହେଁ, ଦୋଷହୀନର ସାମାନ୍ୟ ଦୋଷ ଦେଖିବାକୁ ସେତେ ଚକ୍ଷୁଷ୍ମାନ୍ । ଏହାର ପ୍ରଧାନ ପ୍ରମାଣ ଅନେକ । ଜଣେ ଲୋକ ଯଦି ଖଣ୍ଡେ ଲୁଗା ବା କାମିଜକୁ ନାଲି, ହଳଦିଆ, ନୀଳ, କଳା ବା ବାଇଗଣୀ ରଙ୍ଗ ଦେଇ ବ୍ୟବହାର କରେ, ତାକୁ କେହି ସେ ବିଷୟରେ ପ୍ରଶ୍ନ କରିବେ ନାହିଁ; କିନ୍ତୁ ଅନ୍ୟର ସଫା ଲୁଗାରେ କୌଣସିଠାରେ ଟିକିଏ କଳା, ହଳଦିଆ ବା ନାଲି ରଙ୍ଗ ଲାଗିଗଲେ ସମସ୍ତେ ସବୁବେଳେ ସେ ବିଷୟରେ ପ୍ରଶ୍ନ କରିବେ ଏବଂ ସେହି ଦାଗଯୁକ୍ତ ସ୍ଥାନଟି ସମସ୍ତଙ୍କ ଆଖିରେ ଦାଉ ଦାଉ ହୋଇ ଦିଶିବ । ଏହିପରି ଜଣେ ମଦ୍ୟପ ପ୍ରତ୍ୟହ ମାତାଲ ହୋଇ ରାସ୍ତାରେ ପଡ଼ି ରହିଲେ ସେ ବିଷୟ ଲୋକେ ଯେତେ ଆଲୋଚନା କରିବେ ନାହିଁ, ଜଣେ ସାଧୁ ମଦ୍ୟ ଦୋକାନ ବାଟେ ଚାଲିଗଲେ ଲୋକେ ତାଙ୍କୁ ବେଶୀ ସନ୍ଦେହ କରିବେ । ଉଦ୍ଦେଶ୍ୟହୀନ ପରିବର୍ତ୍ତନ ସଂସାରରେ ବିରଳ । ଲୋକ ଅନେକ ସମୟରେ ନିଜର ଭଲ ପାଇଁ ଯାହା କରିବାକୁ ଇଚ୍ଛା କରେ, ତାହା ତାର ଅକାର୍ଯ୍ୟ କରେ । ଏଥିପାଇଁ କହନ୍ତି, ‘‘ନିଜ ଗାତରେ ନିଜେ ପୋତା ।’’ ଅଳ୍ପଦିନ ପୂର୍ବେ ଏ ସବୁର ଗୋଟିଏ ଜ୍ୱଳନ୍ତ ଉଦାହରଣ ମଧ୍ୟପ୍ରଦେଶରେ ଘଟିଯାଇଛି ।

 

ଡାକ୍ତର ଖାରେ ଅବଶ୍ୟ ଭାରତ କଂଗ୍ରେସ ମନ୍ତ୍ରୀମଣ୍ଡଳରେ ଅଳ୍ପଦିନ ମଧ୍ୟରେ କମ୍ କାମ କରି ନ ଥିଲେ । ସେ ଉନ୍ନତ ଗୌରୀଶଙ୍କର ଆରୋହଣ କରୁଥିବାବେଳେ କିଏ ଭାବିଥିଲା ଯେ, ସେ ପୁଣି ପ୍ରଶାନ୍ତ ମହାସାଗରର ଅତଳସ୍ପର୍ଶୀ ଗଣ୍ଡରେ ପଡ଼ିବେ । ଏହା ଆଘାତର ପ୍ରତିଘାତ ନୁହେଁ କି ? ଅବଶ୍ୟ ଦଳବିଦ୍ୱେଷ ଯୋଗୁଁ ତାଙ୍କର ରବିଶଙ୍କର ଶୁକ୍ଳଙ୍କ ସଙ୍ଗେ ମନୋମାଳିନ୍ୟ ଘଟିଥିଲା, କିନ୍ତୁ ସେ ସେଚ୍ଛାଚାରୀ ଓ ସ୍ୱାର୍ଥପର ହୋଇ ଯେଉଁ ଗର୍ତ୍ତ ଖୋଳିଥିଲେ, ତହିଁରେ ପଡ଼ିଥିଲେ ଶୁକ୍ଳଙ୍କର ଅସ୍ତିତ୍ୱ ରହିଥାନ୍ତା କି ?

 

ଖାରେ ଭାରତର ବର୍ଦ୍ଧିଷ୍ଣୁ କଂଗ୍ରେସ-ବୃକ୍ଷରେ ପ୍ରଥମେ ଚୋଟ ଦେବାକୁ ଯାଉଥିଲେ । ସେ କର୍ତ୍ତାଙ୍କୁ ମଧ୍ୟ ସମୟରେ ଭୁଲିଗଲେ । ଦିନେ ଯେଉଁ କଂଗ୍ରେସବଳରେ ସେ ଲୋକସମାଜରୁ ଆଦର ପାଇ ଆସେମ୍ବଲି ମେମ୍ବର ହୋଇ ଶେଷରେ ପ୍ରଧାନ ମନ୍ତ୍ରୀ ହୋଇଥିଲେ, ସେ ପୁଣି ଦିନେ ତାକୁ ନ ପଚାରି ଭେଦଭାବ ସୃଷ୍ଟି କରିବେ, ଏହା କିଏ ସ୍ୱପ୍ନରେ ଭାବିଥିଲା ? କୃତଘ୍ନତା ଅତି ହୀନ ଓ ଘୃଣ୍ୟ ଦୋଷ । ତାର କୁଫଳ ଲୋକ ଯେତେ ଶୀଘ୍ର ଭୋଗ କରିବାର ପ୍ରମାଣ ମିଳେ, ସେପରି ପ୍ରମାଣ ଅନ୍ୟଠାରେ ଦେଖାଯାଏ ନାହିଁ ।

 

ନିରୀହକୁ ପ୍ରକୃତି ସବୁବେଳେ ସାହାଯ୍ୟ ଦିଏ । ଶୁକ୍ଳଙ୍କୁ ସେହିପରି ଆଜି କାର୍ଯ୍ୟକାରୀ ସଭା ସାହାଯ୍ୟ ଦେଇଛି । ଦିନେ ଖାରେ ଶୁକ୍ଳଙ୍କୁ ମନ୍ତ୍ରୀ ପଦରୁ ତଥା ସଦସ୍ୟପଦରୁ ଅନ୍ତର କରି ଦେବାକୁ ଯାଉଥିଲେ । ଶୁକ୍ଳ ଏ ଷଡ଼୍‌ଯନ୍ତ୍ରରୁ ରକ୍ଷା ପାଇବେ ଏହା ବିଶ୍ୱାସୀର ଅବିଶ୍ୱାସ୍ୟ ହୋଇଥିଲା-। ଚକ୍ର ପୁଣି ଘୂରିଲା । ହଠାତ୍ ଶୁକ୍ଳ ନିଜ ମନ୍ତ୍ରୀମଣ୍ଡଳ ଗଢ଼ିଲେ । ତହିଁରେ କୁଚକ୍ରୀ ଖାରେଙ୍କ ନାମ ଗନ୍ଧ ମଧ୍ୟ ରହିଲା ନାହିଁ । ସେତିକିରେ ମଧ୍ୟ ଯବନିକା ପାତ ହେଲା ନାହିଁ । ଆଜି ଖାରେ ନିଜେ ସଭାରୁ ବାହାରୁ ଅଛନ୍ତି । ଶୁକ୍ଳଙ୍କ ପାଇଁ ଖୋଳିଥିବା ଗର୍ତ୍ତରେ ପଡ଼ି ସେ ଆଜି ନିଜେ ଛଟପଟ ହେଉଛନ୍ତି । ପରର ଅନିଷ୍ଟ ଚିନ୍ତା ମହାପାପ ଓ ଜଘନ୍ୟଭାବ । ଏହା ଯେଉଁ ମନୁଷ୍ୟ ଯେତେ ହୃଦୟଙ୍ଗମ କରେ, ସେ ସେତିକି ଉନ୍ନତି ପଥର ପଥିକ ହୁଏ । ସାବଧାନତା ସବୁଥିରେ ଲୋଡ଼ା । ‘‘ନିଜ ଗାତରେ ନିଜେ’’ ଏହା ପ୍ରମାଣିତ । ପରିବର୍ତ୍ତନ ସଂସାରର ଧର୍ମ; ଏହା ସବୁଠାରେ ଓ ସବୁ ସମୟରେ ବିଶ୍ୱାସଯୋଗ୍ୟ ।

 

ଏହି ପରିବର୍ତ୍ତନ ଏହି କେତେକ ବର୍ଷ ହେଲା ପୃଥିବୀର ବାୟୁମଣ୍ଡଳରେ ବେଶୀ କାମ କରିଛି । ଏହାରି ବଳରେ ହିଟ୍‌ଲର୍ ଜଗତକୁ ଡରାଉଛନ୍ତି, ମୁସୋଲିନୀ ଭିନ୍ନ ଦେଶକୁ ଧମକାଉ ଅଛନ୍ତି, ଯାପାନ ଚୀନରେ ମାଡ଼ିଯାଉଛି ଓ ପାଷାଣପିଣ୍ଡବତ୍ ଭାରତକଂଗ୍ରେସ ଦୁଇ ଫାଳ ହୋଇ ଯାଇଛି । ଏହା ଦେଖିଲେ କଣ କିଏ ବିଶ୍ୱାସ କରିବ ଯେ, ଏହା ମନୁଷ୍ୟର କାର୍ଯ୍ୟ ? ଧନ୍ୟ ଏ ପ୍ରବାହ ! ଧନ୍ୟ ଏହାର ଶକ୍ତି !! ଧନ୍ୟ ଏହାର ପ୍ରେରଣା !!!

 

ଚିନ୍ତାଧାରା

–୧–

 

ଏ ବିଶ୍ୱତତ୍ତ୍ୱ ବଡ଼ ବିଚିତ୍ର । ଏହାର ସମସ୍ତ ବିଷୟ ଅନୁଧ୍ୟାନ କଲେ ମନୁଷ୍ୟର ମସ୍ତିଷ୍କ ବିକୃତ ହୋଇଯିବାର ଯଥେଷ୍ଟ ଆଶଙ୍କା ଅଛି । ଜୀବଜଗତରେ ‘‘ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ’’ ଏ ଜୟତକ୍କା ପିଟିବାକୁ ମନୁଷ୍ୟମାନେ ଏକାନ୍ତ ବ୍ୟଗ୍ର; କିନ୍ତୁ ଆଚାର, ବ୍ୟବହାର, ସ୍ୱଭାବ, ସମାଜନୀତି, ଭକ୍ତି, ସ୍ନେହ, ଦୟା, ତିତିକ୍ଷା ଓ ଏକତା ବିଷୟରେ ଅନେକ ପଶୁ ଓ କ୍ଷୁଦ୍ର ଜୀବ ମନୁଷ୍ୟର ଜୀବନବ୍ୟାପୀ ଶିକ୍ଷକ ହୋଇ ପାରିବେ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଅନେକ ମହାପୁରୁଷ ପ୍ରକୃତିକୁ ଶିକ୍ଷକ ବୋଲି ସ୍ୱୀକାର କରି ଯାଇଅଛନ୍ତି । ପ୍ରକୃତିରୁ ଯଦି କେହି କିଛି ଶିକ୍ଷା କରି ନ ପାରେ, ତେବେ ସେ ବଡ଼ ଅନ୍ଧ, କାଲ ଓ ଜଡ଼ରୂପେ ବିବେଚିତ ହେବା ଦରକାର ।

 

–୨–

 

କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଏହି ଛଅଗୋଟି ରିପୁ ସବୁବେଳେ ଏ ସଂସାରର ଅଧିକାରୀ ହୋଇଅଛନ୍ତି ଓ ସେମାନେ ବିଶ୍ୱର ପତ୍ରେ ପତ୍ରେ, ଛତ୍ରେ ଛତ୍ରେ ଓ ରନ୍ଧ୍ରେ ରନ୍ଧ୍ରେ ବିଦ୍ୟମାନ । ଏମାନଙ୍କ ଦ୍ୱାରା ସମସ୍ତେ ଶାସିତ ଓ ସମସ୍ତେ ଏମାନଙ୍କର କ୍ରୀତଦାସ । ଏ ରିପୁମାନେ ଯେଉଁ ମୁହୂର୍ତ୍ତରେ ଜୀବକୁ ଯାହା କରିବାକୁ କହୁଛନ୍ତି, ସେ ସେହି ମୁହୂର୍ତ୍ତରେ ତାହା ସାଧନ କରିବାକୁ ବାଧ୍ୟ । ମନ ଉପରେ ଏମାନଙ୍କର ତୀର ପ୍ରୟୋଗ ଅମୋଘ । କଥିତ ଅଛି, କାମକବଳରୁ ସଂଯମଶୀଳ ଦେବଦେବ ମହାଦେବ ନିଜେ ମଧ୍ୟ ରକ୍ଷା ପାଇ ପାରି ନ ଥିଲେ । ଅନ୍ୟମାନଙ୍କର କଥାକୁ ବା ଗାର କରେ କିଏ ?

 

ଏହିପରି କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ରିପୁଗୁଡ଼ିକର ବିଷୟ ଊଣା ଅଧିକରେ ପୁରାଣରେ ବର୍ଣ୍ଣିତ ହୋଇଅଛି । ଏମାନଙ୍କର ଶ୍ରେଣୀବିଭାଗ ଓ କ୍ରମିକ ତାଲିକା ଠିକ୍ ଥିଲା ପରି ବୋଧ ହୁଏ । କାମ ଏମାନଙ୍କ ମଧ୍ୟରେ ବେଶୀ ବଳଶାଳୀ, ତେଣୁ ତାର ଶାସନ ଚାରିଆଡ଼େ ଅଧିକ ପରିମାଣରେ ଦେଖାଯାଏ ।

 

ମତ୍ସରଭାବ ଅତି ନୀଚ । ତାହା ସର୍ବାଦୌ ବର୍ଜନୀୟ । ଲୋକ ଅଳ୍ପ ଚେଷ୍ଟା କଲେ ଏହି ଖରାପ ପ୍ରକୃତି ହସ୍ତରୁ ରକ୍ଷା ପାଇ ପାରେ । ମତ୍ସରୀ ମନରେ ଅଶାନ୍ତିଅନଳ ସବୁବେଳେ ଧୂ ଧୂ ହୋଇ ଜଳୁଥାଏ । ଏ ଅଗ୍ନି ବଡ଼ ବିଷମୟ । ମତ୍ସରୀ ଅନ୍ୟର ଯେ ପରିମାଣରେ କ୍ଷତି କରେ, ତହିଁରୁ ବହୁ ଗୁଣରେ ଅନିଷ୍ଟ କରେ ନିଜର । ସମୟ ସମୟରେ ଅନ୍ୟ ପାଇଁ ପ୍ରସ୍ତୁତ କରିଥିବା ଚିତାରେ ସେ ନିଜେ ପୋଡ଼ି ହୋଇ ମରେ । କବିବର ଯଥାର୍ଥ ଗାଇଛନ୍ତି–

 

‘‘କୃଶକଳେବରା କରାଳ କୁଟିଳ-ଦୃଷ୍ଟି ପାଣ୍ଡୁ ରବଦନା,

ରୋଗକ୍ଳିଷ୍ଟ ପ୍ରାଏ ଦୁଷ୍ଟା ଅପ୍ରସନ୍ନ ସଦା....।’’

 

ବାସ୍ତବିକ ପରଶ୍ରୀକାତରତା ଗୋଟିଏ ଭୟଙ୍କର ବ୍ୟାଧି । ଏ ବ୍ୟାଧିକବଳରୁ ରକ୍ଷା ପାଇବାକୁ ହେଲେ ସାଧନା ଦରକାର । ସନ୍ତୋଷ ଓ ପ୍ରଫୁଲ୍ଲତା ଏହାର ପ୍ରଧାନ ଔଷଧ । ଶତବାର ଶାନ୍ତିମନ୍ତ୍ର ଜପ କ୍ରୋଧ ପ୍ରତି ଅମୋଘ ଅସ୍ତ୍ର । ସଂଯମ କାମରାକ୍ଷସର ମାରାତ୍ମକ ବଟିକା ।

 

–୩–

 

‘କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶେ ଘରକୁ’ ଏହା ଅକ୍ଷରେ ଅକ୍ଷରେ ସତ୍ୟ । ଆମେ ଅନ୍ୟର ଦୋଷ ଦେଖିବାରେ ଓ ପରନିନ୍ଦା ଗାଇବାରେ ଯେପରି ଚକ୍ଷୁଷ୍ମାନ୍ ଓ ବାବଦୂକ ହୋଇପଡ଼ୁଁ, ସେହି ପରିମାଣରେ ବା ତାର କେତେକ ଅଂଶରେ ଯଦି ନିଜ ଦୋଷ ବାଛି ପ୍ରକାଶ କରନ୍ତୁ, ତାହାହେଲେ ଆମେ ନିଜେ ନିଜେ ବଡ଼ ହୋଇ ଉଠନ୍ତୁ । ଅଧିକାଂଶ ଅନେକ ସମୟରେ ଚାଲୁଣି ହୋଇ ଯେପରି ଛୁଞ୍ଚିକୁ ଉପଦେଶ ଦିଅନ୍ତି, ସେହିପରି ‘‘ଗୋଦରୀ ଲୋ ଗୋଡ଼ତଳକୁ ଚାହାଁ’’ ବିଷୟଟିକୁ ମନେ ରଖି ଯେବେ କାର୍ଯ୍ୟ କରନ୍ତେ, ତେବେ ମନୁଷ୍ୟ ଓ ଦେବତା ମଧ୍ୟରେ କି ପାର୍ଥକ୍ୟ ରହନ୍ତା ? ଏଥିଯୋଗୁଁ ଅନ୍ୟର ଗୁଣ ଅନ୍ୱେଷଣ କରିବା ଓ ତାକୁ କାର୍ଯ୍ୟରେ ପରିଣତ କରିବା ସର୍ବାଦୌ ବାଞ୍ଛନୀୟ । ଆମେ ଯାହାକୁ ହୀନ, ଘୃଣ୍ୟ ଓ ମୂର୍ଖ ମନେ କରୁଁ, ତାଠାରେ ଏପରି କିଛି ଈଶ୍ୱରଦତ୍ତ ଗୁଣ ଅଛି, ଯାହା ଅଭ୍ୟାସ କରିବାକୁ ଆମ ଜୀବନ ଅଣ୍ଟିବ ନାହିଁ । କାହାରିକୁ ହେୟ ଜ୍ଞାନ କରିବା ଅନୁଚିତ ।

 

–୪–

 

ମନୁଷ୍ୟର ମନ ବଡ଼ ଚଞ୍ଚଳ ଓ ତରଳ । ଏହାର ସ୍ଥିରତା କ୍ୱଚିତ୍ ପରିଦୃଷ୍ଟ ହୁଏ । ଏ ବିଷୟରେ ଗୋଟିଏ କଥା ଅଛି—ଥରେ ଜଣେ ଚିତ୍ରକର ସୁନ୍ଦର ଚିତ୍ରଟିଏ ଅଙ୍କନ କରି ଗୋଟିଏ ବଡ଼ ସହରର ଛକ ପାଖରେ ରଖିଦେଇ ତାଙ୍କର ଭୁଲ ଦେଖାଇ ଦେବାକୁ କହିଲେ । ଏଥିରେ ଆଜନ୍ମ ତୂଳୀ ନ ଧରିଥିବା ଲୋକମାନେ ମଧ୍ୟ ନିଜର ବିଦ୍ୟା ବୁଦ୍ଧିର ପରିଚୟ ଦେବାକୁ ବ୍ୟଗ୍ର ହୋଇ ଚିତ୍ରରେ କିଛି ନା କିଛି ଭୁଲ ଦେଖାଇ ଦେଲେ । ତାର ପରଦିନ ସେ ଚିତ୍ରକର ସେହି ଚିତ୍ରକୁ ଦେଖାଇ ତାର ଗୁଣ ଓ ଚିତ୍ରରେ ସୌନ୍ଦର୍ଯ୍ୟ ଦେଖାଇ ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ସେ ଦେଖିଲେ, ପୂର୍ବଦିନ ଯେଉଁ ସ୍ଥାନଟିମାନ ଅନେକଙ୍କ ଦୃଷ୍ଟିରେ ଦୋଷରୂପେ ବିବେଚିତ ହୋଇଥିଲା, ଠିକ୍ ସେହିଗୁଡ଼ିକ ଅନ୍ୟାନ୍ୟ ଅନେକଙ୍କ ଚକ୍ଷୁରେ ଗୁଣରୂପେ ବିବେଚିତ ହେଲା । ଏହା ଦେଖି ସେ ଚିତ୍ରକର ପ୍ରକାଶ କଲେ, ‘‘ବାସ୍ତବିକ ମନୁଷ୍ୟର ବିଚାର ନିଜେ ଦୋଷଯୁକ୍ତ ।’’ ଆମ୍ଭମାନଙ୍କର ଏପରି ବିଷୟରେ ଦକ୍ଷତା ଯଥେଷ୍ଟ ଅଛି ଠିକ ଦୈନନ୍ଦିନ କର୍ମରେ । ତେବେ ଅନ୍ୟର ଗୁଣ ବାଛି ତାର ଅନୁକରଣ କରିବା ସମସ୍ତଙ୍କର କର୍ତ୍ତବ୍ୟ ।

 

–୫–

 

ମନୁଷ୍ୟର ମାୟା ଦେବତାଙ୍କୁ ଅଗୋଚର । ଆଜିକାଲି ଯୁଗରେ ସରଳ ବିଶ୍ୱାସ ରଖି ଚଳିଲେ ପ୍ରତି ପଦରେ ବିପଦ—ଏପରିକି ମାକଡ଼ଚିତ୍ ମାରିବାର ଖୁବ୍ ସମ୍ଭାବନା । ଏ ଯୁଗରେ ଚଳିବାକୁ ହେଲେ ଦୁଇଟି ବିଷୟ ଶିକ୍ଷା କରିବାକୁ ହେବ । ପ୍ରଥମେ ବାହାରେ ‘‘ହାଁଜି ହାଁଜି’’ କିନ୍ତୁ ଭିତରଟା ଓଲଟା । ପ୍ରତି ପଦରେ ହାତେ ମାପି ଚାଖଣ୍ଡେ ଚାଲିବାକୁ ହେବ । କୃତଘ୍ନ ମନୁଷ୍ୟ ନିଜର କାର୍ଯ୍ୟ ଅନ୍ୟଠାରୁ ଆଦାୟ କରିବାକୁ ସର୍ବଦା ବ୍ୟଗ୍ର; କିନ୍ତୁ ବିଭା ଶେଷ ହେଲେ ବେଦୀ ମୁହଁ ପୋଡ଼ା-। ଟିକିଏ ସୁବିଧା ପାଇଲେ କର୍ତ୍ତା ତ ପ୍ରକୃତ କର୍ମୀର ନାମ ପର୍ଯ୍ୟନ୍ତ ସ୍ମରଣ କରେ ନାହିଁ । ଏହାଠାରୁ ବଳି ପାଶବିକ ଭାବ ଆଉ କଣ ଅଛି ? ଆହା ! ପ୍ରତ୍ୟେକ ମନୁଷ୍ୟ ଯଦି ନିଜର ପ୍ରତ୍ୟେକ ପ୍ରତିଜ୍ଞା ପାଳନ କରନ୍ତେ ଓ ଉପକାରୀର ଉପକାରକୁ ମନରୁ ଭୁଲି ନ ଯାନ୍ତେ, ତାହାହେଲେ ଏହି ମର୍ତ୍ତ୍ୟଧାମ କାଳ୍ପନିକ ସ୍ୱର୍ଗସୁଖକୁ ବଳି ଯାଆନ୍ତା । କୃତଜ୍ଞ ହେବା ଉଚିତ ।

 

–୬–

 

‘‘ସତ୍ୟ ଏ ସଂସାରକୁ ଧରି ରଖିଛି । ସତ୍ୟ କହିବା ସମସ୍ତଙ୍କ କର୍ତ୍ତବ୍ୟ । ସତ୍ୟର ଜୟ ଓ ସତ୍ୟ ଚାରିଆଡ଼େ ପରିବ୍ୟାପ୍ତ ରହିଅଛି ।’’ ଏ ସବୁ ଉପଦେଶ ଶୁଣି ଶୁଣି କାନର ପରଦା ଫାଟି ଯିବା ଉପରେ । କିନ୍ତୁ ଆଚ୍ଛା, କେତେ ଜଣ ସତ୍ୟ ସବୁବେଳେ କହନ୍ତି ଓ କେଉଁ ଯୁଗରେ ଭଲା ମିଥ୍ୟାବାଦୀ ନ ଥିଲେ ? କବିବର ଗାଇ ଯାଇଛନ୍ତି ‘‘ସତ୍ୟେ ମନ ରଖି ସତ୍ୟକୁ ବୁଝିବି ଗାଇବି ସତ୍ୟର ଜୟ ।’’ ଏ ବିଷୟ ଅକ୍ଷରେ ଅକ୍ଷରେ ସତ୍ୟ । କିନ୍ତୁ ମନୁଷ୍ୟମାନଙ୍କ ମଧ୍ୟରେ ଶତକରା ଜଣେ ଲୋକ ମଧ୍ୟ ଏହା କରନ୍ତି ନାହିଁ । ଆଜିକାଲି ସବୁବେଳେ ସତ୍ୟର କାରବାର କର ବୋଲି ବାପ ମା, ଭାଇ ଭଉଣୀ, ବନ୍ଧୁ କୁଟୁମ୍ବ ଏବଂ ସମାଜ ଓ ଅଦାଲତ ସବୁଠାରେ ସବୁବେଳେ ସମସ୍ତେ କହୁଛନ୍ତି । ତଥାପି ସମସ୍ତେ ସତ୍ୟବାଦୀ ହେଉ ନାହାନ୍ତି କାହିଁକି ? କାରଣ ମନୁଷ୍ୟ ଠିକ୍ ତମ୍ପ ସାପର ପ୍ରକୃତି ବିଶିଷ୍ଟ । ସେ ସର୍ବଦା ସ୍ୱାର୍ଥପର ହୋଇ ନିଜର କାମ ଅନ୍ୟଠାରୁ ହାସଲ କରିବାକୁ ବ୍ୟଗ୍ର । ସତ୍ୟର ଆଶ୍ରୟ ନେଇ ଅନେକେ ଅନେକ ସମୟରେ ବିପଦରେ ପଡ଼ୁଅଛନ୍ତି । ଆଜିକାର ଜଗତ ମଧ୍ୟ ଭିନ୍ନ ଧରଣର । ସତ୍ୟବାଦୀ ହୋଇ ଅଭାବ ଓ ବିପଦରେ ପଡ଼ିଲେ ଲୋକେ କହିବେ, ‘‘ସେ ବୋକା’’, ତେବେ ସତ୍ୟର ମର୍ଯ୍ୟାଦା କେଉଁଠି ? ମନୁଷ୍ୟର ମାୟା ଦେବତାଙ୍କୁ ଅଗୋଚର । ବାସ୍ତବିକ ଲୋକ ସତ୍ୟ କି ମିଥ୍ୟା କହୁଛି ତାହା ଠଉରେଇବା କାଠିକର ପାଠ । ସ୍ୱାର୍ଥପର ହୋଇ ଭାଇ ବିରୁଦ୍ଧରେ ସହୋଦର ଭାଇ ମଧ୍ୟ ଠିଆ ହେବାର ପ୍ରମାଣ ବିରଳ ନୁହେଁ । ତେବେ ଏ ମିଥ୍ୟାବାଦିତା କବଳରୁ ରକ୍ଷା ପାଇବାକୁ ହେଲେ ଜଗତର ସମସ୍ତେ ଏକ ସମୟରେ ସତ୍ୟ କହି ଉଠିବା ଉଚିତ । ଏହା କେତେଦୂର ସମ୍ଭବପର ତାହା ପାଠକମାନେ ବିଚାର କରିବେ ।

 

–୭–

 

‘‘ଖନାପ୍ରାୟେ ରହି ରହି କହି ନାନା କଥା—ଯାର ବସ୍ତ୍ରଯାକ ତାଳି ତାଳି ତା ଉପରେ ପୁଣି ନୂଆ ନୂଆ ତାଳିମାନ ପକାଉଛି ମହା ବ୍ୟସ୍ତେ ସେ ଜୀର୍ଣ୍ଣ ବସନେ... ।’’ କବି ଯଥାର୍ଥ ଗାଇଛନ୍ତି-। ଆଚ୍ଛା, ମିଥ୍ୟାବାଦୀର ସେ ଭୂତପ୍ରେତ ଓ ରାକ୍ଷସ ଓ ଗଣ୍ଡଭୈରବ ଚଢ଼େଇ ଗପ ଶୁଣିଲେ କିଏ ବା ତାକୁ ସତ୍ୟ ମନେ ନ କରିବ ? ଏଣୁ କହନ୍ତି ବାହାପିଆଙ୍କୁ ପୁରାଣ ପଣ୍ଡା ସରି ନୁହେଁ । ସତ୍ୟର ସଙ୍ଗେ ସଙ୍ଗେ ମିଥ୍ୟା ଚାଲି ଆସିଛି ଯୁଗର ଆଦିକାଳରୁ । କଳ୍ପନା, ଭାବନା ଓ ମସ୍ତିଷ୍କ ମିଥ୍ୟାର ପ୍ରସୂତି । ଚକ୍ଷୁ ଓ କର୍ଣ୍ଣ ସତ୍ୟର ସାକ୍ଷ୍ୟ ମାତ୍ର ! ଯେତେଦିନ ଯାଏ ମନୁଷ୍ୟ କଳ୍ପନାଶକ୍ତିରୁ ବଞ୍ଚିତ ନୁହେଁ, ସେତେଦିନ ଯାଏ ଜଗତରୁ ମିଥ୍ୟା ଏକାବେଳକେ ଉଠି ଯିବ କି ନାହିଁ ସନ୍ଦେହ । କବିବର ବ୍ୟାସ ଓ ବାଲ୍ମୀକିଙ୍କର ଲେଖାକୁ ଅଧିକାଂଶ ଅତିରଞ୍ଜିତ ବୋଲି ମାନିବେ । ଅତିରଞ୍ଜନର ଅନ୍ୟ ଅର୍ଥ କଣ ମିଥ୍ୟା ନୁହେଁ କି ? ତେବେ ଉପନ୍ୟାସ ଓ ଗଳ୍ପଲେଖକମାନେ ଅଧିକାଂଶ ମିଛୁଆ । ଅବଶ୍ୟ ସେମାନେ ଲୋକ ଚରିତ୍ର ବର୍ଣ୍ଣନା କରନ୍ତି, ତେବେ ସେ ସବୁକୁ କହିଲେ ସମସ୍ତେ ତ ମିଛୁଆ ବୋଲି କହିବେ । କବିଙ୍କର କଳ୍ପନା ଓ ଅନ୍ୟାନ୍ୟ ଭାବୋଚ୍ଛ୍ୱାସ ପ୍ରତି ଦୃଷ୍ଟି ପକାଇଲେ ଅନେକ ସମୟରେ ହାସ୍ୟ ସମ୍ବରଣ ନ କରି ରହି ହୁଏ ନାହିଁ ଏବଂ ସେ ସବୁ ପ୍ରଳାପତୁଲ୍ୟ ପ୍ରତୀୟମାନ ହୁଏ-। ଆଜିକାଲି ଯେ ବେଶୀ କିମ୍ଭୂତ କିମାକାର ଓ ଆଶ୍ଚର୍ଯ୍ୟଜନକ ନୂତନ ପ୍ରଳାପ ଲୋକମାନଙ୍କ ଆଗରେ ଉପସ୍ଥାପିତ କରି ପାରୁଛନ୍ତି ସେ ହେଉଛନ୍ତି ବିଶ୍ୱକବି । ଯେଉଁ ଦେଶ ଏପରି ଅଦ୍‌ଭୁତ ଲେଖା ଓ ସାହିତ୍ୟ ଦେଖାଉଛି ସେ ସଭ୍ୟ ଜାତି । ତେବେ ସତ୍ୟର ମର୍ଯ୍ୟାଦା କେଉଁଠି ?

 

–୮–

 

ଅନେକେ କୌଣସି କାର୍ଯ୍ୟକୁ ଗର୍ବ ହେତୁରୁ ବା ନ ଆସିବା ହେତୁରୁ ସେଇଦିନ ନ କରି ‘‘ହଁ ମ ଆଜି କଣ କରିବି, କାଲିକି ଥାଉ’’ ନୀତି ଅବଲମ୍ବନ କରିଥାନ୍ତି । କିନ୍ତୁ ସେହିମାନେ ଅଳସୁଆଙ୍କ ଗୁରୁ ଓ ବୋକାଙ୍କ ସରଦାର । ଯେଉଁ ମୁହୂର୍ତ୍ତରେ କୌଣସି କାର୍ଯ୍ୟ ପାଇବ, ତାକୁ ସେହିକ୍ଷଣି କରିବା ଉଚିତ । ସେଥିରେ ବିଳମ୍ବ କଲେ ତାହା ପ୍ରତି କ୍ରମେ ବିତୃଷ୍ଣା ଆସେ ଓ ଫଳରେ କାର୍ଯ୍ୟଟି ସାଧିତ ହୋଇ ପାରେ ନାହିଁ । ଏଣୁ ‘‘ଶୁଭସ୍ୟ ଶୀଘ୍ରଂ ଓ ବିଳମ୍ବେନାଳମ୍’’କୁ ଲକ୍ଷ୍ୟ ରଖି କାର୍ଯ୍ୟ କରିବା ଉଚିତ । ଏହା ଦ୍ୱାରା ମନୁଷ୍ୟ ଆତ୍ମନିର୍ଭରଶୀଳ ହୁଏ ଓ ନିଜର ସୁଖସ୍ୱାଚ୍ଛନ୍ଦ୍ୟର ପଥ ପରିଷ୍କାର କରିଦିଏ ନିଜେ ନିଜେ ।

 

–୯–

 

ଆଲୋକ ଥିବାବେଳେ ଲୋକ ଅନ୍ଧାରର କଳ୍ପନା କରି ପାରେ ନାହିଁ ଓ ଅନ୍ଧକାରକୁ ମନରୁ ଏକାବେଳକେ ଭୁଲିଯାଏ । କିନ୍ତୁ ଅନ୍ଧାର ପରେ ଆଲୁଅ ଓ ଆଲୁଅ ପରେ ଅନ୍ଧାର ଆସିବାଟା ସ୍ୱତଃସିଦ୍ଧ । ଆହୁରି ମଧ୍ୟ ଏ ଜଗତରେ ଅନ୍ଧାର ନ ଥିଲେ ଆଲୁଅର ମୂଲ୍ୟ କେହି ବୁଝି ପାରନ୍ତେ ନାହିଁ । ଆଲୋକ ମଧ୍ୟ ଅଧିକାଂଶ ବେଳେ ବଡ଼ ଖରାପ ବୋଧ ହୁଅନ୍ତା । ସେହିପରି ସୁଖ ଓ ଦୁଃଖ, ଦୁଃଖ ନ ଥାଇ ସୁଖ ଯଦି ସଂସାରରେ ପୂର୍ଣ୍ଣଭାବରେ ଥାନ୍ତା, ତେବେ ଅନେକେ ଅନେକ ସମୟରେ ସୁଖକୁ ଦୁଃଖ ପରି ବୋଧ କରନ୍ତେ । ଯେ ଏପରି ସୁଖ ଓ ଦୁଃଖ ଏବଂ ଆଲୋକ ଓ ଅନ୍ଧକାର ସୃଷ୍ଟି କରିଅଛି ତାର ମସ୍ତିଷ୍କ ଧନ୍ୟବାଦ । ତେବେ ସଂସାରରେ ଦୁଃଖ ସବୁଠାରେ ସୁଖର ଜନନୀ । ଏଣୁ ଦୁଃଖର ସ୍ଥାନ ଉଚ୍ଚରେ ।

 

–୧୦–

 

ସମସ୍ତେ କହନ୍ତି, ‘‘ସଂସାରବିରାଗୀ ହୋଇ ବାବାଜୀ ହୋଇଯାଇ ଜଗନ୍ନାଥ ବା ରଘୁଜୀ ଅଥବା ରାଧାକୃଷ୍ଣଙ୍କ ପଦାରବିନ୍ଦରେ ମନ ପ୍ରାଣ ଢାଳିଦେବା ଉଚିତ । ଏଥିରେ ଯଥେଷ୍ଟ ସୁଖ ଅଛି।’’ କିନ୍ତୁ କାହିଁ ? ବାବାଜୀ ହେଲେ କଣ ଲୋକ କ୍ଷୁଧା-ରାକ୍ଷସ ଓ ସ୍ଵଶରୀର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଅନୁରକ୍ତି-ରାକ୍ଷସୀ କବଳରୁ ରକ୍ଷାପାଏ ? ବାବାଜୀ ସାଜି ବାରଦ୍ୱାର ଶୁଣ୍ଢି ପିଣ୍ଡା ହୋଇ ‘ଅନ୍ନଂ ଦେହି’ ବ୍ରତ ପାଳନ କରିବା ଅପେକ୍ଷା ଗୃହସ୍ଥାଶ୍ରମରେ ରହି କର୍ତ୍ତବ୍ୟ ପାଳନ କରି ବିଶ୍ୱ-ପ୍ରାଣୀମାନଙ୍କର ସେବାରେ ନିଜକୁ ନିୟୋଜିତ କରିବା ଯଥେଷ୍ଟ ପରିମାଣରେ ଭଲ ନୁହେଁ କି ? ‘‘To love all means to love God,’’ ଯଥାର୍ଥ ଭାବରେ ଉକ୍ତ । ଈଶ୍ୱରଙ୍କୁ ପ୍ରାର୍ଥନା କରିବା ବା ଖୋସାମଦ ବା ତୋଷାମଦ ବା ଗୁଣ ଗାଇ ପ୍ରଶଂସା କରିବା ବୋଧହୁଏ ତାଙ୍କର ଇଚ୍ଛା ନୁହେଁ । ପ୍ରାର୍ଥନା ମାନେ ଏକାଗ୍ରତା ଶିକ୍ଷା ଓ ତାହା ଫଳରେ ବିଶ୍ୱଜୟୀ ହେବା । ଏକାଗ୍ରତା ଓ ଦୃଢ଼ସଂକଳ୍ପ ବଳରେ ଅନେକ ବୀର ସମସ୍ତ କ୍ଷେତ୍ରରେ ଜୟୀ ହୋଇ ଅଛନ୍ତି । ତେବେ କୀଟଠାରୁ ଆରମ୍ଭ କରି ବୃହତ୍‌କାୟ ଜୀବ ଯାଏ ସମସ୍ତ ପ୍ରାଣୀ ରୋଗ, ତୃଷ୍ଣା, ଦୁଃଖ ଓ କଷ୍ଟ କବଳରୁ ରକ୍ଷା ପାଇ ପାରନ୍ତି ନାହିଁ । ସମସ୍ତେ ଅଳ୍ପ ବହୁତରେ ଏକା ଭୋଗ କରନ୍ତି । ଭଗବାନ ଶ୍ରୀକୃଷ୍ଣ କହିଅଛନ୍ତି, ‘‘ସ୍ୱର୍ଗ ନରକ ବେନି ବାଣୀ, ତାହା ମୁଁ ଏହି ଦେହେ ଜାଣି ।’’ ଏହା ଯେବେ ସତ୍ୟ ତେବେ, ‘‘ଯାବତ୍‌ଜୀବେତ୍ ସୁଖଂ ଜୀବେତ୍’’ ଉକ୍ତିରେ ଦୋଷ କେଉଁଠାରେ ? ନିଜେ ଭଲ ରହି ଜଗତକୁ ଭଲ ଓ ସୁଖ ଶାନ୍ତିରେ ରଖିବା ପ୍ରକୃତ ଧର୍ମ ନୁହେଁ କି ।

Image

 

ଶିକ୍ଷା ପ୍ରଣାଳୀ ସମ୍ବନ୍ଧରେ ପଦେଅଧେ

 

ଶିକ୍ଷା ଅର୍ଥ ମନୁଷ୍ୟତାର ବିକାଶ । ଯେଉଁ ପଥ ଅନୁସରଣ କଲେ ସହଜରେ ଶିଶୁର ମନୁଷ୍ୟତା-ପୁଷ୍ପ ତାର ହୃଦୟ-ଉଦ୍ୟାନରେ ବିକଶିତ ହୁଏ, ତାକୁ ପ୍ରଣାଳୀ କହନ୍ତି । ଶିଶୁ ଠିକ୍ ଜନ୍ମର ସାତ ଦିନଠାରୁ ଜିଜ୍ଞାସୁ ହୋଇପଡ଼େ । ଯଦି ତାର ପ୍ରବୃତ୍ତି ଗୁଡ଼ିକୁ ଚରିତାର୍ଥ କରାଯାଏ, ତେବେ ସେ ଜଗତରେ ଜଣେ ଉତ୍ତମ ନାଗରିକ ହୋଇ ଉଠେ; କିନ୍ତୁ ତାର ପ୍ରଥମ ବୟସରେ ଯଦି ତା ପ୍ରତି ଦୃଷ୍ଟି ନ ରହେ, କିମ୍ବା ଯଦି କୁପରିସରର ପ୍ରଭାବ ତା ମସ୍ତିଷ୍କ ଉପରେ ପତିତ ହୁଏ, ତେବେ ସେ କ୍ରମେ ଦୁର୍ଦ୍ଦାନ୍ତ ହୁଏ । ସେତେବେଳେ ତାକୁ ଅଟକାଇବା ମନୁଷ୍ୟର ସାଧ୍ୟାତୀତ ହୋଇପଡ଼େ । ପୁଣି ଅଛି, କଞ୍ଚା ହାଣ୍ଡିରେ ଯେଉଁ ଚିହ୍ନ ବା ଚିତ୍ର ଅଙ୍କନ କରାଯାଏ, ତାହା ହାଣ୍ଡି ଭାଙ୍ଗି ନ ଗଲାଯାଏ ଲୋପ ପାଏ ନାହିଁ; କିନ୍ତୁ ଶୁଷ୍କ ବା ପୋଡ଼ା ହାଣ୍ଡିରେ ଶତଚେଷ୍ଟାରେ ମଧ୍ୟ ସାମାନ୍ୟ ରେଖାଟିଏ ଅଙ୍କିତ ହୋଇ ପାରେ ନାହିଁ । ଶିଶୁର ମସ୍ତିଷ୍କ ଠିକ୍ କଞ୍ଚା ହାଣ୍ଡି ପରି କୋମଳ ଥାଏ, ଅର୍ଥାତ୍ ‘‘ଯାହା ନ ହୁଏ ବାଳକାଳେ, ତାହା କି ହେବ ପାଚିଲା ବାଳେ ।’’ ଏଥିରୁ ସମସ୍ତେ ସହଜରେ ଅନୁମାନ କରି ପାରୁଥିବେ ଶିଶୁକୁ ଶିକ୍ଷା ଦେବା କି ଗୁରୁତର ବିଷୟ ।

 

ଶିକ୍ଷା ଓ ଶିକ୍ଷକ ପ୍ରତି ଯୁଗରେ ଥିଲା, ଅଛି ଓ ଚିରଦିନ ଥିବ । ଏଥିରେ ଦ୍ୱିଧାମତ ହୋଇ ନ ପାରେ । ଅତି ପ୍ରାଚୀନ କାଳରେ ମୁନିମାନଙ୍କ ଆଶ୍ରମରେ ଶିଶୁମାନେ ଶିକ୍ଷାଲାଭ କରୁଥିଲେ । ସେ ସମୟରେ ଗୁରୁଙ୍କର ଆଦେଶ ଓ ପ୍ରତ୍ୟେକ କଥା ଶିଷ୍ୟର ଶିକ୍ଷଣୀୟ ବସ୍ତୁ ଥିଲା । ଏହିରୂପେ କିଛିକାଳ ଗୁରୁଗୃହରେ ଅବସ୍ଥାନ କରି ସମସ୍ତେ ଜଗତର ଗୃହସ୍ଥାଶ୍ରମକୁ ଫେରି ଆସୁଥିଲେ । ଏହାପରେ ମଧ୍ୟଯୁଗରେ ଲୋକମାନେ ଗ୍ରାମ ଓ ଗୃହମାନଙ୍କରେ ଗୁରୁ ବା ଅବଧାନ ରଖି ନିଜ ସନ୍ତାନମାନଙ୍କୁ ଶିକ୍ଷା ଦେଉଥିଲେ । ସେତେବେଳେ ଶିଶୁ କିଛି ଲେଖାପଢ଼ା ଓ ସାମାନ୍ୟ ଗଣିତ ଜାଣି ପୋଥିରେ ଡୋର ଦେଉଥିଲେ । ଏ ବିଷୟ ଇଂରେଜମାନଙ୍କ ଆସିବାଯାଏ ଭାରତରେ ଥିଲା-। ଏଣୁ ଆଜିକାଲି ଅଛି, ‘‘ହର ଗୁଣ ଫେଡ଼ ମିଶା, ଆଉ ପାଠ ଯେତେ ଚାଳରେ ଖୋସା; ଅମର ଯୁମର ନିଠେଇ ଘୋଷ, ଆଉ ପାଠ ସବୁ ଫସର୍ ଫସ୍,’ ଇତ୍ୟାଦି । ସେ ସମୟରେ ଶିକ୍ଷାର ପ୍ରଣାଳୀ ନ ଥିଲା । ମାଟିବଂଶ ଅବଧାନମାନେ ଦିବ୍ୟ ଚିତା କାଟି ଶିକ୍ଷା ବିଷୟରେ ଲୋକମାନଙ୍କୁ ଚିତା କାଟୁଥିଲେ । ସେମାନେ ବିଦ୍ୟାଦେବତା ଗଣେଶଙ୍କ ତୁଲ୍ୟ ଉନ୍ମତ ଉଦର ଓ ଉନ୍ନତ ପାଦ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ଦନ୍ତହୀନ ଓ ପ୍ରତିଚକ୍ଷୁଧାରୀ ହୋଇ କାଳହରଣ କରୁଥିଲେ । ସେମାନଙ୍କର ପ୍ରଣାଳୀ ଥିଲା ବେତ୍ରାଘାତ, ବିଦ୍ୟା ଥିଲା ଭାଗବତ ପାଠ, ଚାଞ୍ଚଲ୍ୟ ଥିଲା ଆସନୋପରି ଉପବେଶନ ଓ ଉତ୍ସାହ ଥିଲା ରକ୍ତଚକ୍ଷୁ । ଶିଶୁମାନେ ପାଞ୍ଚ ବର୍ଷବେଳେ ସରସ୍ୱତୀ ପୂଜା ଦିନଠାରୁ ବର୍ଷର ଆରମ୍ଭ କରି ବେତ୍ରାଘାତ ଭୟରେ ‘‘ସିଦ୍ଧିଃ ଅସ୍ତୁ’’ ଠାରୁ ଆରମ୍ଭ କରି କେହି ‘‘କୋଇଲି ଲୋ କେଶବ ଯେ ମଥୁରାକୁ ଗଲା’’ ଅଥବା ‘‘ଶୁଣ ପରୀକ୍ଷ ନରନାଥ’’–ଠାରେ ପାଠ ଉଜୋଉଁ ଥିଲେ । ଏହା ଥିଲା ଲିଖନ ପଠନ, କିନ୍ତୁ ଏଥିରେ ମନୁଷ୍ୟତାର ବିକାଶ କେଉଁଠାରୁ ହେଲା ? ଏହି ପ୍ରଣାଳୀ ମଧ୍ୟ ଅନେକ ଦିନଯାଏ ଇଉରୋପରେ ଚଳି ଆସିଥିଲା ।

 

କିନ୍ତୁ ଫ୍ରାନ୍ସଦେଶବାସୀ ‘‘ରୁଷୋ’’ ନବ୍ୟ ଶିକ୍ଷାର ଜନ୍ମଦାତା । ସେ ଉପର୍ଯ୍ୟୁକ୍ତ ପ୍ରଣାଳୀକୁ ଘୃଣା କରି ନିଜେ କେତେକ ଶିଶୁଙ୍କୁ ଅଭୟ ଉତ୍ସାହ ଦେଇ ଶିକ୍ଷା ଆରମ୍ଭ କଲେ । ଏପରି କି ଅନେକ ସମୟରେ ସେ ନିଜ ହାତରୁ ମିଷ୍ଟାନ୍ନ ଦେଇ ଛାତ୍ର ସଂଗ୍ରହ କରି ନୂତନଭାବରେ ଶିକ୍ଷା ଆରମ୍ଭ କଲେ । ସେ ପ୍ରମାଣ କରି କହିଛନ୍ତି, ‘‘ମୋତେ କୌଣସି ଶିଶୁର ତିନି ବର୍ଷର ଜୀବନୀ ଦିଅ ଏବଂ ସେ ଭବିଷ୍ୟତରେ କଣ ହେବ, ମୁଁ କହିଦେବି’’ ଅର୍ଥାତ୍ ତିନି ବର୍ଷ ମଧ୍ୟରେ ଶିଶୁଠାରେ ସମସ୍ତ ପ୍ରବୃତ୍ତ ଦେଖାଯାଇଥାଏ । ପ୍ରକୃତିରୁ ଶିକ୍ଷା କରିବାପଇଁ ଶିଶୁକୁ ପ୍ରଶ୍ରୟ ଦେବା ତାଙ୍କର ଅଭିମତ । ଅର୍ଥାତ୍ ଶିଶୁ ଜିନିଷ ଦେଖି, ଶୁଣି, ସ୍ପର୍ଶ କରି ଓ ପରୀକ୍ଷା କରି ଶିକ୍ଷା କରୁ । ଏପରି କି ତାଙ୍କର ଜଣେ ଛାତ୍ର ଅଗ୍ନି, ଓ ନାଗସାପ ଧରିବାକୁ ଗଲାବେଳେ ସେ ମନା କରି ନ ଥିଲେ । କାରଣ ଅଗ୍ନି ସ୍ପର୍ଶରେ ଶିଶୁର କୌଣସି ଅବୟବ ଥରେ ପୋଡ଼ିଗଲେ ସେ ଜୀବନରେ ତାହା ଆଉ ଭୁଲି ପାରିବ ନାହିଁ । ଏହି ସବୁ ପ୍ରଚାର କରିବା ଫଳରେ ସେ ଅଷ୍ଟାଦଶ ଖ୍ରୀଷ୍ଟାବ୍ଦରେ ଅନ୍ୟାନ୍ୟ ବିଦ୍ରୋହୀମାନଙ୍କ ଚକ୍ରାନ୍ତରେ ପଡ଼ି ନିର୍ବାସିତ ହୋଇଥିଲେ । ତାଙ୍କ ପରେ ପ୍ରୋଓ୍ୱେଲ, ପେଷ୍ଟାଲଜି ଓ ହରବର୍ଟ ସ୍ପେନ୍‌ସାର୍ ରୁଷୋଙ୍କର ପଥ ଅନୁସରଣ କରିଥିଲେ । ଏହି ସମୟରେ ‘‘କିଣ୍ଡର ଗାର୍ଟନ’’ ଶିକ୍ଷା ପ୍ରଣାଳୀ ଆରବ୍‌ଧ ହୋଇଥିଲା । ଜର୍ମାନରେ ଅନେକ ଶିଶୁଙ୍କୁ ନେଇ ବଗିଚାରେ କାମ କରାଇ ତାଙ୍କ ଦ୍ୱାରା ବୃକ୍ଷରୋପଣ, ଜଳସେଚନ ଆଦି କରାଇ ତାହା ସଙ୍ଗେ ସଙ୍ଗେ ଶିକ୍ଷାଦେବା ଏହାର ପ୍ରଧାନ ଲକ୍ଷ୍ୟ ଥିଲା । ଅର୍ଥାତ୍ କ୍ରୀଡ଼ା ମଧ୍ୟରେ ଶିକ୍ଷାକୁ ସ୍ଥାନ ଦିଆ ଯାଇଥିଲା ।

 

ବର୍ତ୍ତମାନ ଯୁଗରେ ଇଟାଲିବାସୀ ଓ ଜଗତ୍‌ବନ୍ଦ୍ୟା ମଣ୍ଟେସୋରୀ ଦେବୀଙ୍କ ପ୍ରଥା ଓ ସ୍କଟ୍‌ଲାଣ୍ଡର ଡାଲ୍‌ଟାନ୍ ଶିକ୍ଷାପ୍ରଣାଳୀ ଆହୁରି ସରଳ ଧରଣର ହୋଇଛି । ମଣ୍ଟେସୋରୀ ତିନି ବର୍ଷଠାରୁ ଶିଶୁଙ୍କୁ ନେଇ ଖେଳ ସାହାଯ୍ୟରେ ଶିଶୁର ଇଚ୍ଛା ଅନୁସାରେ ଶିକ୍ଷା ଦେଉଅଛନ୍ତି । ତାଙ୍କ ପ୍ରଣାଳୀରେ ବାଧ୍ୟବାଧକତାର ସ୍ଥାନ ନାହିଁ । ଶିକ୍ଷା, ମନୋବିଜ୍ଞାନ ଓ ଶିଶୁବିଜ୍ଞାନ ଭିତ୍ତି ଉପରେ ପ୍ରତିଷ୍ଠିତ । ତାଙ୍କ ବିଦ୍ୟାଳୟରେ ସମସ୍ତ ପ୍ରସ୍ତୁତ ଓ ସଂଗୃହୀତ ହୋଇ ରହିଅଛି ।

 

ଶିଶୁମାନେ ଇଚ୍ଛା ଅନୁଯାୟୀ ଶିକ୍ଷା କରୁଅଛନ୍ତି । ଅର୍ଥାତ୍ ଯାହାଙ୍କର ଅଙ୍କ ପ୍ରତି ଇଚ୍ଛା ସେ ପିଲାଦିନୁ ଅଙ୍କ କରୁ, ଯାହାର ଡ୍ରଇଂ ପ୍ରତି ଦୃଷ୍ଟି ସେ ଚିତ୍ରାଙ୍କନ ଶିକ୍ଷା କରୁ । ଏହିପରି ଶିଶୁମାନେ ପିଲାଦିନୁ ଇଚ୍ଛା ଅନୁସାରେ ସାହିତ୍ୟ, ଇତିହାସ, ଭୂଗୋଳ, ବଢ଼େଇକାମ, କମାର ଓ କୁମ୍ଭାର କାମ ଇତ୍ୟାଦି ଶିକ୍ଷା କରି କୌଣସି ଗୋଟିଏ ବିଷୟରେ ପଟତା ଲାଭ କରି ଜଗତରେ ନିର୍ବିଘ୍ନରେ ଜୀବନଯାତ୍ରା ନିର୍ବାହ କରିବାକୁ କ୍ଷମ ହେଉଅଛନ୍ତି । ଭାଲ୍‌ଟାନ୍‌ଠାରେ ବୟସ୍କ ଛାତ୍ରମାନଙ୍କୁ ନେଇ ଗୋଟିଏ ନୂତନ ପ୍ରଣାଳୀର ଅବତାରଣା ହୋଇଅଛି । ତାହା ଭାରତର ଅଧିକାଂଶ ସ୍ଥାନରେ ଆଜିକାଲି ପ୍ରଚଳିତ ହେଲାଣି । ଏଥିରେ ଛାତ୍ର ନିଜେ ଆସି ଶ୍ରେଣୀରେ ତା ନିଜର ସନ୍ଦେହ ମୋଚନ କରିବ । ଶିକ୍ଷକ ବୃଥାରେ ସବୁବେଳେ ଗର୍ଜନ ତର୍ଜନ କରିବେ ନାହିଁ । ଅର୍ଥାତ୍ ଶିକ୍ଷକ ଶ୍ରେଣୀରେ ଉପସ୍ଥିତ ଥିବେ । ଛାତ୍ରମାନେ ଘରେ ନିଜର ପାଠ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବେ ଓ ଯେଉଁଠାରେ ସେମାନଙ୍କର ସନ୍ଦେହ ରହିବ, ତାହା ଆଣି ଶ୍ରେଣୀରେ ଶିକ୍ଷକଙ୍କଠାରୁ ବୁଝିଯିବେ । ଅର୍ଥାତ୍ ଶିକ୍ଷକ ଗଣିତ, ସାହିତ୍ୟ, ଇତିହାସ ଇତ୍ୟାଦି ଘଣ୍ଟାରେ ଶ୍ରେଣୀରେ ଉପସ୍ଥିତ ଥିବେ ଓ ଯେଉଁ ଛାତ୍ରର ଯେଉଁ ବିଷୟରେ ସନ୍ଦେହ ଥିବ, ତାହା ସେ ମୋଚନ କରିବେ ।

ଏହିପରି ଆଜିକାଲି ଅନେକ ବ୍ୟକ୍ତି ଅନେକ ପ୍ରକାର ପ୍ରଣାଳୀ କରିଗଲେଣି । ଆମ୍ଭମାନଙ୍କର ମହାମାନ୍ୟବର ନବ-ଉତ୍କଳର ଭୂତପୂର୍ବ ଡିରେକ୍ଟର ଶ୍ରୀଯୁକ୍ତ ଏଇଚ୍‌. ଡିପ୍ପୀ ସାହେବ ଏଥିମଧ୍ୟରେ ଶିଷ୍ୟମାନଙ୍କର ମସ୍ତିଷ୍କ ବୃଥା ବ୍ୟୟିତ ନ ହେବାପାଇଁ ମଧ୍ୟ କେତେକ ପ୍ରଣାଳୀ କରିଅଛନ୍ତି । ସେ ପ୍ରାଇମେରୀ ସ୍କୁଲର ଛାତ୍ରମାନଙ୍କୁ ଶିକ୍ଷାବିଭାଗର ସ୍କିମ ଓ କରିକୁଲମ୍ ଅନୁସାରେ ଶିକ୍ଷାଦେବାସହ ଆମଦେଶର କେତେକ ହାତକାମ, ଯଥା—ଇଟାପକା, ଘରତିଆରି, ଟୋକେଇ ଭୋଗେଇ ଇତ୍ୟାଦି, ଶିକା ଓ ଗାଞ୍ଜିଆବୁଣା, ପଙ୍ଖା ଓ ମଶିଣା ତିଆରି, ବଗିଚା କାମ ଓ ଖେଳ ଇତ୍ୟାଦି ଶିକ୍ଷାଦେବା ବିଷୟରେ ଅଭିମତ ପ୍ରକାଶ କରିଅଛନ୍ତି । ବାସ୍ତବିକ ଏ ସବୁ ମନୁଷ୍ୟ ଶିଶୁସମୟରୁ ଶିକ୍ଷା କଲେ ଭବିଷ୍ୟତରେ ତାର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ ହେବ ନାହିଁ । ଯେ ଛାତ୍ର ଉପର୍ଯ୍ୟୁକ୍ତ ବିଷୟରେ ପଟୁତା ଲାଭ କରି ପାରିବ, ସେ ପାଠ ପଢ଼ି ‘‘ହା ଚାକିରୀ, ହା ଅନ୍ନ’’ ବୋଲି ଚିତ୍କାର କରିବ ନାହିଁ । ଏହି ପ୍ରଣାଳୀ ମନୋବିଜ୍ଞାନ ଓ ଶିଶୁବିଜ୍ଞାନ ପଦ୍ଧତିର ଅବଲମ୍ବନରେ ଲିଖିତ । ବାସ୍ତବିକ ମନୁଷ୍ୟତାର ବିକାଶ ଏଥିରେ ହେବାର ପୂର୍ଣ୍ଣ ସମ୍ଭାବନା । ଏହା ବ୍ୟତୀତ ସେ ପିଲାଙ୍କୁ ସ୍ୱରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ଅ ଆ, କ ଖ ପ୍ରଭୃତି ଓ ନୀରସ ଗଣିତ, ଇତିହାସ, ଭୂଗୋଳ ଇତ୍ୟାଦି ନ ପଢ଼ାଇ ଶବ୍ଦ ଓ ବସ୍ତୁ ସାହାଯ୍ୟରେ ଲିଖନ, ପଠନ, ଦୋକାନ ଓ ବିକାକିଣା ସାହାଯ୍ୟରେ ଗଣିତ, ଗଳ୍ପ ଛଳରେ ଇତିହାସ ଓ ଭ୍ରମଣ ସାହାଯ୍ୟରେ ଭୂଗୋଳ ଶିକ୍ଷା ଦେବାକୁ ଉପଦେଶ ଦେଇଅଛନ୍ତି । ତାଙ୍କ ପ୍ରଣାଳୀ ଅନୁସାରେ କାର୍ଯ୍ୟକଲେ ଶିଶୁମାନଙ୍କର ଅଶେଷ ମଙ୍ଗଳ ହେବ, ସନ୍ଦେହ ନାହିଁ । ଏହାଦ୍ୱାରା ଆମ ଦେଶ, ଜାତି ଓ ସମାଜର ଉନ୍ନତି ହେବ । ଆମ୍ଭମାନଙ୍କର ଦେଶବାସୀମାନେ ଭବିଷ୍ୟତରେ ମନୁଷ୍ୟ ହେବେ ଓ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ, ସାଧିତ ହୋଇ ପାରିବ ।

ଏ ସବୁ ବ୍ୟତୀତ ଭାରତୀୟମାନଙ୍କ ପାଇଁ ଏବେ ଏକ ନୂତନ ପ୍ରଣାଳୀ ବାହାରିଛି । ଯେତେଦୂର ଜଣାଯାଏ, ତାହା ଭାରତର ଜଳବାୟୁ, ଧର୍ମ ଓ ଅବସ୍ଥାର ସମ୍ପୂର୍ଣ୍ଣ ଉପଯୋଗୀ । ଏ ପ୍ରଣାଳୀରେ ଛାତ୍ର ବିଦ୍ୟାଶିକ୍ଷା ସମାପ୍ତ କରି ଆଉ କିରାଣୀହେବାକୁ ବ୍ୟାକୁଳ ହେବ ନାହିଁ କିମ୍ବା ବେକାର ସଂଖ୍ୟା ବଢ଼ାଇବ ନାହିଁ । ଏହା ଜାପାନ ଶିକ୍ଷାପ୍ରଣାଳୀ ଅନୁକରଣରେ ପ୍ରସ୍ତୁତ ହୋଇଛି । ଏହା ଭାରତଗୌରବ ମହାତ୍ମାଗାନ୍ଧିଙ୍କ ‘‘ଓ୍ୱାର୍ଦ୍ଧା ଶିକ୍ଷାସ୍କିମ’’ ।

ସେ ଭାରତର ବିଭିନ୍ନ ସ୍ଥାନରୁ ବିଜ୍ଞ ଶିକ୍ଷକମାନଙ୍କର ଅଭିମତ ନେଇ ଏ ନୂତନ ଶିକ୍ଷା ପ୍ରଣାଳୀ ଆରମ୍ଭ କରିବାକୁ ଇଚ୍ଛା କରିଅଛନ୍ତି । ଏଥିରେ ଶିକ୍ଷକଙ୍କୁ ପ୍ରାଚୀନ ଗୁରୁ ସ୍ଥାନ ଦେଇ ଅଛନ୍ତି-। ଶିକ୍ଷକ ଅନେକ ଛାତ୍ରଙ୍କୁ ନେଇ ଗୋଟିଏ ସ୍କୁଲ କରିବେ । ଛାତ୍ରମାନେ ବିଦ୍ୟାଳୟରେ କପା, ଧାନ ଓ ଗହମଚାଷ, ତାର ଆଦାୟ ଓ ଲୁଗାବୁଣା ପର୍ଯ୍ୟନ୍ତ ଶିକ୍ଷା କରିବେ । କୃଷିରେ କେତେକ ଛାତ୍ର ଚାଷ ଓ କମାଣି କରିବେ । କପାରୁ ତୁଳା ବାହାର କରି ସୂତା କାଟିବେ ଓ ଲୁଗା ବୁଣିବେ । ଧାନରୁ ଚାଉଳ ବାହାର କରି ସେଥିରୁ ମିଷ୍ଟାନ୍ନ ପ୍ରସ୍ତୁତ କରି ଶିଖିବେ । ଏହିପରି ବିଦ୍ୟାଳୟରେ ଲୁଗାବୁଣା, କଣ୍ଢେଇ ତିଆରି ଓ ବଢ଼େଇ କାମ ଇତ୍ୟାଦି ଶିକ୍ଷା କରିବେ । ସେସବୁକୁ ବିକି କିଣି ବାଣିଜ୍ୟ ଶିକ୍ଷା ମଧ୍ୟ ଲାଭ କରିବେ । ଏହା ବ୍ୟତୀତ ସେମାନଙ୍କୁ ଅଳ୍ପ ପରିମାଣରେ ଲିଖନ, ପଠନ, ଗଣିତ, ଡ୍ରଇଂ, ଇତିହାସ ଓ ଭୂଗୋଳ ଶିକ୍ଷା ଦିଆଯିବ । ଯେଉଁମାନେ ଅଳ୍ପ ପଢ଼ି ପାଠ ଶେଷ କରିଥାନ୍ତି ସେମାନଙ୍କ ପକ୍ଷରେ ଆଧୁନିକ ଶିକ୍ଷା ଫଳପ୍ରଦ ହୋଇ ନ ଥାଏ କି ସେମାନେ ଗୃହକୁ ଫେରିଯାଇ କୃଷି, ବାଣିଜ୍ୟ ବା ଶିଳ୍ପରେ ସାହାଯ୍ୟ ଦେଇ ପାରନ୍ତି ନାହିଁ, ତେଣୁ ପ୍ରାୟ ଛଅ ବର୍ଷ ଯାଏ ଅର୍ଥାତ୍ ଶିଶୁକୁ ବାରବର୍ଷ ହେବା ଯାଏ ଏସବୁ ଶିକ୍ଷା ଦିଆଯିବ । ଏହା ପରେ ଯେଉଁମାନେ ଉଚ୍ଚଶିକ୍ଷା ପାଇବାକୁ ଇଚ୍ଛା କରିବେ, ସେମାନେ ନିଜ ଇଚ୍ଛା ଅନୁସାରେ ଓ ରୁଚି ଅନୁଯାୟୀ ସାହିତ୍ୟ, ଗଣିତ, ଇତିହାସ, ଭୂଗୋଳ ବା ବିଜ୍ଞାନ ଶିକ୍ଷା କରିବେ । ବିଦ୍ୟାଳୟରୁ ଉତ୍ପନ୍ନ କୃଷିଜାତ ଦ୍ରବ୍ୟ ଏବଂ ଶିଳ୍ପ ଓ ବାଣିଜ୍ୟ ଲବ୍‌ଧ ଧନ ଶିକ୍ଷକଙ୍କର ପାରିଶ୍ରମିକ ହେବ । ଏହି ପ୍ରଥା ଭାରତରେ ଚାଲିଲେ ଆମ୍ଭମାନଙ୍କର ଦାରିଦ୍ର୍ୟ ଅନେକ ପରିମାଣରେ ଦୂର ହେବ ଓ ଆମେ ମଧ୍ୟ ଅର୍ଥ ଉପାର୍ଜ୍ଜନର ଉପାୟ କରି ପାରିବା-। ଏଥିରେ ଅନ୍ତତଃ ଭାରତର ଧନ ଆଉ ବେଶୀ ବିଦେଶକୁ ବୋହିଯିବ ନାହିଁ ।

ଶିକ୍ଷକଙ୍କର କାର୍ଯ୍ୟ ବଡ଼ ଦାୟିତ୍ୱପୂର୍ଣ୍ଣ । ପ୍ରଧାନତଃ ପ୍ରାଇମେରୀ ଶିକ୍ଷକମାନେ ଏଥିରେ ମନ ପ୍ରାଣ ଢାଳି ଦେଇ ପରିଶ୍ରମ ଓ ଶିଶୁର ଉନ୍ନତିକୁ ନିଜର ପାରିଶ୍ରମିକ ମନେ କରି ଆନନ୍ଦ ଓ ଗର୍ବ ଅନୁଭବ କରି ପାରିଲେ ସମସ୍ତ ମଙ୍ଗଳ ଦିଗରେ ଧାଇଁ ପାରିବ । ଶିଶୁକୁ ବୁଝି ଓ ତାର କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ଦରକାର । କାରଣ ଆମ ଆଖିରେ ଆଜି ଯେ ଲୁଗା ପିନ୍ଧି ଜାଣୁ ନାହିଁ ଓ ନିତାନ୍ତ ଖରାପ ବ୍ୟବହାର ଦେଖାଉଛି, ତା’ଠାରେ ଈଶ୍ୱର କି ମହତ୍ ଗୁଣ ଦେଇଅଛନ୍ତି କିଏ ଜାଣେ ? ସେଇମାନଙ୍କ ମଧ୍ୟରେ ଅନେକ ନିଉଟନ, ଅନେକ ଚନ୍ଦ୍ରଶେଖର ଓ ଷ୍ଟିଭେନ୍‍ସନ୍‌ ଅଛନ୍ତି; ତେଣୁ ସମସ୍ତେ ଏଥିରେ ମନ ପ୍ରାଣ ଢାଳି ଦେଇ କାର୍ଯ୍ୟ କରିବା ମୋର ଅନୁରୋଧ ।

Image

 

ମାତୃପୂଜା

 

ଦିନ ପରେ ସପ୍ତାହ, ସପ୍ତାହ ପରେ ମାସ, ଏହିପରି କେତେ ବର୍ଷ କାଳ ସିନ୍ଧୁ ବୁଦ୍‌ ବୁଦ୍‌ ତୁଲ୍ୟ ଚାଲି ଗଲାଣି । ପ୍ରତିଦିନ କେତେ କେତେ ଘଟଣା ଦେଖି ଓ ଶୁଣି ଚକ୍ଷୁକର୍ଣ୍ଣ ଶିଥିଳ ହେବା ଉପରେ ବସିଲେଣି । କେତେ ଧର୍ମବୀର, କର୍ମବୀର ଓ ଯୁଦ୍ଧବୀର ଭବରଙ୍ଗମଞ୍ଚରେ କେତେ ଦୃଶ୍ୟ ଦେଖାଇ ଦେଇ ଗଲେଣି । କିନ୍ତୁ ସେ ଦିନ ମନେ ପଡ଼ିଲେ ଆଜି ମଧ୍ୟ ରୋମାଞ୍ଚିତ ହୁଏ ।

 

ଯେଉଁ ଦିନ ପିତା ପୁତ୍ରକୁ, ସ୍ତ୍ରୀ ସ୍ୱାମୀକୁ ଓ ସନ୍ତାନପ୍ରାଣା ଜନନୀ ନିଜ ଅପତ୍ୟକୁ ତଡ଼ି ନିଜ ଉଦରରାକ୍ଷସର ପରିତୃପ୍ତରେ ଲାଗିଥିଲେ ସେ ଦିନ କ୍ରମେ କାହାଣୀ ହୋଇ ଗ୍ରାମମାନଙ୍କରେ ଶ୍ରୁତ । ସେ ଲୋମହର୍ଷଣକାରୀ ବ୍ୟାପାର ମନେ ପଡ଼ିଲେ ଜିହ୍ୱା ଶୁଷ୍କ ହୋଇଯାଏ ଓ ଅଧର କୃଷ୍ଣବର୍ଣ୍ଣ ଧାରଣ କରେ । ୧୮୬୬ ଖ୍ରୀଷ୍ଟାବ୍ଦରେ ଲକ୍ଷ୍ମୀଦେବୀ ଏକ ବର୍ଷ ପାଇଁ ଉତ୍କଳରୁ ବିଦାୟ ନେଲେ । ବୋଧ ହୁଏ ଆମ୍ଭମାନଙ୍କ ଗୃହରେ କଳି ଦ୍ୱନ୍ଦ୍ୱ ଲାଗିଲା ପରି ସେ ବର୍ଷ ଜଗନ୍ନାଥ ଓ ଲକ୍ଷ୍ମୀଦେବୀଙ୍କ ମଧ୍ୟରେ ବିବାଦ ଲାଗିବାରୁ ସେ ଏହାର ପ୍ରତିଶୋଧ ନେବାକୁ ନିଜ ସନ୍ତାନମାନଙ୍କୁ ତ୍ୟାଗ କରି ପିତ୍ରାଳୟ ସିନ୍ଧୁକୋଳରେ ଆଶ୍ରୟ ନେଇଥିଲେ । ତା ଫଳରେ ଓ ବରୁଣଙ୍କର ଅନୁରୋଧ କ୍ରମେ ଇନ୍ଦ୍ରଦେବ ଉତ୍କଳରେ ବର୍ଷା କରିବାକୁ ମେଘମାନଙ୍କୁ ଆଦେଶ ଦେଲେ ନାହିଁ । ଏହିପରି ଦୁଇ ବର୍ଷ ଜଳାଭାବରେ ଶସ୍ୟଶାମଳା ଉତ୍କଳ ମରୁଭୂମି ରୂପ ଧାରଣ କରି ମୃଗତୃଷ୍ଣାମାଳିନୀ ହେଲା । ବୃକ୍ଷସବୁ ପତ୍ରହୀନ ଓ ନଦୀମାନେ ଶୁଷ୍କ ହୋଇଗଲେ । ଏ ଦୃଶ୍ୟ ଦର୍ଶନରେ ବୋଧ ହେଲା ସତେ କଣ ସେମାନେ ମଧ୍ୟ ଖାଦ୍ୟାଭାବରେ ଅସ୍ଥିକଙ୍କାଳସାର ହୋଇଅଛନ୍ତି । କ୍ରମେ ଲୋକମାନେ ଖାଦ୍ୟ ପାନ ଅଭାବ ବୋଧ କଲେ । ଅନେକ ଲୋକ ସୁନା ରୁପାକୁ ମୁଣ୍ଡ ତଳେ ଥୋଇ ଚିରଦିନ ପାଇଁ ନୟନ ନିମିଳନ କରି ଶୋଇବାକୁ ଲାଗିଲେ । ଅନେକ ଲୋକ ବିଷମୟ ଫଳ ଓ ଅଭକ୍ଷ୍ୟ ଭକ୍ଷଣରେ କୁଣ୍ଠା ପ୍ରକାଶ କଲେ ନାହିଁ । ଶେଷରେ ମନୁଷ୍ୟ, ପଶୁ, ପକ୍ଷୀ ପ୍ରଭୃତି ଜୀବମାନେ ଉତ୍କଳଜନନୀଙ୍କ କୋଳରେ ଜନ୍ତୁରାଜଙ୍କର କବଳିତ ହେବାକୁ ଲାଗିଲେ । ଉତ୍କଳଜନନୀ ସେ ଦୃଶ୍ୟ କିପରି ବା ସହ୍ୟ କଲେ ! ଯାହାର ଦର୍ଶନରେ ପାଷାଣ ମଧ୍ୟ ଜଳରେ ପରିଣତ ହୋଇଯିବ ! ବାସ୍ତବିକ ଦୈବ ଯେତେବେଳେ ଯାହାକୁ କଷ୍ଟ ଦିଏ ତାକୁ ଅନ୍ୟ କେହି ଅନ୍ୟଥା କରିପାରେ ନାହିଁ । କ୍ରମେ ଦେଶର ଧନୀମାନଙ୍କର ଧାନ୍ୟ ତଣ୍ଡୁଳାଦି ଶେଷ ହେବାକୁ ଲାଗିଲା । ପ୍ରତିଦିନ ଶତ ଶତ ଲୋକ ଶେଷ ପନ୍ଥା ଅବଲମ୍ବନ କରିବାକୁ ଲାଗିଲେ ।

 

ଏହି ସମୟରେ ଗୋଟିଏ ଗ୍ରାମରେ ସନାତନ ନାମକ ଜଣେ ତ୍ରୟୋଦଶ ବର୍ଗୀୟ ବ୍ରାହ୍ମଣ ବାଳକ ବାସ କରୁଥିଲେ । ଏହି ଦୁର୍ଭିକ୍ଷ-ଦାନବ ସଙ୍ଗେ ଯୁଦ୍ଧ କରି ତାଙ୍କର ପିତା ନିଜର ଚିର ସଞ୍ଚିତ ସମ୍ପତ୍ତି ବିନିମୟରେ ନିଜ ସନ୍ତାନ ସନ୍ତତିମାନଙ୍କର ଜୀବନ ରଖିବାକୁ ଲାଗିଲେ । ଶେଷରେ ସେ ଆଉ ଏ ସବୁ ବିକଟ ଦୃଶ୍ୟ ନ ଦେଖି ବିଦେଶ ଯାତ୍ରା କଲେ; ଯେଉଁଠାରୁ ସେ ଆଉ ଫେରିବାର ଦେଖାଗଲେ ନାହିଁ । କାରଣ ସେ ଦେଶକୁ ଯେ ଯାଏ ସେ ସେହିଠାରେ ସମସ୍ତଙ୍କୁ ଛାଡ଼ି ରହେ ଓ ନିଜର ବନ୍ଧୁକୁଟୁମ୍ବଙ୍କୁ ଥରେ ସୁଦ୍ଧା ମନେ ପକାଏ ନାହିଁ । ସନାତନଙ୍କ ହସ୍ତରେ ସମସ୍ତ ଗୃହଭାର ଅର୍ପିତ ହେଲା । ସେ ପ୍ରତ୍ୟହ ବହୁଦୂର ଯାଇ କିଛି ଖାଦ୍ୟ ସଂଗ୍ରହ କରି ଆଣନ୍ତି ଓ ବାଟରେ କୋମଳ ପତ୍ର ଓ ମୂଳ ଭକ୍ଷଣ କରି ଜୀବନଧାରଣ କରନ୍ତି । ଏହିପରି କିଛି ଦିନ ଚାଲିଗଲା ଓ ଶେଷରେ ତାଙ୍କ ଜନନୀ ବାର୍ଦ୍ଧକ୍ୟର ତୀବ୍ର ତାଡ଼ନାରେ ଓ ଖାଦ୍ୟାଭାବରେ ରୋଗଶଯ୍ୟାଶାୟୀ ହେଲେ । ଏହା ଦେଖି ସନାତନ ପ୍ରଭାତରୁ ଗାତ୍ରୋତ୍ଥାନ କରି କିଛି ପଥ୍ୟ ଓ ଖାଦ୍ୟ ସଂଗ୍ରହରେ ଗୃହ ତ୍ୟାଗ କଲେ । କି ଦୁର୍ଭାଗ୍ୟ, ସେ ସେଦିନ ପ୍ରଭାତରେ କାହାର ମୁଖ ଦେଖିଥିଲେ କେଜାଣି, ବହୁଦୂର ଯାଇ ସୁଦ୍ଧା ସେ ମୁଷ୍ଟିମାତ୍ର ତଣ୍ଡୁଳ ସଂଗ୍ରହ କରି ପାରିଲେ ନାହିଁ । ଅଗତ୍ୟା ଶେଷରେ ଊର୍ଦ୍ଧ୍ୱଦୃଷ୍ଟିରେ ଗୋଟିଏ ବୃକ୍ଷତଳେ ପଡ଼ି ରହିଲେ । ତାଙ୍କୁ ଦଶ ଦିଗ ଅନ୍ଧକାର ପରି ବୋଧହେଲା ଓ ସେହି ତିମିରମୟା ରଜନୀରେ ସେ ଦେଖିଲେ ଯେ, ତାଙ୍କର ପିତା ତାଙ୍କୁ କୋଳକୁ ନେଇଯିବାକୁ ହସ୍ତପ୍ରସାରଣ କରି ଅଛନ୍ତି ।

 

ଅନନ୍ତର ସେ ଦେଖିଲେ, ସେଠାରେ ଜଣେ ରମଣୀ ରନ୍ଧନ କରୁଅଛନ୍ତି । ଏହା ଦେଖି ସେ ତାଙ୍କ ମାତାଙ୍କ କଥା ମନ ମଧ୍ୟରେ ଭାବିବାକୁ ଲାଗିଲେ ଓ ଆଉ ସହ୍ୟ କରି ନ ପାରି କରୁଣଭାବରେ ଚିତ୍କାର କଲେ, ‘‘ମାଉସି ! ମୋତେ ମୁଠିଏ ଭାତ ଦିଅ ।’’ ଏହା ଶୁଣି ସେ ସ୍ତ୍ରୀ ଆସି ଏହି ବାଳକଟିକୁ ଦେଖି ଦୟାରେ ବିଗଳିତ ହୋଇଗଲେ । ସ୍ତ୍ରୀର ହୃଦୟ କି କୋମଳ ! କି ଦୟାପୂର୍ଣ୍ଣ-! ସେ ମୁଠିଏ ଅନ୍ନ ତାଙ୍କୁ ଦେଇ କହିଲେ, ‘ଏଇ ନିଅ ରେ ବାବୁ !’ ଏହି ମଧୁରବାକ୍ୟ କର୍ଣ୍ଣକୁହରରେ ପ୍ରବେଶ ମାତ୍ରେ ସନାତନ ଚାଞ୍ଚଲ୍ୟ ସହ ଦଣ୍ଡାୟମାନ ହୋଇ ନିଜର ଜୀର୍ଣ୍ଣ ଗାତ୍ରମାର୍ଜନୀ ଦେଖାଇ ଦେଲେ । ଯତ୍ନରେ ସେତକ ବାନ୍ଧି ଅନ୍ଧକାରରେ ପଥ ଅଣ୍ଡାଳି ଅଣ୍ଡାଳି ଚାଲିବାକୁ ଲାଗିଲେ । କିଛି ଦୂର ଯାଇ ସେ ଆଉ ଯାଇ ପାରିଲେ ନାହିଁ । ପଦ ଅବଶ ହୋଇଗଲା-। ଚକ୍ଷୁରୁ ଜ୍ୟୋତିରିଙ୍ଗଣମାନେ ବାହାରି ଉଡ଼ିବାକୁ ଲାଗିଲେ । ମୁଣ୍ଡ ଚକ୍ର ପରି ଘୂରିବାକୁ ଲାଗିଲା । ସନାତନ ଲଥ୍‌କିନା ପଥପାର୍ଶ୍ୱରେ ପଡ଼ିଗଲେ ଓ ଅନ୍ନ ପୁଟୁଳାଟିକୁ ନିଜ ବକ୍ଷ ଉପରେ ସ୍ଥାପନ କରି ନିଜ ମାତାଙ୍କ ବିଷୟ ଭାବୁ ଭାବୁ ତାଙ୍କ ପ୍ରାଣବିହଙ୍ଗମ ଚିରଦିନ ପାଇଁ ଏହି ମୃଣ୍ମୟ ପିଞ୍ଜର ଖାଲି କରି ଚାଲିଗଲା ।

 

କି ପ୍ରକାର ମାତୃଗତ ପ୍ରାଣ ଓ ଦେବୋଚିତ ହୃଦୟ । ଧନ୍ୟ ବାଳକ, ଧନ୍ୟ ତୁମ୍ଭର ଜୀବନ । ଉତ୍କଳ ଜନନୀ ଯୁଗେ ଯୁଗେ ତୁମ୍ଭ ପରି ପୁତ୍ରଲାଭ କରି ଧନ୍ୟ ହେଉ । ତୁମ୍ଭ କୀର୍ତ୍ତି ସମସ୍ତଙ୍କ କୀର୍ତ୍ତିଠାରୁ ବଳି ଯାଉ ଓ ଏହା ଯୁଗେ ଯୁଗେ ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇ ରହୁ ।

Image

 

ବାରବାଟୀ ଦୁର୍ଗ

 

ଯେଉଁ ଦୁର୍ଗ ଦିନେ ସମସ୍ତ ଓଡ଼ିଶା ଦୁର୍ଗମଣ୍ଡଳୀର ଚୂଡ଼ାସ୍ୱରୂପ ଥିଲା, ଯାହାର ପ୍ରତାପ ଦିନେ ପୂର୍ବ-ଭାରତ ତଥା ଦକ୍ଷିଣ-ଭାରତରେ ବିଖ୍ୟାତ ଥାଇ ଶତ ଶତ ସ୍ୱାଧୀନ ରାଜାଙ୍କର ନମସ୍କାର ଗ୍ରହଣ କରିବାକୁ କ୍ଷମ ହେଉଥିଲା, ଯାହା ଦିନେ ମୁସଲମାନ ତଥା ମରହଟ୍ଟାମାନଙ୍କର ବନ୍ଧୁକ-ତୋପର ଗୁଡ଼ୁମ୍‌ ଗୁଡ଼ୁମ୍‌ ଶବ୍ଦ ଶୁଣି ଅବଲୀଳାକ୍ରମେ ଓ ଆନନ୍ଦ ପ୍ରକାଶ କଲା ପରି ନିଜର ବିଶାଳ ବକ୍ଷକୁ ପାତି ଦେଇ ସେମାନଙ୍କର କ୍ଳୀବତ୍ୱର ପରିଚୟ ଜନସାଧାରଣଙ୍କୁ ଦେଖାଇ ଦେଇ ଶେଷରେ ତାର ଚିରସହଚରୀ କ୍ଷମାଦ୍ୱାରା ସମସ୍ତଙ୍କର ମାତୃସ୍ୱରୂପ ହୋଇ ଦୟାପୂର୍ବକ ସମସ୍ତଙ୍କୁ ନିଜର ସୂଚାରୁ କୋଳରେ ସ୍ଥାନ ଦେଇ ଆସିଥିଲା, ଆଜି ସେହି ଚିରପରିଚିତ ବାରବାଟୀର ଧ୍ୱଂସାବଶେଷ ଦେଖି କିଏ ବିଶ୍ୱାସ କରିବ ଯେ, ଏହା ଏପରି ଦିନେ ସୌଧକିରୀଟିନୀ ଓ ନବତଳ ପ୍ରାସାଦଶୋଭିନୀ ହୋଇ ଓଡ଼ିଶା ରାଜାମାନଙ୍କର କ୍ରୀଡ଼ାସ୍ଥଳ ଥିଲା ।

 

ଐତିହାସିକ ଏ ଦୁର୍ଗ ବାରବାଟୀ

ବୀରରକ୍ତପିଣ୍ଡେ ଗଢ଼ା ଯାର ମାଟି ।

ପୁଣି

ବାରବାଟୀ ଦୁର୍ଗେ ବାଜୁ ନାହିଁ ବାଜା

ବାରବାଟୀ ଦୁର୍ଗେ ଉଡ଼ୁ ନାହିଁ ଧ୍ୱଜା ।

 

ଏହି ସମସ୍ତ ଉକ୍ତିକୁ ପାଠ କରି ବା ଶୁଣି ଏବଂ ଦୁର୍ଗକୁ ପ୍ରତ୍ୟକ୍ଷ ଭାବରେ ଦେଖି କେଉଁ ମାନବୋଚିତ ହୃଦୟ ଶୋକଗଦ୍‌ଗଦ୍‌ ନ ହେବ ?

 

ପ୍ରଥମେ ନୃପକେଶରୀ କଟକ ସହର ନିର୍ମାଣ କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ମରକତ କେଶରୀ କାଠଯୋଡ଼ୀ ଓ ମହାନଦୀର ଦୃଢ଼ ପଥରବନ୍ଧ ନିର୍ମାଣ କରି ଆଜିଯାଏ ଆମ୍ଭମାନଙ୍କର ଭକ୍ତି ଓ ଶ୍ରଦ୍ଧା ଆକର୍ଷଣ କରୁଅଛନ୍ତି । ଏହାର ଅନେକ ଦିନ ପରେ ଅନଙ୍ଗଭୀମ ଦେବ ମୁସଲମାନମାନଙ୍କ ଆକ୍ରମଣରୁ ରକ୍ଷା ପାଇବାପାଇଁ ଯାଜପୁରରୁ ନିଜ ରାଜଧାନୀ ଉଠାଇ ଆଣି ମହାନଦୀକୂଳରେ ଉତ୍ତମରୂପେ ଏହି ଦୁର୍ଗ ନିର୍ମାଣ କରାଇଥିଲେ । ଏହି ଦୁର୍ଗନିର୍ମାଣ ବିଷୟରେ ଅନେକେ ଭିନ୍ନ ଭିନ୍ନ ପ୍ରକାର ମତ ଦେଇଅଛନ୍ତି । କିନ୍ତୁ ଏହା ତେତେବେଳେ ଦୁଇଗୋଟି ପରିଖାଦ୍ୱାରା ବେଷ୍ଟିତ ଥିଲା । ଦୁର୍ଗର ପ୍ରାଚୀର ସେ ସମୟରେ ଗୋଟିଏ ବଡ଼ ଉଚ୍ଚ ପ୍ରସ୍ତରନିର୍ମିତ କାନ୍ଥ ଥିଲା । ଏହିଠାରେ ଓଡ଼ିଶାର ଶେଷ ରାଜାମାନେ ରାଜତ୍ୱ କରିଥିଲେ । ଏହିଠାରୁ ବାହାରି ପୁରୁଷୋତ୍ତମ ମହାରାଜ କାଞ୍ଚି ବିଜୟ କରି ତାଙ୍କ ସଙ୍ଗରେ ସାକ୍ଷୀ-ଗୋପାଳ ମୂର୍ତ୍ତି ଓ ଗଣେଶ ବିଗ୍ରହ ଆଣି ରଖିଥିଲେ । ଅନ୍ୟାନ୍ୟ ରାଜାମାନଙ୍କ ସମୟରେ ଅନ୍ୟ କିଛି ବିଶିଷ୍ଟ ଘଟଣା ଘଟି ନ ଥିଲା, କିନ୍ତୁ ସବୁ ସମୟରେ ଗୌଡ଼ର ସୁଲତାନମାନେ ଏହାକୁ ଜୟ କରିବାକୁ ଆସି ଶେଷରେ ନିଜେ ପରାଜିତ ହୋଇ ଫେରୁଥିଲେ । ଏହାର ତିନିଆଡ଼େ ତିନିଗୋଟି ପ୍ରଧାନ ଦୁର୍ଗ ମଧ୍ୟ ଥିଲା । ପୂର୍ବରେ ଚୌଦ୍ୱାର, ଦକ୍ଷିଣରେ ସାରଙ୍ଗଗଡ଼ ଓ ମନ୍ଦାର ଦୁର୍ଗ ଏବଂ ପଶ୍ଚିମରେ ବିଡ଼ାନାସି ଦୁର୍ଗ । ଓଡ଼ିଶାର ଶେଷ ହିନ୍ଦୁରାଜା ମୁକୁନ୍ଦଦେବ ଦୁର୍ଗମଧ୍ୟରେ ଗୋଟିଏ ନବତଳ ପ୍ରାସାଦ ନିର୍ମାଣ କରାଇ ସେ ସମୟର କାରୁକାର୍ଯ୍ୟ ଓ ଶିଳ୍ପନୈପୁଣ୍ୟ ବିଷୟରେ ପ୍ରାଚ୍ୟପ୍ରତ୍ନତତ୍ତ୍ୱବିତ୍‌ ମାନଙ୍କ ଚମତ୍କୃତ କରୁଥିଲେ । ତହିଁ ମଧ୍ୟରେ ପ୍ରଥମ ତଳରେ ଭାରବାହୀ ପଶୁମାନେ, ଦ୍ୱିତୀୟରେ ଯୁଦ୍ଧୋପକରଣ ଓ ପହରୀବୃନ୍ଦ, ତୃତୀୟରେ ଦ୍ୱାରୀ ଓ ଆଜ୍ଞାବହବୃନ୍ଦ, ଚତୁର୍ଥରେ କୌଶଳସମ୍ପନ୍ନ କାରୁକାର୍ଯ୍ୟ ଓ କର୍ମୀ, ପଞ୍ଚମରେ ରନ୍ଧନଶାଳା, ଷଷ୍ଠରେ ଭଦ୍ରବ୍ୟକ୍ତି ଓ ଅତିଥିମାନଙ୍କର ରହିବା ସ୍ଥାନ, ସପ୍ତମରେ ରାଜପରିବାର, ଅଷ୍ଟମରେ ମହିଳାବୃନ୍ଦ ଓ ନବମରେ ରାଜାଙ୍କର ଶୟନାଗାର ଥିଲା । ଏହି ସମୟରେ ଶିଖା ଓ ମନାଇ ମହାପାତ୍ର ନାମକ ଦୁଇଜଣ ରାଜବିଦ୍ରୋହୀ ଓଡ଼ିଆ ଯାଇ ବଙ୍ଗଳାର ରାଜା ସୁଲେମାନ ଓ କଳାପାହାଡ଼କୁ ଓଡ଼ିଶା ଆକ୍ରମଣର ବାର୍ତ୍ତା ଦେଇ ଶେଷରେ ନିଜର ମସ୍ତକକୁ ରଣଚଣ୍ଡୀଙ୍କ ପଦତଳେ ଅର୍ପଣ କରିଥିଲେ । ଏହା ପରେ ଶେଷରେ ବଙ୍ଗର ସେନାପତି କାଲାଚାନ୍ଦ ମୁକୁନ୍ଦଦେବଙ୍କୁ ଗୋହିରାଠାରେ ପରାସ୍ତ ଓ ନିହତ କଲା ଏବଂ ଶେଷରେ ମୁକୁନ୍ଦ ଦେବଙ୍କର ରାଣୀ ନିଜେ ରଣାଙ୍ଗନରେ ଅବତୀର୍ଣ୍ଣା ହୋଇ ଭୟଙ୍କର ଭାବରେ ଯୁଦ୍ଧ କରି ଉତ୍କଳ ସ୍ତ୍ରୀର ବୀରତ୍ୱର ପରିଚୟ ଦେଇ ଆତ୍ମହତ୍ୟା କଲେ । ଏହିଠାରେ ଚିରଦିନ ପାଇଁ ଓଡ଼ିଶାର ଭାଗ୍ୟରବି ଅସ୍ତମିତ ହେଲେ ।

 

କ୍ରମେ କ୍ରମେ ମୁସଲମାନମାନେ ଦେଶରୁ ତିରୋହିତ ହେବାକୁ ଲାଗିଲେ ଓ ଏମାନଙ୍କ ପରେ ମରହଟ୍ଟାମାନେ ବାରବାଟୀର ଅଧୀଶ୍ୱର ହେଲେ । ଏହିପରି ବାରବାଟୀ ବିଦେଶୀ ଓ ବିଧର୍ମୀମାନଙ୍କର କରକବଳିତ ହେଲା । ଶେଷରେ ମରହଟ୍ଟାମାନେ ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହେଲେ ଏବଂ ଦୁର୍ଗଟି ଆଧୁନିକ ଅବସ୍ଥାପ୍ରାପ୍ତ ହେଲା । ମୁସଲମାନ ଓ ମରହଟ୍ଟାମାନେ ଏହି ଦୁର୍ଗରେ ବାସ କରିଥିଲେ ସତ, କିନ୍ତୁ ସେମାନେ ଦୁର୍ଗର ଅଙ୍ଗହାନି କରି ନ ଥିଲେ ବରଂ ଏହାର କିଞ୍ଚିତ୍‌ ସଂସ୍କାର କରିଥିଲେ । ଇଂରେଜମାନେ ଏହାକୁ ଅଧିକାର କରି ଏହି ଦୁର୍ଗର ପ୍ରାଚୀରକୁ ତୋପଦ୍ୱାରା ଧ୍ୱଂସ କରି ଦେଇଥିଲେ ଓ ଶେଷରେ ନବତଳ ପ୍ରାସାଦ ତଥା ଅନ୍ୟାନ୍ୟ ମନ୍ଦିରମାନଙ୍କୁ ମଧ୍ୟ ଭାଙ୍ଗିଦେଇ ସେହି ପଥରରେ ରାଜମାର୍ଗ ଓ ବଡ଼ ବଡ଼ କୋଠା ନିର୍ମାଣ କରିବାକୁ ବାରିକ୍‌ ମିସ୍ତିରି ଇଲାକା (P. W. D.)କୁ ଅନୁମତି ଦେଇଥିଲେ । ଶେଷରେ ଏହିପରି ଆମ୍ଭମାନଙ୍କର ମାତୃସ୍ୱରୂପା ବାରବାଟୀ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଧୂଳିରେ ପରିଣତ ହେଲା । ହାୟ ! କି ପାଷାଣହୃଦୟ ! ଗୋଟିଏ ଜାତିର ଗର୍ବ ଓ ମେରୁଦଣ୍ଡ ଭଗ୍ନ କରିବା କିପ୍ରକାର ଘୃଣ୍ୟ ଓ କଳଙ୍କପୂର୍ଣ୍ଣ କାର୍ଯ୍ୟ ? ଆଜି ଆମେ ଯେଉଁ ରାସ୍ତା ଓ ପୋଲ ଉପରେ ଚାଲୁଥାଇ, ତାହା ବାରବାଟୀର ଅସ୍ଥି ଓ ଅସ୍ଥି ଚୂର୍ଣ୍ଣ ମାତ୍ର ଏବଂ ମହାନଦୀର ଜଳରାଶି ବାରବାଟୀର ରକ୍ତ ଓ ମଜ୍ଜା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବାରବାଟୀ ବିଷୟ ଭାବିବାକୁ ଗଲେ ବା ଲେଖିଲେ ନୟନ ଲୋତକରେ ପୂର୍ଣ୍ଣ ହୋଇଯାଏ । ବାସ୍ତବିକ ଆଜି ସେ ଓଡ଼ିଆ ନାହିଁ, କି ତାର ସେ ବାରବାଟୀ ନାହିଁ; କିନ୍ତୁ ତାର ସ୍ଥାନ ଆମ୍ଭମାନଙ୍କ ପରି କୁଳାଙ୍ଗାରମାନେ ପୂରଣ କରିଅଛନ୍ତି ମାତ୍ର ।

 

କହି ହେବା ସିନା ପୂର୍ବକାଳ ଗଳ୍ପ

ଏବ ମୂଲ୍ୟ ତାର ଅଟେ ଅତି ଅଳ୍ପ ।’

 

ପୂର୍ବକାଳ ବିଷୟ ଭାବି ଆମ୍ଭେମାନେ ଉପର୍ଯ୍ୟୁକ୍ତ ଉକ୍ତିକୁ ସାର୍ଥକ କରିବା ଓ ମନରେ ସାନ୍ତ୍ୱନା ଦେବା ଉଚିତ । ଯାହାହେଉ, ଯଦି ଆମ୍ଭେମାନେ ସତ୍‌କର୍ମ କରୁଁ, ସତ୍‌ପଥରେ ସବୁବେଳେ ଯାଉଁ ଓ ଜୀବନକୁ ଜନନୀପଦରେ ଉତ୍ସର୍ଗ କରୁଁ, ତେବେ ପୂର୍ବ ଭାଗ୍ୟ ନିଶ୍ଚୟ ଫେରି ଆସିବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

Image

 

ଫକୀରମୋହନ

 

ଯେଉଁ ବାଳକ ବାଲ୍ୟକାଳରୁ ପିତୃମାତୃହୀନ, ଯେ ଭିକାରୀପିଲା ପରି ପିଲାଦିନୁ ଦରିଦ୍ରା ଓ ମୁମୂର୍ଷୁ ପିତାମହୀଙ୍କ ଦ୍ୱାରା ଲାଳିତ ପାଳିତ, ଯାହାର ଅଭିଭାବକତୁଲ୍ୟ ଜ୍ୟେଷ୍ଠ ପିତୃବ୍ୟ ସବୁବେଳେ ଅମଙ୍ଗଳାକାଙ୍କ୍ଷୀ, ମାସ ଶେଷରେ ଯାହାର ପିଠି ଅବଧାନଙ୍କ ବେତ ପ୍ରହାରରେ ବାଘବଜାରି ଛକ ପାଲଟିଯାଏ, ଯେ ଫକୀରବେଶରେ ଯମକବଳରୁ ରକ୍ଷା ପାଇବା ପାଇଁ ଦ୍ୱାର ଦ୍ୱାର ବୁଲି ଭିକ୍ଷା ସଂଗ୍ରହ କରେ, ଯାହାର ପୈତୃକ ସମ୍ୱଳ ଆଦୌ ନ ଥିଲା, ଯେ ବିଦ୍ୟାଳୟରେ ବରଷେଖଣ୍ଡେ ପଢ଼ି ଅର୍ଥାଭାବରୁ ବିଦ୍ୟାଶିକ୍ଷା ଛାଡ଼ି ପ୍ରଥମେ ଅଢ଼େଇ ଟଙ୍କାର ଗୋଟିଏ ଦୀନହୀନ ଚାକିରିଆ, ତାକୁ ବା ଜଗତରେ କିଏ ପଚାରେ ? ତାଠାରୁ ବା ଜାତି, ଦେଶ, ଭଦ୍ରସମାଜ ତଥା ସାହିତ୍ୟକ୍ଷେତ୍ର କଣ ପ୍ରତ୍ୟାଶା କରେ ? କିଛି ନାହିଁ, ସେ ବା କଣ କରି ପାରିବ ? ଯେ ସବୁର ଉନ୍ନତି ପାଇଁ ସପ୍ତତଳପ୍ରାସାଦବାସୀ, ଦୁଗ୍ଧଫେନନିଭ ଶଯ୍ୟାଶାୟୀ, ସୁନ୍ଦର ସିଂହାସନାରୋହୀ ରାଜାମାନେ ମଧ୍ୟ ପଛକୁ ପଡ଼ୁଛନ୍ତି; କିନ୍ତୁ ଦିନେ ସେହି ଫକୀରଟୋକା ପରମେଶ୍ୱରଙ୍କୁ ପିତା ମାତା, ଜଗତ୍‌ବାସୀଙ୍କ ଭାଇ ଭଉଣୀ, ବୟସ୍କମାନଙ୍କୁ ଅଭିଭାବକ ଓ ସାହିତ୍ୟ କ୍ଷେତ୍ରକୁ ଜମିଦାରୀ କରିଛି, ଏହା କିଏ ବା ଅବଧାରଣା କରି ପାରେ ? ଯାହାକୁ ଦିନେ ସମସ୍ତେ ଆଦର୍ଶରୂପେ ଗ୍ରହଣ କରି ପାଖରେ କୃତଘ୍ନରୂପେ ଠିଆ ହୋଇଛନ୍ତି, ସେହି ସରସ୍ୱତୀଙ୍କ ବରପୁତ୍ର ଓଡ଼ିଆର ଉପନ୍ୟାସ ଲେଖକ ନେତା କବିତାକୁଞ୍ଜବିହାରୀ, ଦାନଶୀଳ ଶ୍ରୀଯୁକ୍ତ ଫକୀରମୋହନ ସେନାପତିଙ୍କ ଅମର ଜୀବନୀ ବିଷୟରେ ପ୍ରତ୍ୟେକେ ଆଲୋଚନା କରିବା ବାଞ୍ଛନୀୟ ।

 

କଟକ ଜିଲ୍ଲାରେ କେନ୍ଦ୍ରାପଡ଼ା ସବ୍‌ଡ଼ିଭିଜନ୍‌ ଅନ୍ତର୍ଗତ କୁଶିନ୍ଦା ଗ୍ରାମରେ ଗୋଟିଏ ଖଣ୍ଡାୟତ ବଂଶ ଥିଲା । ସେଠାରୁ ହନମଲ୍ଲ ନାମକ ଜଣେ ପାଇକବୀର ପଠାଣମାନଙ୍କୁ ପୂର୍ବଦିଗରୁ ବାଧା ଦେବା ପାଇଁ ବାଲେଶ୍ୱରରେ ଜାଗିରି ଜମି ଭୋଗ କରି ରହିଥିଲେ । ତାଙ୍କର ମରହଟ୍ଟାଦତ୍ତ ଉପାଧି ଥିଲା ସେନାପତି । ସେହି ବଂଶ ଇଂରେଜମାନଙ୍କ ଆକ୍ରମଣଯାଏ ଥିଲା । ପରେ ପରକଥାରେ ପଡ଼ି ଓ ଇଂରେଜମାନେ ବିପକ୍ଷମାନଙ୍କୁ କାଳେ ହତ୍ୟା କରିବେ, ଏହି ଭୟରେ ଫକୀରମୋହନଙ୍କ ପିତାମହୀ ଅନ୍ୟମାନେ ଜାଗିରି ଫେରି ପାଉଥିବାବେଳେ କିଛି ନ ବୁଝି ଜାଗିରି ଆଣିବାକୁ ମନା କଲେ । ଏହିଠାରୁ ସେନାପତିବଂଶର ଜାଗିରି ଲୋପ ପାଇଲା । ଫକୀରମୋହନ ହନୁମଲ୍ଲଙ୍କର ୫ମ ବଂଶଧର । ଲକ୍ଷ୍ମଣଚରଣ ସେନାପତି ତୁଳସୀ ଦେଈଙ୍କର ଏକମାତ୍ର ଜୀବିତ ସନ୍ତାନ ଏବଂ ସେ ମଲ୍ଲିକାଶପୁର ଗ୍ରାମରେ ଖ୍ରୀ: ୧୮୪୩ ଜାନୁଆରୀ ମାସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବ୧।୫ ମାସବେଳେ ତାଙ୍କ ପିତା ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇ ଫେରୁଥିବା ସମୟରେ ଭୁବନେଶ୍ୱରଠାରେ ଓଲାଉଠା ରୋଗରେ ଓ ତାଙ୍କର ମାତା ସ୍ୱାମୀବିରହରେ ଆଉ ଏଗାର ମାସ ପରେ ଇହଲୀଳା ସାଙ୍ଗ କରିଥିଲେ ।

 

ଏହା ପରେ ତାଙ୍କର ପିତାମହୀ କୁଚିଲା ଦେଈ ତାଙ୍କୁ ନିଜ ଆଶ୍ରୟରେ ରଖି ବଢ଼ାଇବାରେ ଲାଗିଲେ । ସେ ବାଲ୍ୟକାଳରେ ଅତି ରୁଗ୍‌ଣ ହୋଇ ମୃତ୍ୟୁମୁଖରୁ ଉଦ୍ଧାର ପାଇଥିଲେ ଏବଂ ଏହି ସମୟରେ ତାଙ୍କ ପିତାମହୀ ତାଙ୍କୁ ପୀରଙ୍କୁ ସମର୍ପଣ କରି ଦେଇଥିଲେ । ଏହା ପୂର୍ବରୁ ତାଙ୍କର ଜ୍ୟେଷ୍ଠଭ୍ରାତୃଙ୍କର କାଳ ହୋଇ ଯାଇଥିବାରୁ ତାଙ୍କର ନାମ ଫକୀର ଦିଆ ହୋଇଥିଲା । ସେ ପ୍ରତିବର୍ଷ ମହରମ୍‌ ସମୟରେ ଫକୀର ବେଶ ଧାରଣ କରି କିଛି ଭିକ୍ଷା କରୁଥିଲେ ଓ ତାହା ତାଙ୍କର ପିତାମହୀ ପୀରଙ୍କଠାକୁ ପଠାଇ ଦେଉଥିଲେ । ଏହା ପରେ ୯ ବର୍ଷବେଳେ ତାଙ୍କର ବିଦ୍ୟାରମ୍ଭ ହେଲା ଓ ସେ ପ୍ରଥମେ ଗୋଟିଏ ମାଟିବଂଶ ଅବଧାନଙ୍କ ପାଖରେ ପଢ଼ୁଥିଲେ । ପ୍ରତି ମାସ ଶେଷରେ ଅବଧାନେ ଦରମା ନେବା ସମୟରେ ସେ ଭଲ ପଢ଼ୁଥିଲେ ମଧ୍ୟ ତାଙ୍କର ଅମଙ୍ଗଳାକାଙ୍‌କ୍ଷୀ ଈର୍ଷାବିଷଜର୍ଜରହୃଦୟ ଜ୍ୟେଷ୍ଠ ପିତୃବ୍ୟ ଅବଧାନଙ୍କୁ କହି ତାଙ୍କୁ ବହୁତ ପ୍ରହାର ଦିଆଉଥିଲେ । ଏହା ପରେ ବହୁ କଷ୍ଟରେ ସେ ବିଦ୍ୟାଳୟ ପାଠ ସମାପ୍ତ କରି ବାଲେଶ୍ୱରରେ ଥିବା ଅବୈତନିକ ପାର୍ଶି ବିଦ୍ୟାଳୟରେ କିଛି ଦିନ ଅଧ୍ୟୟନ କଲେ ।

 

ତାଙ୍କର ବଡ଼ ବାପାଙ୍କ ଅଧୀନରେ ଥିବା ପାଲ ସିଲାଇ କାମରେ ସେ ଅନ୍ୟାନ୍ୟ କାର୍ଯ୍ୟ ଶେଷ କରି ଲାଗି ଯାଇଥିଲେ । ଏହି ସମୟରେ ଓଡ଼ିଶାରେ ହେଉଥିଲା ଲୁଣମରା ଓ ବଡ଼ ବଡ଼ ବୋଇତମାନ ବିଦେଶକୁ ଯାଇ ପାରୁଥିଲା । ଯେଉଁମାନଙ୍କର ଅବସ୍ଥିତି ଆଜିକାଲି ଅନୁସନ୍ଧାନ କଲେ ମଧ୍ୟ ମିଳେ ନାହିଁ । ନିମକ ମାହଲ କାର୍ଯ୍ୟ ଉଠିଯିବାରୁ ସେ ଊନବିଂଶ ବୟସରେ ବାରବାଟୀ ସ୍କୁଲରେ ବର୍ଷେ ଅଧ୍ୟୟନ କଲେ । ବର୍ଷକ ପରେ ଉଚ୍ଚ ଶ୍ରେଣୀକୁ ଉନ୍ନୀତ ହୋଇ ବିଦ୍ୟାଳୟ ଦରମା ଦେଇ ନ ପାରିବାରୁ ତାଙ୍କର ନାମ କଟିଗଲା ଓ ସେ କିଛିଦିନ ପରେ ବହୁ କଷ୍ଟରେ ଟ ୨ଙ୍କା ବେତନରେ ୩ୟ ଶିକ୍ଷକରୂପେ ସେହି ବିଦ୍ୟାଳୟରେ କିଛିଦିନ କାର୍ଯ୍ୟ କଲେ ଓ ପରେ ଚାରି ଟଙ୍କାରେ ମଧ୍ୟ କିଛିଦିନ କାର୍ଯ୍ୟ କରିଥିଲେ । ଏହି ବିଦ୍ୟାଳୟରେ ସେ ପଣ୍ଡିତଙ୍କଠାରୁ ସଂସ୍କୃତ ବ୍ୟାକରଣ ଓ ଅନ୍ୟାନ୍ୟ ସଂସ୍କୃତ ପୁସ୍ତକ ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଥିଲେ ।

 

୧୮୬୫ ଖ୍ରୀଷ୍ଟାବ୍ଦରେ ତାଙ୍କର ରାଧାନାଥ ବାବୁଙ୍କ ସହ ଦେଖା ହେଲା । ସେ ଦୁହେଁ ଏହା ପରେ ଘନିଷ୍ଠ ବନ୍ଧୁରେ ପରିଣତ ହୋଇଥିଲେ । ସେ ୭ ବର୍ଷ ଯାଏ ବାଲେଶ୍ୱର ମିଶନ ସ୍କୁଲରେ ପଣ୍ଡିତପଦରେ ପ୍ରଥମେ ଅଳ୍ପ ଟଙ୍କା ବେତନରେ କାମ କରିଥିଲେ । ପରେ ତାଙ୍କର କଟକ ନର୍ମାଲ ସ୍କୁଲକୁ ୨ୟ ଶିକ୍ଷକ ପଦରେ ଯିବା ବିଷୟ ଶୁଣି ତାଙ୍କର ମଙ୍ଗଳାକାଙ୍କ୍ଷୀ ଓ ଗୁରୁପଦ ବିମ୍ସ୍‌ସାହେବ ତାଙ୍କୁ ଟ ୩୦ଙ୍କାରେ ବାଲେଶ୍ୱରରେ ରଖି ଥିଲେ । ଏହି ବିଦ୍ୟାଳୟରେ ଶିକ୍ଷକ ଥିବାବେଳେ ସେ ବ୍ରାହ୍ମଧର୍ମର ଅନେକ ଗ୍ରନ୍ଥ ପାଠ କରି ଓ ସେଥିରେ ଅନୁପ୍ରାଣିତ ହୋଇ ସେହି ଧର୍ମ ଗ୍ରହଣ କରିଥିଲେ । ସେହି ସ୍କୁଲରେ ଥିବାବେଳେ ସେଠାର ପ୍ରଧାନ ଶିକ୍ଷକ ମିଲର୍‌ ସାହେବ ବଡ଼ ଜିଦ୍‌ଖୋର ଲୋକ ଥିବାରୁ ଫକୀର ମୋହନଙ୍କର ପ୍ରତିପ୍ରତ୍ତି ପ୍ରକାଶ ପାଇ ନ ଥିଲା । ସେ ଦକ୍ଷଭାବରେ ଓ ସମସ୍ତଙ୍କ ସଙ୍ଗରେ ମିଳିମିଶି କାର୍ଯ୍ୟନିର୍ବାହ କରୁଥିଲେ । ଏହି ସ୍କୁଲରେ ଥିବାବେଳେ ଓଡ଼ିଶାର ରୋମହର୍ଷଣକାରୀ ଓ ଓଡ଼ିଶାର ଅର୍ଦ୍ଧାଂଶ ଲୋକଙ୍କର ପ୍ରାଣଶୋଷକ ନଅଙ୍କ ଦୁର୍ଭିକ୍ଷ ଉପସ୍ଥିତ ହୋଇଥିଲା ଓ ତାହାକୁ ସେ ସ୍ୱଚକ୍ଷୁରେ ଦର୍ଶନ କରିଥିଲେ ଓ ଅଙ୍ଗେ ନିଭାଇଥିଲେ-। ସେ ସମୟରେ ଓଡ଼ିଶାରେ ମିଶନ ପ୍ରେସ ବ୍ୟତୀତ ଅନ୍ୟ ଛାପାଖାନା ବସି ନ ଥିଲା-। ତାହା ପରେ ପ୍ରିଣ୍ଟିଂ ଛପାକଳ ଆସି ତହିଁରୁ ଦୀପିକା ନାମକ ପତ୍ରିକା ପ୍ରକାଶ ପାଇଲା । ଫକୀରମୋହନ କେତେକ ଅନୁଚରଙ୍କୁ ଯତ୍ନରେ ବାଲେଶ୍ୱରରେ ଛାପାଖାନା ବସାଇବାକୁ କୃତସଙ୍କଳ୍ପ ହୋଇଥିଲେ । ଏମାନଙ୍କ ମଧ୍ୟରେ ପୂଜ୍ୟପାଦ ରାଧାନାଥ ରାୟ ପ୍ରଧାନ ଥିଲେ । ଏଥିପାଇଁ ଟଙ୍କା ସଂଗ୍ରହ କରିବାରେ ଫକୀରମୋହନଙ୍କୁ ଖରା ତରା ଅଣ୍ଟି ନ ଥିଲା । ଶେଷରେ ତାଙ୍କର ରକ୍ତଝାଡ଼ା ହୋଇ ଜୀବନ ସଙ୍କଟାପନ୍ନ ହେଲେ ମଧ୍ୟ ସେ ସେ ମହତ୍‌ କାର୍ଯ୍ୟକୁ ଛାଡ଼ି ନ ଥିଲେ ଓ ବହୁ କଷ୍ଟରେ ଅନେକ ଟଙ୍କା ଖର୍ଚ୍ଚ ଓ ଅପବ୍ୟୟ ହେବା ପରେ ପ୍ରଥମେ ୧୮୬୮ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରରେ ଗୋଟିଏ ଛାପାଖାନା ବସାଇଥିଲେ । ସେହି ନୂତନ ଅନୁଷ୍ଠାନ ଦେଖିବାକୁ ବହୁଦୂରରୁ ରାଜା ଓ ଜମିଦାରମାନେ ଦୌଡ଼ି ଆସିଲେ । ଏହାର ବର୍ଷକ ପୂର୍ବରୁ ତାଙ୍କର ପୃଷ୍ଠପୋଷକ ଓ ସାହାଯ୍ୟକାରୀ ପିତାମହୀ ଜୀବନଲୀଳା ସମ୍ୱରଣ କରି ତାଙ୍କୁ ବହୁତ ଆନ୍ତରିକ ବେଦନା ଦେଇଥିଲେ ।

 

ଖ୍ରୀଷ୍ଟାବ୍ଦ ୧୮୭୧—୧୮୭୫ ପର୍ଯ୍ୟନ୍ତ ଟ ୧୦୦ଙ୍କା ବେତନରେ ଜନ୍‌ବିମ୍ସଙ୍କ ସାହାଯ୍ୟରେ ସେ ନୀଳଗିରିର ଦେୱାନ ହୋଇ ଯାଇଥିଲେ । ସେଠାରେ ସେ ବୃକ୍ଷଲତା ରୋପଣ, ରାସ୍ତା ନିର୍ମାଣ ଓ ଜଳାଶୟ ଖନନ ପ୍ରଭୃତି କରାଇଥିଲେ । ରାଜାଙ୍କ ସଙ୍ଗେ ମନୋମାଳିନ୍ୟ ଘଟିବାରୁ ତାହା ତ୍ୟାଗ କରି କିଛିଦିନ ଯାଏ ଟଙ୍କା ଅଭାବରେ କଟକରେ ରହି ଟ ୭୦ଙ୍କା ବେତନରେ ଡମପଡ଼ାର ମେଳି ଓ ଅଶାନ୍ତି ଥିବାବେଳେ ସେଠାକୁ ଦେବାନପଦରେ ଯାଇଥିଲେ । ସେଠାରେ ବହୁତ ବୁଦ୍ଧି ପ୍ରକାଶ କରି ଓ ଏକ ସମୟରେ ମଧ୍ୟ ମିଥ୍ୟାର ଆଶ୍ରୟ ନେଇ ସିଂହାସନଚ୍ୟୂତ ଓ ଏକ ଘରିଆ ହୋଇ ବୁଲୁଥିବା ଡମପଡ଼ା ରାଜାଙ୍କୁ ସିଂହାସନରେ ବସାଇ ଥିଲେ ଓ ଦେଶରେ ଶାନ୍ତି ସ୍ଥାପନ ଓ ନୂତନ ବନ୍ଦୋବସ୍ତ କରାଇ ଟଙ୍କାରେ ଟ ୦ କର ବୃଦ୍ଧି କରାଇ ଦେଇଥିଲେ । ସେ ଖ୍ରୀଷ୍ଟାବ୍ଦ ୧୮୭୭—୮୩ ଯାଏ ଢେଙ୍କାନାଳକୁ ଆସିଷ୍ଟାଣ୍ଟ୍‌ ମ୍ୟାନେଜରରୂପେ ଯାଇଥିଲେ । ସେ ସେଠାରେ ଅନେକ ଭଲ କାମ କରି ଶେଷରେ ସେଠାର ମ୍ୟାନଜରଙ୍କ କୁଦୃଷ୍ଟିରେ ପଡ଼ିବାରୁ ସେହି ଚାକିରୀକୁ ଇସ୍ତଫା ଦେଲେ ।

 

ତାହାପରେ ସେ ଖ୍ରୀଷ୍ଟାବ୍ଦ ୧୮୮୪—୮୬ ପର୍ଯ୍ୟନ୍ତ ଦଶପଲ୍ଲାକୁ ଦେବାନପଦରେ ଯାଇ ସେଠାରେ ବନ୍ଧ ମରାମତ, ସୀମା ନିର୍ଦ୍ଦେଶ, ବିଲାତିଆଳୁ, କୋବି, ମଟର ଓ ମୂଳାର ପ୍ରଚାର ପ୍ରଥମକରି ଆରମ୍ଭ କରିଥିଲେ । ବେଶୀ କିଛି କାର୍ଯ୍ୟ ନ ଥିବାରୁ ଓ ତାଙ୍କର ସେଠା ରାଜାଙ୍କ ସଙ୍ଗେ ମନୋମାଳିନ୍ୟ ଘଟିବାରୁ ତାହା ତ୍ୟାଗ କରି କଟକରେ ଅଳ୍ପଦିନ ରହିବା ପରେ ପାଳଲହରାକୁ ମେଳିଆମାନଙ୍କ ବିଚାର ପାଇଁ ଦେବାନପଦରେ ଯାଇ ବର୍ଷେ ରହି ସେଠାରେ କାର୍ଯ୍ୟ ନ କରି ବୃଥା ଅର୍ଥ ଗ୍ରହଣକୁ ଅଧର୍ମ ମନେ କରି ତାହା ତ୍ୟାଗ କଲେ ଓ ଅର୍ଜିତ ଧନକୁ ଅଳ୍ପଦିନ ମଧ୍ୟରେ ବ୍ୟୟ କରିଦେବା ପରେ କେନ୍ଦୁଝରକୁ ଖ୍ରୀଷ୍ଟାବ୍ଦ ୧୮୮୭—୯୨ ଯାଏ ମ୍ୟାନେଜର ପଦରେ ଯାଇ ଆନନ୍ଦପୁରରେ ରହି ଥିଲେ । ଏହା ପୂର୍ବରୁ ସେ ଭାରତବର୍ଷର ଇତିହାସ, ଅଙ୍କମାଳା, ମହାଭାରତ, ରାମାୟଣ ଶ୍ରୀମଦ୍‌ଭଗବଦ୍‌ଗୀତା ପ୍ରଭୃତିର ସଂସ୍କୃତାନୁବାଦ କରି ପ୍ରକାଶ କରିଥିଲେ । ଆନନ୍ଦପୁରରେ ରହିଥିବା ସମୟରେ ସେ ଗୋଲାପ, ଲିଚୁ ଓ ଆମ୍ୱ ପ୍ରଭୃତି ଗଛମାନ ସେଠାରେ ପ୍ରଥମେ ଲଗାଇ ଥିଲେ । ମହାରାଜା ଗୋଟିଏ ମକଦ୍ଦମା ବିଚାରରେ ତାଙ୍କଠାରେ ଅତ୍ୟନ୍ତ ଖୁସି ହୋଇ ତାଙ୍କର ଦରମା ଟ ୧୨୦ଙ୍କା କରି ଦେଇଥିଲେ । ତାଙ୍କର ଅବସ୍ଥାନର ଚତୁର୍ଥ ବର୍ଷରେ ଗୋଟିଏ ଭୟଙ୍କର ଭୂୟାଁମେଳି ଧରଣୀଧର ନାମକ ଭୂୟା ନେତାଦ୍ୱାରା ଚାଳିତ ହୋଇ ପ୍ରଳୟ ଆକାର ଧାରଣ କରି ଥିଲା । ଏହି ମେଳିଆଙ୍କ ଆକ୍ରମଣରୁ ରାଜବଂଶଜମାନଙ୍କୁ ରକ୍ଷା କରିବା ଅଭିପ୍ରାୟରେ ସେ ଥରେ ହାତୀରେ ଚଢ଼ି ଗଡ଼ ଅଭିମୁଖରେ ଯାତ୍ରା କରୁଥିବା ସମୟରେ ବାଟରେ ଆକ୍ରାନ୍ତ ହୋଇ ବନ୍ଦୀ ହୋଇଥିଲେ । ସେଠାରେ ଛଳନା ପ୍ରକାଶପୂର୍ବକ ଭୂୟାଁ ମନ୍ତ୍ରୀ ହୋଇ କୌଶଳକ୍ରମେ ଭୂୟାଁମାନଙ୍କୁ ୧୦ ଦିନ ଆକ୍ରମଣରୁ ନିବର୍ତ୍ତାଇ ଶେଷରେ ଚାଇଁବସାଆଡ଼ୁ ରାଜାଙ୍କ ସାହାଯ୍ୟରେ ଆସୁଥିବା ଇଂରେଜ ସୈନ୍ୟଙ୍କ ଦ୍ୱାରା ଧରଣୀକୁ ବନ୍ଦୀ କରାଇଲେ । ଅନେକ ଭୂୟାଁ ଏହି ମେଳିରେ ମରିଥିଲେ ଓ ସେ ମୁକ୍ତିଲାଭ କରିଥିଲେ । କେତେକ ବର୍ଷ ପରେ କେଉଁଝରର କୃତଘ୍ନ ମହାରାଜାଙ୍କୁ ଅବିଶ୍ୱାସୀ ଭାବି କେତେକ କାରଣରୁ ତାଙ୍କ ବିରୁଦ୍ଧରେ ଉଠିଥିବାର ସେ ଜାଣି ନିଜେ ଇସ୍ତଫା ଦେଇ ୧୮୯୨ ଖ୍ରୀଷ୍ଟାବ୍ଦରେ ଅର୍ଦ୍ଧରାତ୍ରରେ ଚାଲି ଆସିଥିଲେ । ଆନନ୍ଦପୁରରେ ଥିବାବେଳେ ସେ ଦିନେ ବାଲେଶ୍ୱରରୁ ହାତୀରେ ଯାଉଥିବାବେଳେ ଉତ୍କଳ ଭ୍ରମଣ କାବ୍ୟର ଅର୍ଦ୍ଧାଂଶ କେତେ ଘଣ୍ଟା ମଧ୍ୟରେ ଲେଖି ପକାଇଥିଲେ । ଏଥିରୁ ତାଙ୍କର ସାହିତ୍ୟ ପ୍ରତି ପ୍ରୀତି ଓ ଅନୁରାଗ ଜଣା ପଡ଼େ ।

 

ଶେଷରେ ୧୮୯୪—୯୬ ଖ୍ରୀଷ୍ଟାବ୍ଦ ଯାଏ ସେ ପୁଣି ଟ ୧୨୦ଙ୍କାରେ ଡମପଡ଼ାକୁ ୨ୟ ଥର ଦେବାନକାର୍ଯ୍ୟରେ ଯାଇ ଅନେକ ଦିନ ପୀଡ଼ା ଭୋଗ କରିଥିଲେ । ଏହି ସମୟରେ ତାଙ୍କର ପ୍ରାଣପ୍ରତିମା ପତ୍ନୀ ଇହଧାମ ଛାଡ଼ି ଚାଲିଯିବାରୁ ସେ ଦାରୁଣ ମାନସିକ ଯନ୍ତ୍ରଣା ଭୋଗ କରିଥିଲେ-। ଡମପଡ଼ା ରାଜାଙ୍କର ୨ୟ ଥର କନିକା ରାଜକନ୍ୟାଙ୍କ ସହ ବିବାହ ବିଷୟ ନେଇ ତାଙ୍କର ରାଜାଙ୍କ ସହ ମନୋମାଳିନ୍ୟ ହେଲା ଓ ଶେଷରେ ଶେଷଥର ପାଇଁ ସେ ଚାକିରୀ ଛାଡ଼ି କଟକ ବାଖରାବାଦରେ ଥିବା ଉଦ୍ୟାନବେଷ୍ଟିତ ଗୃହରେ ପୁତ୍ରକନ୍ୟା ସହ ବାସ କରିଥିଲେ । ଏହିଠାରେ ସେ ଛମାଣ ଆଠଗୁଣ୍ଠ ଉପନ୍ୟାସ ଓ ଉପନିଷଦ ଅନୁବାଦ ପ୍ରକାଶ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ଶ୍ରୀଯୁକ୍ତ ମୋହିନୀମୋହନ ସେନାପତିଙ୍କର ବାଲେଶ୍ୱର ବଦଳିରେ ସେ ଯାଇ ସେଠାରେ ଶେଷ ଜୀବନ ଅତିବାହିତ କରିଥିଲେ । ସେଠାରେ ଗୋଟିଏ ଉଦ୍ୟାନରେ ଅନେକଗୁଡ଼ିଏ ଫଳ, ଫୁଲ ବୃକ୍ଷ ରୋପଣ କରି ଓ ବେଞ୍ଚ ନିର୍ମାଣ କରାଇ ସେ ତହିଁ ଉପରେ ବସି ମାମୁ, ଲଛମା, ଗଳ୍ପସ୍ୱଳ୍ପ, ବୌଦ୍ଧାବତାର କାବ୍ୟ, ପ୍ରାୟଶ୍ଚିତ୍ତ ଓ ଅନ୍ୟାନ୍ୟ ଅନେକ କ୍ଷୁଦ୍ର କ୍ଷୁଦ୍ର ଉପନ୍ୟାସ ଓ ପଦ୍ୟ ଲେଖି ଉତ୍କଳ ଭାରତୀଙ୍କ ଗଳାରେ ଯେଉଁ ଅକୃତ୍ରିମ ମୋତିମାଳ ଦେଇଯାଇ ଅଛନ୍ତି, ତାହା ଅନେକ ଦିନଯାଏ ସେହିପରି ବିରାଜୁଥିବ । ସେଥିପାଇଁ ଓଡ଼ିଆ ଜାତି ଓ ସାହିତ୍ୟ ତାଙ୍କଠାରେ ଚିରକୃତଜ୍ଞ ଓ ଋଣୀ ।

 

ଫକୀରମୋହନ ଜୀବନଯାକ ଦୁର୍ବଳକାୟ ଓ ଅନେକ ସମୟରେ ରୋଗଗ୍ରସ୍ତ ରହିଥିଲେ । କ୍ଳାଇବଙ୍କ ପରି ସେ ଅନେକ ଥର ସାପ, ଭାଲୁ, ବନ୍ୟହସ୍ତୀ, ଗୟଳ ଓ ବ୍ୟାଘ୍ରକବଳରୁ ଏବଂ ତୀର, ଖଡ୍ଗ ଓ ବନ୍ଧୁକ ମୁଖରୁ ରକ୍ଷା ପାଇଥିଲେ । ସେ ରାୟବାହାଦୂର ମଧୁସୂଦନ ରାଓଙ୍କଠାରୁ ‘ଧର୍ଜଟୀ’ ଓ ବାମଣ୍ଡାରୁ ‘ସରସ୍ୱତୀ’ ଉପାଧି ପାଇଥିଲେ । ସେ ୧୯୧୭ ଖ୍ରୀଷ୍ଟାବ୍ଦରେ ଉତ୍କଳ ଭାଷାଭାଷୀମାନଙ୍କର ସମ୍ମିଳନୀରେ ସଭାପତି ହୋଇ ଥିଲେ । ଦୁଃଖର ବିଷୟ ଅନୁଶୋଚନାର ଘଟଣା, ମର୍ମନ୍ତୁଦ ଖବର ଯେ, ସେ ୧୯୧୮ ଖ୍ରୀଷ୍ଟାବ୍ଦରେ ସମସ୍ତଙ୍କୁ ଶୋକସାଗରରେ ଭସାଇ ଦେଇ ଇହଧାମ ଛାଡ଼ି ସ୍ୱର୍ଗଧାମକୁ ଚାଲିଗଲେ ।

 

ଆଜି ତାଙ୍କର ଅନେକଗୁଡ଼ିଏ ପୁସ୍ତକ ବିଶ୍ୱବିଦ୍ୟାଳର ପାଠ୍ୟପୁସ୍ତକରୂପେ ଓ କେତେ ଖଣ୍ଡ ବହିର ଅନୁବାଦ ହିନ୍ଦିରେ ହୋଇ ଯାଇଅଛି । ଆଜି ସେ ଫକୀରଟୋକା ଲୋକସମାଜରେ ମଣି ଓ ସାହିତ୍ୟକ୍ଷେତ୍ରରେ ରଥୀ ହୋଇ ଆମର ଭକ୍ତି ଓ ଶ୍ରଦ୍ଧା ଆକର୍ଷଣ କରୁଅଛନ୍ତି ।

Image

 

କୌଣସି ଭ୍ରମଣ

 

ବହୁଦିନର ବନ୍ଧୁଙ୍କ ଅନୁରୋଧ ପାଳନରେ ପ୍ରୟାସୀ ହୋଇ ଚାରି ପାଞ୍ଚ ଜଣଙ୍କ ସମଭିବ୍ୟାହାରରେ ପ୍ରଭାତରେ ଗାତ୍ରୋତ୍ଥାନପୂର୍ବକ ଗ୍ରାମରୁ ଯାତ୍ରାରମ୍ଭ କଲି । ଜାଣେ ନା, ସେଦିନର ମନୋହାରିତ୍ୱ କାହିଁକି ଏପରି ଶତଗୁଣିତ ହୋଇଥିଲା । ବର୍ଷାର ଆରମ୍ଭ ହେଲେ ମଧ୍ୟ ସୂର୍ଯ୍ୟଦେବଙ୍କର ବୈଦ୍ୟୁତିକ ଆଲୋକରେ ଚାରିଆଡ଼ ଉଜ୍ଜ୍ୱଳତମ ହୋଇଥିଲା । ପଶୁ, ପକ୍ଷୀ ଆନନ୍ଦସଙ୍ଗୀତ ଗାଇ ଗାଇ ସରଳମତି କୃଷକ ପରି ଚାରିଆଡ଼େ କାର୍ଯ୍ୟରେ ବ୍ୟସ୍ତ ହୋଇ ଯାଉଥିଲେ । ବୃକ୍ଷଲତାମାନଙ୍କ ଦେହରୁ ଶ୍ରମ ଓ ଉତ୍ତାପବୋଧସୂଚକ ମୁକ୍ତାନିନ୍ଦୀ ଜଳକଣାଗୁଡ଼ିକ ଭୂମିରେ ଖସିପଡ଼ି ମୁହୂର୍ତ୍ତକ ମଧ୍ୟରେ ଲୀନ ହୋଇ ଯାଉଥିଲେ । ସେମାନେ ଘର୍ମନିବାରଣ ପ୍ରୟାସରେ ଓ କ୍ଳାନ୍ତି ଦୂରୀକରଣାର୍ଥ ପତ୍ରବ୍ୟଜନ ଛଳରେ ଗ୍ରୀଷ୍ମ ନିବାରଣରେ ଲାଗି ଯାଇଥିଲେ । ନଦୀଗୁଡ଼ିକରେ ତରଳ ସ୍ୱର୍ଣ୍ଣସ୍ରୋତ ପ୍ରବାହିତ ହେଲା ପରି ପ୍ରତୀୟମାନ ହେଉଥିଲା । ଖଣ୍ଡ ଖଣ୍ଡ କୃଷ୍ଣଜଳଦ ପଶ୍ଚିମ ଦିଗରେ ବ୍ୟୂହରତନାରେ ବ୍ୟସ୍ତ ହୋଇ ଦିନମଣିଙ୍କୁ ପରାସ୍ତ କରି ନିଜ ବନ୍ଦିଶାଳାରେ ରଖିବାକୁ ଚେଷ୍ଟା କରୁଥିଲେ । ସେ ମଧ୍ୟ କ୍ରୋଧରେ ମୁଖମଣ୍ଡଳ ଥନଥନ କରି ଶାଣ ବାଣପ୍ରହାରରେ କେତେ ପର ମେଘକୁ କୁହେଳିକାତୁଲ୍ୟ ଲୋପ କରି ପକାଉଥିଲେ ।

 

ଏହି ସମୟରେ ମୁଁ ମୋର ପ୍ରିୟ ସହଚରମାନଙ୍କ ସଙ୍ଗରେ ମଧୁରାଳାପ କରି ବିରକ୍ତିକର ପଥଶତ୍ରୁକୁ ଜୟ କରିବାରେ ଲାଗିଥିଲି । ସେ ଗ୍ରାମଟିର ଦୂରତ୍ୱ ଆମ ଘରଠାରୁ ପ୍ରାୟ ଆଠ ମାଇଲ । ତଥାପି ଆମକୁ ପ୍ରାୟ ଚାରି ମାଇଲଠାରୁ ଜଙ୍ଗଲରେ ପ୍ରବେଶ କରିବାକୁ ପଡ଼ିଥିଲା । ପ୍ରଥମେ ଆମ୍ଭମାନଙ୍କୁ କିଛି ଦୂର ପର୍ଯ୍ୟନ୍ତ ରାଜମାର୍ଗ ଅବଲମ୍ୱନପୂର୍ବକ ଲତାଗୁଳ୍ମ ମଧ୍ୟଦେଇ ଅଗ୍ରସର ହେବାକୁ ହେଲା । ପଥ ମଧ୍ୟରେ ଓ ପାର୍ଶ୍ୱରେ କେତେ ଆମ୍ରକୁଞ୍ଜ ଓ ତହିଁ ମଧ୍ୟରେ କେତେ ବିହଙ୍ଗମଙ୍କର କାକଳୀ ଶୁଣି ଓ ଦେଖି ଚକ୍ଷୁକର୍ଣ୍ଣ ପ୍ରାୟ ଶିଥିଳ ଏବଂ ଆନନ୍ଦରେ ମନ ପୂର୍ଣ୍ଣ ଓ ଉଦବେଳିତ ହେଲା । ଏହା ବ୍ୟତୀତ ଦୂର ଚକ୍ରବାଳରେ ନାନାଦି କ୍ଷୁଦ୍ର ବୃହତ୍‌ ଗିରିଶ୍ରେଣୀର ଶୋଭା ପ୍ରାୟ ବର୍ଣ୍ଣନାତୀତ । ତାହା ଦର୍ଶନରେ କେବଳ ଚିଲିକାର ‘‘ଶୃଙ୍ଗୋପରି ଶୃଙ୍ଗ ଶୃଙ୍ଗ ତଦୂପରି, ନୀଳ ବ୍ୟୋମପଟେ ଚିତ୍ର ହେଲା ପରି’’ ମନରେ ଉଦିତ ହେବା ସ୍ୱାଭାବିକ । ଏପରି ପ୍ରାୟ ୫ ମାଇଲଠାରୁ ଜନକୋଳାହଳ, ଗୋଧନମାନଙ୍କର ହମ୍ୱା ରଡ଼ି ପ୍ରାୟ କ୍ଷୀଣ ହୋଇ ଆସିଲା । ତାହା ପରିବର୍ତ୍ତେ କୋକିଶିଆଳର ଚିତ୍କାର ଓ ଶମ୍ୱରର କୁହାଟ କର୍ଣ୍ଣକୁହରରେ ପ୍ରବେଶ କରିବାକୁ ଲାଗିଲା । ଗ୍ରାମ ନିକଟରେ ପରିଚିତ ପକ୍ଷୀମାନଙ୍କ ପରିବର୍ତ୍ତରେ ବିବିଧ ବର୍ଣ୍ଣର ପକ୍ଷୀ ଆସି ନୟନର ଆତିଥ୍ୟ ସ୍ୱୀକାର କଲେ । ବିଶାଳ ଶାଳ, ପିଆଶାଳ ଓ ଅନ୍ୟାନ୍ୟ ବୃହତ୍‌ ବୃକ୍ଷରାଜିର ଜଙ୍ଗଲ ଦର୍ଶନରେ ଭୟ ଅଯାଚିତଭାବରେ ମନରେ ପ୍ରବେଶ କରିବାକୁ ଲାଗିଲା । ବ୍ୟାଘ୍ର, ଭଲ୍ଲୁକ ଓ ବଣ୍ୟ ବରାହମାନଙ୍କର ଭୟ ବେଳକୁବେଳ ଏପରି ବଢ଼ିବାକୁ ଲାଗିଲା ଯେ, ପ୍ରକୃତି-ଦର୍ଶନସୁଖ କିଛି ସମୟ ପାଇଁ ପ୍ରାୟ ଦୂର ହୋଇଗଲା । ପଥପାର୍ଶ୍ୱରେ ଦଳ ଦଳ ମୟୂର ଓ ମୃଗମାନଙ୍କର ନୃତ୍ୟ ଓ ରଡ଼ି ଦେଖି ଶୁଣି ବାସ୍ତବିକ ସେ ସ୍ଥାନର ବିପଦ ମନରୁ ଦୂର ହୋଇ ଯାଉଥାଏ । ଦୂରରୁ ଭାଲିଆଖାଇର କକ୍‌ କକ୍‌ ଶବ୍ଦ ସହିତ ଗିରିଶୃଙ୍ଗର ଝର୍‌ ଝର୍‌ ନିନାଦିନୀ ଝରଣାର ଶବ୍ଦ ଓ ବୃହତ୍‌ ଶିଳାପୃଷ୍ଠରେ ପତିତ କ୍ଷୁଦ୍ର ଯୋଡ଼ର ଭୀଷଣ ରବ ଶୁଣି ମନରେ ଏକପ୍ରକାର ତୀବ୍ରଭାବ ଜାଗ୍ରତ ହେଉଥିଲା । ସ୍ଥାନର ଉର୍ବରତା ବିଷୟରେ ଏତିକି କୁହାଯାଇ ପାରେ ଯେ, ଆମେମାନେ ଉପର୍ଯ୍ୟୁକ୍ତ ଦୂରତା ମଧ୍ୟରେ ପ୍ରାୟ ନଅଟି କ୍ଷୁଦ୍ର ବୃହତ୍‌ ନଦନଦୀ ଅତିକ୍ରମ କରି ଯାଇଥିଲୁଁ ଏବଂ ସଂକୀର୍ଣ୍ଣ ପଥର ଦୁଇ ପାର୍ଶ୍ୱରେ ଲେମ୍ୱୁ, ଟଭା, ନାରଙ୍ଗ ଓ ପଣସ ବଗିଚାର ବୃକ୍ଷମାନ ଫଳଭାରରେ ନତ ଥିବାର ଦେଖିଲୁଁ । ସ୍ଥାନଟି ନଦନଦୀମାନଙ୍କ ଦ୍ୱାରା ପଶାପାଲି ପରି ପ୍ରାୟ ଖଣ୍ଡବିଖଣ୍ଡିତ । କ୍ରମେ ଧାନ୍ୟକେଦାରର ପରିମାଣ କମିଆସିଲା ଓ ତାହା ସ୍ଥାନରେ ତିଳ, ସ୍ୱର୍ଣ୍ଣବର୍ଣ୍ଣାଭ ଶଣ ଓ ଅନ୍ୟାନ୍ୟ ରବିଫସଲର ପ୍ରାନ୍ତର ଦୃଷ୍ଟିପଥାରୂଢ଼ ହେଲା । ଏଥି ମଧ୍ୟରେ ଗୋମହିଷପଲର ଟିପା ଓ ଘଣ୍ଟିର ଗୁରୁ ଗୁରୁ ଓ ଠଣ ଠଣ ଶବ୍ଦ ଅନେକତ୍ର ଶୁଣିବାକୁ ପାଇଲୁ ଓ ସ୍ୱାର୍ଥପର ହୋଇ ଟିକିଏ ନିର୍ଭୀକ ହେଲୁ । ଆମ୍ଭେମାନେ ଏପରି ଭୟତ୍ରସ୍ତ ହୋଇ ଯାଉଥିବାବେଳେ ଅନେକ ଶବର ଓ କନ୍ଧ ସ୍ତ୍ରୀ, ବାଳକବାଳିକାମାନଙ୍କର ତହିଁ ମଧ୍ୟରେ ଭ୍ରମଣ ଓ ପତ୍ରଫଳମୂଳ ସଂଗ୍ରହ ଦେଖି ନିଜର ସାମାନ୍ୟ ଜୀବନମମତା ଯୋଗୁଁ ଭୀରୁତା ଅନୁଭବ କରୁଥିବା ବିଷୟ ଭାବି ଲଜ୍ଜିତ ହୋଇ ନିଜର ପୁଂସତ୍ୱକୁ ଶତଧିକ୍କାର କଲୁ । ଏହିପରି ବିବିଧ ଦୃଶ୍ୟ ଦେଖି ପ୍ରାୟ ୧୦ଟା ବେଳେ ଯାଇ ନିର୍ଦ୍ଦିଷ୍ଟ ଗ୍ରାମରେ ପହଞ୍ଚିଲୁ । ମନେ ପଡ଼ିଲା,

 

‘‘ଭାରତୀଉକତ କେଉଁ ରୂପପାୟୀ,

ତୃପ୍ତ ହେବ ତାହା ଥରେମାତ୍ର ଧ୍ୟାୟି ।’

 

ଗ୍ରାମଟିରେ ପାଞ୍ଚଘର କନ୍ଧ ଓ ଦୁଇଘର ଶୂଦ୍ର ବାସିନ୍ଦା । ମୋର ବନ୍ଧୁଙ୍କର ଖମାରଘରେ ଆମେମାନେ ଅବସ୍ଥାନ କଲୁ । ଗ୍ରାମଟି ଅତି ଉର୍ବର । ବାସିନ୍ଦା କନ୍ଧମାନେ ମାଣ୍ଡିଆ, ଶୁଆଁ, କୁହୁଡ଼ି ଓ ଅନ୍ୟାନ୍ୟ ରବି ଫସଲ କରିବାକୁ ସବୁବେଳେ ତତ୍ପର । ଧାନ କରିବା ଲାଗି ଓ ହିଡ଼ମାଟି ହିଡ଼ରେ ଲଦି ଚଳିବାରେ ସେମାନେ ବିମୁଖ । ସେମାନଙ୍କୁ ପଚାରିଲେ ସେମାନେ କହନ୍ତି, ‘‘କିଏ ଆମର କରୁଛି ରେ । ଜଙ୍ଗଲ ଥିଲେ ଆମେ କଣ ମରି ଯାଉଛୁ । ଏ ଅଳସୁଆଗୁଡ଼ାକ କଣ ଏତେ କାମ କରି ପାରିବେ କି ରେ ।’’ ସେମାନଙ୍କ ପହରଣ ଖଣ୍ଡେ ମାତ୍ର ଚାରିହାତି କରିଆ । ସେମାନେ ଅତିଶୟ ମାଂସ ଓ ମହୁପ୍ରିୟ । କଳା କଳା ଦେହ । ଶ୍ମଶ୍ରୂବିହୀନ ମୁଖ । କୁଞ୍ଚିତ କେଶରେ ମସ୍ତକ ଆବୃତ । ଦେହରେ ଅସୀମ ବଳ ଥିଲା ପରି ଜଣାଯାଉଥାଏ । ଗ୍ରାମଟିର ଘର ନିକଟକୁ ପ୍ରାୟ ଜଙ୍ଗଲ ବିସ୍ତୃତ-। ଶୁଣିଲି, ଦିନେ ଦିନେ ବ୍ୟାଘ୍ର ଆସି ଗ୍ରାମ ନିକଟରେ ଗର୍ଜ୍ଜନ କରେ । ହସ୍ତୀ, ବରାହ ଓ ମୃଗ ଉପଦ୍ରବରେ ଘରଡ଼ିହମାନଙ୍କରେ କଳେଇ, ସାରୁ ଓ ଅନ୍ୟ ଫସଲ ରହେ ନାହିଁ । ସବୁଠାରୁ ହସ୍ତୀର ଉପଦ୍ରବ ବେଶୀ । ଗୋଟିଏ ଭୀଷଣ ଦନ୍ତାବଳ ପ୍ରାୟ ସବୁଦିନ ରାତିରେ ଗ୍ରାମ ନିକଟରୁ ଆମ୍ୱ ଓ ପଣସ ଖାଇଯାଏ । ନିଆଁଖୁଣ୍ଟାକୁ ସେ ଭୟ କରେ ଓ ତାହା ଗ୍ରାମବାସୀମାନଙ୍କର ସହାୟ । ସମସ୍ତ ଘର ଛୋଟ ଛୋଟ କୁଡ଼ିଆ । ଯେଉଁ ଶାଳକାଠ ପାଇଲେ ଆମେ ଉତ୍କୃଷ୍ଟ ଗୃହ ନିର୍ମାଣ କରାଇ ପାରିବା, ସେପରି ବିଶାଳ କାଷ୍ଠଖଣ୍ଡମାନଙ୍କରେ କନ୍ଧମାନେ ସେମାନଙ୍କର ଗୁହାଳ କରିଥିବାର ଦେଖି ହାସ୍ୟ ସମ୍ୱରଣ କରି ପାରିଲି ନାହିଁ । ସେମାନଙ୍କ ପ୍ରତ୍ୟେକଙ୍କ ଘରେ ପ୍ରାୟ ଦିନରାତି ଚବିଶଘଣ୍ଟା ପ୍ରଚଣ୍ଡ ନିଆଁ ଗଦାମାନ ଦପ୍‌ ଦପ୍‌ ହୋଇ ଜଳେ । ତେବେ ମଧ୍ୟ କାଷ୍ଠର ଅଭାବ ନାହିଁ । ଛୋଟ ପିଲାଠାରୁ ଆରମ୍ଭ କରି ସ୍ତ୍ରୀ ଓ ପୁରୁଷମାନେ ଅଧିକାଂଶ ସମୟରେ ପିକା ଧୂମ୍ରପାନ କରିବାରେ ବ୍ୟସ୍ତ । ତାର ସୁଖ ସେମାନେ ମାତ୍ର ଅନୁଭବ କରିଅଛନ୍ତି । ସେମାନଙ୍କ କଥାବାର୍ତ୍ତା ବଡ଼ ଅଭଦ୍ର ଧରଣର । ସମସ୍ତଙ୍କୁ ‘ତୁ, ତା’ କରି କହନ୍ତି । ଭୟ ଓ ଖାତିରି ପ୍ରାୟ କାହାରିକୁ ନ ଥାଏ । ବାଲ୍ୟ ଓ ଯୁବତୀ ବିବାହ ଉଭୟ ଚଳେ । ସ୍ତ୍ରୀମାନେ ନସ୍ୟସେବିନୀ । ଅଭରଣ ଦେହରେ କାଚମାଳୀ, ହାତରେ ଖଡ଼ୁ ଓ କାଚ, ମାନ୍ୟ ଅମାନ୍ୟ ସମସ୍ତଙ୍କ ସଙ୍ଗେ କଥାବାର୍ତ୍ତା କରନ୍ତି । ପରଦାପ୍ରଥା ବା କାହୁଁ ଆସିବ ? ସକାଳବେଳା ସ୍ତ୍ରୀ ପୁରୁଷ ସମସ୍ତେ ବିଲ ଓ ଜଙ୍ଗଲକୁ ଯାଆନ୍ତି ଓ ଖାଦ୍ୟ ସଂଗ୍ରହ କରନ୍ତି । ତାହାପରେ ସ୍ତ୍ରୀମାନେ ଭାତ ଓ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରୁଥିବା ବେଳେ ମଧ୍ୟ ସେମାନଙ୍କ କୁଟୀରଶିଳ୍ପ ପଟିବୁଣାରୁ ବିରତ ହୁଅନ୍ତି ନାହିଁ । କନ୍ଧଘର ସ୍ତ୍ରୀକୁ ରାତି ବ୍ୟତୀତ ଦିନଯାକ ପ୍ରାୟ ସମୟ ନ ଥାଏ । ସେମାନେ ରାତିରେ କ୍ୱଚିତ୍‌ ଆଲୋକ ବ୍ୟବହାର କରନ୍ତି । ଆଜିଯାଏ ମଧ୍ୟ ଜହ୍ନି, ଭେଣ୍ଡି, ଝୁଡ଼ୁଙ୍ଗ, ଛଚିନ୍ଦ୍ରା ଓ ଅନ୍ୟାନ୍ୟ ଫସଲ କରିବାକୁ ସେମାନେ ଶିଖି ନାହାନ୍ତି । ମକା ସେମାନଙ୍କର ପ୍ରଧାନ ଫସଲ । ବର୍ଷଯାକ ମକା ସାହାଯ୍ୟରେ ଜୀବନଧାରଣ କରନ୍ତି । ଝିଅ ପୁଅ ଜନ୍ମ, ବିବାହ ଓ ମୃତ୍ୟୁ ଦିବସରେ ସମସ୍ତେ ସେମାନଙ୍କର ଜାତିଭାଇଙ୍କୁ ଭୋଜି ଦିଅନ୍ତି । ଭୋଜିରେ କୁକୁଡ଼ା, ବୋଦା ଓ ବାର୍‌ହା ମାରିବା ଗୋଟିଏ ପ୍ରଧାନ ବିଷୟ । ଭୋଜିରେ ଭାତ ଓ ତରକାରୀ ଠାଏ ହେଲେ ଗଲା । ଜାତିର ନିୟମ ଅନୁସାରେ ଡାଲି ବା ଅନ୍ୟ ଖାଦ୍ୟ କେହି କରିବାକୁ ଇଚ୍ଛା କଲେ ମଧ୍ୟ କରି ପାରିବ ନାହିଁ । ସମସ୍ତଙ୍କର ସମାନ ଖାଦ୍ୟ । ଖଲି ତଳକୁ ଯଦି ତରକାରୀ ଝୋଳ ବୋହି ନ ଯାଏ ତେବେ ସେମାନଙ୍କ ମନରେ ତୃପ୍ତି ଆସେ ନାହିଁ । ଏହି ଭୋଜି ପାଇଁ ପ୍ରାୟ ପ୍ରତ୍ୟେକ ଘରେ କୁକୁଡ଼ା, ଛେଳି, ଓ ବାର୍‌ହା ପୋଷା ହୋଇଥାନ୍ତି । ବାର୍‌ହାମାନଙ୍କୁ ସେମାନେ ମୋଟା କାଠର ଗଡ଼ ମଧ୍ୟରେ ପୋଷି ରଖିଥାନ୍ତି ଓ ଭୋଜିବେଳେ ତାକୁ ହତ୍ୟା କରି ଖାଆନ୍ତି । ତରକାରୀରେ ଲୁଣ ହଳଦୀ କେବଳ ବ୍ୟବହୃତ ହୁଏ । ପେଜକୁ ସେମାନେ ଉପାଦେୟ ମନେ କରି ଭୋଜିରେ ଛୋଟ ଠୋଲା (ଚୌପଦି) ମାନଙ୍କରେ ପିଅନ୍ତି । ଭୋଜିରେ ମଦ ମଧ୍ୟ ବ୍ୟବହୃତ ହୁଏ । ଶୁଣିଲି, ମଦ ଚାରିପ୍ରକାର । ୧–ଚାଉଳୀ (ହାଣ୍ଡିଆ) ଏହା ଚାଉଳରୁ ପ୍ରସ୍ତୁତ ହୁଏ ଓ ଏହା ଅତି ଉତ୍‌କୃଷ୍ଟ ମଦ । ୨–ଖଜୁରୀ (ତାଡ଼ି) ଏହା ଖଜୁରୀଗଛରୁ କଟା ହୋଇ ବାହାର କରାଯାଏ । ୩–ମହୁଲୀ, ଏହା ମହୁଲରୁ ହୁଏ, କିନ୍ତୁ ଏହା ବ୍ୟବହାର କରିବାକୁ ସେମାନଙ୍କୁ ମନା । କାରଣ ଏଥିରେ ବେଶୀ ନିଶା ଓ ଏହା ଖାଇ ସେମାନେ ମାତାଲ ହୋଇଯାନ୍ତି । ଏହା ପ୍ରସ୍ତୁତ କଲେ ପୋଲିସ୍‌ ସେମାନଙ୍କୁ ଧରି ଦଣ୍ଡ ଦିଏ ଓ ଜରିମାନା କରେ । ୪–ସଲପ, ଏହା ସଲପନାମକ ନଡ଼ିଆଗଛଜାତୀୟ ଗଛରୁ ବାହାରେ କିନ୍ତୁ ଏଥିରେ ସେତେ ନିଶା ନ ଥାଏ । ଭୋଜି କାର୍ଯ୍ୟରେ ସେମାନେ ଦେବଦେବୀଙ୍କୁ ପୂଜା କରି ଖାନ୍ତି । ଜାତି ସେମାନଙ୍କର ଦେବତାପୂଜକ । ସେମାନେ ସେମାନଙ୍କ କାଠଖୁଣ୍ଟ ଦେବତାଙ୍କୁ ମାନନ୍ତି ଓ ଡରନ୍ତି । କିଛି ବିପଦ—ବାଘ ମାତିବା, ହଇଜା ହେବା, ବସନ୍ତ ହେବା ଓ ଅନ୍ୟାନ୍ୟ ରୋଗ ହେଲେ ସେମାନେ ମଦ ଓ ଗଞ୍ଜା ଦେଇ ଦେବତାଙ୍କୁ ସନ୍ତୁଷ୍ଟ କରନ୍ତି ।

 

କାଠଖୁଣ୍ଟ ଦେବତା ପ୍ରାୟ ଦୁଇହାତ ଉଚ୍ଚର ଏକ ଖଦଡ଼ା ପଥର—ଦାଣ୍ଡ ମଧ୍ୟରେ ବିରାଜିତ । ସିନ୍ଦୁର, ଚୁଆ ଓ ହଳଦୀବିହୀନ । କୌଣସି ନୂତନ ବ୍ୟକ୍ତି ଦେବତା ବୋଲି ଚିହ୍ନିବା ବଡ଼ କଷ୍ଟକର ବିଷୟ । ଖରା, ବର୍ଷା, କାକର ଖାଇ ଲଙ୍ଗଳା ଭାବରେ ଦଣ୍ଡାୟମାନ । ଏହାଙ୍କ ପାଖରେ ବର୍ଷକେ ଥରେ ମହିଷବଳି ଦିଆଯିବାର ଶୁଣାଯାଏ । ଏହାଙ୍କ କୃପାରୁ କନ୍ଧମାନେ ବର୍ଷକୁବର୍ଷ ଭରଣ ଭରଣ ହଳଦୀ ଓ ଅଦା ପାଆନ୍ତି ବୋଲି ସେମାନଙ୍କର ବିଶ୍ୱାସ । ଶୁଣିଲୁ, ସେମାନଙ୍କ ଗ୍ରାମକୁ ବଣ ମହିଷ (ସିଙ୍ଗାଳ), ବନ୍ୟ ଘୋଡ଼ା, (ଘୋଡ଼ଙ୍ଗ) ପ୍ରଭୃତି ଆସନ୍ତି ଓ ଫସଲ ନଷ୍ଟ କରି ଜଙ୍ଗଲକୁ ଚାଲିଯାନ୍ତି । କନ୍ଧମାନେ ଅତିକଷ୍ଟରେ ଖାଦ୍ୟ ସଂଗ୍ରହ କରି ଜୀବନ ନିର୍ବାହ କରୁଥିବା ପରି ମୋତେ ବୋଧ ହେଲା ।

 

ଏହାପରେ ରାତିରେ ଭୟତ୍ରସ୍ତ ଭାବରେ ସମୟ ଅତିବାହିତ କରି ତାର ଆରଦିନ କେତେ ଜଣ ଅଧିବାସୀଙ୍କ ସଙ୍ଗରେ ଜଙ୍ଗଲ ବୁଲି ବାହାରିଲୁଁ । ଅନେକ ଦୂରର ଦୃଶ୍ୟ ଦେଖି ଆନନ୍ଦରେ ଅନ୍ତର ପୂର୍ଣ୍ଣ ହୋଇଗଲା । ସେ ଦୃଶ୍ୟ, ସେ ମାଧୁରୀ, ସେ ଚିତ୍ତବିହ୍ୱଳତା ବାକ୍ୟରେ ବା ଲେଖନୀର ଜିହ୍ୱାରେ ବର୍ଣ୍ଣନାତୀତ । ଶେଷରେ କିଛି ଲେମ୍ୱୁ ଓ ପଣସ ସଂଗ୍ରହ କରି ଗ୍ରାମକୁ ଫେରିଲି । ମନେ ପଡ଼ିଲା, ‘‘ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’ ତାହା ଜୀବନର ଗୋଟିଏ ପ୍ରଧାନ ଦୃଶ୍ୟ ଦର୍ଶନରୂପେ ଅନ୍ତରରେ ରହିଲା ।

Image

 

ଉତ୍କଳରେ ସାହିତ୍ୟ

 

ସାହିତ୍ୟ (ସହିତ+ଭାବେ ଯ) ଯାହା ସମ୍ୟକ୍‌ରୂପେ ହିତସାଧନ କରେ । ମୋଟ ଉପରେ ଲୋକମାନେ ଯାହା କହନ୍ତି ଓ ଯାହା ସାହାଯ୍ୟରେ ଭାବର ଆଦାନ ପ୍ରଦାନ କରନ୍ତି, ତାହାହିଁ ମାର୍ଜିତ ଭାଷା—ସାହିତ୍ୟ ନାମରେ ଅଭିହିତ । ସାହିତ୍ୟ ଦୁଇ ଭାଗରେ ବିଭକ୍ତ । ପଦ୍ୟ ସାହିତ୍ୟ ଓ ଗଦ୍ୟ ସାହିତ୍ୟ । ଆଦିମ ମନୁଷ୍ୟର ମଧ୍ୟ କିଛି ଭାଷା ଥିଲା, ଯାହା ସାହାଯ୍ୟରେ ସେ ନିଜର ମନୋଭାବ ବ୍ୟକ୍ତ କରିବାକୁ କ୍ଷମ ହେଉଥିଲା । ମନୋଭାବକୁ ଯେତେବେଳେ କଥା ଆକାରରେ ବା ଲେଖା ଆକାରରେ କ୍ରମ ରଖି ଲୋକ ସମ୍ମୁଖକୁ ଆନୟନ କରାଯାଏ ଓ ତାହା ଶୁଦ୍ଧଭାବରେ ସମସ୍ତଙ୍କର ବୋଧଗମ୍ୟ ହୁଏ, ସେତେବେଳେ ଭାଷା ଭାବ-ସାହିତ୍ୟରେ ପରିଣତ ହୁଏ । ଏହି ସାହିତ୍ୟ ଜାତି, ଧର୍ମ ଓ ସମାଜର ମେରୁଦଣ୍ଡ । ଯେଉଁ ଜାତି ଯେତେ ସଭ୍ୟ, ତାର ସାହିତ୍ୟ ତେତେ ଉଚ୍ଚ ଭାବପୂର୍ଣ୍ଣ । ଏହା ଜାତିର ସଭ୍ୟତାକୁ ଲୋକସମ୍ମୁଖରେ ଫୁଟାଇ ପାରେ; ତେଣୁ କବି କହିଛନ୍ତି, ସାହିତ୍ୟ ଜାତିବିଶେଷର ସଭ୍ୟତାର ପରିମାପକ ଅଟେ । ସାହିତ୍ୟରୂପ ଦର୍ପଣରେ ଜାତିର ସଭ୍ୟତା ପ୍ରତିଫଳିତ ହୁଏ । ଜାତି କେଉଁଆଡ଼କୁ ଧାବମାନ, ତାହା ମଧ୍ୟ ଏହି ସାହିତ୍ୟରୁ ଜଣାପଡ଼େ । ଜାତି ଓ ଧର୍ମ ମଧ୍ୟରେ ଯେତେବେଳେ ଆବର୍ଜନା ଓ ନାନା ପ୍ରକାର କୁପ୍ରଥା ପ୍ରବେଶ କରେ, ସେତେବେଳେ ତାହାର ସାହିତ୍ୟ ତେତେ ଖରାପ ଓ ଅରୁଚିକର ବୋଧ ହୁଏ ।

 

ଯଦି ଆମ୍ଭେମାନେ ଉତ୍କଳ ସାହିତ୍ୟର ଉତ୍ପତ୍ତି ସମ୍ୱନ୍ଧରେ ଅନୁସନ୍ଧାନ କରୁଁ, ତାହା ପାଇବା ଆମ୍ଭମାନଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିବ । କାରଣ ଗଦ୍ୟ ସାହିତ୍ୟ କେବେ, କାହାଦ୍ୱାରା ଓ କିପରି ପ୍ରଥମେ ଲେଖା ହୋଇଥିଲା, ତାହା ଆମେ ପାଇ ପାରିବା ନାହିଁ । ତେବେ କଣ କଥାବାର୍ତ୍ତା ଓ ଲେଖାପଢ଼ା ଜାଣି ନ ଥିଲେ ସେମାନେ ପୂର୍ବକାଳରେ ? ପଦ୍ୟାକାରରେ କଥାବାର୍ତ୍ତା କରୁଥିଲେ ? ନାହିଁ, କେବେ ନୁହେଁ । ସେ ସମୟରେ ଯେଉଁ ଗଦ୍ୟ ସାହିତ୍ୟ ଥିଲା, ତାହା ଅତ୍ୟନ୍ତ ଅପରିପକ୍ୱ ଓ ଅମାର୍ଜିତ ଧରଣର ଥିଲା । ତାହାର ମୂକ ସାକ୍ଷୀ ଆଜି ମାଦଳା ପାଞ୍ଜି ଓ ତାମ୍ରଲିପି—ଯାହା କି ଆଜି କୀଟଦଂଷ୍ଟ ହୋଇ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଗନ୍ତାଘରେ କେଉଁ ଅନ୍ଧକାର କୋଣରେ ପଡ଼ିଅଛି । ଭାରତର ତୀର୍ଥସ୍ଥାନରୂପେ ଯେଉଁ ଦିନଠାରୁ ପୁରୀ ଗଣ୍ୟ ହୋଇଅଛି, ସେହି ଦିନଠାରୁ ପାଞ୍ଜିଆମାନେ ବସି ଦୈନନ୍ଦିନ ଘଟଣାକୁ ଏହି ପାଞ୍ଜିବିଡ଼ାଭୁକ୍ତ କରି ଆସୁଅଛନ୍ତି, ତାହା ଆଲୋଚନା କଲେ ଆମ୍ଭେମାନେ ପ୍ରାଚୀନସାହିତ୍ୟର ଜନ୍ମ ଓ କ୍ରମେ ତାର ବୃଦ୍ଧି ସମ୍ୱନ୍ଧରେ କିଞ୍ଚିତ୍‌ ଜ୍ଞାନଲାଭ କରି ପାରିବା । ଯଥା— ‘‘ଯଯାତିକେଶରୀଙ୍କ ସମୟରେ—ସୋମୋଦ୍ର—ସମୁଦ୍ର । ପର୍ମେଶ୍ୱର—ପରମେଶ୍ୱର । କଟୁରିଆ—ଯେ ଗଛ କାଟେ । ୫ ଜଣକୁ ୧୦ ଜଣ—ଅର୍ଥାତ୍‌ ପାଞ୍ଚ ଜଣ ସ୍ଥାନରେ ୧୦ଜଣ । ଲାଙ୍ଗୁଳା ନରସିଂହ ଦେବଙ୍କ ସମୟରେ—ବାର ବର୍ଷ ଦକ୍ଷିଣ କଟକାର କଲେ—ବାର ବର୍ଷଯାଏ ଦକ୍ଷିଣ ଆକ୍ରମଣ କଲେ । ଏ ସେତୁବନ୍ଧ ରାମେଶ୍ୱରଠାରୁ ଗଉଡ଼ ଦେଶ ଜିଣିଲେ । ମୁକୁନ୍ଦ ଦେବଙ୍କ ସମୟରେ—(ଖ୍ରୀ ୧୫୫୦ରୁ ଖ୍ରୀ ୧୫୭୦) ଡିଲି ପାତିସା ସଙ୍ଗେ ପୀରତି ହୋଇଲେ—ଦିଲ୍ଲୀ ବାଦ୍‌ସାହାଙ୍କ ସଙ୍ଗରେ ଉତ୍ତମ ଭାବ ରଖିଥିଲେ । ପରମେଶ୍ୱର । ଦିବ୍ୟସିଂହ ଦେବ—ଖ୍ରୀ ୧୮୦୦ରେ :— ଶକାବ୍ଦ ୧୭୨୨ରେ ବଡ଼ ଦେଉଳକୁ ଚୂନ ଦେଲେ ।’’ ଇତ୍ୟାଦି ଲେଖା ଅଛି ।

 

ଏଥିରୁ ସମ୍ପୂର୍ଣ୍ଣ ପ୍ରତୀୟମାନ ହେଉଅଛି ଯେ, ଓଡ଼ିଆ ଗଦ୍ୟ ସାହିତ୍ୟ କ୍ରମେ କ୍ରମେ କିପରି ଆକାର ପରିବର୍ତ୍ତନ କରି ଆସିଅଛି । ଏହା ପରେ ଖ୍ରୀ ୧୮୫୮ରେ ଓଡ଼ିଆରେ ୨ଟି ହସ୍ତଲିଖିତ ପତ୍ରିକା ବାହାରିଥିଲା । କିନ୍ତୁ ଆଧୁନିକ ଗଦ୍ୟ ସାହିତ୍ୟର ଜନ୍ମଦାତା ‘ଉତ୍କଳ ଦୀପିକା ଓ ରାମଶଙ୍କର ରାୟ ।’ ଗୌରୀଶଙ୍କର ଓ ରାମଶଙ୍କର ଦୁହେଁ ପ୍ରାଣପଣ ଚେଷ୍ଟା କରି ଓଡ଼ିଆରେ ଗଦ୍ୟ ଲେଖା ଆରମ୍ଭ କରିଥିଲେ । ଅବଶ୍ୟ ସେ ଗଦ୍ୟ ସଂସ୍କୃତରୁ ଅନୁବାଦିତ । ତେବେ ତାହା ଓଡ଼ିଆ । ସେମାନେ ଶବ୍ଦାଡ଼ମ୍ୱର ପ୍ରତି ବେଶି ଦୃଷ୍ଟି ଦେଇଥିବାର ଜଣାପଡ଼େ । ଓଡ଼ିଆରେ ପ୍ରଥମ ଉପନ୍ୟାସ ବିବାସିନୀର ଲେଖକ ରାମଶଙ୍କର । ଯେଉଁ ଉପନ୍ୟାସମାନ ଆଜି ଇଂରେଜମାନଙ୍କର ଓ ବଙ୍ଗବାସୀମାନଙ୍କର ସାହିତ୍ୟଭଣ୍ଡାରର ସାର ଧନରୂପେ ଗଣ୍ୟ, ସେହିପରି ଉପନ୍ୟାସ ପ୍ରଥମେ ଉପର୍ଯ୍ୟୁକ୍ତ ମହାତ୍ମା ଲେଖିଥିଲେ । ଏହାଙ୍କ ପରେ ମଧୁସୂଦନ ରାଓ ସାହିତ୍ୟ, ଅଙ୍କ, ଇତିହାସ ଓ ଭୂଗୋଳକୁ ଗଦ୍ୟ ଆକାରରେ ଲେଖିଥିଲେ । ତାଙ୍କ ସାହିତ୍ୟ ଲେଖାରେ ମଧ୍ୟ ବହୁତ ସଂସ୍କୃତ ଶବ୍ଦ ଦେଖାଯାଏ । ଯଥା—ନିର୍ଝରଝଙ୍କାରପୂର୍ଣ୍ଣ ତୁଙ୍ଗଗିରିମାଳା ।

 

ଆଜିକାଲି ଆମେ ଯାହାକୁ ନେଇ ଅନ୍ୟ ଜାତିର ସମ୍ମୁଖକୁ ଅଗ୍ରସର ହେଉଅଛୁଁ ଓ ଯାହାକୁ ଆମେ ସରଳ ଓ ଖାଣ୍ଟି ଓଡ଼ିଆ ବୋଲି କହୁଁ, ତାହାର ଜନ୍ମଦାତା ସେହି ଦୁର୍ବଳ, ଆଜନ୍ମ ରୁଗ୍ଣ ଓ ଅନାଥ ଫକୀରମୋହନ । ସେ ପ୍ରଥମେ ଓଡ଼ିଆ ସାହିତ୍ୟକୁ ଅତି ସରଳ ଭାଷାରେ ଓ ଭାବପୂର୍ଣ୍ଣ ଭାବରେ ଲେଖିଥିଲେ । ସେ ପ୍ରଥମେ ‘ରଖା ଉପରେ ବଇଠାଟା ରଖ, ପାଇଆ ଉହାଡ଼ରୁ ନାକପୋଡ଼ିଆ ମା ତମ୍ପୁଣୀ ପରି ବାହାରି ଅଇଲା’ ପ୍ରଭୃତି ଲେଖି ପ୍ରକୃତ ଓଡ଼ିଆ ସାହିତ୍ୟର ପରିଚୟ ଦେଇ ଯାଇଅଛନ୍ତି । ସେ ଜନ୍ମ ହୋଇ ଓଡ଼ିଆ ସାହିତ୍ୟକୁ ତାର ସ୍ଥାନରୁ ପଚାଶ ବର୍ଷ ଆଗକୁ ନେଇ ଯାଇ ଅଛନ୍ତି । ତାଙ୍କ ପରେ ଆଜି ଉତ୍କଳ ସାହିତ୍ୟାକାଶରେ କେତେ କେତେ ଲେଖକ ‘ସବୁଜ’ ଆକାରରେ, କେତେ ‘ଆନନ୍ଦଲହରୀ’ ଓ ‘ଭାରତୀ’ ଆକାରରେ ଏବଂ ଆଉ କେତେକ ‘ଯୁଗବୀଣା’ ଆକାରରେ ବାହାରି ପଡ଼ିଲେଣି । ଆଜିକାଲି ଅନେକେ ଉତ୍କଳ ସାହିତ୍ୟର ପୁଷ୍ଟି ସାଧନ ପାଇଁ ହେଉ, ଅର୍ଥ ଉପାର୍ଜନ ଲାଳସାରେ ହେଉ, ନାମ ନେବା ଅଭିପ୍ରାୟରେ ହେଉ ବା ଦେଖାଇ ହେବାକୁ ହେଉ, ଯେ କୌଣସି ଉଦ୍ଦେଶ୍ୟରେ କିଛି ଲେଖିବାକୁ ଅଣ୍ଟାଭିଡ଼ି ବାହାରିଲେଣି । ସେମାନେ କାଗଜ, କଲମ ଓ କାଳି ବ୍ୟୟ କରନ୍ତୁ ବା ଛାପାକଳ ପ୍ରିଣ୍ଟରମାନଙ୍କୁ ପୋଷନ୍ତୁ, ଯାହା କଲେ ମଧ୍ୟ କିଛି କିଛି କାର୍ଯ୍ୟ କରୁଅଛନ୍ତି । ମନେ ହୁଏ, ସେମାନେ ବୁଝିଛନ୍ତି ଯେ, ‘‘ବରଂ ଉଦ୍ଦାମ ଆବେଗ ଭଲ, ତଥାପି ନିଶ୍ଚେଷ୍ଟତା ଭଲନୁହେଁ ।’’

 

ଉତ୍କଳର ସାହିତ୍ୟ କହିଲେ ପ୍ରାୟ ପଦ୍ୟ ସାହିତ୍ୟକୁ ବୁଝାଏ । ପ୍ରାୟ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଉତ୍କଳରେ ପଦ୍ୟ ସାହିତ୍ୟର ବହୁଳ ପ୍ରଚାର ହୋଇଥିଲା । ସେ ସମୟରେ ଉତ୍କଳୀୟମାନେ ମନର ଭାବକୁ, ପୌରାଣିକ ବିଷୟକୁ ଓ ଉପନ୍ୟାସମାନଙ୍କୁ ମଧ୍ୟ ପଦ୍ୟ ଆକାରରେ ବ୍ୟକ୍ତ କରି ଯାଇଅଛନ୍ତି, କିନ୍ତୁ ଅନ୍ୟ ସାହିତ୍ୟରେ ସେପରି ଦେଖାଯାଏ ନାହିଁ । ଇଂରେଜମାନଙ୍କର ଗଦ୍ୟ ସାହିତ୍ୟ ପ୍ରାୟ ତ୍ରୟୋଦଶ ଖ୍ରୀଷ୍ଟାବ୍ଦର ଚସରଙ୍କଠାରୁ ଆରମ୍ଭ । ଏହା ପରେ ସେକ୍‌ସପିଅରଙ୍କର ଲେଖନୀର ବଜ୍ରାଘାତରେ ଇଂରାଜୀ ଗଦ୍ୟ ସାହିତ୍ୟ ଘୋର ଗର୍ଜନ କରି ଓ ପୃଥିବୀର ସାହିତ୍ୟ ସମାଜମାନଙ୍କୁ କମ୍ପାଇ ଦେଇ ଅନେକ ବାଟ ଅଗ୍ରସର ହୋଇଥିଲା । ତାହାପରେ ଆଜକୁ ପ୍ରାୟ ୧୦୦ବର୍ଷ, ହେବ ଇଂରେଜମାନଙ୍କ ମଧ୍ୟରେ ଗଦ୍ୟ ସାହିତ୍ୟର ବହୁଳ ପ୍ରଚାର ହୋଇଛି । ଆଜି ପ୍ରତ୍ୟେକ ଇଂରେଜ ଜଣେ ଜଣେ ଗଦ୍ୟ ଲେଖକ କହିଲେ ଚଳେ । ସେମାନେ ସବୁ ବିଷୟକୁ ଗଦ୍ୟାକାରରେ ପ୍ରକାଶ କରି ସେମାନଙ୍କ ଜ୍ଞାନ ଓ ସଭ୍ୟତାକୁ ଜଗତ୍‌ ସମକ୍ଷରେ ଦେଖାଇ ଦେଉଅଛନ୍ତି । ବଙ୍ଗ ସାହିତ୍ୟ ମଧ୍ୟ ଇଂରେଜମାନଙ୍କ ଅନୁକରଣ କରି ଆଜିକୁ ପ୍ରାୟ ୯୦ ବର୍ଷ ମଧ୍ୟରେ ଘୋର ପରିବର୍ତ୍ତନ ଆଣିଅଛି । ସେମାନେ ପ୍ରତ୍ୟେକେ କିଛି କିଛି ଲେଖିବାକୁ ଚେଷ୍ଟା କରି ଉତ୍ସାହ ଓ ନାମ ଅର୍ଜନ କରି କ୍ରମେ ଅଗ୍ରସର ହେଉଅଛନ୍ତି । କିନ୍ତୁ ଉତ୍କଳର ପ୍ରତ୍ୟେକ ଲେଖକ କିଛି ଲେଖି ସବୁଠାରୁ ଉତ୍ସାହ ପରିବର୍ତ୍ତରେ ବ୍ୟଙ୍ଗୋକ୍ତି ଓ ଘୃଣା ପାଇ ମୁଖକୁ ଶୁଷ୍କ କରି ଅଧୋବଦନରେ ରହୁଅଛନ୍ତି । କେତେକ ମଧୁସଂଗ୍ରହକାରୀର କବଳରୁ ରକ୍ଷା ପାଇବା ପାଇଁ ମଧୁମକ୍ଷିକା ପରି ଶବ୍ଦ କରି ବିମୁଖ ହୋଇ ଲେଖାଗୁଡ଼ିକ ଦ୍ୱାରା ‘‘ଉଏଷ୍ଟ ପେପର୍‌ ବାସ୍କେଟ୍‌’’ ଗର୍ଭ ପୂରଣ କରୁଅଛନ୍ତି ।

 

ମନେ ହୁଏ, ଆଧୁନିକ ଶିକ୍ଷିତ ଯୁବକମଣ୍ଡଳୀ ଯଦି ଉତ୍ସାହିତ ହୋଇ, ଶ୍ରମସ୍ୱୀକାର କରି ଓ କାଗଜ କାଳି ସାରି କିଛି କିଛି ଲେଖିବାକୁ ବାହାରି ପଡ଼ନ୍ତେ, ତେବେ ଉତ୍କଳ ସାହିତ୍ୟ ଅଳ୍ପ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗପ୍ରାପ୍ତ ହୋଇ ପାରନ୍ତା । ଆଜି ଯଦି ‘‘କିଛି ହେଲା ନାହିଁ, ଏଇଠାରେ ତ ବହୁତ ଭୁଲ ଓ ଗୁରୁଚଣ୍ଡାଳ ଦୋଷ ରହିଲା, ଛି ଏଇଟା କି ଲେଖା ମ ? ବେଜାଏ ଭୁଲ୍‌’’ ନ କହି ଓ ବହୁ ପ୍ରକାର ମୁଖଭଙ୍ଗୀ ନ ଦେଖାଇ କିଛି ଦିନ କେତେକ ସମାଲୋଚକ ତୁନି ହୋଇ ରହନ୍ତେ ଏବଂ ଲେଖା ପ୍ରକାଶିତ ହେବାର ଟଙ୍କା ପାଇଁ ସମସ୍ତେ ଅକ୍ଳାନ୍ତ ପରିଶ୍ରମ କରନ୍ତେ, ତେବେ ଉତ୍କଳ ସାହିତ୍ୟଭଣ୍ଡାର ପୂର୍ଣ୍ଣ ହୋଇଯାନ୍ତା । ‘ନାହିଁ ମାମୁଠାରୁ କଣା ମାମୁଁ ଭଲ ।’ ଯେପରି ଜଣେ ଗରିବ ଲୋକ ପ୍ରଥମେ ଶାଗଭାତରେ ପେଟ ପୂରାଇ ଖାଇ, କ୍ଷୁଧା ମେଣ୍ଟାଇ ଓ ବଳ ସଞ୍ଚୟ କରି କ୍ରମେ ବେଶୀ ଟଙ୍କା ପାଇଲେ ଓ ଧନୀ ହେଲେ ଘିଅଭାତ ଖାଏ, ସେହିପରି ଉତ୍କଳ ସାହିତ୍ୟର ଖାଙ୍କା ଓ ସାରହୀନ ଗର୍ଭକୁ ପ୍ରଥମେ ନିକୃଷ୍ଟ ସାହିତ୍ୟରେ ପୂର୍ଣ୍ଣ କରିବାକୁ ହେବ ଓ ପରେ ତାର ଅବସ୍ଥା ସ୍ୱଚ୍ଛଳ ହେଲେ ସେ ଉତ୍କୃଷ୍ଟ ସାହିତ୍ୟଦ୍ୱାରା ଗର୍ଭ ପୂର୍ଣ୍ଣ କରି ଜଗତରେ ତାହାର ଦେହର ଆଭା ପ୍ରକାଶ କରିବ ।

 

ସାଧାରଣତଃ ଆଧୁନିକ ଲେଖକମାନେ ପଦ୍ୟ ବା ଅକ୍ଷରଯୋଡ଼ା କବିତା ଲେଖିବା ପ୍ରୟାସ ବିଶେଷ ପ୍ରକାଶ କରିଥାନ୍ତି । ତାହା ସହଜ ଓ ଏକ ଭାବ ଅବଲମ୍ୱନରେ ହୋଇ ପାରେ, କିନ୍ତୁ ଗଦ୍ୟ ବହୁ ମସ୍ତିଷ୍କଚାଳନାର ଫଳ । ବହୁ ଜଟିଳ ଓ ସଂଲଗ୍ନ ଭାବ ନ ହେଲେ ଗଦ୍ୟ ଲେଖା ଅସମ୍ଭବ । ପଦ୍ୟ ଖଣ୍ଡେ ଇଷ୍ଟକ ହେଲେ ଗଦ୍ୟ ଗୋଟିଏ ସୌଧ ।

 

କେଶରୀବଂଶ ସମୟରୁ ଓଡ଼ିଆ ସାହିତ୍ୟର ଜନ୍ମ—ଆଜି ପ୍ରତି ଘରେ, ପ୍ରତି ଗ୍ରାମରେ ଓ ପ୍ରତି ସ୍ଥାନରେ କେତେ ଯେ ଓଡ଼ିଆ ଲିପି ଓ ପୋଥି ପଡ଼ିଛି, ତାର ସଂଖ୍ୟା ନାହିଁ । ସେ ସବୁ ଅଳନ୍ଧୁଯୁକ୍ତ ହୋଇ ଜମ୍ୱାଳରାଶିସ୍ଥ ମୋତିତୁଲ୍ୟ । ତାହାର ଭାବ, ଚାତୁରୀ, ଭଙ୍ଗି, ଓ ଶୈଳୀ କୌଣସି ଗୁଣରେ ଅନ୍ୟ ଦେଶର ସାହିତ୍ୟଠାରୁ ହୀନ ନୁହେଁ । ସେକ୍ସପିଅର ଷୋଡ଼ଶ ଶତାବ୍ଦୀର ଶେଷାଂଶର ଲୋକ—ଏଇ ଓଡ଼ିଶା ଭୂଇଁରେ ଚତୁର୍ଦ୍ଦଶ ଓ ପଞ୍ଚଦଶ ଶତାବ୍ଦୀରେ ଜଗନ୍ନାଥ ଦାସ, ସାରଳା ଦାସ ଓ ବଳରାମ ଦାସ ପ୍ରଭୃତି ଜନ୍ମଗ୍ରହଣ କରି ଯାହା ଲେଖିଛନ୍ତି, ତାହାର ମୌଳିକତା ଓ ଦାର୍ଶନିକତ୍ୱ ସେକ୍ସପିଅରଙ୍କ ଲେଖା ତୁଳନାରେ କୌଣସି ଗୁଣରେ ହୀନ ନୁହେଁ । ଭାରତ ତଥା ଓଡ଼ିଶାର ପୂର୍ଣ୍ଣ ପତନ ସମୟରେ ଷୋଡ଼ଶ, ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଅର୍ଜୁନ ଦାସ (ରାମବିଭା), ପ୍ରତାପ ରାୟ (ଶଶୀସେଣା) ଭୀମା ଧୀବର (ଚଉତିଶା) ଉପେନ୍ଦ୍ର ଭଞ୍ଜ (ବୈଦେହୀଶବିଳାସ, ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡସୁନ୍ଦରୀ, ରସିକହାରାବଳୀ ଓ ପ୍ରେମସୁଧାନିଧି), ସାମନ୍ତସିଂହାର (ବିଦଗ୍ଧଚିନ୍ତାମଣି), ଦୀନକୃଷ୍ଣ ଦାସ (ରସକଲ୍ଲୋଳ), ପିଣ୍ଡିକ ରାୟଗୁରୁ, ବୈରାଗୀଚରଣ ପଟ୍ଟନାୟକ (ମଥୁରାମଙ୍ଗଳ), ବ୍ରଜନାଥ ବଡ଼ଜେନା (ସମରତରଙ୍ଗ), ଯଦୁମଣି (ରାଘବବିଳାସ ଓ ପ୍ରବନ୍ଧପୂର୍ଣ୍ଣଚନ୍ଦ୍ର), କବିସୂର୍ଯ୍ୟ ବଳଦେବ ରଥ (କିଶୋରଚନ୍ଦ୍ରାନନ୍ଦଚମ୍ପୂ, ସଙ୍ଗୀତ କଳ୍ପଲତା ଓ ଚନ୍ଦ୍ରକଳା), ବଳଭଦ୍ର ଭଞ୍ଜ (ଅମ୍ୱିକାବିଳାସ) ଏବଂ ପାଟସାହାଣୀ ପ୍ରଭୃତି କବିମାନେ ଯାହା ଲେଖି ଯାଇଅଛନ୍ତି, ତାହାର ଲେଖା ଓ ଭାବ ବର୍ଣ୍ଣନା, ସେହି ସମୟର ପାଶ୍ଚାତ୍ୟ ଲେଖକ କାଉପର, ୱାଡ୍ସୱାର୍ଥ, ପୋପ୍‌, ବ୍ରାଉନିଂ, ଟେନିସନ୍‌, ଗୋଲ୍ଡସ୍ମିଥ୍‌, ସେଲି, କିଟସ୍‌ ଓ ବ୍ଳେକ ପ୍ରଭୃତିଙ୍କ ଲେଖାଠାରୁ ଖୁବ୍‌ ଉଚ୍ଚରେ । ଏହା ମୋର ବ୍ୟକ୍ତିଗତ ମତ ନୁହେଁ, ବରଂ ଏ ସବୁର ତୁଳନାତ୍ମକ ପାଠ ଓ ସମାଲୋଚନା ତାର ପୂର୍ଣ୍ଣପ୍ରାଣଯୁକ୍ତ ପ୍ରମାଣ ଆଧୁନିକ ନୋବେଲ ପ୍ରାଇଜ୍‌ ଯୁଗରେ ହତଭାଗ୍ୟ ରାଧାନାଥ, ମଧୁସୂଦନ, ଫକୀରମୋହନ, ନନ୍ଦକିଶୋର ବଳ, ରାମଶଙ୍କର ଓ ଗଙ୍ଗାଧର ମେହର ପ୍ରଭୃତି କବିମାନେ ଇଉରୋପରେ ଭିନ୍ନ ଭିନ୍ନ ଦେଶରେ ଜନ୍ମଗ୍ରହଣ କରିଥିଲେ ଯେ, ନିଶ୍ଚୟ ଏହି ନୋବେଲ ପ୍ରାଇଜ୍‌ ପାଇବାକୁ କ୍ଷମ ହୋଇଥାନ୍ତେ, ଏହା ପ୍ରଳାପ ନୁହେଁ ବରଂ ଆତ୍ମପ୍ରତ୍ୟୟ । ଲେଖାରେ ଭାବ ଆତ୍ମା, ବିଷୟ ଶରୀର, ଭାଷା ପରିଚ୍ଛଦ ଓ ଅଳଙ୍କାର ଅଳଙ୍କାର । ଆଜିକାଲି କୌଣସି ଓଡ଼ିଆ ବା ଅନ୍ୟ ଭାଷାରେ ଲିଖିତ ଲେଖା ନୋବେଲ ପ୍ରାଇଜ୍‌ ପ୍ରତିଯୋଗିତା ପାଇଁ ଗଲେ ତାହା ଇଂରାଜିରେ ଅନୁବାଦିତ ହୋଇ ଯାଉଥିବାରୁ ଏଠାରେ ତାର ଭାବ ଓ ଅଳଙ୍କାର କ୍ଷୟ କରି ପରିଚ୍ଛଦବିହୀନ ହେଉ ନାହିଁ କି ? ଏହା ଅତ୍ୟନ୍ତ ପରିତାପର ବିଷୟ ସିନା !

 

ଆଧୁନିକ ଯୁଗରେ ସାହିତ୍ୟରଥୀମାନେ କମ୍‌ ସାଧନା ଓ ପରିଶ୍ରମର ପରିଚୟ ଦେଉ ନାହାନ୍ତି, ତଥାପି ତାଙ୍କଠାରୁ ଦେଶ ବେଶି ଆଶା କରେ । କାରଣ ଆଖୁରୁ ରସ ବାହାରୁଥିବାରୁ ତାକୁ ବାରମ୍ୱାର ଚିପୁଡ଼ା ଯାଏ, କିନ୍ତୁ କାଠକୁ ଚିପୁଡ଼ି ଫଳ କଣ ? ଅତି ଆଧୁନିକ ବା ଆଜିକାଲିକା ଲେଖକ ଅନେକ । ପ୍ରତ୍ୟେକେ ନିଜେ ନିଜେ ବଡ଼ କବି, ମାଇନର ଶ୍ରେଣୀରୁ କବିତା ଲେଖା ଆରମ୍ଭ କରି ମାଟ୍ରିକ ମଧ୍ୟରେ ରହି କବି ସାଜିବା ଲେଖକ ସଂଖ୍ୟାତୀତ । ସମସ୍ତେ ପଦ୍ୟ, ଖଣ୍ଡକବିତା ଓ ଗଳ୍ପ ଲେଖକ । ପ୍ରବନ୍ଧ, କାବ୍ୟ ଓ ନାଟକ ଲେଖକ ଏମାନଙ୍କ ମଧ୍ୟରେ ଆଦୌ ନାହାନ୍ତି କହିଲେ ଚଳେ; କାରଣ ଧରାପଡ଼ି ଯିବେ ଯେ, ବିଚ୍‌ ବଜାରରେ—ସାହିତ୍ୟ ହାଟରେ । ସମସ୍ତେ ଛାତ୍ର ଅବସ୍ଥାରୁ ବା ସାକ୍ଷର ଅବସ୍ଥାରୁ ଲେଖକ ହେବା ବାଞ୍ଛନୀୟ; ତଥାପି ଅନୁକରଣ ବା ପଡ଼ିଶାଘର ପିଠା ଦେଖି ରବେଇ ଖବେଇ ହେବା ଅଥବା ଶାଗଖିଆକୁ ପେଜଖିଆ ସହି ନ ପାରିବା ଅତ୍ୟନ୍ତ ଦୂଷଣୀୟ ଓ ଅପ୍ରୀତିକର । ଆମ ଆଦବ କାଇଦା ରଖି ଆମେ ଚଳିଲେ ସିନା ସୁନ୍ଦର ହେବ । ନକଲି ବେଶ ଧରି କେତେଦିନ ଚଳିବା ? ଓଡ଼ିଶାରେ ପଦ୍ୟ, କବିତା, କାବ୍ୟ ଓ ଔପନ୍ୟାସିକ କାବ୍ୟର ଆଦୌ ଅଭାବ ନାହିଁ କହିଲେ ଚଳେ; ତେବେ ଏ ସବୁର ଯେଉଁମାନେ ଲେଖକ ହେବାକୁ ଇଚ୍ଛା କରନ୍ତି, ସେମାନଙ୍କୁ ମୋର ବିନୀତ ଅନୁରୋଧ, କିଛି ବୈଶିଷ୍ଟ୍ୟ ଓ ଚାତୁରୀ ଦେଖାଇ ତାହା ପ୍ରାଚୀନ କାବ୍ୟ କବିତାଠାରୁ ଉନ୍ନତତର କରିବାକୁ ଚେଷ୍ଟା କରନ୍ତୁ । ଥୋଡ଼୍‌ ବଡ଼ି ଖଡ଼ା, ଖଡ଼ା ବଡ଼ି ଥୋଡ଼୍‌, ବଡ଼ି ଥୋଡ଼୍‌ ଖଡ଼ା, ଲେଖି କିଛି ଲାଭ ନାହିଁ; କେବଳ କାଗଜ ଓ କାଳିର ଅପବ୍ୟୟ ମାତ୍ର । ଓଡ଼ିଶାରେ ଗଦ୍ୟ ସାହିତ୍ୟର ଖୁବ୍‌ ଅଭାବ । ଗଦ୍ୟ ଆକାରରେ ନାଟକ, ପ୍ରବନ୍ଧ, ଉପନ୍ୟାସ, ଗଳ୍ପ, ଦାର୍ଶନିକ ତତ୍ତ୍ୱ, ମନୋବିଜ୍ଞାନ, ଇତିହାସ, ଭୂଗୋଳ, ବୀଜଗଣିତ, ତ୍ରିକୋଣମିତି, ପରିମିତି, ଜ୍ୟାମିତି ଓ ବିଜ୍ଞାନ ସବୁ ଅନୁବାଦ ବା ସ୍ୱବାଦରୂପେ ବାହାରିବା ବାଞ୍ଛନୀୟ । ସାହିତ୍ୟ ଉନ୍ନତି ଯଜ୍ଞରେ ସ୍ୱାର୍ଥାନ୍ଧତା, ଭେଦାଭେଦଭାବ, ଆତ୍ମଗର୍ବ ଓ ବଡ଼ିମାକୁ ବଳି, ଚରୁ, ସମିଧ, ଆହୁତି ଓ କାଷ୍ଠରୂପେ ନିକ୍ଷେପ କରିବା ସମସ୍ତଙ୍କର କର୍ତ୍ତବ୍ୟ ନୁହେଁ କି ?

Image